ସ୍ବିଜରଲ୍ୟାଣ୍ଡର ପ୍ରସିଦ୍ଧ ହାତଘଣ୍ଟା ନିର୍ମାତା କମ୍ପାନି ଲେସ୍ ଆଟେଲିଅର୍ସ ଲୁଇ ମଏନେଟ୍ ଦ୍ବାରା ପ୍ରସ୍ତୁତ ଏକ ବିଶେଷ ଧରଣର ଘଣ୍ଟା ଏବେ ଖୁବ୍ ଚର୍ଚ୍ଚାରେ। ଏହି ଘଡ଼ିରେ ୧୨ଟି ବିଭିନ୍ନ ପ୍ରକାରର ଉଲ୍କା ପଥର ସ୍ଥାନ ପାଇଛି। ଏହା ନିଜ ଦେହରେ ସର୍ବାଧିକ ଉଲ୍କାପିଣ୍ଡ ଧାରଣ କରିବାରେ ଗିନିସ ରେକର୍ଡ ହାସଲ କରିଛି।
ଉଲ୍ଲେଖଯୋଗ୍ୟ, ଉଲ୍କାପିଣ୍ଡ ହେଉଛି ମହାକାଶରୁ ପୃଥିବୀକୁ ଖସୁଥିବା ବିରଳ ପଥର ବା ଧାତବ ପିଣ୍ଡ। ଏହି ଉଲ୍କାପିଣ୍ଡଗୁଡ଼ିକ ମଧ୍ୟରେ ଚନ୍ଦ୍ର ଓ ମଙ୍ଗଳରୁ ଖସିଥିବା ଧାତବ ଖଣ୍ଡ ସମେତ ଭୂପୃଷ୍ଠରେ ପଡ଼ିଥିବା ଅନେକ ଗ୍ରହାଣୁ ଓ ମେକ୍ସିକୋରେ ହୋଇଥିବା ଉଲ୍କାପାତରୁ ସଂଗୃହୀତ ପିଣ୍ଡ ଅନ୍ତର୍ଭୁକ୍ତ। ‘କସ୍ମୋପଲିସ’ ନାମକ ଏହି ହାତଘଡ଼ିର ସମ୍ମୁଖ ଭାଗରେ ଏହି ୧୨ଟି ଯାକ ମହାଜାଗତିକ ପିଣ୍ଡକୁ ସୁନ୍ଦର ଭାବରେ ପୃଥକ୍ କରି ଖଚିତ କରାଯାଇଥିବା ଦେଖିବାକୁ ମିଳିଛି।
ଘଡ଼ିଟିର କେନ୍ଦ୍ରରେ ‘ଧୋଫତ୍ ୪୬୧’ ନାମକ ବିରଳ ଚନ୍ଦ୍ରଖଣ୍ଡକୁ ରଖାଯାଇଛି। ୧୮ କ୍ୟାରେଟ୍ ସୁନାରେ ନିର୍ମିତ ୪୦ ମି.ମି. ବ୍ୟାସ ବିଶିଷ୍ଟ ଖୋଳରେ ଘଣ୍ଟାର ଯନ୍ତ୍ରାଂଶ ସହିତ ଏହି ‘ଅତ୍ୟନ୍ତ ବିରଳ ତଥା ମୂଲ୍ୟବାନ’ ଉଲ୍କାପିଣ୍ଡ ଗୁଡ଼ିକୁ ଗୋଲାକାର ପରିବେଷ୍ଟନୀ ସହ ଖଞ୍ଜାଯାଇଛି। ଲୁଇ ମଏନେଟ୍ ପକ୍ଷରୁ ଘଡ଼ିଟିର ଦାମ୍ ୨,୪୬,୯୦୧ ଡଲାର ରଖାଯାଇଛି। ଭାରତୀୟ ମୁଦ୍ରାରେ ତାହା ପାଖାପାଖି ୨ କୋଟି ୫ ଲକ୍ଷ ଟଙ୍କା ହେବ।