ଏମାନେ ସାଧାରଣ ଜୀବନରୁ ଆସିଛନ୍ତି। ପ୍ରତିକୂଳ ପରିସ୍ଥିତିକୁ ବି ସାମନା କରିଛନ୍ତି। ହେଲେ ସମାଜର ହିତସାଧନ କରି ପରିବର୍ତ୍ତନର ବଡ଼ ପ୍ରତୀକ ବା ଚେହେରା ପାଲଟିଯାଇଛନ୍ତି। ମଫସଲ ଓ ସାନ ସହରରୁ ଆସିଥିବା କିଛି ସାଧାରଣ ଲୋକ ଶିକ୍ଷା, ସ୍ୱାସ୍ଥ୍ୟ, କୃଷି, ଖାଦ୍ୟ ଓ ପରିବେଶ ସୁରକ୍ଷା ଭଳି କ୍ଷେତ୍ରରେ ଅସାଧାରଣ ଭୂମିକା ତୁଲାଉଛନ୍ତି। ସେମାନଙ୍କ ଉତ୍ସର୍ଗୀକୃତ କାମ କେବଳ ସମାଜରେ ଉଦାହରଣ ସୃଷ୍ଟି କରିନି, ଅନେକ ଆଶାକୁ ମଧ୍ୟ ଉଜ୍ଜୀବିତ କରିଛି। ନିରାଶାର ଅନ୍ଧାର ଭିତରେ ମଣିଷ ଯେବେ ରାହା ଖୋଜେ ଏମାନେ ହିଁ ଆଶାର ଆଲୋକ ଦେଖାଇ ପରିସ୍ଥିତିକୁ ସମ୍ଭାଳି ନିଅନ୍ତି। ସାଦାସିଧା ସରଳ ଜୀବନ ଭିତରେ ଅସାଧାରଣ ସାହସ ଓ ସଂକଳ୍ପ ସହ ଏମାନେ ନିଜ କାମ ମାଧ୍ୟମରେ ସମାଜରେ ଗଭୀର ଛାପ ଛାଡ଼ିଛନ୍ତି। ବିଦାୟୀ ବର୍ଷ ୨୦୨୫ରେ ‘ସମ୍ବାଦ’ ନେଇଆସିଛି ଏମିତି କିଛି ସଫଳ ବ୍ୟକ୍ତିତ୍ୱଙ୍କ କାହାଣୀ, ଯେଉଁମାନେ ସାଧାରଣ ହୋଇ ମଧ୍ୟ ନିଜ କାମରେ ଅସାଧାରଣ। ସେମାନଙ୍କର ସଂଘର୍ଷ, ସଫଳତା ଓ ସାମାଜିକ ନିଷ୍ଠା ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ।

Advertisment

ପ୍ରସ୍ତୁତି: ଗୌତମ ଶଙ୍କର ସ୍ବାଇଁ 
ତଥ୍ୟ ସହାୟତା: ଅନୁଗୁଳ, ସମ୍ବଲପୁର, ଜୟପୁର, ବ୍ରହ୍ମପୁର, ଯାଜପୁର, ବାଲେଶ୍ବର ନ୍ୟୁଜ ବ୍ୟୁରୋ
ଅଳଙ୍କରଣ: ଦୀପ୍ତିରଞ୍ଜନ ଆଚାର୍ଯ୍ୟ

ପୁରୁଷ ବନ୍ଧ୍ୟାକରଣର ପ୍ରବର୍ତ୍ତିକା ସଂଘମିତ୍ରା

ପୁରୁଷ ପ୍ରାଧାନ୍ୟ ସମାଜରେ ପୁରୁଷ ବନ୍ଧ୍ୟାକରଣ ଭଳି ଦାୟିତ୍ବ ନିର୍ବାହ କରି ଚର୍ଚ୍ଚାକୁ ଆସିଛନ୍ତି ସଂଘମିତ୍ରା ମହାପାତ୍ର। ୭୦୦ରୁ ଊର୍ଦ୍ଧ୍ବ ଲୋକଙ୍କୁ ବୁଝାଇ ସଫଳ ହୋଇଥିବାରୁ ରାଜ୍ୟ ସରକାରଙ୍କ ଦ୍ବାରା ୪ ଥର ପୁରସ୍କୃତ ହୋଇଛନ୍ତି। ସଂଘମିତ୍ରାଙ୍କ ଉଦ୍ୟମ, ନିଷ୍ଠାପର କାର୍ଯ୍ୟ ଯୋଗୁଁ ରାମନାଗୁଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପୁରୁଷ ବନ୍ଧ୍ୟାକରଣରେ ସାରା ରାଜ୍ୟରେ ଗତ ୫ ବର୍ଷ ହେଲା ପ୍ରଥମ ସ୍ଥାନ ଅଧିକାର କରି ଆସୁଛି।

ରାମନାଗୁଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଜନସ୍ବାସ୍ଥ୍ୟ ସଂପ୍ରସାରଣ ଅଧିକାରୀ ରୂପେ କାର୍ଯ୍ୟରତ ଅଛନ୍ତି ସଂଘମିତ୍ରା। ଆଦିବାସୀବହୁଳ ଅଞ୍ଚଳରେ ପୁରୁଷ ବନ୍ଧ୍ୟାକରଣ କ୍ଷେତ୍ରରେ ସଚେତନତା ସୃଷ୍ଟି କରି ସାରା ରାଜ୍ୟରେ ନିଆରା ଉଦାହରଣ ପାଲଟିଛନ୍ତି। ୨୦୧୫ରୁ ରାମନାଗୁଡ଼ା ବ୍ଲକ୍‌ର ୧୨ଟି ପଞ୍ଚାୟତରେ ଏହି କାର୍ଯ୍ୟକୁ ନିରନ୍ତର କରି ଆସୁଛନ୍ତି। ୨୦୨୦ରୁ କ୍ରମାଗତ ଭାବେ ରାମନାଗୁଡ଼ା ସାରା ରାଜ୍ୟରେ ପ୍ରଥମ ସ୍ଥାନ ଅଧିକାର କରୁଥିବା ବେଳେ ଏହାର ସମସ୍ତ ଶ୍ରେୟ ସଂଘମିତ୍ରାଙ୍କୁ ଦେଇଛି ସ୍ବାସ୍ଥ୍ୟ ବିଭାଗ। ବନ୍ଧ୍ୟାକରଣକୁ ନେଇ ସଂଘମିତ୍ରା କୁହନ୍ତି, ଜଣେ ପୁରୁଷ ଅନ୍ୟ ଜଣେ ପୁରୁଷକୁ ଏ ସମ୍ପର୍କରେ ସଚେତନ କରିବା ସହଜ ହୋଇଥାଏ। କିନ୍ତୁ ଆଦିବାସୀ ଅଞ୍ଚଳରେ ଜଣେ ମହିଳା, ପୁରୁଷଙ୍କୁ ବନ୍ଧ୍ୟାକରଣ ଭଳି ବିଷୟ ସମ୍ପର୍କରେ ଗୋଷ୍ଠୀଗତ ଏବଂ ବ୍ୟକ୍ତିଗତ ଭାବରେ ବୁଝାଇବା କଷ୍ଟକର ବ୍ୟାପାର।

