କୋଟି ହୃଦୟର ପ୍ରିୟ କଥାକାର

ମନୋଜ ଥିଲେ ଦିବ୍ୟ ଚେତନାର ପ୍ରବର୍ତ୍ତା
ମନୋଜ ଦାସଙ୍କ ବିୟୋଗ ଏକ ମର୍ମନ୍ତୁଦ ସମ୍ବାଦ। ଓଡ଼ିଆ ସାହିତ୍ୟର ଯେଉଁ କ୍ଷତି ଘଟିଲା ତାହା ଅପୂରଣୀୟ। ସେ କେବଳ ଜଣେ ଲେଖକ ନ ଥିଲେ, ଥିଲେ ଏକ ଦିବ୍ୟ ଚେତନାର ପ୍ରବର୍ତ୍ତା। ତାଙ୍କର ସୃଷ୍ଟି ଓଡ଼ିଆ ସାହିତ୍ୟକୁ ସମୃଦ୍ଧ କରିଛି। ମୋ କଲେଜ ପଢ଼ା ସମୟରୁ ତାଙ୍କ ସହିତ ମୋର ସମ୍ପର୍କ ଗଢ଼ି ଉଠିଥିଲା। ସେ ନ ଥିଲେ ବି ସବୁବେଳେ ରହିବେ। ପରବର୍ତ୍ତୀ ପିଢ଼ିର ଲେଖକମାନଙ୍କର ଆଦର୍ଶ ହୋଇ ରହିବେ। ମୁଁ ଓ ମୋ ସ୍ତ୍ରୀ ତାଙ୍କୁ ଆମର ସମ୍ମାନ ନିବେଦନ କରୁଛୁ।
ରମାକାନ୍ତ ରଥ, ପ୍ରଖ୍ୟାତ କବି

ତାଙ୍କ ଶୈଳୀ ଓ ଭାଷା ସ୍ବତନ୍ତ୍ର
ମନୋଜ ଦାସଙ୍କ ସହିତ ବ୍ୟକ୍ତିଗତ ତଥା ଭାବଗତ ଭାବରେ ମୋର ସଂପର୍କ ଥିଲା। ମୁଁ ତାଙ୍କର ଜଣେ ମୁଗ୍ଧ ପାଠିକା। ତାଙ୍କୁ କଲେଜ ଜୀବନରୁ ମୁଁ ପଢ଼ିଆସିଛି। ସେ ଖୁବ୍ ଉଦାର, ସ୍ନେହୀ ଓ ନମ୍ର ବ୍ୟକ୍ତି ଥିଲେ। ଆମ ଘରକୁ ଆସିଲେ ଆମର ସୁନ୍ଦର ଫଟୋ ଉଠଉଥିଲେ। ମୁଁ ସାହିତ୍ୟ ଅକାଦେମିର ଓଡ଼ିଆ ଉପଦେଷ୍ଟା ମଣ୍ଡଳୀର ଆବାହକ ଥିଲାବେଳେ ତାଙ୍କୁ ଏକାଡେମୀର ଫେଲୋସିପ୍ ପ୍ରଦାନ କରାଯାଇଥିଲା। ସେ ସମୟରେ ଯେଉଁ ଚମତ୍କାର ଭାଷଣ ଦେଇଥିଲେ ତାହା କେବେ ଭୁଲିହେବ ନାହିଁ। ସେତେବେଳେ ସେ କହିଥିଲେ ଯେ ପନ୍ଦର ବର୍ଷ ହେଲାଣି ଲେଖାଲେଖି ନ କରୁଥିବାରୁ ତାଙ୍କୁ କାହିଁକି ଏହା ଦିଆଗଲା? ମୁଁ କହିଥିଲି, ଆପଣ ଯେତିକି ଲେଖିଛନ୍ତି ତାହା ସବୁଦିନ ପାଇଁ ରହିଲା। ଆଉ କିଛି ଲେଖିବା ଦରକାର ନାହିଁ। ତାଙ୍କ ସ୍ଥାନ କେହି ପୂରଣ କରିପାରିବେ ନାହିଁ। ମନୋଜୀୟ ଶୈଳୀ ଓ ଭାଷା ସ୍ବତନ୍ତ୍ର। ଫକୀରମୋହନଙ୍କର ସେ ସାର୍ଥକ ଦାୟାଦ। ମନୋଜ ଦାସ ତାଙ୍କ ଅମର ଅକ୍ଷର ମାଧ୍ୟମରେ ସବୁଦିନ ପାଇଁ ବଞ୍ଚିରହିବେ।
ପ୍ରତିଭା ରାୟ, ବିଶିଷ୍ଟ ଔପନ୍ୟାସିକ

