ବହୁଳ ଲୋକପ୍ରିୟତା ହାସଲ କରିଥିବା ସାମାଜିକ ଗଣମାଧ୍ୟମ ଆପ୍ ‘ହ୍ବାଟସ୍ଆପ୍’ ତାହାର ବ୍ୟବହାରକାରୀଙ୍କୁ ଦିନକୁ ଦିନ ଉନ୍ନତ ମାନର ସେବା ଯୋଗାଇବାର ପ୍ରତିବଦ୍ଧତା ସ୍ବରୂପ ଏବେ ଅଧିକ ଫିଚର୍ ଯୋଡ଼ିବାର ଯୋଜନା କରୁଛି। ଏହି କ୍ରମରେ କିଛି ଦିନ ଭିତରେ ହ୍ବାଟ୍ସଆପ୍ରେ ଏକ ଅଭିନବ ସୁବିଧା ଉପଲବ୍ଧ ହେବ, ଯଦ୍ଦ୍ବାରା ବିଭିନ୍ନ ଭାଷାରେ ପଠାଯାଉଥିବା ବାର୍ତ୍ତା ଅନ୍ୟ ଭାଷାକୁ ଅନୂଦିତ ହୋଇପାରିବ। ଏପରିକି ଭଏସ୍ ମେସେଜ୍ର ମଧ୍ୟ ସ୍ବରାନୁବାଦ ହୋଇପାରିବ ବୋଲି ଜଣାଯାଇଛି।
ଏହି ନୂତନ ବ୍ୟବସ୍ଥାରେ ଦୁଇ ବ୍ୟବହାରକାରୀଙ୍କ ମଧ୍ୟରେ ବାର୍ତ୍ତାଳାପ ଚାଲିଥିବା ବେଳେ ବାର୍ତ୍ତାଗୁଡ଼ିକ ତତ୍କାଳ ସେମାନଙ୍କ ସୁବିଧା ମୁତାବକ ଭାଷାକୁ ଅନୁଦିତ ହୋଇ ଦେଖାଯିବ। ହ୍ବାଟ୍ସଆପ୍ ସହିତ ଏହି ଅନୁବାଦ ପ୍ରଯୁକ୍ତି ସଂଶ୍ଳିଷ୍ଟ ହେବାକୁ ଥିବାରୁ ଉଭୟ ପକ୍ଷ ବାର୍ତ୍ତାର ଗୋପନୀୟତା ବଜାୟ ରହିବ ବୋଲି କମ୍ପାନି ପକ୍ଷରୁ କୁହାଯାଇଛି। ପ୍ରାଥମିକ ପର୍ଯ୍ୟାୟରେ କେବଳ ଇଂରାଜୀ, ପର୍ତ୍ତୁଗୀଜ୍, ରୁଷୀୟ, ଆରବୀୟ, ସ୍ପେନୀୟ ଓ ହିନ୍ଦୀ ଭାଷାରେ ଏପରି ଅନ୍ତର୍ଭାଷୀୟ ଅନୁବାଦ ଉପଲବ୍ଧ ହେବ। ପରେ ଏହା ଅନ୍ୟାନ୍ୟ ଭାଷାକୁ ସମ୍ପ୍ରସାରିତ ହେବ। ସେହିପରି ଭାଷାନୁବାଦ ସାଙ୍ଗକୁ ସ୍ବରାନୁବାଦ ପାଇଁ ମଧ୍ୟ କମ୍ପାନି ପକ୍ଷରୁ ପରୀକ୍ଷାନିରୀକ୍ଷା ଜାରି ରହିଛି। ଏଥିରେ ସ୍ବର ରୂପାନ୍ତରିତ ହୋଇ ଲିଖିତ ଆକାରରେ ଦୃଶ୍ୟମାନ ହେବ।