fshhfsfshxbvbv

ପୁରୁଷମାନେ ବନ୍ଧ୍ୟାକରଣକୁ ନେଇ ସର୍ବସାଧାରଣରେ ବିଭିନ୍ନ ପ୍ରକାର ପ୍ରଶ୍ନ ପଚାରନ୍ତି। ପ୍ରଥମେ ପ୍ରଥମେ ଏହା ଅଡ଼ୁଆ ଲାଗୁଥିଲା। ଉତ୍ତର ଦେବା କଷ୍ଟକର ହେଉଥିଲା। ତଥାପି ସେ କେବେ ପଛକୁ ହଟିନାହାନ୍ତି। ଏହାକୁ ଚ୍ୟାଲେଞ୍ଜ ଭାବେ ଗ୍ରହଣ କରି ସଫଳତା ପାଇଛନ୍ତି। ଚଳିତ ବର୍ଷ ରାଜ୍ୟ ସରକାର ଜନସ୍ବାସ୍ଥ୍ୟ ସଂପ୍ରସାରଣ ଅଧିକାରୀଙ୍କୁ ଏହି ପୁରସ୍କାର ଦେବା ବନ୍ଦ କରି ଦେଇଛନ୍ତି। ଫଳରେ ଯୋଗ୍ୟ ଥିବା ସତ୍ତ୍ବେ ପୁରସ୍କୃତ ହୋଇ ପାରିନାହାନ୍ତି ସଂଘମିତ୍ରା। ତଥାପି ସଚେତନତା କାର୍ଯ୍ୟକୁ ସେ ଜୀବନର ବ୍ରତ ଭାବେ ଗ୍ରହଣ କରିଥିବା ପ୍ରକାଶ କରିଛନ୍ତି। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅଧିକାରୀ ଡାକ୍ତର ମମତା ସାହୁଙ୍କ ମତରେ ସଂଘମିତ୍ରା ଜଣେ ଉତ୍ସର୍ଗୀକୃତ କର୍ମଚାରୀ। ପୁରୁଷ ବନ୍ଧ୍ୟାକରଣ କ୍ଷେତ୍ରରେ ଜଣେ ମହିଳା ସଫଳତା ପାଇବା ନିଶ୍ଚିତ ଭାବେ ପ୍ରେରଣାଦାୟକ।

ଗରିବଙ୍କ ଭଗବାନ: ଡା.ଅନଙ୍ଗ ସୁଜନ
ଦୁର୍ଗମ ଅଞ୍ଚଳରେ କିଭଳି ଡାକ୍ତର ଅଭାବରୁ ଗରିବ ଆଦିବାସୀ ସ୍ବାସ୍ଥ୍ୟସେବାରୁ ବଞ୍ଚିତ ହେଉଛନ୍ତି, ସେ କଥା ପିଲାଟି ଦିନରୁ ଅଙ୍ଗେ ନିଭାଇଥିଲେ। ଚିକିତ୍ସା ନପାଇ ରୋଗରେ ଛଟପଟ ହେଉଥିବା ରୋଗୀଙ୍କୁ ଅତି ନିକଟରୁ ଦେଖି ସେବେଠାରୁ ହିଁ ନିଷ୍ପତ୍ତି ନେଇଥିଲେ ସେ ଡାକ୍ତର ହେବେ ଏବଂ ନିଜ ଅଞ୍ଚଳରେ ଉତ୍ତମ ସ୍ବାସ୍ଥ୍ୟସେବା ଯୋଗାଇବେ। ସେଦିନର କଳ୍ପନା ସତରେ ପରିଣତ ହେଲା। ଆଉ ଭଗବାନଙ୍କ ଆଶୀର୍ବାଦରୁ ସେ ଡାକ୍ତର ବି ହୋଇଗ‌ଲେ। ସୌଭାଗ୍ୟବଶତଃ ତାଙ୍କୁ ନିଜ ଜିଲ୍ଲାରେ ହିଁ ସେବା କରିବାକୁ ସୁଯୋଗ ମିଳିଗଲା। ବର୍ତ୍ତମାନ ନିଜ ଅଞ୍ଚଳର ରୋଗୀଙ୍କୁ ନିରନ୍ତର ସେବା ଯୋଗାଇବା ସହ ଆଦିବାସୀବହୁଳ ଅଞ୍ଚଳରେ ରୋଗୀସେବାକୁ ବ୍ରତ କରିଛନ୍ତି ଗଜପତିଜିଲ୍ଲା ରାୟଗଡ଼ ବ୍ଲକ୍‌ର ଦୁର୍ଗମ ମୁନିସିଂ ଗ୍ରାମର ଡା.ଅନଙ୍ଗ ସୁଜନ ଭୂୟାଁ। ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟରେ ପଢ଼ା ସାରିବା ପରେ ୨୦୧୪ରେ ପ୍ରଥମେ ରା.ଉଦୟଗିରି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ନିଯୁକ୍ତି ପାଇଥିଲେ। ସେବେଠାରୁ ସେ ଜିଲ୍ଲାର ଦୁର୍ଗମ ଅଞ୍ଚଳ ଡେରେବା, ଛେଳିଗଡ଼, ରାମଗିରି ଆଦି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ରହି ଲୋକଙ୍କୁ ସ୍ବାସ୍ଥ୍ୟସେବା ଯୋଗାଇବା ସହ ସ୍ଥାନୀୟ ଅଞ୍ଚଳରେ ସ୍ବାସ୍ଥ୍ୟ, ପରିବେଶ ଓ ଅନ୍ଧବିଶ୍ବାସ ଦୂର କରିବା ଦିଗରେ ସଚେତନତା ସୃଷ୍ଟି କରୁଛନ୍ତି। ଗାଁ ଗାଁ’ରେ ସଚେତନତା ସଭା, ବୃକ୍ଷରୋପଣ, ଡେଙ୍ଗୁ, ମ୍ୟାଲେରିଆ ଆଦିର ନିରାକରଣ ପାଇଁ ପଦକ୍ଷେପ ନେଇ ଲୋକଙ୍କ ସୁଖଦୁଃଖରେ ସାମିଲ ହୋଇଛନ୍ତି। ପ୍ରାୟ ୧୨ ବର୍ଷ ହେଲା ସେ ଗରିବଙ୍କୁ ନିରନ୍ତର ସେବା ଯୋଗାଇ ପ୍ରିୟଭାଜନ ହୋଇଛନ୍ତି। ତାଙ୍କଠାରୁ ପ୍ରେରଣା ପାଇ ନିଜ ଗାଁ ମୁନିସିଂରୁ ଆଉ ୪ ଜଣ ଛାତ୍ର ଡାକ୍ତରୀ ପାଠ ପଢ଼ୁଛନ୍ତି। ଗ୍ରାମାଞ୍ଚଳରେ ଉଚ୍ଚଶିକ୍ଷିତ ହେବା ପାଇଁ ଅନେକ ପ୍ରତିବନ୍ଧକ ରହିଥାଏ। ସେଥିପାଇଁ କୁସଂସ୍କାରକୁ ଦୂର କରିବା ସହ ଜୀବନଜୀବିକା କ୍ଷେତ୍ରରେ ପରିବର୍ତ୍ତନର ଆବଶ୍ୟକତା ରହିଛି ବୋଲି କହିଛନ୍ତି ଏହି ଯୁବ ଡାକ୍ତର ଅନଙ୍ଗ ସୁଜନ ଭୂୟାଁ।

