ଅଙ୍ଗପ୍ରତ୍ୟଙ୍ଗ ପ୍ରତିରୋପଣ କ୍ଷେତ୍ରରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିଭାଇଛି ସବୁଜ କରିଡର୍‌ ବ୍ୟବସ୍ଥା। ଗାଡ଼ି ଚଳାଚଳ ନିଷିଦ୍ଧ ହୋଇଥିବା ରାସ୍ତାରେ ଅଙ୍ଗପ୍ରତ୍ୟଙ୍ଗ ପରିବହନକୁ ସବୁଜ କରିଡର୍‌ କୁହାଯାଇଥାଏ। ୨୦୧୪ ମସିହାରୁ ଭାରତରେ ସବୁଜ କରିଡର୍‌ ବ୍ୟବସ୍ଥା ପ୍ରଚଳିତ ହୋଇଆସୁଛି। ଏହା ପ୍ରଚଳନ କରିବାରେ ଚେନ୍ନାଇ ହେଉଛି ପ୍ରଥମ ଭାରତୀୟ ସହର। ଜଣେ ୨୧ ବର୍ଷୀୟ ଯୁବକଙ୍କ ଶରୀରରେ ପ୍ରତିରୋପଣ କରାଯିବା ଲାଗି ପ୍ରଦତ୍ତ ହୃତ୍‌ପିଣ୍ଡଟିଏ ଗୋଟାଏ ଆମ୍ବୁଲାନ୍ସ ଯୋଗେ ନିଆଯାଇଥିଲା। ଚେନ୍ନାଇ ସରକାରୀ ଜେନେରାଲ୍‌ ହସ୍‌ପିଟାଲ୍‌ରୁ ବାହାରି ସେ ଆମ୍ବୁଲାନ୍‌ସ୍‌ ୧୨ କିଲୋମିଟର୍‌ ଦୂର ଆଦୟାର୍‌ସ୍ଥିତ ଫୋର୍ଟିସ୍ ହସ୍ପିଟାଲ୍‌ରେ ମାତ୍ର ୧୪ ମିନିଟ୍‌ରେ ପହଞ୍ଚିଥିଲା। ଗତ ଦୁଇବର୍ଷ ମଧ୍ୟରେ ଏହି ବ୍ୟବସ୍ଥା ମୁମ୍ବାଇ, ଗୁରୁଗ୍ରାମ, ହାଇଦ୍ରାବାଦ, ବେଙ୍ଗାଲୁରୁ ଆଦି ସହରରେ ବହୁ ଜୀବନ ବଞ୍ଚାଇବାରେ ସହାୟକ ହୋଇଛି। ବର୍ତ୍ତମାନ ଏଥିଲାଗି ରେଳପଥର ବ୍ୟବହାର ଆରମ୍ଭ ହୋଇଛି।

Advertisment

ବେଙ୍ଗାଲୁରୁ ମେଟ୍ରୋ ଟ୍ରେନ୍‌
ଏହା ବେଙ୍ଗାଲୁରୁରେ ପ୍ରଥମ ଏବଂ ଭାରତରେ ଦ୍ୱିତୀୟ ଘଟଣା ଯେଉଁଠାରେ ମାନବ ଅଙ୍ଗ ପରିବହନ ପାଇଁ ମେଟ୍ରୋ ଟ୍ରେନ୍‌ ବ୍ୟବହାର କରାଯାଇଥିଲା। ଏହି ମିସନ୍‌ ଦ୍ବାରା ଅତି କମ୍‌ ସମୟରେ ଜଣେ ରୋଗୀଙ୍କ ପାଖକୁ ଏକ ଯକୃତ୍‌ ପରିବହନ କରାଯାଇଥିଲା। ତେଣୁ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ସେ ରୋଗୀଙ୍କ ଶରୀରରେ ଯକୃତ୍‌ ପ୍ରତିରୋପଣ ସମ୍ଭବ ହୋଇଥିଲା। ସଂସ୍ଥାପନ ଓ ଚଳାଚଳ ଆରମ୍ଭ ହେବା ପରେ ବେଙ୍ଗାଲୁରୁର ନମ୍ମା ମେଟ୍ରୋ ପ୍ରଥମଥର ପାଇଁ ଦାନ କରାଯାଇଥିବା ଯକୃତ୍‌ଟିକୁ ନିର୍ଦ୍ଧାରିତ ସମୟ ମଧ୍ୟରେ ଏକ ହସ୍‌ପିଟାଲ୍‌ରେ ପହଞ୍ଚାଇବାରେ ସକ୍ଷମ ହୋଇଥିଲା। ବେଙ୍ଗାଲୁରୁ ମେଟ୍ରୋ ରେଳ ନିଗମ ଲିମିଟେଡ୍ କହିଛି ଯେ ୨୦୨୫ ଅଗଷ୍ଟ ୧ ତାରିଖ ରାତି ପ୍ରାୟ ୮:୩୭ ମିନିଟ୍‌ରେ ବୈଦେହୀ ହସ୍‌ପିଟାଲ୍‌ରୁ ଆମ୍ବୁଲାନ୍ସ ଦ୍ୱାରା ଉକ୍ତ ଯକୃତ୍‌ଟିକୁ ହ୍ବାଇଟ୍‌ଫିଲ୍‌ଡ୍‌ ମେଟ୍ରୋ ଷ୍ଟେସନ୍‌କୁ ଅଣାଯାଇଥିଲା। ଜଣେ ଡାକ୍ତର ଓ ସାତଜଣ ଡାକ୍ତରୀ କର୍ମଚାରୀ ଦଳ ସେ ଯକୃତ୍‌ ସହିତ ମେଟ୍ରୋ ଟ୍ରେନ୍‌ରେ ଚଢ଼ିଥିଲେ। ରାତି ୮:୪୨ରେ ହ୍ବାଇଟ୍‌ଫିଲ୍‌ଡ୍‌ ମେଟ୍ରୋ ଷ୍ଟେସନ୍‌ ଛାଡ଼ିଥିବା ଉକ୍ତ ମେଟ୍ରୋ ଟ୍ରେନ୍‌ ରାତି ୯:୪୮ରେ ରାଜରେଶ୍ୱରୀ ନଗର ମେଟ୍ରୋ ଷ୍ଟେସନ୍‌ରେ ପହଞ୍ଚିଥିଲା। ତା’ପରେ ଯକୃତ୍‌ଟିକୁ  ସ୍ପର୍ଶ ହସ୍‌ପିଟାଲ୍‌କୁ ପଠାଯାଇଥିଲା। ସେଠାରେ ଏହାକୁ ସଫଳତାର ସହ ପ୍ରତିରୋପଣ କରାଯାଇଥିଲା। ସୂଚନା ଅନୁଯାୟୀ, ଦୁଇଟି ହସ୍‌ପିଟାଲ୍‌ ମଧ୍ୟରେ ଦୂରତ୍ବ ୩୨ କିଲୋମିଟର୍‌। ସାଧାରଣରେ ଏହି ଦୂରତ୍ବ ଅତିକ୍ରମ କରିବାକୁ ପ୍ରାୟ ୧.୫ ଘଣ୍ଟା ଲାଗେ। 

ହାଇଦ୍ରାବାଦ ମେଟ୍ରୋ ଟ୍ରେନ୍‌
