ହୃତ୍‌ପିଣ୍ଡ ସ୍ବାସ୍ଥ୍ୟ ପାଇଁ ବ୍ୟାୟାମ ଔଷଧ ସଦୃଶ। ତେବେ ଏହା ପ୍ରଭାବଶାଳୀ ହେବା ପାଇଁ ତାହାର ସଠିକ୍ ମାତ୍ରା ଆବଶ୍ୟକ। ପୁରୁଷମାନେ ହୃଦ୍‌ରୋଗ ଆଶଙ୍କା ହ୍ରାସ କରିବା ପାଇଁ ମହିଳାଙ୍କ ତୁଳନାରେ ପ୍ରାୟ ଦୁଇଗୁଣ ଅଧିକ ବ୍ୟାୟାମ କରିବା ଆବଶ୍ୟକ ବୋଲି ଏକ ଅଧ୍ୟୟନରୁ ଗବେଷକମାନେ ଜାଣିପାରିଛନ୍ତି। ଏହି ଅଧ୍ୟୟନରେ ୩୭ରୁ ୭୩ ବର୍ଷ ବୟସର ୮୫ ହଜାରରୁ ଅଧିକ ପ୍ରାପ୍ତବୟସ୍କଙ୍କ ଶରୀରରେ ଆକ୍ସିଲେରୋମିଟର ଲଗାଇ ବ୍ୟାୟାମର ମାତ୍ରା ଓ  ସ୍ୱାସ୍ଥ୍ୟ ଫଳାଫଳକୁ ଆଠ ବର୍ଷ ଧରି ତର୍ଜମା କରାଯାଇଥିଲା।

Advertisment

ଯେଉଁ ମହିଳାମାନେ ସପ୍ତାହରେ ପ୍ରାୟ ଚାରି ଘଣ୍ଟା ଧରି ଦ୍ରୁତ ଚାଲିବା, ଜଗିଂ, ସାଇକେଲିଂ କିମ୍ବା ନୃତ୍ୟ ପରି ମଧ୍ୟମରୁ ତୀବ୍ର ଶାରୀରିକ କାର୍ଯ୍ୟକଳାପ କରୁଥିଲେ, ସେମାନଙ୍କର କରୋନାରି ହୃଦ୍‌ରୋଗ ବିପଦ ପ୍ରାୟ ୩୦% କମ୍ ଥିଲା। ତେବେ ସମାନ ହ୍ରାସ ଦେଖିବା ପାଇଁ ପୁରୁଷମାନଙ୍କୁ ସପ୍ତାହକୁ ପ୍ରାୟ ନଅ ଘଣ୍ଟା ଶାରୀରିକ କାର୍ଯ୍ୟକଳାପ କରିବାକୁ ପଡ଼ିଥାଏ। ଅଧ୍ୟୟନର ଆକଳନ ଅନୁଯାୟୀ, କରୋନାରି ହୃଦ୍‌ରୋଗରେ ପୀଡ଼ିତ ଯେଉଁ ମହିଳାମାନେ ସପ୍ତାହରେ ପ୍ରାୟ ୧୫୦ ମିନିଟ୍ ବ୍ୟାୟାମ କରନ୍ତି ସେମାନଙ୍କର ମୃତ୍ୟୁ ଆଶଙ୍କା ୭୦% ହ୍ରାସ ପାଇଥାଏ। ଅପରପକ୍ଷେ, ସମାନ ଅବଧିର ବ୍ୟାୟାମ କରୁଥିବା ପୁରୁଷମାନଙ୍କ ମୃତ୍ୟୁର ଆଶଙ୍କା ମାତ୍ର ୨୦% ହ୍ରାସ ପାଇଥାଏ। ତେଣୁ ଲିଙ୍ଗ ଭିତ୍ତିରେ ବ୍ୟାୟାମର ଅବଧି ଭିନ୍ନ ଭିନ୍ନ ବୋଲି ଏହି ନୂଆ ଧାରଣାକୁ ଏହି ଗବେଷଣା ବଳ ଦେଉଛି।