ସମାଧାନର ସମ୍ରାଟ ‘ବିକ୍ରମ’
ବିଭିନ୍ନ ସମସ୍ୟାର ସମାଧାନ ପାଇଁ ସେ ସାମାଜିକ ଗଣମାଧ୍ୟମ ‘ଏକ୍ସ’କୁ (ପୂର୍ବରୁ ଟୁଇଟର୍‌) ସମସ୍ୟା ସମାଧାନକାରୀ ଯନ୍ତ୍ର ଭାବେ ବାଛି ନେଇଛନ୍ତି। ଟୁଇଟ୍‌ କରି ଇତିମଧ୍ୟରେ ୫ ହଜାର ସମସ୍ୟାର ସମାଧାନ କରିବା ସହ ଚର୍ଚ୍ଚାରେ ରହିଛନ୍ତି କେନ୍ଦୁଝରର ବିକ୍ରମ ମହାନ୍ତ। କେନ୍ଦୁଝର ସଦର ବ୍ଲକ୍‌ ବୀରକିଶୋରପୁର ଗ୍ରାମର ବିକ୍ରମ ୨୦୧୯ରେ ନିକଟସ୍ଥ ପଦ୍ମପୁର କଲେଜକୁ ପାଠ ପଢ଼ିବାକୁ ଯାଉଥିଲେ। ବର୍ଷାଦିନେ ଗାଁ ରାସ୍ତା ଶୋଚନୀୟ ହୋଇଥିବାରୁ ଯାତାୟାତରେ ସମସ୍ୟା ହେଉଥିଲା। ସେ ବାରମ୍ବାର ସ୍ଥାନୀୟ ନେତୃତ୍ବଙ୍କୁ ଜଣାଇ ଥକିଗଲେ ପଛେ ରାସ୍ତା ଅବସ୍ଥା ସୁଧୁରି ନଥିଲା। ସେ ପ୍ରଥମଥର ପାଇଁ ସମସ୍ୟା ସମ୍ପର୍କରେ ତତ୍କାଳୀନ ୫-ଟି ସଚିବଙ୍କୁ ଟୁଇଟ୍‌ କରି ଜଣାଇଥିଲେ। କିଛିଦିନ ପରେ କଲେଜ ଯିବା ରାସ୍ତାରେ ପୂର୍ତ୍ତ ବିଭାଗ ଅଧିକାରୀମାନେ ରାସ୍ତା ମାପଚୁପ କରିବା ସହ ମରାମତି ପାଇଁ ପ୍ରସ୍ତୁତ ହେଉଥିବା ଦେଖି ବିକ୍ରମ ବିସ୍ମିତ ହୋଇଥିଲେ। ଆଗକୁ କେମିତି ଏଭଳି ସମସ୍ୟାର ସମାଧାନ ହୋଇପାରିବ ସେଥିପାଇଁ ନିଜକୁ ପ୍ରସ୍ତୁତ କରିଥିଲେ।

ଏହାପରଠାରୁ ବିକ୍ରମ ରାଜ୍ୟର ବିଭିନ୍ନ ଅଞ୍ଚଳର ସମସ୍ୟା ସମାଧାନ ପାଇଁ ସରକାରୀ ଅଧିକାରୀଙ୍କୁ ଟୁଇଟ୍‌ କରୁଛନ୍ତି। ୫୦ ଭାଗ ସମସ୍ୟା ଟୁଇଟ୍‌ ଦ୍ବାରା ସମାଧାନ ହୋଇଯାଉଛି। ସେ ପ୍ରତିଦିନ ବିଭିନ୍ନ ଖବରକାଗଜ, ସାମାଜିକ ଗଣମାଧ୍ୟମରୁ ସମସ୍ୟା ସମ୍ପର୍କରେ ଅବଗତ ହେଉଛନ୍ତି। ସମାଧାନ ପାଇଁ ସମ୍ପୃକ୍ତ ବିଭାଗର ଅଧିକାରୀଙ୍କୁ ଟୁଇଟ୍‌ କରୁଛନ୍ତି। ପ୍ରତିଦିନ ସେ ୧୦ରୁ ୩୦ଟି ସମସ୍ୟା ସମ୍ପର୍କରେ ଟୁଇଟ୍‌ କରୁଥିବା ବିକ୍ରମ କହିଛନ୍ତି। ଭତ୍ତା, ଆବାସ, ଗ୍ୟାସ୍‌, ବିଜୁଳି, ରାସ୍ତାଘାଟ, ପାନୀୟଜଳ, ସ୍ବାସ୍ଥ୍ୟ, ଶିକ୍ଷା ଓ ଶିକ୍ଷକ ସମସ୍ୟା ବିକ୍ରମଙ୍କ ଟୁଇଟ୍‌ ଦ୍ବାରା ସମାଧାନ ‌ହୋଇଯାଉଛି। ଏଥିପାଇଁ ବିକ୍ରମଙ୍କ ପାଖରେ ଲୋକଙ୍କ ଭିଡ଼ ମଧ୍ୟ ଜମୁଛି। ବିକ୍ରମ କୌଣସି ପଦପଦବିରେ ନଥାଇ ବି ସାମାଜିକ ଗଣମାଧ୍ୟମ ‘ଏକ୍ସ’କୁ ବ୍ୟବହାର କରି ସମସ୍ୟା ସମାଧାନ କରିପାରୁଛନ୍ତି। ଏହି ସଫଳତା ପାଇଁ ବିକ୍ରମଙ୍କୁ ରାଜ୍ୟସଭା ସାଂସଦ ସୁଜିତ କୁମାର ଏକ ‌ସ୍ମାର୍ଟଫୋନ୍‌ ଉପହାର ଦେଇଛନ୍ତି। ତତ୍କାଳୀନ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ସଚିବାଳୟ ଡାକି ପ୍ରଶଂସା କରିଥିଲେ। ଏ ସମ୍ପର୍କରେ ବିକ୍ରମ କହିଛନ୍ତି, ଲୋକଙ୍କ ସମସ୍ୟାର ସମାଧାନ ପାଇଁ ସେ ‘ଏକ୍ସ’କୁ ଏକ ପ୍ରମୁଖ ମାଧ୍ୟମ ଭାବେ ବ୍ୟବହାର କରୁଛନ୍ତି। ଏଥିପାଇଁ ତାଙ୍କୁ ଅର୍ଥ ଖର୍ଚ୍ଚ କରିବାକୁ ପଡ଼ୁନି କି କୌଣସି ସ୍ଥାନକୁ ଯିବାକୁ ପଡ଼ୁନି।