ଅଙ୍ଗ ପରିବହନ କ୍ଷେତ୍ରରେ ଭାରତ‌େର ହାଇଦ୍ରାବାଦ ମେଟ୍ରୋ ବି ବଡ଼ ସଫଳତା ହାସଲ କରିଛି। ୨୦୨୫ ଜାନୁଆରି ୧୭ ତାରିଖ ରାତି ୯:୩୦ ବେଳେ ହାଇଦ୍ରାବାଦ ମେଟ୍ରୋ ଏକ ସବୁଜ କରିଡର୍‌ ସୃଷ୍ଟି କରିଥିଲା। ଯାହା ମାଧ୍ୟମରେ ଏଲ୍‌ବି ନଗରସ୍ଥିତ କାମିନେନି ହସ୍‌ପିଟାଲ୍‌ର ଡାକ୍ତରୀ ଟିମ୍‌ ଜଣେ ଦାତାଙ୍କ ହୃତ୍‌ପିଣ୍ଡକୁ ମେଟ୍ରୋ ଟ୍ରେନ୍‌ରେ ଲାକଡି ପୁଲ୍‌ ଅଞ୍ଚଳର ଗ୍ଲେନିଗେଲ୍‌ସ୍‌ ଗ୍ଲୋବାଲ୍ ହସ୍‌ପିଟାଲ୍‌କୁ ନେଇଯାଇଥିଲେ। ସେ ମେଟ୍ରୋ ଟ୍ରେନ୍‌ ମାତ୍ର ୧୩ ମିନିଟ୍‌ରେ ୧୩ଟି ଷ୍ଟେସନ୍‌ ଦେଇ ୧୩ କିଲୋମିଟର୍‌ ପଥ ଅତିକ୍ରମ କରିଥିଲା। ଉକ୍ତ ମେଟ୍ରୋ ଟ୍ରେନ୍‌ର ସୁପରିଚାଳନା ଏବଂ ପ୍ରତି ଷ୍ଟେସନ୍‌ରେ ତା’ର ଅବାଧ ଯାତ୍ରା ସୁନିଶ୍ଚିତ କରିବା ପାଇଁ ରେଳ ଅଧିକାରୀ, ହସ୍‌ପିଟାଲ୍‌ କର୍ତ୍ତୃପକ୍ଷ ଏବଂ ସ୍ଥାନୀୟ କର୍ତ୍ତୃପକ୍ଷମାନେ ମିଳିତ ଭାବେ ବିଭିନ୍ନ କାର୍ଯ୍ୟ ତୁଲାଇଥିଲେ। ବିଳମ୍ବ ଏଡ଼ାଇ ଯଥାଶୀଘ୍ର ହୃତ୍‌ପିଣ୍ଡଟିକୁ ହସ୍‌ପିଟାଲ୍‌କୁ ସ୍ଥାନାନ୍ତରଣ କରିବା ପାଇଁ ମେଟ୍ରୋ ଟ୍ରେନ୍‌କୁ ଭରସାଯୋଗ୍ୟ ବୋଲି ବିବେଚନା କରାଯାଇଥିଲା।

ମୁମ୍ବାଇ ଏକ୍ସପ୍ରେସ୍‌ ଟ୍ରେନ୍‌
୨୦୨୪ ସେପ୍ଟମ୍ବର୍‌ରେ ମୁମ୍ବାଇରେ ଗୁରୁତର ଯକୃତ୍‌ ରୋଗରେ ପୀଡ଼ିତ ଜଣେ ୧୩ ମାସର ବାଳକ ଦେହରେ ୫ଦିନ ହେବ ମସ୍ତିଷ୍କ-ମୃତ୍ୟୁ ଘଟିଥିବା ଜଣେ ଝିଅର ଯକୃତ୍‌ ପ୍ରତିରୋପଣ କରାଯାଇଥିଲା। ନାନାବତୀ ମ୍ୟାକ୍‌ସ୍‌ ହସ୍‌ପିଟାଲ୍‌ରେ ଉକ୍ତ ଯକୃତ୍‌ ପ୍ରତିରୋପଣ ସଫଳତାର ସହ ସମ୍ପାଦନ କରାଯାଇଥିଲା। ଅଙ୍ଗଦାତା ଗୁଜରାଟର ସୁରତରେ ଥିବାରୁ ସ୍ବତନ୍ତ୍ର ସବୁଜ କରିଡର୍‌ ସୃଷ୍ଟି କରାଯାଇ ଟ୍ରେନ୍ ଯୋଗେ ତାଙ୍କ ପ୍ରଦତ୍ତ ଯକୃତ୍‌ଟିକୁ ମୁମ୍ବାଇ ଅଣାଯାଇଥିଲା। ଗୋଟିଏ ରାଜ୍ୟରୁ ଆଉ ଗୋଟିଏ ରାଜ୍ୟକୁ ଟ୍ରେନ୍ ଯୋଗେ ଅଙ୍ଗ ପରିବହନ କରାଯିବାରେ ଏହା ପ୍ରଥମ ଘଟଣା। ସୂଚନା ଅନୁଯାୟୀ, ସୁରତ୍‌ସ୍ଥିତ ଏକ ଘରୋଇ ହସ୍‌ପିଟାଲ୍‌ରେ ଭର୍ତ୍ତି ହୋଇଥିବା ଜଣେ ୬ଦିନର ଶିଶୁକନ୍ୟାକୁ  ଡାକ୍ତରମାନେ ମସ୍ତିଷ୍କ-ମୃତ ଘୋଷଣା କରିଥିଲେ। ଏଭଳି ଦୁଃଖଦ ସମୟରେ ବି ସେ ଝିଅର ପିତାମାତା ଆଉଜଣଙ୍କ ଜୀବନ ବଞ୍ଚାଇବା ପାଇଁ ତା’ର ଯକୃତ୍‌ ଦାନ କରିବାକୁ ନିଷ୍ପତ୍ତି ନେଇଥିଲେ। 

ନାନାବତୀ ମ୍ୟାକ୍‌ସ୍‌ ହସ୍‌ପିଟାଲ୍‌ରେ ଚିକିତ୍ସାଧୀନ କ୍ରିଗ୍‌ଲର୍‌-ନାଜ୍ଜାର୍‌ ସିଣ୍ଡ୍ରୋମ୍‌ ଟାଇପ୍ ୧ରେ ପୀଡ଼ିତ ଥିବା ୧୩ ମାସର ଶିଶୁର ଜୀବନ ରକ୍ଷାଲାଗି ଏକମାତ୍ର ବିକଳ୍ପ ଥିଲା ଯକୃତ୍‌ ପ୍ରତିରୋପଣ। ସୁରତ ହସ୍‌ପିଟାଲ୍‌ରେ ଅଙ୍ଗ ଉପଲବ୍ଧତା କଥା ଜାଣି ନାନାବତୀ ହସ୍ପିଟାଲ୍‌ ଡାକ୍ତରୀ ଦଳ ତ୍ବରିତ ପଦକ୍ଷେପ ଗ୍ରହଣ କରିଥିଲେ। ୧୫୦ ଗ୍ରାମ୍‌ ଓଜନର ଉକ୍ତ ଯକୃତ୍‌ଟିକୁ ଧରି ଡାକ୍ତରୀ ଦଳ ଭୋର୍‌ ୫:୧୫ରେ ସୁରତ ଷ୍ଟେସନ୍‌ରୁ ତେଜସ୍‌ ଏକ୍ସପ୍ରେସ୍‌ ଟ୍ରେନ୍‌ ଚଢ଼ିଥିଲେ। ମୁମ୍ବାଇ ପୁଲିସ ଗ୍ରିନ୍‌ କରିଡର୍‌ ଆ‌େୟାଜନ କରିଥିବାରୁ ଉକ୍ତ ଟ୍ରେନ୍‌ ନିର୍ଦ୍ଧାରିତ ସମୟଠାରୁ ୬ ମିନିଟ୍‌ ଆଗରୁ ଅର୍ଥାତ୍‌ ସକାଳ ୭:୪୦ରେ ମୁମ୍ବାଇ ବୋରିଭଲି ଷ୍ଟେସନ୍‌ରେ ପହଞ୍ଚିଥିଲା। ୨୨୭ କିଲୋମିଟର୍‌ ଦୂରତ୍ବ ଅତିକ୍ରମ କରିବାକୁ ଉକ୍ତ ଟ୍ରେନ୍‌କୁ ଲାଗିଥିଲା ମାତ୍ର ୨ ଘଣ୍ଟା ୩୦ ମିନିଟ୍‌। ଏହା ପରେ ସଡ଼କ ପଥରେ ଗ୍ରିନ୍ କରିଡର୍‌ କରାଯାଇ ଯକୃତ୍‌ଟିକୁ ନାନାବତୀ ମ୍ୟାକ୍‌ସ୍‌ ହସ୍‌ପିଟାଲ୍‌କୁ ନିଆଯାଇଥିଲା।