ପ୍ରେମ ଦେଖେନା ଜାତି, ବର୍ଣ୍ଣ, ଧର୍ମ, ବୟସ କି ଭେଦଭାବ। ମନରେ ମନ ମିଶିଗଲେ ଦୁଇଟି ମଣିଷ ଜନ୍ମ ଜନ୍ମାନ୍ତର ପାଇଁ ନିଜର ହୋଇଯା’ନ୍ତି। ସାଧାରଣ ବର୍ଗର ଲୋକଙ୍କ ଠାରୁ ନେଇ ସେଲିବ୍ରିଟିଙ୍କ ପର୍ଯ୍ୟନ୍ତ ସମସ୍ତେ କେବେ ନା କେବେ ପ୍ରେମରେ ପଡ଼ିଛନ୍ତି। କିଛି ସଫଳ ହୋଇ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି ତ ପୁଣି କିଏ ବିଫଳ ହୋଇ ନିଜ ପ୍ରେମକୁ ତ୍ୟାଗ ବି କରିଛନ୍ତି, ପୁଣି ଆଉ କେହି ଧୋକା ବା ପ୍ରତାରଣାର ଶିକାର ମଧ୍ୟ ହୋଇଛନ୍ତି। ସେମିତିି କିଛି ନାୟିକା ଅଛନ୍ତି ଯେଉଁମାନେ ଅଲଗା ଧର୍ମରେ ବିବାହ କରି ନିଜ ପ୍ରେମରେ ସଫଳ ହୋଇଛନ୍ତି। ନିକଟରେ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା ତାଙ୍କ ପୁରୁଷ ବନ୍ଧୁ ଜାହିର୍ ଇକ୍ବାଲ୍ଙ୍କୁ ବିବାହ କରିଥିବାର ଘଟଣା ଖବରର ଶିରୋନାମା ପାଲଟିଥିଲା। ସେହିପରି କିଛି ଜଣାଶୁଣା ବଲିଉଡ୍ ଯୋଡ଼ିଙ୍କ ପ୍ରେମ ଓ ବିବାହ ନେଇ ଆଜିର ସ୍ବତନ୍ତ୍ର ଆଲେଖ୍ୟ...
ନର୍ଗିସ୍-ସୁନୀଲ ଦତ୍ତ
୫୦ ଦଶକର ବଲିଉଡ୍ର ସବୁଠୁ ଚର୍ଚ୍ଚିତ େଯାଡ଼ି ହେଉଛନ୍ତି ନର୍ଗିସ୍ ଓ ସୁନୀଲ ଦତ୍ତ। ‘ମଦର୍ ଇଣ୍ଡିଆ’ ଚଳଚ୍ଚିତ୍ରରୁ ସେମାନଙ୍କ ପ୍ରେମକାହାଣୀ ଆରମ୍ଭ ହୋଇଥିଲା। ନର୍ଗିସ୍ ମୁସ୍ଲିମ୍ ଥିଲେ ଓ ସୁନୀଲ ହିନ୍ଦୁ। ଭିନ୍ନ ଧର୍ମର ହୋଇଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ସେମାନେ ଦୁହେଁ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ ଏବଂ ବିବାହ ପରେ ନର୍ଗିସ୍ ହିନ୍ଦୁ ଧର୍ମ ଅନୁସାରେ ନିଜର ନାଁ ନିର୍ମଳା ଦତ୍ତ ରଖିଥିଲେ।
ରିନା ରାୟ-ମୋହସିନ୍ ଖାନ୍
ବିଗତ ଦିନର ଅଭିନେତ୍ରୀ ରିନା ରାୟଙ୍କ ଛାପ ବଲିଉଡ୍ ଜଗତରେ ସ୍ବତନ୍ତ୍ର ଥିଲା। ସେତେବେଳର ସେ ସବୁଠାରୁ ସୁନ୍ଦରୀ ଓ ଲୋକପ୍ରିୟ ନାୟିକା ଥିଲେ। ଯେତେବେଳେ ପାକିସ୍ତାନୀ କ୍ରିକେଟ୍ ଖେଳାଳି ମୋହସିନ୍ ଖାନ୍ଙ୍କ ସହିତ ଏହି ଅଭିନେତ୍ରୀଙ୍କ ପ୍ରେମ ସଂପର୍କ କଥା ଉଠିଲା ସେତେବେଳେ ଅନେକ ବିବାଦ ଦେଖାଦେଇଥିଲା। ରିନା ରାୟ ୧୯୮୩ରେ ମୋହସିନ୍ଙ୍କୁ ବିବାହ କରି ବମ୍ବେ ଚାଲି ଆସିଥିଲେ। କିନ୍ତୁ କୌଣସି କାରଣରୁ ସେମାନଙ୍କ ବିବାହ ବେଶୀ ଦିନ ତିଷ୍ଠି ନଥିଲା। ଶେଷରେ ଦୁହେଁ ପରସ୍ପର ଠାରୁ ଅଲଗା େହାଇଯାଇଥିଲେ।