fshfsfhvxbbv

ପରିବେଶ ଯୋଦ୍ଧା ବନମାଳୀ
ପରିବେଶ ସୁରକ୍ଷାର ଅଗ୍ରଦୂତ ସାଜିଛନ୍ତି ବନମାଳୀ ନାୟକ। ଗାଁ ଗାଁ ବୁଲି ଜଙ୍ଗଲ ସଂପଦର ସୁରକ୍ଷା ପାଇଁ ଲୋକମାନଙ୍କୁ ସଚେତନ କରି ଆସୁଛନ୍ତି। ବିଶିଷ୍ଟ ଗାନ୍ଧୀବାଦୀ ତଥା ସ୍ବାଧୀନତା ସଂଗ୍ରାମୀ ନବ-ମାଳତୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ପିଲାଟି ଦିନରୁ ସମାଜ ଓ ଜଙ୍ଗଲ ପାଇଁ କାମ କରି ଆସୁଥିବା ବନମାଳୀ ‘ଗଛ ମଣିଷ’ ଭାବେ ମଧ୍ୟ ପରିଚିତ। ଅନୁଗୁଳ ବ୍ଲକ୍‌ ରଗୁଡ଼ିଆପଡ଼ା ଗ୍ରାମର ବନମାଳୀ ଅର୍ଥାଭାବରୁ ପିଲାବେଳେ ପାଠ ପଢ଼ିବାର ସୁଯୋଗ ପାଇ ନଥିଲେ। ଏଣେତେଣେ ବୁଲିବା ସମୟରେ ସ୍ବାଧୀନତା ସଂଗ୍ରାମୀ ମାଳତୀ ଚୌଧୁରୀଙ୍କ ହାବୁଡ଼ରେ ପଡ଼ିଥିଲେ। ତାଙ୍କୁ ସେ ପାଠ ପଢ଼ିବାର ସୁଯୋଗ ଦେଇଥିଲେ। ସେହିଦିନଠାରୁ ‘ନୁମା’ (ମାଳତୀ ଚୌଧୁରୀ)ଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ବନମାଳୀ ସମାଜ ପାଇଁ କାର୍ଯ୍ୟ କରି ଆସୁଛନ୍ତି। ଜଙ୍ଗଲ ଓ ଗାଁ ପରିବେଶକୁ ସେ ବହୁତ ଭଲପାଆନ୍ତି।

ଗତ ୨୫ ବର୍ଷ ହେଲା ସେ ଗାଁ ବନ ସୁରକ୍ଷା ସମିତିର ପରିଚାଳନାର ଦାୟିତ୍ବ ମୁଣ୍ଡାଇଛନ୍ତି। ବନ ସହାୟକ ଭାବେ ସ୍ବେଚ୍ଛାକୃତ ଶ୍ରମଦାନ କରି ସରକାରଙ୍କ ଅନେକ କାର୍ଯ୍ୟକ୍ରମକୁ ସଫଳ କରିବାରେ ତାଙ୍କର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି। ପ୍ରତିବର୍ଷ ବର୍ଷାଦିନେ ବିଭିନ୍ନ ସ୍ବେଚ୍ଛାସେବୀଙ୍କ ସହ ମିଶି ଗାଁ ଓ ଆଖପାଖ ଅଞ୍ଚଳରେ ବୃକ୍ଷରୋପଣ କରନ୍ତି। ଗ୍ରୀଷ୍ମ ଦିନରେ ଜଙ୍ଗଲ ନିଆଁ ରୋକିବା ପାଇଁ ଗ୍ରାମସ୍ତରୀୟ ଯୋଜନା କରି ଶ୍ରମଦାନ କରନ୍ତି। ବନ ବିଭାଗ ସହ ଯୋଗସୂତ୍ର ରକ୍ଷା କରି ଜଙ୍ଗଲକୁ ନିଆଁ କବଳରୁ ରକ୍ଷା କରି ଆସୁଛନ୍ତି। ଗାଁ ପାଖ ହାଇସ୍କୁଲ ଏବଂ ବିଭିନ୍ନ ସ୍ଥାନରେ ପରିବେଶଧର୍ମୀ, ବନ୍ୟପ୍ରାଣୀ ସଂରକ୍ଷଣ ସମ୍ବନ୍ଧୀୟ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରି ଛାତ୍ରଛାତ୍ରୀ ଓ ଯୁବଗୋଷ୍ଠୀଙ୍କୁ ସଚେତନ କରିବାରେ ସେ ବ୍ରତୀ ଅଛନ୍ତି। ପରିବେଶ ପ୍ରତି ତାଙ୍କର ଏହି ଅବଦାନ ଲାଗି ରାଜ୍ୟ ସରକାରଙ୍କ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ତରଫରୁ  ‘ପ୍ରକୃତି ବନ୍ଧୁ’ ସମେତ ବିଭିନ୍ନ ସମ୍ମାନରେ ସେ ସମ୍ମାନିତ। ତାଙ୍କ ଅଞ୍ଚଳରେ ହେଉଥିବା ଘରୋଇ ହିଂସାର ଆପୋସ ବୁଝାମଣା ପାଇଁ ତାଙ୍କୁ ଡାକରା ପଡ଼ିଥାଏ। ପ୍ରାୟ ୧୦୦ରୁ ଅଧିକ ସମସ୍ୟାର ସେ ସମାଧାନ କରିଛନ୍ତି। ବଞ୍ଚିଥିବା ପର୍ଯ୍ୟନ୍ତ ପରିବେଶ ସୁରକ୍ଷା ପାଇଁ କାମ କରିବେ ବୋଲି କହିଛନ୍ତି ବନମାଳୀ।

