୧୯୩୧ରେ ପ୍ରସିଦ୍ଧ ଇଂରେଜୀ ରାଜନୀତିଜ୍ଞ ୱିନଷ୍ଟନ୍ ଚର୍ଚ୍ଚିଲ ଭବିଷ୍ୟବାଣୀ କରିଥିଲେ ଯେ ପରବର୍ତ୍ତୀ ୫୦ ବର୍ଷରେ କୃତ୍ରିମ ଖାଦ୍ୟପଦାର୍ଥ ପ୍ରାକୃତିକ ଖାଦ୍ୟ ପଦାର୍ଥର ସ୍ଥାନ ନେବା ଆରମ୍ଭ କରିବ। କିଛି ଦଶନ୍ଧିର ବିଳମ୍ବ ହେଲେ ବି ତାଙ୍କର ଭବିଷ୍ୟବାଣୀ ସତ ହୋଇଛି। ଜୀବ ହତ୍ୟା ନ କରି ମାଂସ ଉତ୍ପାଦନ କରିବା ପରେ ବୈଜ୍ଞାନିକମାନେ ବିଜ୍ଞାନାଗାରରେ କ୍ଷୀର ଉତ୍ପାଦନ ଆରମ୍ଭ କରିଛନ୍ତି। ଉଲ୍ଲେଖନୀୟ କଥା ଯେ ଏଥିପାଇଁ କୌଣସି ପଶୁଙ୍କୁ ବ୍ୟବହାର କରାଯାଇନାହିଁ। ବିଅର୍ ଭଳି ପାନୀୟ ଉତ୍ପାଦନ ଲାଗି ଇଷ୍ଟ୍ ସାହାଯ୍ୟରେ ହେଉଥିବା କିଣ୍ବନ ପ୍ରକ୍ରିୟା ସାହାଯ୍ୟରେ ଏହି କ୍ଷୀର ପ୍ରସ୍ତୁତ ହେଉଛି।
ଏଥିରୁ ଏକ ପ୍ରୋଟିନ୍ ପାନୀୟ ପ୍ରସ୍ତୁତ କରାଯାଉଛି ଯେଉଁଥିରେ କ୍ଷୀରର ସମସ୍ତ ଗୁଣ ରହିଛି। ଏହାର ସ୍ବାଦ, ବର୍ଣ୍ଣ ଆଦି ଗାଈ କ୍ଷୀର ସହିତ ସମାନ। ଏହା ଏବେ ଗାଈ କ୍ଷୀରର ଏକ ବିକଳ୍ପ ରୂପେ ଉଭା ହୋଇଛି। ବିଶେଷଜ୍ଞମାନେ ଏହାକୁ କ୍ଷୀରର ଭବିଷ୍ୟତ ରୂପେ ଦେଖୁଛନ୍ତି। ଏ ଭିତରେ ଆମେରିକାରେ କୃତ୍ରିମ କ୍ଷୀରରେ ପ୍ରସ୍ତୁତ ଆଇସ୍କ୍ରିମ୍, ଚକୋଲେଟ୍, ପ୍ରୋଟିନ୍ ପାଉଡର୍ ଆଦି ବିକ୍ରି ହେଲାଣି। ସେହିପରି ଡେନ୍ମାର୍କରେ ଏକ କମ୍ପାନି ଏହି କ୍ଷୀରରୁ ଛେନା, ଦହି ଓ ଆଇସ୍କ୍ରିମ୍ ପ୍ରସ୍ତୁତ କରିବାକୁ ଏକ ବିଶାଳ ଉଦ୍ୟୋଗ ବସାଇଲାଣି। ଆସନ୍ତା ଦୁଇ ବର୍ଷ ମଧ୍ୟରେ ଅଷ୍ଟ୍ରେଲିଆ ସମେତ ଅନ୍ୟାନ୍ୟ ବଜାରରେ କୃତ୍ରିମ କ୍ଷୀର ଉପଲବ୍ଧ କରାଇବା ପାଇଁ କମ୍ପାନିମାନେ ପ୍ରତିଯୋଗିତା ଆରମ୍ଭ କରିଦେଇଛନ୍ତି।
ଏହି ଉପାୟରେ କ୍ଷୀର ଉତ୍ପାଦନ ପରିବେଶ ପାଇଁ ଅପେକ୍ଷାକୃତ ହିତକର କାରଣ ଏହାର ଉତ୍ପାଦନରେ କମ୍ ପ୍ରଦୂଷଣ ସୃଷ୍ଟି ହୋଇଥାଏ ଏବଂ ଏହି ପ୍ରକ୍ରିୟାରେ ପଶୁଙ୍କର ଶୋଷଣ ମଧ୍ୟ ହୋଇ ନ ଥାଏ। ତେଣୁ କୃତ୍ରିମ କ୍ଷୀର ଆଗକୁ କ୍ଷୀର ବଜାର ଉପରେ ଗଭୀର ପ୍ରଭାବ ପକାଇବ ବୋଲି ଅନୁମାନ କରାଯାଉଛି। ଛୋଟମୋଟ ଗୋପାଳକମାନେ ଏହା ଦ୍ବାରା ସର୍ବାଧିକ କ୍ଷତିଗ୍ରସ୍ତ ହେବେ।