ନେତାଜୀ ସୁଭାଷ ଚନ୍ଦ୍ର ବୋଷ। ଏହି ନାମ ଉଚ୍ଚାରଣରେ ଶିହରି ଉଠେ ଶରୀର, ସୃଷ୍ଟି ହୁଏ ଆଗକୁ ବଢ଼ିବାର ଅଦ୍ୟମ ଉତ୍ସାହ। ଏହି କଟକ ମାଟିରେ ଜନ୍ମ ହୋଇ, ଶିକ୍ଷାଲାଭ କରି ଜାପାନ, ଜର୍ମାନୀ ଓ ସିଙ୍ଗାପୁର ଭଳି ଦେଶକୁ ଯାଇ ଇଂରେଜ ଶାସନ ବିରୋଧରେ ରଣହୁଙ୍କାର ଦେଇଥିବା ନେତାଜୀ ସୁଭାଷଙ୍କ ଆଜି ୧୨୮ତମ ଜନ୍ମଦିନ। ପ୍ରଥମ ଥର ପାଇଁ ତାଙ୍କ ଜନ୍ମମାଟି କଟକରେ ପାଳନ ହେବାକୁ ଯାଉଛି ପରାକ୍ରମ ଦିବସ। ଏହି ପରାକ୍ରମୀ ଯୁଗପୁରୁ‌ଷ ନେତାଜୀଙ୍କୁ ଜନ୍ମଦିନରେ ଶ୍ରଦ୍ଧା ନିବେଦନ କରି ସ୍ବତନ୍ତ୍ର ପ୍ରସ୍ତୁତି। 

Advertisment

୧୬ ଏକର ଜମିରେ ସ୍ମାରକୀ ପ୍ରତିଷ୍ଠାନ, ବ୍ୟୟ ୪୫ କୋଟି

ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ଓଡ଼ିଆ ବଜାରସ୍ଥିତ ନେତାଜୀ ଜନ୍ମସ୍ଥାନ ସଂଗ୍ରହାଳୟ ନିକଟରେ ନିର୍ମାଣ ହୋଇଛି ନେତାଜୀ ସ୍ମାରକୀ ପ୍ରତିଷ୍ଠାନ। ୧୬ ଏକର ଜମି ଉପରେ ନିର୍ମାଣ ହୋଇଥିବ‌ା ଏହି ସ୍ମାରକୀ ପାଇଁ ଖର୍ଚ୍ଚ ହୋଇଛି ୪୫ କୋଟିରୁ ଅଧିକ ଟଙ୍କା। ଗତ ଅଗଷ୍ଟ ୩୧ ତାରିଖ ତଥା ସ୍ବାୟତ୍ତ ଶାସନ ଦିବସରେ ଏହା ଉଦ୍‌ଘାଟିତ ହୋଇଥି‌ଲା। ନେତାଜୀ ଜୟନ୍ତୀ ତଥା ଜାନୁଆରି ୨୩ରେ ଏହାକୁ ଜନସାଧାରଣଙ୍କ ପାଇଁ ଉତ୍ସର୍ଗ କରାଯାଇଛି। ଏଠାରେ ଜନସାଧାରଣ ପାଇବେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୀବନୀ ଉପରେ ରହିଛି ବହୁମୂଲ୍ୟ ସୂଚନା। ନେତାଜୀଙ୍କ ଜୀବନ ସହିତ ଜଡ଼ିତ ଥିବା ବିଭିନ୍ନ ମଡେଲ ସ୍ଥାପନ ହୋଇଛି ଏଠାରେ। ପୁରୁଣା ଜେଲ, ଗଙ୍ଗା ମନ୍ଦିର ପୋଖରୀ, ନେତାଜୀ ବ୍ୟାଖ୍ୟାନ କେନ୍ଦ୍ରର ପୁନରୁଦ୍ଧାର ଓ ସୌନ୍ଦ୍ୟର୍ଯ୍ୟକରଣ ବି କରାଯାଇଛି।  ଲାଇଟ୍‌ ଓ ୱାଟର୍‌ ‌ସୋ’ର ବ୍ୟବସ୍ଥା କରାଯାଇଛି। ଯାହା ପର୍ଯ୍ୟଟକଙ୍କ ପାଇଁ ଆକର୍ଷଣର ମାଧ୍ୟମ ସାଜିବ। ଏହାଛଡ଼ା ପରିସରରେ ରହିଛି ଶିଶୁ ଉଦ୍ୟାନ, ଯୋଗକେନ୍ଦ୍ର, ଫୁଡ୍‌ କୋର୍ଟ, ପାର୍କିଂ ସ୍ଥାନ ଓ ଶୌଚାଳୟ।

