୩୧୬ ବର୍ଷ ପୂର୍ବେ କଲମ୍ବିଆର କାର୍ଟାଗେନା ଉପକୂଳ ଅନ୍ତର୍ଗତ ଆଟ୍‌ଲାଣ୍ଟିକ୍ ମହାସାଗରରେ ବୁଡ଼ି ଯାଇଥିବା ସ୍ପେନୀୟ ଜାହାଜ ‘ସାନ୍ ଜୋସ୍’ର ଧ୍ୱଂସାବଶେଷକୁ ଉଦ୍ଧାର କରିବାକୁ କଲମ୍ବିଆ ସରକାର ସଜବାଜ ହେଉଛନ୍ତି। କୁହାଯାଉଛି, ଏ ଜାହାଜର ଧ୍ୱଂସାବଶେଷ ସହିତ ୧.୬୬ ଲକ୍ଷ କୋଟି ଟଙ୍କାର ଧନସଂପତ୍ତି ରହଛି। ଏଥିରେ ୨୦୦ ଟନ୍ ଓଜନର ସୁନା, ରୁପା, ରତ୍ନ ଓ ଅନ୍ୟାନ୍ୟ ମୂଲ୍ୟବାନ୍‌ ସାମଗ୍ରୀ ଥିବା ସୂଚନା ମିଳିଛି। ସମୁଦ୍ରର ୨ ହଜାର ଫୁଟ୍‌ ଗଭୀରରେ ଥିବା ‘ସାନ୍ ଜୋସ୍’ର ଧ୍ୱଂସାବଶେଷକୁ ରୋବଟ୍‌ ପଠାଇ ଯାଞ୍ଚ କରିବ କଲମ୍ବିଆ ନୌସେନା। ଉକ୍ତ ରୋବଟ୍‌ରେ କ୍ୟାମେରା ଲଗାଯାଇ ତାହାକୁ ସାଟେଲାଇଟ୍‌ ସହିତ ସଂଯୋଗ କରାଯିବ। ଫଳରେ ଜାହାଜ ସଂକ୍ରାନ୍ତରେ ସବିଶେଷ ତଥ୍ୟ ସଂଗ୍ରହ କରାଯାଇ ପାରିବ। ୨୦୨୬ ସୁଦ୍ଧା ‘ସାନ୍ ଜୋସ୍’ ଜାହାଜର ଉଦ୍ଧାର କାର୍ଯ୍ୟ ଶେଷ ହେବ ବୋଲି କଲମ୍ବିଆର ରାଷ୍ଟ୍ରପତି ଗୁସ୍ତାଭୋ ପେଟ୍ରୋ କହିଛନ୍ତି। ତେବେ ଏହି ଜାହାଜର ସଂପତ୍ତିକୁ ନେଇ ଆରମ୍ଭ ହୋଇଯାଇଛି ବିବାଦ। ବର୍ତ୍ତମାନ କଲମ୍ବିଆ ସରକାର ଏହି ଜାହାଜକୁ ନିଜ ସମ୍ପତ୍ତି ବୋଲି ଦାବି କରୁଛନ୍ତି। ଏଥିପାଇଁ ସ୍ପେନ୍‌ ଓ କଲମ୍ବିଆ ମଧ୍ୟରେ ଆନ୍ତର୍ଜାତିକ ସ୍ତରରେ ମାମଲା ଚାଲିଛି। ଏହି ମିସନ୍ ୨୦୨୪ର ଦ୍ୱିତୀୟାର୍ଦ୍ଧ, ଅର୍ଥାତ୍‌ ଜୁନ୍‌-ଜୁଲାଇ ମାସରୁ ଆରମ୍ଭ ହେବ ଏବଂ ଏଥିପାଇଁ ପ୍ରାୟ ୩୭ କୋଟି ଟଙ୍କା ଖର୍ଚ୍ଚ କରିବ କଲମ୍ବିଆ। ତେବେ ରୋବଟ୍ ନିୟୋଜନ କରାଯିବା