ଜଳବାୟୁ ପରିବର୍ତ୍ତନ ଓ ବିଶ୍ବ ତାପମାତ୍ରା ବୃଦ୍ଧି କାରଣରୁ ଚରମ ପାଣିପାଗ ଘଟଣା ଦିନକୁ ଦିନ ବଢ଼ିଚାଲିଛି। ଚରମ ପାଣିପାଗ ଘଟଣା ଆଜିର ଦିନରେ ଆମ ଦୃଷ୍ଟି ଆଢୁଆଳରେ ବିଭିନ୍ନ ଭୂତାଣୁ ଓ ଜୀବାଣୁର ବାହକ ସାଜି ଅଜଣା ରୋଗରେ ଆକ୍ରାନ୍ତ କରାଉଛି। ସଚେତନତା ଅଭାବରୁ ଆମେ ଏଭଳି ରୋଗର ଶିକାର ହୋଇ ଜୀବନ ହରାଉଛେ। ସଂପ୍ରତି ଏହି ଶ୍ରେଣୀୟ ରୋଗ ‘ମେଲିଓଇଡୋସିସ୍’କୁ ନେଇ ଚିକିତ୍ସକ ମହଲରେ ଉଦ୍ବେଗ ସୃଷ୍ଟି ହୋଇଛି। ଓଡ଼ିଶାରେ ମେଲିଓଇଡୋସିସ୍ ରୋଗ ସଂକ୍ରମଣ ବ୍ୟାପିଚାଲିଛି। କିନ୍ତୁ ଏହାକୁ ନେଇ ସ୍ବାସ୍ଥ୍ୟ ବିଭାଗ ବିଶେଷ ତତ୍ପରତା ଦେଖାଇନାହିଁ। ଯଦି ବର୍ତ୍ତମାନଠାରୁ ଏହି ଅନାଲୋଚିତ ଗ୍ରୀଷ୍ମ କଟିବନ୍ଧୀୟ ରୋଗ ପ୍ରତି ଆମେ ସଚେତନ ନହେବା, ଭବିଷ୍ୟତରେ ଏହା ବଡ଼ ସ୍ବାସ୍ଥ୍ୟ ସଂକଟ ହୋଇ ଉଭା ହେବ। ଭୁବନେଶ୍ବରସ୍ଥିତ ଏମ୍ସ୍ ଓ ଆଇ.ଆଇ.ଟି.ର ବିଶେଷଜ୍ଞ ଗବେଷଣା କରି ଭାରତର ଚରମ ପାଣିପାଗଜନିତ ରୋଗ ମେଲିଓଇଡୋସିସ୍ କାରଣ ଓ ସଂକ୍ରମଣକୁ ନେଇ ଓଡ଼ିଶାରେ ସର୍ବପ୍ରଥମେ ନୂଆ ତଥ୍ୟ ସାମ୍ନାକୁ ଆଣିଛନ୍ତି।
ରିପୋର୍ଟ: ବିଭୂତି ପତି
ଆମେ ଜାଣିଛେ, ଋତୁ ବଦଳିଲେ ରୋଗ ବଦଳେ। ଋତୁ ପରିବର୍ତ୍ତନ ସମୟରେ ଥଣ୍ଡା, ଜ୍ବର, କାଶ, ଝାଡ଼ାବାନ୍ତି ଓ ହଇଜା ଭଳି ଅନେକ ଜୀବାଣୁ ଓ ଭୂତାଣୁ ଜନିତ ରୋଗ ବହୁଳ ଭାବେ ଦେଖାଯାଏ। ବର୍ତ୍ତମାନ କଥା ଆଉ ଋତୁଜନିତ ରୋଗଠି ଅଟକି ନାହିଁ, ଜଳବାୟୁ ପରିବର୍ତ୍ତନ ହେତୁ ଜୀବାଣୁ ଓ ଭୂତାଣୁଜନିତ ଜଟିଳ ସଂକ୍ରାମକ ରୋଗ ବ୍ୟାପୁଛି। ସଂପ୍ରତି ଚିହ୍ନଟ ହୋଇଥିବା ଏହି ଶ୍ରେଣୀୟ ରୋଗଟି ହେଉଛି- ମେଲିଓଇଡୋସିସ୍। ଯଦିଓ ଏହି ରୋଗ ବେଶ୍ ପୁରୁଣା, କିନ୍ତୁ ପରିବର୍ତ୍ତିତ ପାଣିପାଗ ବୈଶିଷ୍ଟ୍ୟ ଯୋଗୁଁ ଏହା ପୃଥିବୀର ନୂଆ ନୂଆ ଅଞ୍ଚଳକୁ ପରିବାହିତ ହେଉଛି। ତଥ୍ୟ ଅନୁସାରେ, ୧୯୧୧ରେ ବ୍ରିଟିସ୍ ପାଥୋଲୋଜିଷ୍ଟ୍ (ନିଦାନ ବିଶେଷଜ୍ଞ) ଆଲ୍ଫ୍ରେଡ୍ ୱିଟ୍ମୋର୍ ଓ ତାଙ୍କ ସହଯୋଗୀ ସି.