କୃଷି ନିଯୁକ୍ତିଦାତା ସଞ୍ଜୟ
ବିଭିନ୍ନ କାରଣରୁ ଫସଲ ଉଜୁଡ଼ି ଯାଉଥିବାରୁ ଲୋକେ ଚାଷବାସରୁ ମୁହଁ ମୋଡ଼ୁଛନ୍ତି। କିନ୍ତୁ ଚାଷକ୍ଷେତ୍ରରେ ନିଯୁକ୍ତି ସୃଷ୍ଟି କରି ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ବଲାଙ୍ଗୀର ଜିଲ୍ଲା ଆଗଲପୁର (ଡୁଡୁକା) ବ୍ଲକ୍‌ ବଡ଼ଟିକ୍ରା ଗାଁର ସଞ୍ଜୟ ପଧାନ। ପ୍ରାୟ ୮୦ ଏକର ଜମିରେ ବାଇଗଣ, ଟମାଟୋ, କଲରା, କାକୁଡ଼ି, ଲାଉ, କଖାରୁ, ଗେଣ୍ଡୁଫୁଲ ଓ ୬ ଏକର ଜମିରେ ଉନ୍ନତମାନର ପିଜୁଳି ଚାଷ କରିଛନ୍ତି ସଞ୍ଜୟ। ଯେଉଁଥିରୁ ବର୍ଷସାରା ଅମଳ ହେଉଛି। ପ୍ରତିଦିନ ତାଙ୍କ ବିଲରୁ ୨ ଟ୍ରକ୍‌ ପନିପରିବା ବାହାର ଜିଲ୍ଲାକୁ ଯାଉଛି। ଜଳସେଚନ ପାଇଁ ସେ ୪ଟି ପୋଖରୀ ଓ ୪ଟି ଗଭୀର ବୋର୍‌ୱେଲ୍‌ ଖୋଳିଛନ୍ତି। ସମସ୍ତ ଚାଷକୁ ବୁନ୍ଦା ଜଳସେଚନ ବ୍ୟବସ୍ଥା ରହିଛି। ଏବେ ନୂତନ ଜ୍ଞାନକୌଶଳରେ ସେ ଚାରା ଉତ୍ପାଦନ କରିବା ସହ ସେସବୁର ଯତ୍ନ ନେଉଛନ୍ତି। ଜଳସେଚନ, ଜୈବିକ ସାର ପ୍ରୟୋଗଠାରୁ ନେଇ କୀଟନାଶକ ସିଞ୍ଚନ ପର୍ଯ୍ୟନ୍ତ, ସବୁଥିରେ ଉନ୍ନତ କୃଷି ପଦ୍ଧତି ବ୍ୟବହାର କରନ୍ତି। ଯାହାଦ୍ବାରା ଚାଷବାସ ସହଜ ହୋଇଛି। ସଞ୍ଜୟ ନିଜେ ସ୍ବାବଲମ୍ବୀ ହୋଇ ସ୍ଥାନୀୟ ଅଞ୍ଚଳରେ ରୋଜଗାର ସୃଷ୍ଟି କରିବାରେ ସଫଳ ହୋଇଛନ୍ତି। ଆଗଲପୁର ଓ ଲୋଇସିଂହା ବ୍ଲକ୍‌ର ୧୫୦ ଜଣ ପୁରୁଷ ଏବଂ ମହିଳା ତାଙ୍କ କ୍ଷେତରେ ନିୟୋଜିତ ରହି ପରିବାର ପ୍ରତିପୋଷଣ କରୁଛନ୍ତି। ଦାଦନ ପ୍ରବଣ ଅଞ୍ଚଳରେ ସ୍ଥାନୀୟ ନିଯୁକ୍ତି ପ୍ରୟାସ କରି ସେ ବହୁ ପ୍ରଶଂସା ସାଉଁଟିଛନ୍ତି।ମୁଖ୍ୟମନ୍ତ୍ରୀଙ୍କଠାରୁ ପୁରସ୍କୃତ ବି ହୋଇଛନ୍ତି। ଆଗକୁ କୁକୁଡ଼ା ଚାଷ କରି ସେ ୫ ଶହରୁ ଅଧିକ ଲୋକଙ୍କୁ ନିଯୁକ୍ତି ଦେବାକୁ ଲକ୍ଷ୍ୟ ରଖିଥିବା କହିଛନ୍ତି।

ଆଶାର କିରଣ ରାଧାଗୋବିନ୍ଦ
ଘରର ଆର୍ଥିକ ଅବସ୍ଥା ଆଦୌ ସ୍ବଚ୍ଛଳ ନୁହେଁ। ହେଲେ ତା’ ଭିତରେ ସେ ଏକ ସୁନ୍ଦର ସମାଜ ଗଢ଼ି ତୋଳିବାର ସ୍ବପ୍ନ ଦେଖନ୍ତି। କେବଳ ସ୍ବପ୍ନ ଦେଖିନାହାନ୍ତି, ତାକୁ ସାକାର କରିବାରେ ସଫଳ ମଧ୍ୟ ହୋଇଛନ୍ତି ବାଲେଶ୍ବର ସଦର ବ୍ଲକ୍‌ ନଗ୍ରମ ପଞ୍ଚାୟତର ଫୁଲୱାର କସ୍‌ବା ଗ୍ରାମର ରାଧାଗୋବିନ୍ଦ ଲେଙ୍କା (୩୨)। 
ନବୋଦୟ, ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ଏନ୍‌ଏମ୍‌ଏମ୍‌ଏସ୍‌ ଆଦି ପ୍ରବେଶିକା ପରୀକ୍ଷାରେ ଗରିବ ମେଧାବୀ ଛାତ୍ରଛାତ୍ରୀଙ୍କୁ କୃତକାର୍ଯ୍ୟ କରାଇବାରେ ରାଧାଗୋବିନ୍ଦଙ୍କର ବହୁତ ବଡ଼ ଭୂମିକା‌ ରହିଛି। ସ୍ଥାନୀୟ ଅଞ୍ଚଳର ସ୍କୁଲଗୁଡ଼ିକରୁ ସେ ମେଧାବୀ ଗରିବ ଛାତ୍ରଛାତ୍ରୀଙ୍କୁ ଚିହ୍ନଟ କରି ନିଜ ଅନୁଷ୍ଠାନ ‘ବନ୍ଧୁ ଆନନ୍ଦ କେନ୍ଦ୍ର’ ମାଧ୍ୟମରେ ମାଗଣା ଶିକ୍ଷାଦାନ କରୁଛନ୍ତି। ୨୦୨୨ ମସିହାରୁ ସେ ଛାତ୍ରଛାତ୍ରୀଙ୍କୁ ପ୍ରବେଶିକା ପରୀକ୍ଷା ନିମନ୍ତେ ଶିକ୍ଷାଦାନ କରି ଆସୁଥିବାବେଳେ ସେଥିମଧ୍ୟରୁ ୩୭ ଜଣ ସଫଳ ହୋଇଛନ୍ତି। ପ୍ରତି ରବିବାର ସକାଳ ୮ଟାରୁ ୧୨ଟା ପର୍ଯ୍ୟନ୍ତ ତାଙ୍କର କୋଚିଂ କ୍ଲାସ୍‌ ଚାଲେ। ରାଧାଗୋବିନ୍ଦଙ୍କ ସଫଳ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅଛନ୍ତି ଲଭ୍‌ଲି ସୋ‌ରେନ୍‌, ପ୍ରିୟଦର୍ଶିନୀ ଟୁଡୁ, ରାଜେଶ ମୁର୍ମୁ, ଲକ୍ଷ୍ମଣ ମାରାଣ୍ଡି, ଜୀବନ ବିଶ୍ବାଳ, ଶୁଭଜିତ୍‌ ପ୍ରଧାନଙ୍କ ଭଳି ଅନେକ ଗରିବ ମେଧାବୀ। କେବଳ ପ୍ରବେଶିକା ପରୀକ୍ଷା ନୁହେଁ, ନିଶା ନିବାରଣଠାରୁ ଆରମ୍ଭ କରି ଗୋସେବା, ବୃକ୍ଷ‌ରୋପଣ, ଯୋଗ ପ୍ରାଣାୟମ, ସାମାଜିକ ସଂସ୍କାର ଆଦି ଦିଗରେ ରାଧାଗୋବିନ୍ଦ ଓତପ୍ରୋତ ଜଡ଼ିତ। ନାନା ଅଭାବ ସତ୍ତ୍ବେ ଏଭଳି କାମରେ ମାତିଥିବାରୁ ତାଙ୍କୁ ଅନେକ ଥଟ୍ଟା, ପରିହାସ ମଧ୍ୟ କରନ୍ତି। ଏହା ସତ୍ତ୍ବେ ସେ ଅବିଚଳିତ। ୨୦୧୨ ମସିହାରେ ରାଧାଗୋବିନ୍ଦ ବଟେଶ୍ବରସ୍ଥିତ ରାମଚନ୍ଦ୍ର ସଂସ୍କୃତ ମହାବିଦ୍ୟାଳୟରୁ ସ୍ନାତକ ଶିକ୍ଷା ଶେଷ କରିଥିଲେ। ପିଲାଟି ବେଳୁ ହିଁ ସମାଜ ପାଇଁ ତାଙ୍କର କିଛି କରିବାର ଲକ୍ଷ୍ୟ ଥିଲା। ଆନନ୍ଦମାର୍ଗ ହାଇସ୍କୁଲରେ ଅଧ୍ୟୟନ ଏବଂ ୨୦୦୭ରେ ଯୁକ୍ତ ୨ ପଢ଼ିବାବେଳେ ବିବେକାନନ୍ଦ କେନ୍ଦ୍ର ଶାଖା ସହିତ ଜଡ଼ିତ ହୋଇଥିଲେ। ଯାହା ତାଙ୍କୁ ପରବର୍ତ୍ତୀ ସମୟରେ ସମାଜସେବା ଲାଗି ପ୍ରେରଣା ଯୋଗାଇଥିଲା। ୨୦୧୪ରୁ ୨୦୨୨ ପର୍ଯ୍ୟନ୍ତ ଜଗତସିଂହପୁରର ‘ବନ୍ଧୁ’ ଅନୁଷ୍ଠାନରେ ରାଧାଗୋବିନ୍ଦ କାମ କରିବା ପରେ ନିଜ ଗାଁକୁ ଫେରି ‘ବନ୍ଧୁ ଆନନ୍ଦ କେନ୍ଦ୍ର’ ଗଠନ କରିଥିଲେ। ରାଧାଗୋବିନ୍ଦଙ୍କ ମତରେ, ଇଚ୍ଛାଶକ୍ତି ଥିଲେ ସବୁ କାମ ସମ୍ଭବ। ମୋର ଗରିବପଣ ମେଧାବୀ ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦାନରେ କେବେ ବି ବାଧା ସୃଷ୍ଟି କରିନାହିଁ। ପିଲାମାନେ ଶିକ୍ଷିତ ହେଲେ ଦେଶ ଆଗକୁ ବଢ଼ିବ, ଗାଁର ଉନ୍ନତି ହେବ। ସମାଜ ଗଠନ ପ୍ରତି ସମର୍ପିତ ଥିବା ରାଧାଗୋବିନ୍ଦ ଆଗକୁ ମଧ୍ୟ ଏହି କାମ ଜାରି ରଖିବେ ବୋଲି ପ୍ରକାଶ କରିଛନ୍ତି।

