‘ବାଲ୍ମୀକି ରାମାୟଣ’ର ‘ସୁନ୍ଦରାକାଣ୍ଡ’ରେ ରହସ୍ୟମୟ ପର୍ବତ ‘ମୈନାକ’ର ଉଲ୍ଲେଖ ରହିଛି। ଏହି ପର୍ବତ ରହସ୍ୟମୟ- କାରଣ ସମସ୍ତ ପର୍ବତ ଭୂଭାଗର ଉପରିଭାଗରେ ରହିଥିଲା ବେଳେ, ଏହି ପର୍ବତର ଅସ୍ତିତ୍ୱ ସମୁଦ୍ରର ଭିତରି ଭାଗରେ ରହିଥିଲା। ଯେତେବେଳେ ଭକ୍ତ ହନୁମାନ ସୀତାଙ୍କ ଅନୁସନ୍ଧାନରେ ସମୁଦ୍ର ଲଂଘନ କରି ଆକାଶ ମାର୍ଗରେ ଗମନ କରୁଥିଲେ, ସେତେବେଳେ ସମୁଦ୍ରଦେବ ମୈନାକଙ୍କୁ, ନିଜର ଶରୀର ବିସ୍ତାର କରି ଉପରକୁ ଉଠି, ହନୁମାନଙ୍କୁ ତାଙ୍କ ଉପରେ ବିଶ୍ରାମ କରିବାପାଇଁ ସ୍ଥାନ ଦେବାକୁ ଅନୁରୋଧ କଲେ। ସହର୍ଷ ମୈନାକ ନିଜର କାୟା ବିସ୍ତାର କରି ହନୁମାନଙ୍କର ଗନ୍ତବ୍ୟ ପଥରେ ଦଣ୍ଡାୟମାନ ହେଲେ। କେହି ତାଙ୍କର ପଥରୋଧ କରୁଛି ବୋଲି ଭାବି, ହନୁମାନ ଗଦାଘାତରେ ମୈନାକର ଏକ ଶୃଙ୍ଗ ଭାଙ୍ଗିଦେଲେ। ଏଥିରେ ମର୍ମାହତ ହୋଇ ସ୍ୱୟଂ ମୈନାକ କରଯୋଡ଼ି ହନୁମାନଙ୍କ ସମ୍ମୁଖରେ ଠିଆହୋଇ ନିଜର ପରିଚୟ ଦେଇ କହିଲେ, ‘‘ମୁଁ ପର୍ବତରାଜ ହିମାଳୟ ଓ ତାଙ୍କ ପତ୍ନୀ ମେନାଙ୍କର ପୁତ୍ର ମୈନାକ। ଏକଦା ସମସ୍ତ ପର୍ବତଙ୍କର ପକ୍ଷ ଥିଲା। ଇଚ୍ଛା ଅନୁସାରେ ସେମାନେ ଏକ ସ୍ଥାନରୁ ଅନ୍ୟ ଏକ ସ୍ଥାନକୁ ଯାତ୍ରା କରି ପାରୁଥିଲେ।

Advertisment

ଏଥିରେ ଧନଜୀବନ ନଷ୍ଟ ହେବାରୁ ଇନ୍ଦ୍ର ବଜ୍ର ସାହାଯ୍ୟରେ ସମସ୍ତ ପର୍ବତଙ୍କର ପକ୍ଷଛେଦନ କଲେ। ତୁମ୍ଭର ପିତା ପବନଦେବ ମୋର ଘନିଷ୍ଠ ବନ୍ଧୁ ହୋଇଥିବାରୁ, ସେହି ସମୟରେ ମତେ ଆଣି ସମୁଦ୍ର ମଧ୍ୟରେ ଲୁଚାଇ ରଖିଲେ। ତୁମ୍ଭେ ଯେତେବେଳେ ଏହି କଷ୍ଟକର ଯାତ୍ରା କରୁଛ, କିଛି ସମୟ ମୋର ଏହି ଫଳପୁଷ୍ପ ଶୋଭିତ ଗିରିଶୃଙ୍ଗରେ ବିଶ୍ରାମ ନେଇ ପୁନଶ୍ଚ ଯାତ୍ରା କର। ସମୁଦ୍ରଦେବଙ୍କ ଆଦେଶରେ ସେଥିପାଇଁ ମୁଁ ଆପଣଙ୍କର ପଥ ସମ୍ମୁଖରେ ଠିଆ ହୋଇଛି। ସ୍ୱୟଂ ସମୁଦ୍ରଦେବ ମଧ୍ୟ ମହାପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ଋଣ ପରିଶୋଧ କରିବା ନିମିତ୍ତ ମୋତେ ପ୍ରେରଣ କରିଛନ୍ତି। କାଳକେୟ ଅସୁରର ବିନାଶ ନିମନ୍ତେ ଦେବତାମାନଙ୍କ ଅନୁରୋଧରେ ଯେତେବେଳେ ମହାମୁନି ଅଗସ୍ତି ସମୁଦ୍ରର ସମସ୍ତ ଜଳ ପାନ କରିଦେଇଥିଲେ, ସମୁଦ୍ରଦେବ ବହୁକଷ୍ଟରେ ନିଜର ଶୁଷ୍ମ ତନୁ ନେଇ କାଳାତିପାତ କରୁଥିଲେ। କିନ୍ତୁ ଇକ୍ଷାକୁ ବଂଶୀୟ ସଗର ଭଗୀରଥ, ଦେବୀ ଗଙ୍ଗାଙ୍କୁ ସ୍ୱର୍ଗରୁ ଆଣି ସାଗରଙ୍କୁ ତାଙ୍କର ପୂର୍ବରୂପ ଫେରାଇ ଦେଇଥିଲେ। ତେଣୁ ସେ ମଧ୍ୟ କୃତଜ୍ଞତାବଶତଃ ଏହି ରାମକାର୍ଯ୍ୟରେ ସହାୟତା କରିବା ନିମିତ୍ତ ମତେ ପ୍ରେରଣ କରିଛନ୍ତି। ଆପଣ ମୋର ଶୃଙ୍ଗରେ ବିଶ୍ରାମ କରି ଆମକୁ ଅନୁଗୃହୀତ କରନ୍ତୁ।” କିନ୍ତୁ ଭକ୍ତଶ୍ରେଷ୍ଠ ହନୁମାନ ବିନମ୍ରତାର ସହିତ, ପ୍ରଭୁଙ୍କ କାର୍ଯ୍ୟ ସମୟରେ ବିଶ୍ରାମ ଅନୁଚିତ ବୋଲି ଦର୍ଶାଇ, ମୈନାକଙ୍କଠାରୁ ବିଦାୟ ନେଇ ଚାଲି ଯାଇଥିଲେ। ସେହି ସମୟରୁ ମୈନାକ ନିଜର ଉଦାରତା ପାଇଁ ଜନ ମାନସରେ ପୂଜା ପାଇ ଆସୁଛନ୍ତି। ଏବଂ ଭକ୍ତଶ୍ରେଷ୍ଠ ହନୁମାନ ନିଜର କର୍ତ୍ତବ୍ୟନିଷ୍ଠାପାଇଁ ଭକ୍ତମାନଙ୍କ ମଧ୍ୟରେ ଶ୍ରେଷ୍ଠ ସ୍ଥାନ ଲାଭ କରିଛନ୍ତି।

-ଡକ୍ଟର ତୁଳସୀ ଓଝା