ବ୍ୟାଖ୍ୟାନ‌ କେନ୍ଦ୍ର ବଖାଣିବ ନେତାଜୀଙ୍କ ବ୍ୟକ୍ତିତ୍ବ

ଏଥର ବ୍ୟାଖ୍ୟାନ କେନ୍ଦ୍ର ବଖାଣିବ ନେତାଜୀଙ୍କ ବ୍ୟକ୍ତିତ୍ବ।  ଜନ୍ମସ୍ଥାନ ସଂଗ୍ରହାଳୟଠାରେ ଅବହେଳିତ ଭାବେ ପଡ଼ି ରହିଥିବା ‌ନେତାଜୀ ବ୍ୟାଖ୍ୟାନ କେନ୍ଦ୍ର ଏଥର ପାଇଛି ନୂଆ ରୂପ। ଏଥିପାଇଁ ଖର୍ଚ୍ଚ ହୋଇଛି ୧୨ ‌କୋଟିରୁ ଅଧିକ ଟଙ୍କା। ଯେଉଁଠାରେ ପ୍ରଦର୍ଶିତ ହେଉଛି ନେତାଜୀଙ୍କ ଭାବନା ଓ ଆତ୍ମା। ଏହା ମଧ୍ୟରେ ରହିଛି ମେଡିଟେସନ୍‌ ସେଣ୍ଟର। ନେତାଜୀ ଗୀତା, ବାଇବେଲ, କୋରାନ୍‌ ପରି ବିଭିନ୍ନ ଧର୍ମ ଗ୍ରନ୍ଥକୁ ପଢୁଥିବା ବେଳେ ତାହା ତାଙ୍କ ଜୀବନୀ ଉପରେ କି ପ୍ରଭାବ ପକାଇଥିଲା ତାହାର ଝଲକ ଦେଖିବାକୁ ମିଳିବ ଏଠାରେ। ଖାଲି ସେତିକି ନୁହେଁ, ଏଠାରେ ସ୍ଥାନ ପାଇଛି ନେତାଜୀଙ୍କ ଓଜସ୍ବିନୀ ଭାଷଣ। ବିଭିନ୍ନ ଯୁଦ୍ଧ ସମ୍ପର୍କିତ ଲେଖା ଓ ଫଟୋ। ବ୍ୟାଖ୍ୟାନ କେନ୍ଦ୍ର ମଧ୍ୟରେ ରହିଛି ଏକ ଭିଡିଓ ହଲ୍‌। ଯେଉଁଠାରେ ପ୍ରଦର୍ଶନ କରାଯିବ ନେତାଜୀଙ୍କ ଜୀବନୀ ଆଧାରିତ ଭିଡିଓ ଚିତ୍ର। ସେହିପରି ନେତାଜୀଙ୍କ ସହିତ ଜୟୀ ରାଜଗୁରୁ, ମଙ୍ଗଲ ପାଣ୍ଡେ ଓ ମହାତ୍ମା ଗାନ୍ଧୀଙ୍କ ପରି ମହାପୁରୁଷଙ୍କ ଫଟୋ ଓ ସେମାନଙ୍କ ସଂଗ୍ରାମୀ ଜୀବନର ଲେଖା ବି ରଖାଯାଇଛି। କେନ୍ଦ୍ରରେ ଗୋଲ୍‌ ଟେବୁଲ୍‌ର ବ୍ୟବସ୍ଥା ବି କରାଯାଇଛି। ‌ଯେଉଁଠାରେ ଚିତ୍ରଶିଳ୍ପୀମାନେ  ସ୍ବାଧୀନତା ସଂଗ୍ରାମୀ ଓ ସ୍ବାଧୀନତା ସଂଗ୍ରାମକୁ ଚିତ୍ର ମାଧ୍ୟମରେ ପ୍ରଦର୍ଶିତ କରିପାରି‌ବେ। ବିଶେଷକରି ଆଜାଦ୍‌ ହିନ୍ଦ୍‌ ଫୌଜ୍‌ର ଇତିହାସକୁ ନେଇ ବହୁ ଫଟୋ ଓ ଲେଖା ଏହି ବ୍ୟାଖାନ କେନ୍ଦ୍ରର ଶୋଭାକୁ ଦ୍ବିଗଣିତ କରିଛି।