ସଂସାର ମୋହ ତ୍ୟାଗ କରି ଜୈନ ସନ୍ନ୍ୟାସିନୀ ହେଲେ କୋଟିପତିଙ୍କ ଝିଅ 

ସୁରଟ: ବାପା ରେଳ ବିଭାଗରେ ଜଣେ ଉଚ୍ଚପଦସ୍ଥ ଅଫିସର। କୋଟି କୋଟି ଟଙ୍କାର ସମ୍ପତ୍ତି। ହେଲେ ଜୈନ ସନ୍ନ୍ୟାସିନୀ ହେବା ପାଇଁ ନିଜ ପରିବାର ଓ ଅର୍ଥପ୍ରାଚୁର୍ଯ୍ୟକୁ ଛାଡିଦେଇଛନ୍ତି କୁନି ଝିଅ ଖୁସି |

ସୁରଟର ୧୨ ବର୍ଷର ଖୁସି ଯେତେବେଳେ ସନ୍ନ୍ୟାସିନୀ ହେବା ପାଇଁ ଘରେ କହିଥିଲେ ସମସ୍ତେ ହତଚକିତ ହୋଇଯାଇଥିଲେ | କିନ୍ତୁ ଅଲିଅଳ ଝିଅର ଜିଦ ଆଗରେ ଶେଷରେ ହାର ମାନିବାକୁ ପଡିଲା | ଆଜି ଆଚାର୍ଯ୍ୟ ଗୁଣରତ୍ନାସୁରୀଙ୍କ ସାନ୍ନିଧ୍ୟରେ ଖୁସି ଶାହା ଦୀକ୍ଷା ନେଇଛନ୍ତି | ମୋହ-ମାୟାର ସଂସାର ଛାଡି ସଂଯମ ମାର୍ଗକୁ ବାଛିଛନ୍ତି ଏହି ଝିଅ |

୭ମ ଶ୍ରେଣୀରେ ୯୬ ପ୍ରତିଶତ ମାର୍କ ପାଇ ଜଣେ ମେଧାବୀ ଛାତ୍ରୀ ଭାବେ ନିଜକୁ ସାବ୍ୟସ୍ତ କରିଥିଲେ ବି ଦୀକ୍ଷା ନେଇ ନିଜକୁ ସନ୍ନ୍ୟାସିନୀ କରିନେଇଛନ୍ତି | ଦାମୀ ଘର, ବିଲାସମୟ କାର, ସ୍ନେହୀ ପରିବାରକୁ ଛାଡି ଖୁସି ଏଣିକି ସାଧ୍ବୀ ଭାବରେ ପରିଚିତ ହେବେ | ଖୁସି କୁହନ୍ତି ଯେ ସ୍କୁଲ ଛୁଟି ପରେ ସେ ସାଧ୍ବୀ ତେଜସ୍ୱି ଓ ସାଧ୍ବୀ ପ୍ରମୋଦରେଖାଙ୍କ ସାନ୍ନିଧ୍ୟରେ ଆସିଥିଲେ | ଏହି ସାଧ୍ବୀମାନେ ଖୁସୀଙ୍କୁ ସଂଯମ ଜୀବନ କାଟିବାକୁ ପରାମର୍ଶ ଦେଇଥିଲେ | ସଂଯମ ଏଭଳି ଏକ ମାର୍ଗ ଯାହାକି ମୋକ୍ଷ ମାର୍ଗରେ ଜଣକୁ ନେଇଯାଇଥାଏ ବୋଲି କହିଥିଲେ | ଏଥିରେ ପ୍ରଭାବିତ ହୋଇ ସେ ନିଜ ବାପାମାଙ୍କୁ ଏହି ପାପମୟ ସଂସାରରେ ନ ରହିବାକୁ କହିଥିଲେ |

ପ୍ରଥମେ ବାପାମା ଏ କଥାରେ ରାଜି ହୋଇ ନ ଥିଲେ | କିନ୍ତୁ ଝିଅର ଜିଦ ଆଗରେ ସେମାନଙ୍କୁ ହାର ମାନିବାକୁ ପଡିଥିଲା | ଖୁସିର ମା ଭାବିନି ଶାହା କୁହନ୍ତି ଯେ ତାଙ୍କ ଘରେ ମୂଳରୁ ଧାର୍ମିକ ପରିବେଶ ସୃଷ୍ଟି ହୋଇଥିଲା | ତାଙ୍କ ବଡଭାଇ, ଭାଉଜ ପୁତୁରା ଦୀକ୍ଷା ନେଇଥିବା ବେଳେ ଖୁସିକୁ ସେମାନେ ତ୍ୟାଗ କରିବାକୁ ଚାଁହୁ ନ ଥିଲେ | ଖୁସି କିଭଳି ଡକ୍ଟରଟିଏ ହୁଅନ୍ତୁ ସେଥିପାଇଁ ବାପା ମା ଚାଁହୁଥିଲେ | କିନ୍ତୁ ସାଧ୍ବୀ ହେବାର ଇଚ୍ଛା ଖୁସୀଙ୍କୁ ପ୍ରଭାବିତ କରିଥିଲା ଆଉ ଖୁସି ସାଧ୍ବୀ ହେବାପାଇଁ ଜିଦ ଧରିଥିଲେ |

ମଙ୍ଗଳବାର ଦିନ ଖୁସୀଙ୍କ ଦୀକ୍ଷାର ପ୍ରଥମ ସୋପାନ କାର୍ଯ୍ୟକ୍ରମ ଭବ୍ୟ ସମାରୋହରେ ଅନୁଷ୍ଠିତ ହୋଇଥିବାବେଳେ ଆଜି ସେ ଦୀକ୍ଷା ନେଇଛନ୍ତି  |

ସମ୍ବନ୍ଧିତ ଖବର