ନୂଆଦିଲ୍ଳୀ: ଆଜି ବି ଲୋକେ ଘରେ ପୁଅ ଜନ୍ମ ହେଲେ ଖୁସି ମନାନ୍ତି। ମାତ୍ର ଆମେ ଆଜି ଏକ ଏପରି ପରିବାର ବିଷୟରେ କହିବୁ, ଯେଉଁଟି ଝିଅ ଜନ୍ମ ନେବା କାରଣରୁ ଘରେ ଖୁସିର ମାହୋଲ ଜମିଛି। ଘଟଣାଟି ହେଉଛି ଆମେରିକାର ମିସିଗାନର। ଏଠାରେ ଏକ ପରିବାରରେ ଦୀର୍ଘ ୧୩୦ ବର୍ଷ ପରେ ଏକ ଝିଅ ଜନ୍ମ ହୋଇଛି। ଏଥିପାଇଁ ପରିବାର ଲୋକଙ୍କ ଖୁସିର ସୀମା ନାହିଁ। ଝିଅ ଜନ୍ମ ପରେ ଘର ଏବେ ଉତ୍ସବମୁଖର ହୋଇ ଉଠିଛି।
କରୋଲିନ୍ ଏବଂ ଏଣ୍ଡ୍ରୋୟୁ କ୍ଲାର୍କ ନାମକ ଦମ୍ପତି ନିଜ ଘରେ ଏକ ନହ୍ନୀ ପରୀକୁ ସ୍ବାଗତ କରିଛନ୍ତି। ଏହି ଝିଅର ଜନ୍ମ ପରିବାର ପାଇଁ ଏକ ନୂତନ ଅଧ୍ୟାୟରୁ କମ୍ ନୁହେଁ। ସେମାନେ ଜନ୍ମିଥିବା କନ୍ୟାଙ୍କ ନାମ ରଖିଛନ୍ତି ଆଣ୍ଡ୍ରେ।
ଜାଣିବାକୁ ମିଳିଛି ଯେ ୧୮୮୫ ମସିହା ପରଠାରୁ ପରିବାରରେ କେହି କନ୍ୟା ଜନ୍ମ ହୋଇନଥିଲେ। କନ୍ୟାର ବାପା ଏଣ୍ଡ୍ରୋୟୁ ଏକ ସାକ୍ଷାତ୍କାରରେ କହିଛନ୍ତି କି ଏହା ତାଙ୍କ ପାଇଁ ଏକ ସୌଭାଗ୍ୟର କଥା ଯେ ୧୩୦ ବର୍ଷ ପରେ ତାଙ୍କ ଘରକୁ ଝିଅଟିଏ ଆସିଛି।
କରୋଲିନ୍ ଯେତେବେଳେ ସ୍ବାମୀ ଏଣ୍ଡ୍ରୋୟୁଙ୍କ ଠାରୁ ଶୁଣିଲେ କି ଦୀର୍ଘ ବର୍ଷ ଧରି ତାଙ୍କ ବଂଶରେ ଝିଅ ଜନ୍ମ ହୋଇନାହିଁ ତ ସେ ଆଶ୍ଚର୍ଯ୍ୟ ହୋଇଗଲେ। ତା’ପରେ ସେ ନିଜ ଶାଶୂ, ଶଶୁରଙ୍କୁ ଏ ବିଷୟରେ ପଚାରିଲେ। ସେମାନେ ବି ସେୟା ହିଁ କହିଥିଲେ।
ତେବେ ଉଭୟ ପତି-ପତ୍ନୀ କହିଥିଲେ କି ପୁଅ ହେଉ କି ଝିଅ ତାହା ସେମାନଙ୍କ ପାଇଁ ସମାନ କଥା। ମାତ୍ର ପରିବାରକୁ ଏତେ ବର୍ଷ ପରେ କନ୍ୟାଟିଏ ଆସିଥିବାରୁ ଟିକେ ଅଧିକ ସ୍ବତନ୍ତ୍ର ଅନୁଭବ ହେଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/04/6b738fd5-5cba-4d48-9449-2bf4c7b5ecb5.jpg)