ଏସ୍. କୃଷ୍ଣସ୍ୱାମୀ ପ୍ରଥମେ ଏହି ଗ୍ରୀଷ୍ମ ମଣ୍ଡଳୀୟ ସଂକ୍ରାମକ ରୋଗ ସମ୍ପର୍କରେ ବିଶ୍ବକୁ ଅବଗତ କରିଥିଲେ। ସେ ସମୟରେ ଏହା ‘ୱିଟ୍ମୋର୍ ରୋଗ’ ଭାବରେ ଜଣାଶୁଣା ହେଲା। ପରେ ଗ୍ରୀକ୍ ଶବ୍ଦ ‘ମେଲିସ୍’ ଏବଂ ‘ଇଡୋସ୍’ରୁ ରୋଗର ନାମକରଣ ମେଲିଓଇଡୋସିସ୍ ହୋଇଥିବା ସୂଚନା ରହିଛି।
ଗ୍ରୀଷ୍ମ କଟିବନ୍ଧୀୟ ରୋଗ ମେଲିଓଇଡୋସିସ୍ ସଂକ୍ରମଣ ବର୍ତ୍ତମାନ ଓଡ଼ିଶାରେ ଦେଖାଦେଇଛି। ଭୁବନେଶ୍ବର ଏମ୍ସ୍ର ଅଣୁଜୀବ ବିଜ୍ଞାନୀ ଡକ୍ଟର ବିଜୟିନୀ ବେହେରା ଏବଂ ଭାରତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ (ଆଇ.ଆଇ.ଟି.)ର ଗବେଷକ ଭି. ଭିନୋଜ ଏହି ରୋଗର ଉପସ୍ଥିତି ଚିହ୍ନଟ କରିଛନ୍ତି। ବୃଷ୍ଟିପାତ, ଉତ୍ତାପ, ଆର୍ଦ୍ରତା, ସୂର୍ଯ୍ୟକିରଣ, ମୃତ୍ତିକାର ଓଦାପଣ ଓ ଉତ୍ତାପ ସଂପର୍କିତ ଅଧ୍ୟୟନ କରି ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ମେଲିଓଇଡୋସିସ୍ ରୋଗ ଦେଖାଯାଉଛି ବୋଲି ଗବେଷକମାନେ ଜାଣିପାରିଛନ୍ତି। ଏହି ରୋଗ ‘ବର୍ଖୋଲ୍ଡେରିଆ ସୁଡୋମାଲେଇ’ ନାମକ ଜୀବାଣୁ ଦ୍ବାରା ହୋଇଥାଏ ଏବଂ ଜଳ ଓ ମୃତ୍ତିକା ମାଧ୍ୟମରେ ଏହା ବ୍ୟାପିଥାଏ। ମେଲିଓଇଡୋସିସ୍ ବ୍ୟାପିବା ଲାଗି ଓଡ଼ିଶାର ସାଂପ୍ରତିକ ପାଣିପାଗ ଅନୁକୂଳ ହୋଇଥିବାରୁ ଏହା କ୍ରମଶଃ ବ୍ୟାପିଚାଲୁଛି।
ପ୍ରାଥମିକ ଗବେଷଣାରୁ ଜଣାପଡ଼ିଛି, ଭୀଷଣ ତଥା ଆକସ୍ମିକ ବୃଷ୍ଟିପାତ ଓ ଅତ୍ୟଧିକ ଆର୍ଦ୍ରତା ହେତୁ ଭୂପୃଷ୍ଠରେ ସୂର୍ଯ୍ୟକିରଣର ମାତ୍ରା କମିବା, ମେଘୁଆ ପାଗ ଲାଗିରହିବା କିମ୍ବା ତାପମାତ୍ରା ୨୩ରୁ ୨୯ ଡିଗ୍ରି ସେଲ୍ସିଅସ୍ ମଧ୍ୟରେ ରହିିବା ମେଲିଓଇଡୋସିସ୍ ସଂକ୍ରମଣକୁ ସୁହାଇଥାଏ। ମୃତ୍ତିକାର ଆର୍ଦ୍ରତା ଘନମିଟର ପ୍ରତି ୨୦୦-୪୨୦ ଲିଟର ସ୍ତରରେ ରହିବା ଏବଂ ମୃତ୍ତିକାର ଉତ୍ତାପ ୨୪-୩୧ ଡିଗ୍ରି ସେଲସିଅସ୍ ମଧ୍ୟରେ ରହିବା ପରିସ୍ଥିତିରେ ମେଲିଓଇଡୋସିସ୍ ସଂକ୍ରମଣର ହାର ସର୍ବାଧିକ ହୋଇଥାଏ। ଓଡ଼ିଶାରେ ବର୍ଷର ପ୍ରାୟ ଅଧା ସମୟ ପର୍ଯ୍ୟନ୍ତ ଏପରି ସ୍ଥିତି ବଳବତ୍ତର ରହିଥାଏ।