fhfshfshfs

ଶିକ୍ଷ‌ାର ଆଲୋକ ଜାଳୁଛନ୍ତି ରାଜେନ୍ଦ୍ର ସତ୍‌ନାମୀ 
ରାଜେନ୍ଦ୍ର ସତ୍‌ନାମୀ। ଘର ସମ୍ବଲପୁର ସହରର ଅନୁସୂଚିତ ଜାତିବହୁଳ ଦଲ୍‌ଦଲିପଡ଼ା। ତାଙ୍କ ପରିବାର ଛତିଶଗଡ଼ର ମୂଳବାସିନ୍ଦା। ତାଙ୍କ ଅଜା ଛତିଶଗଡ଼ରୁ ସୋହେଲା ଓ ପରେ କାମ ଅନ୍ବେଷଣରେ ସମ୍ବଲପୁର ଆସି ଏଠାରେ ରହିଯାଇଥିଲେ। ରାଜେନ୍ଦ୍ରଙ୍କ ପିତାଙ୍କ ଜନ୍ମ ମଧ୍ୟ ସମ୍ବଲପୁରରେ। ତେବେ ପିତାଙ୍କ ଅକାଳ ବିୟୋଗ ପରେ ଯୁକ୍ତ୨ରୁ ରାଜେନ୍ଦ୍ରଙ୍କ ପାଠପଢ଼ାରେ ଡୋରି ବନ୍ଧା ହୋଇଥିଲା। ବଡ଼ପୁଅ ହୋଇଥିବାରୁ ମା’, ଗୋଟିଏ ଭାଇ, ୩ ଭଉଣୀଙ୍କ ସହ ପୂରା ପରିବାରର ଭାର ତାଙ୍କ ମୁଣ୍ଡରେ ପଡ଼ିଥିଲା। ଏଭଳି ସ୍ଥିତିରେ ଭାଇଭଉଣୀଙ୍କ ପାଠପଢ଼ା ଖର୍ଚ୍ଚ ବହନ ପାଇଁ ସେ ଏଲ୍‌ଆଇସି ଏଜେଣ୍ଟ ଭାବେ କାମ ଆରମ୍ଭ କରିଥିଲେ। ନିଜେ ସିନା ଅଧିକ ପାଠ ପଢ଼ିପାରିଲେନି, ଭାଇଉଣୀଙ୍କୁ କିନ୍ତୁ ସ୍ନାତକ ପର୍ଯ୍ୟନ୍ତ ପଢ଼ାଇବାରେ ସଫଳ ହୋଇଥିଲେ। ଦୁଇ ଭଉଣୀଙ୍କ ବିବାହ‌ ହୋଇଥିବାବେଳେ ସାନଭାଇ ବ୍ୟବସାୟ ଓ ସାନଭଉଣୀ ଏକ ଚାଟାର୍ଡ ଆକାଉଣ୍ଟାଣ୍ଟ ଫାର୍ମରେ କାମ କରୁଛନ୍ତି। ଦଲଦଲିପଡ଼ାର ଅଧିକାଂଶ ପରିବାର ଦାରିଦ୍ର୍ୟ ସୀମାରେଖା ତଳେ ରହିଛନ୍ତି। ସରକାରୀ ସ୍କୁଲ୍‌ରେ ପଢ଼ୁଥିବା ପଡ଼ାର ଗରିବ ପିଲାମାନଙ୍କୁ ଉପଯୁକ୍ତ ଶିକ୍ଷାଦାନ ପାଇଁ ରାଜେନ୍ଦ୍ର ମାଗଣାରେ ପଢ଼ାଇବାକୁ ଚିନ୍ତା କରିଥିଲେ। ୭ ଡିସେମ୍ବର ୨୦୧୬ ରେ ମାତ୍ର ୧୨ ଜଣ ଛାତ୍ରଛାତ୍ରୀଙ୍କୁ ନେଇ ଏକ ଛୋଟିଆ ପାଠଶାଳା ଆରମ୍ଭ ହୋଇଥିବା ବେଳେ ଏବେ ୨ଟି ଜିଲ୍ଲାର ୫ଟି କେନ୍ଦ୍ରରେ ୧୩୯ ଜଣ ଛାତ୍ରଛାତ୍ରୀ ପଢ଼ୁଛନ୍ତି। ମାଗଣାରେ ଗରିବ ପିଲାଙ୍କୁ ପଢ଼ା ଯାଉଥିବାରୁ ଶୁଭାକାଂକ୍ଷୀମାନେ ଏହାର ନାମ ରଖିଥିଲେ ‘ନିଃଶୁଳ୍କ ଶିକ୍ଷାକେନ୍ଦ୍ର’। ତେବେ ପଞ୍ଜୀକରଣ ସମୟରେ ୨୦୧୯ ମସିହାରେ ଏହାର ନାମ ପରିବର୍ତ୍ତନ କରାଯାଇ ‘ଏବିସିଡି ଚାରିଟେବଲ୍‌ ଟ୍ରଷ୍ଟ’ ରଖାଯାଇଥିବା କହନ୍ତି ପ୍ରତିଷ୍ଠାତା ରାଜେନ୍ଦ୍ର। ‘ଏବିସିଡି’ର ଅର୍ଥ ହେଉଛି ‘ଏନି ବଡି କ୍ୟାନ୍‌ ଡେଭ୍‌ଲପ୍‌’। ଦଲଦଲିପଡ଼ାରେ ୪୨ ଜଣ, ହୀରାକୁଦ ରିକ୍ସାପଡ଼ାରେ ୨୮ ଜଣ, ବରଗଡ଼ ଜିଲ୍ଲା ସିଲାଟରେ ୧୬ ଜଣ, ବରପାଲି ନିକଟ ବରିକେଲରେ ୨୩ ଜଣ ଓ ସମ୍ବଲପୁର ଖଣ୍ଡୁଆଳରେ ୩୦ ଜଣ ଗରିବ ପିଲାଙ୍କୁ ଦିନକୁ ୨ ଘଣ୍ଟା ମାଗଣାରେ ଶିକ୍ଷାଦାନ ଦିଆଯାଉଛି। ରାଜେନ୍ଦ୍ର ସତ୍‌ନାମୀଙ୍କ ସହିତ ତନ୍ମୟ ବାରିକ, ରୋସନ୍ ଗୁପ୍ତା, ଦୀପା ସତନାମୀ, ବର୍ଷାରାଣୀ ନାୟକ, ପୂଜା ଦାସ, ପ୍ରୀତି ସତନାମୀ, ବିଶ୍ୱନାଥ ନାଗ, ଗୋପରଞ୍ଜନ କୁମ୍ଭାର, ମସୁଦ ଆଲମ, ଦିବ୍ୟରଞ୍ଜନ କୁମ୍ଭାର, ନିବେଦିତା ଘୋଷ ପ୍ରମୁଖ ନିଷ୍ଠା ଓ ସମାଜ ପ୍ରତି ଦୃଢ଼ଭାବନା ନେଇ ନିଃଶୁଳ୍କ ଶିକ୍ଷାଦାନରେ ଜଡ଼ିତ ଅଛନ୍ତି। ଟ୍ରଷ୍ଟ କେବଳ ପାଠ୍ୟପୁସ୍ତକ ଶିକ୍ଷାରେ ନୁହେଁ, ଛାତ୍ରଛାତ୍ରୀଙ୍କ ମାନସିକ, ଶାରୀରିକ ତଥା ଆଧ୍ୟାତ୍ମିକ ବିକାଶ ଉପରେ ଗୁରୁତ୍ବ ଦେଉଛି। ରକ୍ତଦାନ, ବୃକ୍ଷରୋପଣ, ପଲିଥିନ୍‌ମୁକ୍ତ ସହର ଗଠନ, ପର୍ଯ୍ୟଟନସ୍ଥଳ ଓ ସହରର ପ୍ରମୁଖ ଅଞ୍ଚଳରେ ସଫେଇ କାର୍ଯ୍ୟ ମାଧ୍ୟମରେ ଟ୍ରଷ୍ଟ ନିରନ୍ତର ସମାଜସେବା ଓ ସଚେତନତା ଜାରି ରଖିଥିବା କହିଛନ୍ତି ରାଜେନ୍ଦ୍ର।