ସ୍ଥାନର ଅବସ୍ଥିତିକୁ ବର୍ତ୍ତମାନ ପର୍ଯ୍ୟନ୍ତ ଗୁପ୍ତ ରଖାଯାଇଛି। ୨୦୧୫ରେ କଲମ୍ବିଆ ନୌସେନାର ବୁଡ଼ାଳିମାନେ ‘ସାନ୍‌ ଜୋସ୍‌’ର ଧ୍ୱଂସାବଶେଷ ଠାବ କରିଥିଲେ। କଲମ୍ବିଆର ତତ୍କାଳୀନ ରାଷ୍ଟ୍ରପତି ଜୁଆନ୍ ମାନୁଏଲ୍ ସାଣ୍ଟୋସ୍ ଏହି ସଫଳତାକୁ ମାନବ ଇତିହାସର ସବୁଠାରୁ ମୂଲ୍ୟବାନ୍‌ ଆବିଷ୍କାର ବୋଲି କହିଥିଲେ।

Advertisment

ସମୁଦ୍ର ତଳେ ପବିତ୍ର ସମାଧିସ୍ଥଳ
‘ସାନ୍ ଜୋସ୍’ ବୁଡ଼ିଯାଇଥିବା ସ୍ଥାନକୁ ପବିତ୍ର ସମାଧିସ୍ଥଳ ବୋଲି କୁହାଯାଏ। ‘ସାନ୍ ଜୋସ୍’ ଓ ସେଥିରେ ଥିବା ସମ୍ପଦ ଉପରେ ଅଧିକାର ସାବ୍ୟସ୍ତ କରିବାକୁ ସ୍ପେନ୍ ଓ କଲମ୍ବିଆ ଭଳି ବଲିଭିଆବାସୀ ବି ଉଦ୍ୟମ କରୁଛନ୍ତି। ବଲିଭିଆ କହାରା ସମ୍ପ୍ରଦାୟର ଲୋକେ ଦାବି କରିଛନ୍ତି ଯେ, ‘ସାନ୍ ଜୋସ୍’ରେ ଥିବା ଗୁପ୍ତଧନ ଖନନ କରିବାକୁ ଏକଦା ସେମାନଙ୍କ ପୂର୍ବଜଙ୍କୁ ବାଧ୍ୟ କରାଯାଇଥିଲା। ଏହି କାରଣରୁ ସେ ଜାହାଜର ଗୁପ୍ତଧନ ସେମାନଙ୍କର ହେବା ଉଚିତ। ୧୯୮୧ ମସିହାରେ ଉକ୍ତ ଜାହାଜକୁ ଠାବ କରିଥିଲା ବୋଲି ‘ଗ୍ଲୋକା ମୋରା’ ନାମକ ଆମେରିକୀୟ ଉଦ୍ଧାରକାରୀ ସଂସ୍ଥା ମଧ୍ୟ ଦାବି କରିଥିଲା। ପ୍ରକାଶିତ ରିପୋର୍ଟରେ ‘ଗ୍ଲୋକା ମୋରା’ ଦର୍ଶାଇଥିଲା ଯେ ସେମାନେ ‘ସାନ୍ ଜୋସ୍’ ଦୁର୍ଘଟଣା ସ୍ଥାନର ସୂଚନା କଲମ୍ବିଆ ସରକାରଙ୍କୁ ଦେଇଛନ୍ତି। ଜାହାଜରୁ ଉଦ୍ଧାର ହେବାକୁ ଥିବା ଅର୍ଦ୍ଧେକ ସମ୍ପଦ ପାଇବାର ହକଦାର ହେଉଛି ‘ଗ୍ଲୋକା ମୋରା ଫେଡେରେସନ୍‌’।

କେମିତି ବୁଡ଼ିଲା ‘ସାନ୍ ଜୋସ୍’?
