ଅର୍ଥପୂର୍ଣ୍ଣ ସମ୍ପର୍କ ଗଢ଼ିବା ପାଇଁ ସାମାଜିକ ଗଣମାଧ୍ୟମ ଏକ ଉତ୍କୃଷ୍ଟ ମଞ୍ଚ ହୋଇପାରେ। ଏହା ସତ ସାବ୍ୟସ୍ତ ହୋଇଛି ଦୁଇ ଜଣ ଅନ୍ଲାଇନ୍ ବନ୍ଧୁଙ୍କ କ୍ଷେତ୍ରରେ ଯେଉଁମାନେ ପରସ୍ପରକୁ କେବେ ବି ଭେଟିନାହାନ୍ତି, ଅଥଚ ସେମାନଙ୍କ ଭିତରେ ଏକ ନିବିଡ଼ ସମ୍ପର୍କ ସ୍ଥାପନ ହୋଇପାରିଛି। ଇନ୍ଷ୍ଟାଗ୍ରାମରେ ବାର୍ତ୍ତାଳାପ, ଉତ୍ସାହ ଓ ସ୍ବାଭାବିକ ଆଗ୍ରହ ସେମାନଙ୍କ ବନ୍ଧୁତାକୁ ଉତ୍ପ୍ରେରିତ କରିଆସିଛି। ଏ ପରିପ୍ରେକ୍ଷୀରେ ପାବ୍ଲୋ ରୋଚାଟ ନାମକ ଜଣେ ଇନ୍ଷ୍ଟାଗ୍ରାମ ବ୍ୟବହାରକାରୀ ନିଜର ଅନ୍ଲାଇନ୍ ବନ୍ଧୁ ସହ କରିଥିବା ବାର୍ତ୍ତାଳାପ ପୃଷ୍ଠା (ମେସେଜ୍ ଇନବକ୍ସ) ଶୈଳୀରେ ଏକ ଜନ୍ମଦିନ କେକ୍ ବନ୍ଧୁଙ୍କୁ ଉତ୍ସର୍ଗ କରିବାର ଭିଡିଓ ଏବେ ସାମାଜିକ ଗଣମାଧ୍ୟମରେ ଖୁବ୍ ଲୋକପ୍ରିୟ ହୋଇଛି।
ଏଥି ସହିତ ବନ୍ଧୁଙ୍କୁ ଜନ୍ମଦିନରେ ସ୍ବତନ୍ତ୍ର ଧରଣର କେକ୍ ଉପହାର ଦେବାର ଉଦ୍ଦେଶ୍ୟ ସମ୍ପର୍କରେ ମଧ୍ୟ ସେ ବର୍ଣ୍ଣନା କରିଛନ୍ତି। ଇନ୍ଷ୍ଟାଗ୍ରାମ୍ ସାକ୍ଷାତରୁ ନିବିଡ଼ ହୋଇଥିବା ସେହି ବନ୍ଧୁଙ୍କ ଜନ୍ମଦିନରେ ସେମାନଙ୍କ ମଧ୍ୟରେ ହୋଇଥିବା ବାର୍ତ୍ତାଳାପ ପୃଷ୍ଠା ଅନୁରୂପ ଏକ କେକ୍ ଉପହାର ଦେବାକୁ ସେ ମନସ୍ଥ କରିଥିଲେ। ତେବେ ତାଙ୍କ ବନ୍ଧୁ ଯେବେ ଉକ୍ତ କେକ୍ ଦେଖିଲେ, ନିଜ ଆଖିକୁ ମଧ୍ୟ ବିଶ୍ବାସ କରିପାରିନଥିଲେ। ଏପରି ଏକ ଅଭିନବ କେକ୍କୁ ଗଣମାଧ୍ୟମ ବ୍ୟବହାରକାରୀମାନେ ଖୁବ୍ ପ୍ରଶଂସା କରିଛନ୍ତି। ପାବ୍ଲୋ ଉକ୍ତ କେକ୍ର ଭିଡିଓ ଅପ୍ଲୋଡ୍ କରିବା ପରେ ତାହାକୁ ୧.୮୭ କୋଟି ଦର୍ଶକ ଦେଖିବା ସହ ୨୨ ଲକ୍ଷ ଲୋକ ତାହାକୁ ପସନ୍ଦ କରିଛନ୍ତି।