ରୋଗ ଚିହ୍ନଟ ନଗଣ୍ୟ, ସ୍ବଳ୍ପ ଅଧ୍ୟୟନ
ବୈଶ୍ବିକ ସ୍ତରରେ ମେଲିଓଇଡୋସିସ୍ ଏକ ବିରଳ ରୋଗ ହୋଇଥିଲେ ମଧ୍ୟ ଭାରତ ସମେତ ଦକ୍ଷିଣ ଓ ଦକ୍ଷିଣ-ପୂର୍ବ ଏସୀୟ ଅଞ୍ଚଳରେ ଏହି ସଂକ୍ରମଣ ପ୍ରାୟ ସର୍ବତ୍ର ଅନୁଭୂତ ହେଉଛି। ପୂର୍ବରୁ କରାଯାଇଥିବା କେତେକ ଅଧ୍ୟୟନରୁ ଜଣାପଡ଼ିଛି ଯେ ଭାରତର ଅଧିକାଂଶ ଅଞ୍ଚଳରେ ଏହି ବି. ସୁଡୋମାଲେଇ ଜୀବାଣୁର ଉପସ୍ଥିତି ତଥା ଗତି ପାଇଁ ପାଣିପାଗ ବେଶ୍ ଅନୁକୂଳ।
ମାତ୍ର ପରିତାପର ବିଷୟ, ଭାରତରେ ଏହାର ପ୍ରସାର ବ୍ୟାପକ ହେଉଥିଲେ ହେଁ ଏହି ରୋଗକୁ ଖୁବ୍ କମ୍ ଚିହ୍ନଟ କରାଯାଇଛି। ଯଦିଓ ମେଲିଓଇଡୋସିସ୍ ଏକ ବିଜ୍ଞାପିତ ରୋଗ, କିନ୍ତୁ ବର୍ତ୍ତମାନ ଏହି ରୋଗ ଚିହ୍ନଟ ହେଲେ ସରକାରଙ୍କୁ ଜଣାଇବା ବାଧ୍ୟତାମୂଳକ ହୋଇନାହିଁ। ତେଣୁ ରୋଗ ସଂପର୍କରେ ପ୍ରକୃତ ତଥ୍ୟ ହସ୍ତଗତ ହୋଇପାରୁନାହିଁ। ଫଳରେ ନିରବରେ ମାଡ଼ି ଆସୁଥିବା ଏହି ବିପଦର ମୁକାବିଲା ଲାଗି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଓ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ଅଦ୍ୟାବଧି କୌଣସି ପଦକ୍ଷେପ ଗ୍ରହଣ କରିନାହାନ୍ତି। ଏଠାରେ ଉଲ୍ଲେଖଯୋଗ୍ୟ, ଭାରତରେ ୨୦୦୦ରୁ ୨୦୨୫ ମଧ୍ୟରେ ମେଲିଓଇଡୋସିସ୍ ରୋଗ ସଂପର୍କରେ ମାତ୍ର ୩୦୦ ଭଳି ଗବେଷଣା ସନ୍ଦର୍ଭ ପ୍ରକାଶିତ ହୋଇଛି। ଏଗୁଡ଼ିକ ମଧ୍ୟ କେବଳ ଗୋଟିଏ ଡାକ୍ତରଖାନା ବା ନିର୍ଦ୍ଦିଷ୍ଟ ଅଞ୍ଚଳରେ ଘଟିଥିବା ସଂକ୍ରମଣ ସଂପର୍କରେ ବିକ୍ଷିପ୍ତ ରିପୋର୍ଟ।
ଭାରତରେ ନିକଟ ଅତୀତରେ ମ୍ୟାଲେରିଆ ଏବଂ ଡେଙ୍ଗୁ ଭଳି ରୋଗ ସହିତ ପାଣିପାଗ ସଂପର୍କକୁ ନେଇ ଅଧ୍ୟୟନ କରାଯାଇଛି। ମାତ୍ର ମେଲିଓଇଡୋସିସ୍ ରୋଗର ପରିବ୍ୟାପ୍ତି ଚିହ୍ନଟ କ୍ଷେତ୍ରରେ ଓଡ଼ିଶା ହେଉଛି ଭାରତର ପ୍ରଥମ ରାଜ୍ୟ। ଏଥିସହ ମେଲିଓଇଡୋସିସ୍ ସଂପର୍କିତ ଗବେଷଣା ଏବଂ ଅଧ୍ୟୟନରେ ଓଡ଼ିଶା ସମଗ୍ର ଦେଶରେ ପ୍ରଥମ ରାଜ୍ୟ ବୋଲି ବିବେଚିତ ହୋଇଛି।
ଯଦିଓ ହଇଜା ସଂପର୍କରେ ପ୍ରାୟ ୨୫୦୦ଟି ଏବଂ ମ୍ୟାଲେରିଆ ସଂପର୍କରେ ୭,୧୦୦ଟି ସନ୍ଦର୍ଭ ଏହି ଅବଧିରେ ପ୍ରକାଶିତ ହୋଇଛି, କିନ୍ତୁ ମେଲିଓଇଡୋସିସ୍ ରୋଗ ସଂପର୍କରେ କୌଣସି ବିଧିବଦ୍ଧ ସନ୍ଦର୍ଭ ପ୍ରକାଶିତ ହୋଇନାହିଁ। ତେବେ ଓଡ଼ିଶା ଏ ଦିଗରେ ସର୍ବପ୍ରଥମ ରାଜ୍ୟ ଭାବେ ଅନ୍ୟମାନଙ୍କୁ ରାସ୍ତା ଦେଖାଇଛି।
ଓଡ଼ିଶାରେ ଦେଢ଼କୋଟି ସଂକ୍ରମଣ ଆଶଙ୍କା!
ଏ ସଂପର୍କରେ ଗବେଷଣାରତ ବିଶେଷଜ୍ଞଙ୍କ ମତରେ, ଭାରତର ଅନ୍ୟାନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାରେ, ବିଶେଷକରି ଗ୍ରାମାଞ୍ଚଳରେ ଲୋକେ ଏହି ରୋଗରେ ସଂକ୍ରମିତ ହେବାର ଆଶଙ୍କା ଅଧିକ। ଓଡ଼ିଶାରେ ସଂକ୍ରମଣର ଆଶଙ୍କା ଥିବା ଲୋକମାନଙ୍କ ମଧ୍ୟରୁ ୮୦% ଗ୍ରାମାଞ୍ଚଳରେ ବାସ କରନ୍ତି ଏବଂ ସେମାନଙ୍କ ମଧ୍ୟରୁ ୬.୮% ମଧୁମେହ ଆକ୍ରାନ୍ତ, ୧୦% କିଡ୍ନି ରୋଗୀ ଏବଂ ୩୦% ଅଭ୍ୟାସଗତ ମଦ୍ୟପ ଅଟନ୍ତି। ଓଡ଼ିଶାରେ ଆଗାମୀ ଦିନରେ ପ୍ରାୟ ୧.୫ କୋଟିରୁ ଊର୍ଦ୍ଧ୍ବ ଲୋକ ବି. ସୁଡୋମାଲେଇ ସଂକ୍ରମିତ ହୋଇ ମେଲିଓଇଡୋସିସ୍ ରୋଗରେ ପୀଡ଼ିତ ହେବା ଆଶଙ୍କାକୁ ଏଡ଼ାଇ ଦିଆଯାଇ ନପାରେ।
ଲକ୍ଷଣ ଓ ନିରୂପଣ
ଡାକ୍ତର ନିହାରରଞ୍ଜନ ପରିଡ଼ା କହନ୍ତି, ‘‘ମେଲିଓଇଡୋସିସ୍ ରୋଗ ଚିହ୍ନଟ ଓ ଉପଚାର ସହଜସାଧ୍ୟ ନୁହେଁ। ‘ନିଖୁଣ ଅନୁକରଣକାରୀ’ ରୂପେ ପରିଚିତ ଏହି ଜୀବାଣୁ ଅନ୍ୟ ରୋଗଗୁଡ଼ିକର ଲକ୍ଷଣମାନ ପ୍ରଦର୍ଶିତ କରିଥାଏ, ଯେପରିକି ଯକ୍ଷ୍ମା, ସେପ୍ଟିକ୍ ଆର୍ଥେରାଇଟିସ୍ ଓ ଚର୍ମ ସଂକ୍ରମଣ ଇତ୍ୟାଦି। କେବଳ ରକ୍ତ, ପରିସ୍ରା ବା