ଦୁଷ୍କର୍ମପୀଡ଼ିତା ମହିଳାମାନଙ୍କର ପୋଷାକକୁ ନେଇ ସଂଗ୍ରହାଳୟ କରିଛନ୍ତି ଜସ୍ମିନ୍‌, କାରଣ ଜାଣିବାକୁ ଚାହାଁନ୍ତି କି?

ପ୍ରତିଦିନ ଯୁବତୀମାନେ ଦୁଷ୍କର୍ମର ଶିକାର ହେଉଥିବାର ଖବର ଶୁଣିବାକୁ ମିଳେ । ଯେତେ କଡ଼ା ଆଇନ୍‌ ଲାଗୁ ହେଲେ ବି ମହିଳାମାନଙ୍କ ପ୍ରତି ହେଉଥିବା ପାଶବିକ ଅତ୍ୟାଚାର ହ୍ରାସ ହେଉ ନାହିଁ । କେତେକ ଲୋକ ଦୁଷ୍କର୍ମ ପାଇଁ ପୀଡ଼ିତା ମହିଳାଙ୍କର ପୋଷାକ ପରିଚ୍ଛେଦକୁ ଦାୟୀ କରିଛନ୍ତି । କିନ୍ତୁ ପ୍ରକୃତରେ ସେଭଳି ମାନସିକତା ଠିକ୍‌ ନୁହେଁ ବୋଲି ବୁଝାଇବା ଲାଗି ବେଙ୍ଗଲୁରୁର ଜଣେ ମହିଳା ଜସ୍ମିନ୍‌ ପାଠେଜା ଦୁଷ୍କର୍ମ ପୀଡ଼ିତା ମହିଳାଙ୍କର ପୋଷାକ ସଂଗ୍ରହ କରି ଏକ ସଂଗ୍ରହାଳୟ ପ୍ରତିଷ୍ଠା କରିଛନ୍ତି ।
ଜସ୍ମିନ୍‌ ଯୌନ ନିର୍ଯାତନାର ଶିକାର ହୋଇଥିବା ମହିଳାମାନଙ୍କର ପୋଷାକକୁ ଜମା କରନ୍ତି । ସେ ନିଜ ଘରେ ଥିବା ଏକ ରୁମ୍‌କୁ ସଂଗ୍ରହାଳୟ କରିଛନ୍ତି । ସେଠାରେ ଯେଉଁସବୁ ପୋଷାକ ଅଛି, ତାହା ସାଧାରଣ ମହିଳାମାନେ ପିନ୍ଧୁଥିବା ପୋଷାକ, କିନ୍ତୁ ସେଗୁଡିକର କାହାଣୀ ଭିନ୍ନ । ସେଥିରେ ଥିବା ଏକ ବ୍ଲାକ୍‌ ଆଣ୍ଡ୍‌ ରେଡ୍‌ ଜଂପସୁଟ୍‌ ଅଛି , ଯାହା ହେଉଛି ଗତ ବର୍ଷ ବେଙ୍ଗଲୁରୁ ଜାନୁଆରି ୧ ତାରିଖରେ ଯୌନ ନିର୍ଯ୍ୟାତନାର ଶିକାର ହୋଇଥିବା ଜଣେ ଯୁବତୀଙ୍କର ।

photo-oneindia

ଏହି ସଂଗ୍ରହାଳୟରେ ଯୌନ ନିର୍ଯାତନାର ଶିକାର ହୋଇଥିବା ନାରୀଙ୍କର ସ୍କୁଲ୍‌ ୟୁନିଫର୍ମଠୁଁ ଆରମ୍ଭକରି ଗାଉନ୍‌ ଯାଏଁ ସବୁ ଦେଖିବାକୁ ପାଇବେ । ଏହା ଦ୍ୱାରା ସେ ଦର୍ଶାଇବାକୁ ଚାହାଁନ୍ତି ଯେ ସବୁ ବୟସର ମହିଳା ଯୌନ ନିର୍ଯ୍ୟାତନାର ଶିକାର ହେଉଛନ୍ତି । ଲୋକଙ୍କର କୁତ୍ସିତ ମାନସିକତା ବିରୋଧରେ ସ୍ୱର ଉତ୍ତୋଳନ କରିବା ଉଦ୍ଦେଶ୍ୟରେ ଜସ୍ମିନ୍‌ ‘ ଆଇ ନେଭର୍‌ ଆସ୍କ ଫର୍‌ ଇଟ୍‌ ’ ରଖିଛନ୍ତି । ତାଙ୍କର ଏହି ଅଭିଯାନକୁ ସୋସିଆଲ୍‌ ମିଡିଆରେ ଯଥେଷ୍ଟ ସମର୍ଥନ ମିଳୁଥିବା ଜଣାଯାଇଛି ।
୨୦୦୩ ମସିହାରେ ଯୌନ ନିର୍ଯାତନା ବିରୋଧରେ ସ୍ୱର ଉତ୍ତୋଳନ କରିବା ପାଇଁ ଜସ୍ମିନ୍‌ ‘ ବ୍ଲାକ୍‌ ନାଇସ୍‌’ ନାମକ ଏକ ସଂସ୍ଥା ପ୍ରତିଷ୍ଠା କରିଥିଲେ ।ଏହା ମାଧ୍ୟମରେ ମହିଳାମାନଙ୍କୁ ସଚେତନ କରାଯାଉଛି । କିଶୋରୀଙ୍କଠୁଁ ଆରମ୍ଭ କରି ବୟସ୍କା ମହିଳାମାନଙ୍କୁ ଏଥିରେ ସାମିଲ କରିଛନ୍ତି ଜସ୍ମିନ୍‌ । ପୋଷାକ ପାଇଁ ମହିଳାମାନେ ଯୌନ ଉତ୍ପୀଡନର ଶିକାର ହେଉଛନ୍ତି ବୋଲି ଯେଉଁ ମାନସିକତା ରହିଛି, ତା’କୁ ବଦଳାଇବା ହେଉଛି ଜସ୍ମିନଙ୍କର ଲକ୍ଷ୍ୟ ।

ସମ୍ବନ୍ଧିତ ଖବର