 ମାସିକ ଧର୍ମରେ ଅନିୟମିତତା ଆଜିକାଲି ଏକ ସାଧାରଣ ସମସ୍ୟା ହୋଇଗଲାଣି। ଏମିତି କାହିଁକି ହେଉଛି?
ଅନିୟମିତ ପିରିଅଡ୍‌ ବା ଋତୁସ୍ରାବ ଏବେ ଏକ ଜୀବନଶୈଳୀ ସମସ୍ୟା ହୋଇଗଲାଣି। ଯଦି ହଠାତ୍‌ ଓଜନ ବଢ଼ିଯିବ, ତେବେ ପିରିଅଡ୍‌ ସାଇକଲ୍‌ ଅନିୟମିତ ହେବ। ସେହିଭଳି ଉଚ୍ଚତା ଅନୁପାତରେ ଓଜନ ଠିକ୍ ରହିବା ଉଚିତ, ଯଦି ତା’ଠାରୁ ଅଧିକ ହୋଇଯାଏ ତେବେ ପିରିଅଡ୍‌ ସମସ୍ୟା ଦେଖାଦେବ। ତେବେ ଯୁବତୀଙ୍କ କ୍ଷେତ୍ରରେ ଏହି ସମସ୍ୟା ଅଧିକ ଦେଖାଯାଉଛି ଏବଂ ଏହାର କାରଣ ହେଉଛି ଖାଦ୍ୟାଭ୍ୟାସ। ସେମାନେ କମ୍‌ ଘରୋଇ ଖାଦ୍ୟ ଓ ଅଧିକ ବାହାର ଖାଦ୍ୟ(ଜଙ୍କ୍‌ ଫୁଡ୍‌) ଖାଉଛନ୍ତି। ତେଣୁ ସେମାନଙ୍କ ଓଜନ ଅଧିକ ହେଉଛି ଓ ସେମାନେ ପଲିସିଷ୍ଟିକ୍‌ ଓଭେରିଆନ୍‌ ଡିଜିଜ୍‌ରେ ପୀଡ଼ିତ ହେଉଛନ୍ତିି।
 ଯଦି ଜଣେ ମହିଳା ଏହି ସମସ୍ୟା ଦେଇ ଗତି କରୁଥିବେ, ତେବେ କେତେ ମାସ ପରେ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ?
ଯଦି ୩ ମାସ ପିରିଅଡ୍‌ ସାଇକଲ ଅନିୟମିତ ହେଉଛି ଏବଂ ତା’ ସହିତ ଶରୀରରେ ଯେଉଁଠି କେଶ ରହିବା କଥା ନୁହେଁ, ସେଠି କେଶ ରହୁଛି ଓ ବ୍ରଣ ବାହାରୁଛି ତେବେ ଡାକ୍ତରଙ୍କ ପରାମର୍ଶ ନେବା ଜରୁରି। କାରଣ ଏହିସବୁ ଲକ୍ଷଣ ଥିଲେ ପିସିଓଡି ରୋଗ ଦେଖାଯିବାର ଆଶଙ୍କା ରହିଥାଏ। 
 ପିସିଓଡି ସମସ୍ୟା ଅଧିକ ଦେଖାଯାଉଛି କାହିଁକି?
ପିସିଓଡି ହେବାର ବିଭିନ୍ନ କାରଣ ରହିଛି। ଏହା ପଛରେ ବଂଶଗତ ଭୂମିକା ରହିଥାଇପାରେ। ଜୀବନଶୈଳୀରେ ପରିବର୍ତ୍ତନ, ଓଜନ ବୃଦ୍ଧି, ମାସିକଧର୍ମରେ ସମସ୍ୟା ଦେଖାଗଲେ ପିସିଓଡି ସମସ୍ୟା ସୃଷ୍ଟି ହେଇଥାଏ। ଏଣୁ ଯଥାଶୀଘ୍ର ଡାକ୍ତରଙ୍କ ପରାମର୍ଶ ନେଇ ନିୟମିତ ଔଷଧ ଖାଇବା ଜରୁରି। 
 ପିସିଓଡି ପାଇଁ ଗର୍ଭଧାରଣରେ ସମସ୍ୟା ହେଉଛି କି?
ହଁ। ପ୍ରଥମ କଥା ହେଲା ପିସିଓଡି ରୋଗୀଙ୍କଠାରେ ଗର୍ଭଧାରଣ ସମସ୍ୟା ସୃଷ୍ଟି ହୋଇଥାଏ। ଏଥିରେ ଓଭ୍ୟୁଲେସନ୍‌ ହୁଏ ନାହିଁ। ଯଦି ବି ଗର୍ଭଧାରଣ ହୋଇଥାଏ, ଏହା ପ୍ରଥମ ତିନିମାସ ଭିତରେ ନଷ୍ଟ ହେବାର ଆଶଙ୍କା ରହିଥାଏ। ଅଧିକ ମୋଟା ଓ ଅଧିକ ପତଳା ମହିଳାଙ୍କଠାରେ ମଧ୍ୟ ଏହି ଅସୁବିଧା ଥିଲେ ଗର୍ଭଧାରଣ କ୍ଷେତ୍ରରେ ସମସ୍ୟା ଦେଖାଯାଇଥାଏ। 
 କେଉଁ କେଉଁ ଲକ୍ଷଣ ଥିଲେ ଆମେ ଜାଣିବା ଆମର ପିସିଓଡି ସମସ୍ୟା ରହିଛି?
ଖୁବ୍‌ ଶୀଘ୍ର ଓଜନ ବୃଦ୍ଧି ହେବା, ମାସିକଧର୍ମରେ ଅନିୟମିତତା ଦେଖାଯିବା, ଚୁଟି ଝଡ଼ିବା, ବ୍ରଣ ଅଧିକ ହେବା ଆଦି ଲକ୍ଷଣରୁ ଆମେ ଜାଣିବା ଯେ ଆମର ପିସିଓଡି ସମସ୍ୟା ଆରମ୍ଭ ହେଲାଣି। ତେଣୁ ଯଥାଶୀଘ୍ର ଡାକ୍ତରଙ୍କ ପରାମର୍ଶ ନେବା ଜରୁରି।