କଣ୍ଠର ଲାଳୁଆ ଅଂଶ ‘କଲ୍ଚର’ ଦ୍ବାରା ମେଲିଓଇଡୋସିସ୍ ରୋଗର ନିର୍ଭୁଲ୍ ନିରୂପଣ କରାଯାଇପାରେ। ଏଥିପାଇଁ ପ୍ରାୟ ଚାରିଦିନ ସମୟ ଆବଶ୍ୟକ ହୋଇଥାଏ। ହେଲେ ଅଧିକାଂଶ ସଂକ୍ରମିତ ରୋଗୀଙ୍କ ପାଖରେ ଏତେ ସମୟ ନ ଥାଏ। ସେଥିପାଇଁ ଚିକିତ୍ସା ବିଳମ୍ବିତ ହୋଇପଡ଼ିବା ସହିତ ଜୀବନ ପ୍ରତି ବିପଦ ଘନେଇ ଥାଏ।’’ ‘‘ଅଧିକାଂଶ ମେଲିଓଇଡୋସିସ୍ ସଂକ୍ରମଣ ଅକସ୍ମାତ୍ ତୀବ୍ର ହୋଇଥାଏ। ପୁଣି ଆକ୍ରାନ୍ତଙ୍କ ମଧ୍ୟରୁ ପ୍ରାୟ ୨୦% ରୋଗୀଙ୍କୁ ସେପ୍ସିସ୍ ହୋଇଯାଏ, ଯାହାକି ଏକାଧିକ ଅଙ୍ଗ ନଷ୍ଟ ହୋଇଯିବାର ଆଶଙ୍କା ସୃଷ୍ଟି କରିଥାଏ। ତୁରନ୍ତ ପଦକ୍ଷେପ ଗ୍ରହଣ କରା ନ ଗଲେ ଏପରି ରୋଗୀଙ୍କ ମଧ୍ୟରୁ ୫୦% ମୃତ୍ୟୁବରଣ କରିଥାଆନ୍ତି। ବି. ସୁଡୋମାଲେଇ ସଂକ୍ରମଣର ମାତ୍ର ୧୦% କ୍ଷେତ୍ରରେ ନିର୍ଦ୍ଦିଷ୍ଟ ଲକ୍ଷଣ ବା ଆଂଶିକ ଲକ୍ଷଣ ଦେଖାଦେଇଥାଏ। ଜ୍ବର, ଶରୀର ବ୍ୟଥା, କାଶ, ଛାତିରେ ଯନ୍ତ୍ରଣା ଓ ମୁଣ୍ଡବିନ୍ଧା ପରି ଲକ୍ଷଣମାନ ପ୍ରକାଶ ପାଇଥାଏ। ଏପରି ସଂକ୍ରମଣ କ୍ଷେତ୍ରରେ ପ୍ରଥମରୁ ଚିକିତ୍ସା ଆରମ୍ଭ କଲେ ମଧ୍ୟ ପ୍ରାୟ ୧୧% ରୋଗୀମାନଙ୍କଠାରେ ଦୀର୍ଘଦିନ ସଂକ୍ରମଣ ଲାଗି ରହେ,’’ ବୋଲି କହନ୍ତି ଡାକ୍ତର ନିହାରରଞ୍ଜନ ପରିଡ଼ା।
ଦେଶର ପ୍ରଥମ ଗବେଷଣା ଓଡ଼ିଶାରେ
ଗବେଷକଙ୍କ ପ୍ରକାଶିତ ରିପୋର୍ଟରେ ଦର୍ଶାଯାଇଛି ଯେ ଭୁବନେଶ୍ୱରସ୍ଥିତ ଏମ୍ସରେ କାର୍ଯ୍ୟରତ ଅଣୁଜୀବ ବିଜ୍ଞାନୀ ଡକ୍ଟର ବିଜୟିନୀ ବେହେରା ଏହି ରୋଗ ସଂପର୍କରେ ଅବଗତ ହେବା ପରେ ତଥ୍ୟ ସଂଗ୍ରହ ଆରମ୍ଭ କରିଥିଲେ। ଅଧିକ ତଥ୍ୟ ସଂଗ୍ରହ ଲାଗି ପ୍ରୟାସ ବେଳେ ସେ ଜାଣିବାକୁ ପାଇଲେ ଯେ ବୃଷ୍ଟିପାତ, ଚରମ ପାଣିପାଗ ଘଟଣା, ବାୟୁମଣ୍ଡଳର ଆର୍ଦ୍ରତା, ପବନର ବେଗ ଇତ୍ୟାଦି ସହ ମେଲିଓଇଡୋସିସ୍ ରୋଗର ସଂପର୍କ ରହିଛି। ଓଡ଼ିଶାରେ ଜଳବାୟୁର ତାରତମ୍ୟ ସହ ଏହି ରୋଗର କି ପ୍ରକାର ସଂପର୍କ ରହିଛି ତାହା ଅନୁସନ୍ଧାନ କରିବାକୁ ସେ ଲାଗିପଡ଼ିଲେ। ସଂଯୋଗବଶତଃ ଡକ୍ଟର ବିଜୟିନୀ ବେହେରା ଆଇ.