ବ୍ୟକ୍ତିଗତ ଭାବରେ ଏକ ଅବିଶ୍ବସନୀୟ କ୍ଷତି
ମନୋଜ ଦାସଙ୍କ ପରଲୋକ ମୋ ପାଇଁ ବ୍ୟକ୍ତିଗତ ଭାବରେ ଏକ ଅବିଶ୍ବାସନୀୟ କ୍ଷତି। ତାଙ୍କ ସହିତ ଗତ ପଚାଶ ବର୍ଷ ଧରି ମୋର ଗଭୀର ଆତ୍ମୀୟତା ଗଢ଼ି ଉଠିଥିଲା। ସେ କେବଳ ଜଣେ ଆନ୍ତର୍ଜାତିକ ଖ୍ୟାତି ସଂପନ୍ନ ସାହିତ୍ୟିକ ନ ଥିଲେ, ଥିଲେ ମଧ୍ୟ ଆଧ୍ୟାତ୍ମିକ ଚିନ୍ତା ଚେତନାର ଉଜ୍ଜ୍ବଳ ଦୀପଶିଖା। ତାଙ୍କ ପତ୍ନୀଙ୍କ ବିୟୋଗ ପରେ ଭିତରେ ଭିତରେ ସେ ଭାଙ୍ଗିପଡ଼ିଥିଲେ।ଶେଷରେ ଆମକୁ ଛାଡ଼ି ତାଙ୍କ ପାଖକୁ ସେ ଫେରିଗଲେ। ତାଙ୍କ ଅମର ଆତ୍ମା ପ୍ରତି ମୋର ଅଶ୍ରୁଳ ଶ୍ରଦ୍ଧାଞ୍ଜଳି।
ବିଭୂତି ପଟ୍ଟନାୟକ, ବିଶିଷ୍ଟ ଲେଖକ

ଓଡ଼ିଆ ନବଯୁଗର ସବୁଠାରୁ ଚମତ୍କାରୀ ଓ ଦୁର୍ଲଭ ବ୍ୟାଖ୍ୟାକାର
ମନୋଜ ଦାସଙ୍କ ତିରୋଧାନ କେବଳ ଏକ ଅପୂରଣୀୟ କ୍ଷତି ନୁହେଁ, ଏହା ଓଡ଼ିଆ ବାଙ୍ମୟର ଭିତ୍ତିପ୍ରସ୍ତରରେ ଏକ ଚିରନ୍ତନ ଶୋକ ହୋଇ କାଳକାଳକୁ ଉତ୍କୀର୍ଣ୍ଣ ହୋଇ ରହିବ। ଓଡ଼ିଆ ସାହିତ୍ୟ ସ୍ବୀକାର କରେ ଯେ ମନୋଜ ଦାସ ହିଁ ଓଡ଼ିଆ ନବଯୁଗର ସବୁଠାରୁ ଚମତ୍କାରୀ ଓ ଦୁର୍ଲଭ ବ୍ୟାଖ୍ୟାକାର। ତାଙ୍କ କଥକତାରେ ଦିବ୍ୟ ବାଣୀ ସହିତ ଶ୍ଲେଷ, ଉଦାସୀନତା, ବିସ୍ମୟ ଓ ଅଧ୍ୟାତ୍ମ ଏଭଳି ଓତଃପ୍ରୋତ ଭାବରେ ଜଡ଼ିତ ହୋଇଥିଲା ଯେ ମନୋଜ ଦାସ ଠିକ୍ କ’ଣ ତାହା ଗୋଟିଏ ବାକ୍ୟରେ କେହି କରିପାରିବ ନାହିଁ। ଏ ବିଶେଷତ୍ବ ବିଶ୍ବ ସାହିତ୍ୟର ଖୁବ୍ କମ ସାହିତ୍ୟିକଙ୍କ ପାଖରେ ଦେଖାଯାଏ। ସେ ଯେଉଁ ତନ୍ଦ୍ରାଲୋକର ପରିକଳ୍ପନା କରିଯାଇଛନ୍ତି ସେହି ତନ୍ଦ୍ରାଲୋକରର ପ୍ରହରୀ ହୋଇ ସେ ଆମର ସୃଜନ ବିବେକର ରକ୍ଷା କରନ୍ତୁ। ଏହା ହିଁ ତାଙ୍କୁ ପ୍ରାର୍ଥନା।
ହରପ୍ରସାଦ ଦାସ, ବିଶିଷ୍ଟ କବି

ଓଡ଼ିଆ ସାହିତ୍ୟର ଅଗ୍ରଗଣ୍ୟ ଲେଖକ ଥିଲେ
ମନୋଜ ଦାସ ଓଡ଼ିଆ ସାହିତ୍ୟର ଅଗ୍ରଗଣ୍ୟ ଲେଖକ। ସାହିତ୍ୟର ସବୁ ବିଭାଗରେ ତାଙ୍କର ଦଖଲ ଥିଲା। ସେ ଅନେକ କବିତା, ଗଳ୍ପ ଏବଂ ଉପନ୍ୟାସ ଲେଖିଛନ୍ତି। କିଛି ଦିନ ତଳେ ