ମାଇକ୍ ଓ ସ୍ପିକର ଲଗା ମାସ୍କ: ଡାକ୍ତର ବାପାମାଆ ରୋଗୀଙ୍କ ସହ କଥା ହେବା ବେଳେ ମାସ୍କ କାଢ଼ି ଦଉଥିବାରୁ ନିଆରା ଉପାୟ ଚିନ୍ତିଲେ ପୁଅ

ତ୍ରିସୁର: ମାସ୍କରେ ଲାଗିଛି ମାଇକ୍ ଆଉ ସ୍ପିକର । ଏଣିକି କଥା କହିବା ବେଳେ ଆଉ କାଢିବାକୁ ପଡିବନି ମାସ୍କ । ସାଧାରଣତଃ ଆପଣ ଲକ୍ଷ୍ୟ କରିଥିବେ, ଅନେକ ଲୋକ କଥା କହିବା ବେଳେ, ମାସ୍କକୁ ମୁହଁରୁ ତଳକୁ ଖସାଇଦେଇଥାନ୍ତି । କାରଣ ମାସ୍କ ପିନ୍ଧି କଥା କହିବା ବେଳେ ଶ୍ୱାସକ୍ରିୟାରେ ସାମାନ୍ୟ ଅସୁବିଧା ହୁଏ । କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ ମାସ୍କ ଦେଖାଇବୁ, ଯେଉଁଥିରେ ଲାଗିଛି ମାଇକ୍ ଆଉ ସ୍ପିକର ।

କେରଳର ତ୍ରିସୁର ଜିଲ୍ଲାର ଜଣେ ବିଟେକ୍ ପ୍ରଥମ ବର୍ଷର ଛାତ୍ର କେଭିନ୍ ଜାକବ ଏହି ମାସ୍କଟିକୁ ନିଆରା ଢଙ୍ଗରେ ତିଆରି କରିଛନ୍ତି । ଯାହାକୁ ପିନ୍ଧିଲେ, ନା ଶ୍ୱାସକ୍ରିୟାରେ କୌଣସି ଅସୁବିଧା ହେବ, ନା କଥା କହିବାରେ । ଏହି ମାସ୍କ ପିନ୍ଧିଲେ, ଆପଣ ଠିକ୍ ଭାବେ କଥା କହିପାରିବେ ଏବଂ ସାମ୍ନାରେ ଥିବା ଲୋକ ମଧ୍ୟ ଆପଣଙ୍କ କଥାକୁ ଠିକ୍ ଭାବେ ଶୁଣିପାରିବେ।

ମହାମାରୀ ବିରୋଧୀ ଯୁଦ୍ଧରେ ମାସ୍କ ହେଉଛି ସବୁଠାରୁ ବଡ଼ ଅସ୍ତ୍ର । ଯେଉଁଥି ପାଇଁ ଅନେକ ବିଶେଷଜ୍ଞ ଏବଂ ବରିଷ୍ଠ ଡାକ୍ତର ସବୁବେଳେ ମୁହଁରେ ମାସ୍କ ପିନ୍ଧିବାକୁ ପରାମର୍ଶ ଦେଉଛନ୍ତି । କିନ୍ତୁ ଦେଖିବାକୁ ମିଳୁଛି, ଅନେକ ଲୋକ ଠିକ ଭାବେ ମାସ୍କ ପିନ୍ଧୁନାହାନ୍ତି ଏବଂ ମାସ୍କ ଲଗାଇଲେ ସାଧାରଣତଃ ଠିକ୍ ଭାବେ କଥା କହିହୁଏ ନାହିଁ । ଏଥିପାଇଁ ଲୋକେ କଥା କହିବା ବେଳେ ମାସ୍କକୁ ଟିକେ ତଳକୁ ଖସାଇ ଦେଇଥାନ୍ତି । ଯାହାକି ମହାମାରୀ ସମୟରେ ବେଶି ବିପଦଜନକ ଅଟେ । ଆଉ ଏହାକୁ ଦୃଷ୍ଟିରେ ରଖି ଏହି ସ୍ୱତନ୍ତ୍ର ମାସ୍କଟିକୁ ତିଆରି କରିଛନ୍ତି କେଭିନ୍ ।

ତେବେ କେଭିନଙ୍କ ବାପାମା ଦୁଇଜଣ ହେଉଛନ୍ତି ଡାକ୍ତର । ଦେଶରେ କୋଭିଡ-୧୯ ପାଦ ଦେବା ପରଠାରୁ ତାଙ୍କ ବାପାମା ରୋଗୀଙ୍କ ସେବାରେ ଲାଗିଛନ୍ତି । ଆଉ ଅଧିକାଂଶ ସମୟରେ ତାଙ୍କୁ ରୋଗୀଙ୍କ ସହ କଥା ହେବାକୁ ପଡ଼େ । ମୁହଁରେ ମାସ୍କ ଓ ଫେସସିଲ୍ଡ ଲଗାଇଥିବାରୁ, ଠିକ ସେ କଥା ହୋଇପାରନ୍ତି ନାହିଁ । ଆଉ ଏହାକୁ ଦେଖି ଏଭଳି ମାସ୍କ ତିଆରି କରିବାକୁ କେଭିନଙ୍କୁ ଆଇଡିଆ ମିଳିଥିଲା । ତେବେ କେଭିନଙ୍କ ଏହି ଆବିଷ୍କାରକୁ ଦକ୍ଷିଣ ଭାରତର ଅନେକ ଡାକ୍ତର ବ୍ୟବହାର କରୁଛନ୍ତି ।

ସମ୍ବନ୍ଧିତ ଖବର