ଆଇ.ଟି. ଭୁବନେଶ୍ବରରେ ମେଲିଓଇଡୋସିସ୍ ଉପରେ ଅଧିକ ଗବେଷଣା କରୁଥିବା ଡକ୍ଟର ଭି. ଭିନୋଜଙ୍କର ଜଳବାୟୁ ମଡେଲ୍ ସଂପର୍କିତ କାର୍ଯ୍ୟ ବିଷୟରେ ସୂଚନା ପାଇଲେ। ଏହାପରେ ଉଭୟେ ମିଳିତ ଭାବେ ଏହି ରୋଗ ସଂପର୍କରେ ଗବେଷଣା ଆରମ୍ଭ କଲେ। ତେବେ ଏହି ଅଧ୍ୟୟନ ଓ ଗବେଷଣା ଆଗକୁ ନେବା ପାଇଁ ତଥ୍ୟ ସଂଗ୍ରହ ଅତ୍ୟନ୍ତ କଷ୍ଟକର ଥିଲା।
‘‘ଆମେ ପାଣିପାଗ ତଥ୍ୟ ସହିତ ମେଲିଓଇଡୋସିସ୍ ରୋଗକୁ ଯୋଡ଼ିବା ସକାଶେ ରୋଗର ଲକ୍ଷଣମାନ କେବେ ଦେଖାଦେଲା ତା’ର ଅନୁଧ୍ୟାନ ଆରମ୍ଭ କଲୁ। ଏଥିସହିତ ରୋଗୀ ଯେଉଁଦିନଠାରୁ ଏମ୍ସ, ଭୁବନେଶ୍ବରକୁ ଆସି ଚିକିତ୍ସା ଆରମ୍ଭ କଲେ ସେ ସଂପର୍କରେ ସଂପୂର୍ଣ୍ଣ ତଥ୍ୟ ସଂଗ୍ରହ କରିବା ଆବଶ୍ୟକ ଥିଲା। ପୁରୁଣା ମାମଲାଗୁଡ଼ିକ କ୍ଷେତ୍ରରେ ସଂକ୍ରମଣ ହେବାବେଳେ ସଂପୃକ୍ତ ବ୍ୟକ୍ତି କେଉଁଠାରେ ଥିଲେ ସେ କଥା ଜାଣିବା ଗୁରୁତ୍ବପୂର୍ଣ୍ଣ ଥିଲା। ଏହିପରି ଭାବେ ନିର୍ଭରଯୋଗ୍ୟ ସୂଚନା ପାଇବାକୁ ଦୀର୍ଘସମୟ ଅକ୍ଳାନ୍ତ ପରିଶ୍ରମ କରିବାକୁ ପଡୁଥିଲା,’’ ବୋଲି ଡାକ୍ତର ବିଜୟିନୀ ବେହେରା ଓ ଡକ୍ଟର ଭି. ଭିନୋଜ ନିଜର ପ୍ରକାଶିତ ଅନୁଧ୍ୟାନ ରିପୋର୍ଟରେ କହିଛନ୍ତି।
ଅଧ୍ୟୟନ ରିପୋର୍ଟ ଅନୁସାରେ, ଗତ ୯ ବର୍ଷ ମଧ୍ୟରେ (ଜାନୁଆରି ୨୦୧୫ରୁ ସେପ୍ଟେମ୍ବର ୨୦୨୩) ଭୁବନେଶ୍ବର ଏମ୍ସକୁ ଆସିଥିବା ୧୪୪ଟି ମେଲିଓଇଡୋସିସ୍ ମାମଲା ସଂପର୍କରେ ସଠିକ୍ ତଥା ବିସ୍ତୃତ ତଥ୍ୟ ମିଳିଥିଲା। ଏହି ରୋଗ ସଂପର୍କରେ ଇ.ସି.ଏମ୍.ଡବ୍ଲ୍ୟୁ.ଏଫ୍. ଲ୍ୟାଣ୍ଡ୍ ରିଏନାଲିସିସ୍ ଠାରୁ ପାଣିପାଗ ସଂପର୍କିତ ତଥ୍ୟ ସଂଗ୍ରହ କରାଯାଇଥିଲା। ଏଥିସହ ସଂକ୍ରମଣସ୍ଥଳୀଗୁଡ଼ିକ ସଂପର୍କରେ କିମ୍ବା ସଂପୃକ୍ତ ଅଞ୍ଚଳରେ ପାଣିପାଗ ସଂପର୍କିତ ତଥ୍ୟ ସଂଗ୍ରହ କରାଯିବା ଜରୁରି ଥିଲା। ମାତ୍ର ସଂକ୍ରମଣର ସଠିକ୍ ତାରିଖ ଓ ଲକ୍ଷଣ ପରିପ୍ରକାଶିତ ହେବା ସକାଶେ କେତେଦିନ ଲାଗେ- ଏସବୁ ତଥ୍ୟରେ ଅନିଶ୍ଚିତତା ରହିଥିବା ପରିପ୍ରେକ୍ଷୀରେ କାର୍ଯ୍ୟକରିବା ଆହୁରି ଜଟିଳ ହୋଇଗଲା। ସେ ତଥ୍ୟ ମିଳିବା ପରେ ଯାଇ ସଂକ୍ରମଣ ସ୍ଥାନ ଓ ତାରିଖ ସହ ପାଣିପାଗ ତଥ୍ୟ ମେଳକ ପରୀକ୍ଷା କରିବା ସମ୍ଭବ ହୋଇଥିଲା ଏବଂ ଏହି ରୋଗ ସମ୍ବନ୍ଧୀୟ ଅନେକ ନୂତନ ଗବେଷଣାତ୍ମକ ତଥ୍ୟ ମିଳିଥିଲା।
ଗବେଷଣାଲବ୍ଧ ତଥ୍ୟ ଆଧାରରେ ଓଡ଼ିଶାରେ ମେଲିଓଇଡୋସିସ୍ ରୋଗର ପରିବ୍ୟାପ୍ତି ସଂପର୍କିତ ବ୍ଲୁ-ପ୍ରିଣ୍ଟ୍ ପ୍ରସ୍ତୁତ କରାଯାଇଛି। ଏଥିପାଇଁ ୨୦୧୫ରୁ ୨୦୨୩ ପର୍ଯ୍ୟନ୍ତ ପ୍ରାୟ ୩୧୯୫ ଦିନର ପାଣିପାଗ ତଥ୍ୟ ସଂଗ୍ରହ କରାଯାଇ ସଂକ୍ରମଣ ଅନୁକୂଳ ପାଣିପାଗ ସଂକ୍ରମଣ ଦିବସର ଆଖପାଖରେ କେବେ ଥିଲା ତାହା ନିର୍ଦ୍ଧାରଣ କରାଯାଇଥିଲା। ଭାରତରେ ନିକଟ ଅତୀତରେ ମ୍ୟାଲେରିଆ ଓ ଡେଙ୍ଗୁ ଭଳି ରୋଗ ସହିତ ପାଣିପାଗ ସଂପର୍କକୁ ନେଇ ଅଧ୍ୟୟନ କରାଯାଇଛି। ମାତ୍ର ମେଲିଓଇଡୋସିସ୍ ରୋଗର ପରିବ୍ୟାପ୍ତି ଚିହ୍ନଟ କ୍ଷେତ୍ରରେ ଓଡ଼ିଶା ହେଉଛି ଭାରତର ପ୍ରଥମ ରାଜ୍ୟ। ଏଥିସହ ମେଲିଓଇଡୋସିସ୍ ସଂପର୍କିତ ଗବେଷଣା ଏବଂ ଅଧ୍ୟୟନରେ ଓଡ଼ିଶା ସମଗ୍ର ଦେଶରେ ପ୍ରଥମ ରାଜ୍ୟ ବୋଲି ବିବେଚିତ ହୋଇଛି।
ବ୍ୟାପକ ଅଧ୍ୟୟନ ଆବଶ୍ୟକ
ବର୍ତ୍ତମାନ ଡାକ୍ତରଖାନାରେ ଚିକିତ୍ସିତ ହୋଇଥିବା ରୋଗୀମାନଙ୍କର ତଥ୍ୟ ଆଧାରିତ ବିଶ୍ଳେଷଣ ଦ୍ବାରା ଓଡ଼ିଶାରେ ମେଲିଓଇଡୋସିସ୍ ରୋଗର ପରିବ୍ୟାପ୍ତି ସଂପର୍କରେ ପ୍ରକୃତ ଚିତ୍ର ମିଳିପାରିବ। ଡାକ୍ତରଖାନା ଆଧାରିତ ତଥ୍ୟ ଲୋକଙ୍କ ପାଖରେ ସ୍ବାସ୍ଥ୍ୟସେବା ପହଞ୍ଚ ସଂପର୍କରେ ଅବଧାରଣା ଦେଇଥାଏ। ଜିଲ୍ଲାୱାରୀ କିମ୍ବା ଆଞ୍ଚଳିକ ସ୍ତରର ତଥ୍ୟ ପାଇବା ପାଇଁ ଏହି ରୋଗ ଉପରେ ନଜର ରଖିବା ଲାଗି ସରକାରୀ ସ୍ତରରେ ପ୍ରୟାସ ଦରକାର। ଏହା ଫଳରେ ଅନୁଧ୍ୟାନ ନିର୍ଭୁଲ୍ ହେବ ଏବଂ ରାଜ୍ୟବ୍ୟାପି ମେଲିଓଇଡୋସିସ୍ ରୋଗର ପରିବ୍ୟାପ୍ତି ନେଇ ଅସଲ ଚିତ୍ର ମିଳିପାରିବ। ଏଥିପାଇଁ ରାଜ୍ୟ ସରକାର ଏବଂ ସ୍ବାସ୍ଥ୍ୟ ବିଭାଗର ତତ୍ପରତା ଜରୁରି। ମେଲିଓଇଡୋସିସ୍ ରୋଗର ଗବେଷଣା, କାରଣ ଓ ଲକ୍ଷଣ ନିରୂପଣ ଦିଗରେ ଅତ୍ୟାଧୁନିକ ବ୍ୟବସ୍ଥା ଓ ଆର୍ଥିକ ପ୍ରାବନ୍ଧନ କରାଯିବା ଆବଶ୍ୟକ।
ଗବେଷକମାନେ ମେଲିଓଇଡୋସିସ୍ ସଂକ୍ରମଣ ଏବଂ ପାଣିପାଗର କେତେକ କାରକ ମଧ୍ୟରେ ପ୍ରତ୍ୟକ୍ଷ ଆନୁପାତିକ ସଂପର୍କ ଥିବା ଏହି ଅନୁଧ୍ୟାନରୁ ଜାଣିବାକୁ ପାଇଛନ୍ତି। ଏହି ଗବେଷଣାର ସିଦ୍ଧାନ୍ତଗୁଡ଼ିକ ବେଶ୍ ଉତ୍ସାହପ୍ରଦ ଏବଂ ଆଗାମୀ ଦିନରେ ଏହି ଧାରାରେ ଅଧିକ ଗବେଷଣା କରାଗଲେ ଭବିଷ୍ୟତରେ ମେଲିଓଇଡୋସିସ୍ ରୋଗ ନିୟନ୍ତ୍ରଣ କରାଯାଇ ଜନସ୍ବାସ୍ଥ୍ୟ ସେବାକୁ ପ୍ରଭାବୀ କରାଯାଇପାରିବ। ଅନ୍ୟ ଅଧ୍ୟୟନଗୁଡ଼ିକ ପରି ମେଲିଓଇଡୋସିସ୍ ଅଧ୍ୟୟନରେ ମଧ୍ୟ କେତେକ ସୀମାବଦ୍ଧତା ରହିଛି। ତେବେ ଏ କ୍ଷେତ୍ରରେ ବ୍ୟାପକ ଗବେଷଣା ଓ ଅନୁଧ୍ୟାନ କରାଗଲେ ମେଲିଓଇଡୋସିସ୍ ପରି ଏକ ବିରଳ ରୋଗର ପୂର୍ବାନୁମାନ, ନିଦାନ ଓ ଚିକିତ୍ସାରେ ସହାୟକ ହେବ।
ମେଲିଓଇଡୋସିସ୍ ରୋଗର ଏହି ଅଧ୍ୟୟନ କେବଳ ମେଲିଓଇଡୋସିସ୍ ନୁହେଁ, ବରଂ ପାଣିପାଗ ଓ ପାରିବେଶିକ କାରଣଜନିତ ରୋଗଗୁଡ଼ିକ ଯୋଗୁଁ ପ୍ରଭାବିତ ହେଉଥିବା ଅନ୍ୟ ଯେକୌଣସି ରୋଗ ପାଇଁ ସ୍ବାସ୍ଥ୍ୟସେବା ଯୋଜନା ପ୍ରସ୍ତୁତ କରିବାରେ ସହାୟକ ହେବ। ନୂତନ ଗବେଷଣା ଏହି ରୋଗର ଚିକିତ୍ସା କ୍ଷେତ୍ରରେ ଦକ୍ଷ ନୀତିଗତ ନିଷ୍ପତ୍ତି ଗ୍ରହଣ କରିବାରେ ସହାୟକ ହେବ। ଓଡ଼ିଶାରେ ମେଲିଓଇଡୋସିସ୍ ସଂକ୍ରମଣ ଯେଉଁଭଳି ଭାବରେ ବ୍ୟାପୁଛି ଏଥିପାଇଁ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ବର୍ତ୍ତମାନଠାରୁ ଦାୟିତ୍ବବାନ୍ ହୋଇ ନୀତିଗତ ନିଷ୍ପତ୍ତି ଗ୍ରହଣକରି ରାଜ୍ୟବାସୀଙ୍କ ସ୍ବାସ୍ଥ୍ୟକୁ ସୁରକ୍ଷା ଦେବାର ସମୟ ଆସିଛି।