ଶର୍ମିଲା ଟାଗୋର-ମନ୍ସୁର ଅଲ୍ଲୀ ଖାନ୍ ପଟୌଦୀ
୬୦ ଓ ୭୦ ଦଶକରେ ବଲିଉଡ୍ରେ ଚହଳ ପକାଇଥିବା ହିରୋଇନ୍ଙ୍କ ଭିତରେ ଶର୍ମିଲା ଟାଗୋର ଥିଲେ ଅନ୍ୟତମ। ଅନେକ ସଫଳ ଓ ହିଟ୍ ଫିଲ୍ମ ଭେଟିଦେଇଥିବା ଶର୍ମିଲା ନିଜର ଅଭିନୟ ଦକ୍ଷତା ଓ ସୁନ୍ଦର ଚେହେରା ପାଇଁ ବେଶ୍ ଚର୍ଚ୍ଚିତ ଥିଲେ। ତାଙ୍କ ପ୍ରେମ ସଂପର୍କ ବି ସେତେବେଳେ ଖୁବ୍ ଚର୍ଚ୍ଚାରେ ଥିଲା। ବିଶିଷ୍ଟ କ୍ରିକେଟ୍ ଖେଳାଳି ତଥା ପଟୌଦୀର ନବାବ୍ ମନ୍ସୁର୍ ଅଲ୍ଲୀ ଖାନ୍ ପଟୌଦୀଙ୍କୁ ପ୍ରେମ ଏବଂ ପରେ ବିବାହ କରିଥିଲେ ଶର୍ମିଲା। ହିନ୍ଦୁ ବଙ୍ଗାଳୀ ପରିବାରରେ ଜନ୍ମିତ ଶର୍ମିଲାଙ୍କ ମୁସ୍ଲିମ୍ ପରିବାରରେ ବିବାହ ପରେ ସେ ତାଙ୍କ ନାଁ ବଦଳାଇ ବେଗମ୍ ଆୟସା ସୁଲ୍ତାନା ରଖିଥିଲେ। ତାଙ୍କ ଔରସରୁ ଅଭିନେତା ସୈଫ୍ ଅଲ୍ଲୀ ଖାନ୍, ସବା ଅଲ୍ଲୀ ଖାନ୍ ଓ ସୋହା ଅଲ୍ଲୀ ଖାନ୍ ଜନ୍ମ ହୋଇଥିଲେ। ସୈଫ୍ ପ୍ରଥମେ ଅଭିନେତ୍ରୀ ଅମ୍ରିତା ସିଂହ ଓ ପରେ କରିନା କପୁରଙ୍କୁ ବିବାହ କରିଥିବା ବେେଳ ଝିଅ ସୋହା ଅଭିନେତା କୁନାଲ୍ ଖେମୁଙ୍କୁ ବିବାହ କରିଛନ୍ତି।
ମମ୍ତାଜ୍-ମୟୂର୍ ମାଧୱାନୀ
୭୦ ଦଶକରେ ଚଳଚ୍ଚିତ୍ର ଜଗତର ଅଭିନେତ୍ରୀଙ୍କ ମଧ୍ୟରେ ଅାଗଧାଡ଼ିରେ ଆସୁଥିଲେ ମମ୍ତାଜ୍। ନିଜର ସୁନ୍ଦର ଚେହେରା ଓ ବଳିଷ୍ଠ ଅଭିନୟ ପାଇଁ ସେ ନିର୍ଦ୍ଦେଶକଙ୍କ ପ୍ରଥମ ପସନ୍ଦ ଥିଲେ। ଅଭିନୟ ଜଗତରେ ସଫଳତାର ଶିଖର ଛୁଉଁଥିବା ବେଳେ ସେ ବିବାହ କଲେ ନିଜର ପ୍ରେମିକ ମୟୂର ମାଧୱାନୀଙ୍କୁ। ଯାହାକି େସତେବେଳେ ଖୁବ୍ ଚର୍ଚ୍ଚା ସାଉଁଟିଥିଲା।
ଗୌରୀ ଛିବର୍-ଶାହାରୁଖ୍ ଖାନ୍
ବଲିଉଡ୍ର ରୋମାନ୍ସ କିଙ୍ଗ୍ ଶାହାରୁଖ୍ ଖାନ୍ ନିଜ ବ୍ୟକ୍ତିଗତ ଜୀବନରେ ମଧ୍ୟ କମ୍ ରୋମାଣ୍ଟିକ୍ ନୁହନ୍ତି। ଜଣେ ହିନ୍ଦୁ ମହିଳା ଗୌରୀ ଛିବର୍ଙ୍କ ପ୍ରେମରେ ପଡ଼ିଥିଲେ କିଙ୍ଗ୍ ଖାନ୍। ଅନେକ ବାଧା-ପ୍ରତିବନ୍ଧକକୁ ସାମ୍ନା କରି ଶେଷରେ ୧୯୯୧ରେ ସେ ଗୌରୀଙ୍କୁ ବିବାହ କରିଥିଲେ। ନିଜ ଉପରେ ବିଶ୍ବାସ ଥିଲେ ପ୍ରେମ ସଫଳ ହୁଏ ବୋଲି ତାଙ୍କର ମତ। ରୋମାନ୍ସ କିଙ୍ଗ୍ଙ୍କ ପ୍ରେମ କାହାଣୀ ଆଜି ବି ଅନେକ ଯୁବକ ଯୁବତୀଙ୍କ ପାଇଁ ଉଦାହରଣ ହୋଇ ରହିଛି।
ଦିଲ୍ନୱାଜ୍ ସେଖ୍-ସଞ୍ଜୟ ଦତ୍ତ
ମାନ୍ୟତାଙ୍କ ପ୍ରକୃତ ନାମ ହେଉଛି ଦିଲ୍ନୱାଜ୍ ସେଖ୍। ସଞ୍ଜୟ ଦତ୍ତଙ୍କ ସହିତ ୨୦୦୬ରେ ପ୍ରଥମେ ବନ୍ଧୁତା ଏବଂ ପରେ ପ୍ରେମ। ଶେଷରେ ଦୁହେଁ ବିବାହ ବନ୍ଧନରେ ଆବଦ୍ଧ େହଲେ। ଦୁହିଁଙ୍କ ମଧ୍ୟରେ ୧୯ ବର୍ଷର ବୟସ ତାରତମ୍ୟ ଥିଲା। ମୁସ୍ଲିମ୍ ମହିଳା ହୋଇଥିବାରୁ ବିବାହ ପରେ ଦିଲ୍ନୱାଜ୍ ନିଜର ନାଁ ବଦଳାଇ ମାନ୍ୟତା ରଖିଥିଲେ।
କିରଣ ରାଓ-ଅମୀର୍ ଖାନ୍
ବଲିଉଡ୍ର ‘ମିଷ୍ଟର୍ ପରଫେକ୍ସନିଷ୍ଟ୍’ କୁହାଯାଉଥିବା ଅମୀର୍ ଖାନ୍ ବାଙ୍ଗାଲୋର୍ର ଏକ ବ୍ରାହ୍ମଣ ପରିବାର ଝିଅ କିରଣ ରାଓଙ୍କ ପ୍ରେମରେ ପଡ଼ିଥିଲେ। ବଲିଉଡ୍ର ଏହି ଚର୍ଚ୍ଚିତ ଯୋଡ଼ି ସେତେବେଳେ ଅନେକ ପ୍ରେମୀଯୁଗଳଙ୍କ ପାଇଁ ଉଦାହରଣ ସାଜିଥିଲେ। ଏହାସହିତ ସେମାନେ ସରୋଗେସି ମାଧ୍ୟମରେ ନିଜର ସନ୍ତାନ ଜନ୍ମ କରି ଖୁବ୍ ପ୍ରଶଂସା ସାଉଁଟିଥିଲେ।
ପ୍ରିୟଙ୍କା ଚୋପ୍ରା-ନିକ୍ ଜୋନାସ୍
୨୦୦୦ ମସିହାରେ ବିଶ୍ବ ସୁନ୍ଦରୀର ମୁକୁଟ ପିନ୍ଧିଥିବା ପ୍ରିୟଙ୍କା ଚୋପ୍ରା ଜଣେ ଆଗଧାଡ଼ିର ଅଭିନେତ୍ରୀ। ଅନେକ ସୁପର୍ହିଟ୍ ଚଳଚ୍ଚିତ୍ର ଭେଟି ଦେଇଥିବା ପ୍ରିୟଙ୍କା ବଲିଉଡ୍ ସହ ହଲିଉଡ୍ରେ ମଧ୍ୟ ସଫଳ ହୋଇପାରିଛନ୍ତି। ଖାଲି ସେତିକି ନୁହେଁ, ତାଙ୍କ ପ୍ରେମ ସଂପର୍କ ମଧ୍ୟ ଖୁବ୍ ଚର୍ଚ୍ଚିତ। ନିଜଠୁ ବୟସରେ ସାନ ଜଣେ ବିଦେଶୀ ଖ୍ରୀଷ୍ଟିଆନ୍ ଯୁବକଙ୍କୁ ପ୍ରେମ କରିବା ଓ ବିବାହ କରିବା ସେତେବେଳେ ଖବରର ଶିରୋନାମା ପାଲଟିଥିଲା। ଆମେରିକାନ୍ ଗାୟକ ଓ ଅଭିନେତା ନିକ୍ ଜୋନାସ୍ଙ୍କୁ ପ୍ରଥମେ ଡେଟ୍ ଓ ଶେଷରେ ୨୦୧୮ ମସିହାରେ ବିବାହ କରିଥିଲେ ପ୍ରିୟଙ୍କା। ସରୋଗାସି ମାଧ୍ୟମରେ େସମାନଙ୍କର ଏକ କନ୍ୟା ସନ୍ତାନ ରହିଛି।