ନୂଆଦିଲ୍ଳୀ: ଆଇଏଏସ୍ ଅଧିକାରୀ ଜ୍ୟୋତି ମୌର୍ଯ୍ୟ ଏବଂ ତାଙ୍କ ସ୍ବାମୀ ଆଲୋକ ମୌର୍ଯ୍ୟଙ୍କ ଛାଡ଼ପତ୍ର ମାମଲା ଏବେ ସାରା ଦେଶରେ ହଇଚଇ ସୃଷ୍ଟି କରିଥିବା ବେଳେ ଏବେ ଲୋକେ ଆଇଏଏସ୍ ଅନୁ କୁମାରୀଙ୍କୁ ମନେ ପକାଇଛନ୍ତି। ଲୋକଙ୍କ କହିବା କଥା ହେଉଛି ବିବାହ ପରେ ସଫଳ ହୋଇଥିବା ନାରୀମାନଙ୍କ ମଧ୍ୟରୁ ଜ୍ୟୋତି ମୌର୍ଯ୍ୟ ପ୍ରଥମ ନୁହନ୍ତି, ଆହୁରି ଏପରି ଅନେକ ମହିଳା ଅଛନ୍ତି, ଯେଉଁମାନେକି ସଫଳ ହେବା ସହ ସଂପର୍କର ମାନେ ବି ବୁଝନ୍ତି।
ଆମେ ଯେଉଁ ଅନୁ କୁମାରୀଙ୍କ ବିଷୟରେ କହୁଛୁ ସେ ହରିୟାଣାର ବାସିନ୍ଦା। ସେ ବିବାହ ପରେ ନା କି କେବଳ ନିଜ ପାଠପଢ଼ା ପୂରା କରିଛନ୍ତି, ବରଂ ସେ ୟୁପିଏସ୍ସି ପରୀକ୍ଷାରେ ସର୍ବଭାରତୀୟସ୍ତରରେ ଦ୍ବିତୀୟ ନମ୍ବର ରାଙ୍କ୍ରେ ରହିଛନ୍ତି।
ତାଙ୍କର ଏବେ କେରଳରେ ନିଯୁକ୍ତି ହୋଇଛି। ଯେବେ ସେ ୟୁପିଏସ୍ସି ସିଭିଲ୍ ସର୍ଭିସ ପରୀକ୍ଷାରେ ପାସ୍ କରିଥିଲେ ସେବେ ତାଙ୍କର ୪ ବର୍ଷର ଏକ ପୁଅ ଥିଲା। ପରୀକ୍ଷା ପାଇଁ ପ୍ରସ୍ତୁତ ହେବାକୁ ସେ ସ୍ବାମୀ ଓ ପୁଅଠାରୁ ୨ ବର୍ଷ ଦୂରେଇ ରହିଥିଲେ ଅନୁ । ଏହି କଥାକୁ ନେଇ ଲୋକେ ତାଙ୍କୁ ଖୁବ୍ ସମାଲୋଚନା କରିଥିଲେ। ମାତ୍ର ସେ କାହାର ବି କଥା ଶୁଣି ନଥିଲେ। କଳେବଳେକୌଶଳେ ନିଜର ଲକ୍ଷ୍ୟ ହାସଲ କରିଥିଲେ।
ଅନୁ କୁମାରୀ ମୁମ୍ବାଇରେ କରିଥିବା ଆଇସିଆଇସିଆଇ ବ୍ୟାଙ୍କ୍ ଚାକିରି ଛାଡ଼ି ୟୁପିଏସ୍ସି ପରୀକ୍ଷା ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ। ୨୦୧୨ ମସିହାରେ ତାଙ୍କ ବାହାଘର ହେବା ପରେ ସେ ଗୁରୁଗ୍ରାମକୁ ପଳାଇଥିଲେ। ପ୍ରାୟ ୯ ବର୍ଷ କାମ କରିବା ପରେ ଅନୁ ନିଜ ଚାକିରି ଛାଡ଼ି ୟୁପିଏସ୍ସି ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ ଓ ଶେଷରେ ସଫଳ ହୋଇଥିଲେ। ଏହା ତାଙ୍କର ଦୃଢ଼ ଇଚ୍ଛାଶକ୍ତିର ପରିଚୟ ଦିଏ।