ଅସହାୟଙ୍କ ସାହାରା ଜଳନ୍ଧର 
ଅଲୋଡ଼ାଙ୍କ ପାଇଁ ମଣିଷରୂପୀ ଭଗବାନ ହେଉଛନ୍ତି ଜଳନ୍ଧର ପଟେଲ। ଫୁଲ ଚାଷରୁ ପାଉଥିବା ଲାଭରୁ ସେ ଏକ ବୃଦ୍ଧାଶ୍ରମ ଚଳାଉଛନ୍ତି। କାହା ପାଖରେ ହାତ ପତାନ୍ତିନି, ଯିଏ ସ୍ୱଇଚ୍ଛାରେ ସାହାଯ୍ୟ କଲେ ଗ୍ରହଣ କରନ୍ତି। ଏଭଳି ଭାବରେ ୮ ବର୍ଷ ହେଲା ସେ ଏକ ଜରାଶ୍ରମ ଖୋଲି ଅସହାୟ ବୃଦ୍ଧବୃଦ୍ଧାଙ୍କ ସାହାରା ପାଲଟିଛନ୍ତି। ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ୍‌ ସମଲେଇପଦର ଗାଁର ବାସିନ୍ଦା ଜଳନ୍ଧର। ପରିବାର କହିଲେ ସ୍ତ୍ରୀ ଯଶୋବନ୍ତୀ ପଟେଲ, ଝିଅ ସ୍ୱାଗତିକା, ପୁଅ ବିକାଶ। ନିଜର ୬ ଏକର ଜମି ଅଛି। ଅଧା ଜମିରେ ଧାନ ଓ ପନିପରିବା, ବାକି ଅଧାରେ ଗେଣ୍ଡୁ ଫୁଲ ଚାଷ କରନ୍ତି। ୨୦୦୫ ମସିହାରୁ ୨୦୧୫ ମସିହା ଯାଏଁ ନିଜ ଗାଁରେ ସଂଗ୍ରାମୀ କ୍ଲବ୍‌ର ସଭାପତି ରହିଥିଲେ ଜଳନ୍ଧର। ପ୍ରତିବର୍ଷ ବହ୍ନିକନ୍ୟା ପାର୍ବତୀ ଗିରିଙ୍କ ଜୟନ୍ତୀ ସମାରୋହରେ ସ୍ଥାନୀୟ ଅଞ୍ଚଳର ଅସହାୟ ବୃଦ୍ଧବୃଦ୍ଧାଙ୍କୁ ସମ୍ବର୍ଦ୍ଧିତ କରାଯାଉଥିଲା। ପରିଣତ ବୟସର ଉକ୍ତ ବେସାହାରା ମଣିଷମାନଙ୍କ କଷ୍ଟ ତାଙ୍କ ମନକୁ ଗଭୀର ଭାବେ ଆନ୍ଦୋଳିତ କରିଥିଲା। ସେମାନଙ୍କ ସେବାଯତ୍ନ ପାଇଁ ସେ ଏକ ବୃଦ୍ଧାଶ୍ରମ ଖୋଲିବାକୁ ମନ ବଳାଇଥିଲେ। ୨୦୧୭ ମସିହାରେ ମାନବ କଲ୍ୟାଣ ବିକାଶ ପରିଷଦ ଟ୍ରଷ୍ଟ ଗଠନ କରି ୧୫ ଜଣ ବେସାହାରା ବୃଦ୍ଧବୃଦ୍ଧାଙ୍କୁ ନିଜ ଆଶ୍ରମରେ ରଖିଥିଲେ। ପାର୍ବତୀ ଗିରିଙ୍କ ନାମରେ ନିଜ ଆଶ୍ରମକୁ ନାମିତ ମଧ୍ୟ କରିଥିଲେ। ସେହିଦିନରୁ ଆଉ ସେ ପଛକୁ ଫେରିନାହାନ୍ତି। ଏବେ ତାଙ୍କ ଆଶ୍ରମରେ ୨୮ ଜଣ ବୃଦ୍ଧବୃଦ୍ଧା ଅଛନ୍ତି। ସେବାଶୁଶ୍ରୂଷା, ଚିକିତ୍ସାରୁ ନେଇ ଜରାଶ୍ରମର ସବୁ କାମ ସେ କରନ୍ତି। ଆଶ୍ରମ ପରିଚାଳନା ପାଇଁ କୌଣସି ସରକାରୀ ଅର୍ଥ ମିଳେନି। ନିଜ ଅର୍ଥରେ ସେ ଏହାକୁ ପରିଚାଳନା କରି ଆସୁଛନ୍ତି। ଆବଶ୍ୟକସ୍ଥଳେ ନିଜେ ଅଟୋ ଚଳାଇ ଚିକିତ୍ସା ପାଇଁ ଆଶ୍ରମର ଅନ୍ତେବାସୀଙ୍କୁ ଡାକ୍ତରଖାନା ନେଇଥାନ୍ତି। କାହାର ମୃତ୍ୟୁ ହେଲେ ପରିବାରବର୍ଗଙ୍କୁ ଜଣାଇ ଯଥାବିଧି ଶବସତ୍କାର କରନ୍ତି। ଅନେକ କ୍ଷେତ୍ରରେ ପରିଣତ ବୟସରେ ମଣିଷକୁ ନିଜ ଜନ୍ମକଲା ପୁଅଝିଅ ପଚାରୁ ନଥିବାବେଳେ ଫୁଲଚାଷ କରି ୨୮ ଜଣ ପିତାମାତାଙ୍କ ବୋଝ ମୁଣ୍ଡାଇଥିବା ଜଳନ୍ଧର ସମାଜ ପାଇଁ ବଡ଼ ପ୍ରେରଣା।

ଉତ୍ସର୍ଗୀକୃତ ଶିକ୍ଷାଦାତା ‘ମିଟୁ ସାର୍’
୩୨ ବର୍ଷ ହେଲା ପିଲାଙ୍କୁ ମାଗଣାରେ ପଢ଼ାଉଛନ୍ତି। ସରକାରୀ ସ୍କୁଲ୍‌ରେ ଶିକ୍ଷାଦାନ କରୁଥିଲେ ସୁଦ୍ଧା ଟଙ୍କାଟିଏ ବି ପାରିଶ୍ରମିକ ପାଉନାହାନ୍ତି। ତଥାପି ପିଲାଙ୍କୁ ପାଠ ପଢ଼ାଇବାରେ କେବେ ମଧ୍ୟ ଅବହେଳା କରିନାହାନ୍ତି। ପିଲାମାନଙ୍କ ଭବିଷ୍ୟତ ଗଠନରେ ନିଜ ଜୀବନକୁ ଉତ୍ସର୍ଗ କରିଛନ୍ତି। ଏଭଳି ନିଆରା ବ୍ୟକ୍ତିତ୍ବଜଣକ ହେଲେ ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବ୍ଲକ୍‌ ବାକୁଟ ଗ୍ରାମର ବିଭୂତି ଭୂଷଣ ଶତପଥୀ। ସମସ୍ତଙ୍କ ପାଖରେ ସେ ମିଟୁ ସାର୍‌ ଭାବେ ପରିଚିତ। ନିଜ ଜୀବନର ସଂଘର୍ଷମୟ ଅନୁଭୂତି ବଖାଣିବାକୁ ଯାଇ ମିଟୁ କୁହନ୍ତି, ୧୯୯୩ ମସିହାରେ ସେ ନିଜ ଗାଁ’ ଦୀନବନ୍ଧୁ ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ଶିକ୍ଷାଦାନ ଆରମ୍ଭ କରିଥି‌ଲେ। କିଛିବର୍ଷ ଶିକ୍ଷାଦାନ ପରେ ଜିଲ୍ଲା ଶିକ୍ଷା ବିଭାଗ ଓ ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରି ଦରମା ପ୍ରଦାନ ପାଇଁ ଅନୁରୋଧ କରିଥିଲେ। ଦରମା ପ୍ରଦାନ ପାଇଁ ସେଭଳି କିଛି ବ୍ୟବସ୍ଥା ନଥିବା ତାଙ୍କୁ କୁହାଯାଇଥିଲା। ଫଳରେ ୧୯୯୬ରେ କିଛିଦିନ ପାଇଁ ଛୁଟିରେ ରହି ଯାଇଥିଲେ। ସେପଟେ ଶିକ୍ଷକ ଅଭାବରୁ ସ୍କୁଲରେ ଶିକ୍ଷାଦାନ ବାଧାପ୍ରାପ୍ତ ହୋଇଥିଲା। ଗ୍ରାମବାସୀ ସମୂହଙ୍କ ଅନୁରୋଧକୁ ଏଡ଼ାଇ ନ ପାରି ସେ ପୁଣି ଶିକ୍ଷାଦାନ ଆରମ୍ଭ କରିଥିଲେ। ଏବେ ଏହି ସ୍କୁଲରେ ଷଷ୍ଠରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୬୩ ଜଣ ଛାତ୍ରଛାତ୍ରୀ ପାଠ ପଢ଼ୁଛନ୍ତି। ସ୍କୁଲରେ ଜଣେ ମାତ୍ର ସ୍ଥାୟୀ ଶିକ୍ଷୟିତ୍ରୀ। ବର୍ତ୍ତମାନ ସୁଦ୍ଧା ସେ ବିନା ପାରିଶ୍ରମିକରେ ଶିକ୍ଷାଦାନ ଜାରି ରଖିଛନ୍ତି। ତାଙ୍କୁ ଏବେ ୫୭ ବର୍ଷ। ସ୍ବାସ୍ଥ୍ୟ ଭଲ ଥିବା ଯାଏଁ ପିଲାଙ୍କୁ ପାଠପଢ଼ା ଜାରି ରଖିବେ ବୋଲି କହିଛନ୍ତି।