ଷୋଡ଼ଶରୁ ଅଷ୍ଟାଦଶ ଶତାବ୍ଦୀରେ ୟୁରୋପ ଏବଂ ଆମେରିକା ମଧ୍ୟରେ ଯାତାୟାତ କରୁଥିବା ‘ସାନ୍ ଜୋସ୍’ ଥିଲା ଗୋଟାଏ ଦ୍ବିତଳ ଏବଂ ତିନୋଟି ମାସ୍ତୁଲ ଥିବା ସଶସ୍ତ୍ର ପଣ୍ୟବାହୀ ଜାହାଜ। ଆମେରିକାରୁ ବିପୁଳ ଧନସମ୍ପଦ ନେଇ ଏହା ସ୍ପେନ୍ ଯାଉଥିଲା। ସ୍ପେନ୍‌ ଏହି ସମ୍ପଦକୁ ବ୍ରିଟେନ୍‌ ବିରୁଦ୍ଧରେ ଚଳାଇଥିବା ଯୁଦ୍ଧରେ ବ୍ୟବହାର କରିବାକୁ ଚାହୁଁଥିଲା। ତେଣୁ ୧୪ଟି ଯାତ୍ରୀବାହୀ ଜାହାଜ ଏବଂ ତିନୋଟି ସ୍ପେନୀୟ ଯୁଦ୍ଧ ଜାହାଜର ନେତୃତ୍ୱ ନେଇ ‘ସାନ୍ ଜୋସ୍’ ପାନାମା ବନ୍ଦରରୁ ଜଳଯାତ୍ରା ଆରମ୍ଭ କରିଥିଲା। ବ୍ରିଟିଶ୍‌ ରୟାଲ୍ ନେଭିର ତତ୍କାଳୀନ କମାଣ୍ଡୋ ଚାର୍ଲ୍ସ ୱେଜର୍ ‘ସାନ୍‌ ଜୋସ୍‌’କୁ ଠାବ କରିଥିଲେ। ଆଟ୍‌ଲାଣ୍ଟିକ୍‌ ମହାସାଗର ଅନ୍ତର୍ଗତ କାର୍ଟାଗେନା ଉପକୂଳଠାରୁ ୧୬ ମାଇଲ ଦୂରରେ ଥିବା ବେଳେ ବ୍ରିଟିଶ ନୌସେନା ଅତର୍କିତ ଆକ୍ରମଣ କରିବାରୁ ‘ସାନ୍‌ ଜୋସ୍‌’ ନଷ୍ଟ ହୋଇ ବୁଡ଼ିଗଲା। ସେ ଦିନ ଥିଲା ୧୭୦୮ ମସିହା ଜୁନ୍ ୮ ତାରିଖ। ସେତେବେଳେ ଏଥିରେ ଯାତ୍ରୀ ଓ କର୍ମଚାରୀ ମିଶି ୬୦୦ ଜଣ ଥିଲେ। ସେମାନଙ୍କ ମଧ୍ୟରୁ କେବଳ ୧୧ ଜଣ ବଞ୍ଚିଥିଲେ ବୋଲି କୁହାଯାଏ। କମାଣ୍ଡୋ ଚାର୍ଲ୍ସ ୱେଜର୍‌ଙ୍କର ଇଚ୍ଛା ଥିଲା, ‘ସାନ୍ ଜୋସ୍’କୁ ଜବତ କରି ସେଥିରେ ଥିବା ସମ୍ପଦ ବ୍ରିଟିଶ୍‌ ଶାସନ ଅକ୍ତିଆରକୁ ଆଣିବେ। କିନ୍ତୁ, ଅକସ୍ମାତ୍‌ ‘ସାନ୍ ଜୋସ୍‌’ରେ ବିସ୍ଫୋରଣ ଘଟିଲା ଓ ଜବତ ହେବା ଆଗରୁ ତାହା ମହାସାଗରରେ ସଲିଳ ସମାଧି ନେଲା। କୁହାଯାଏ, ଜାହାଜରେ ଥିବା ଗୋଳାବାରୁଦ ଯୋଗୁଁ ବିସ୍ଫୋରଣ ଘଟିଥିଲା।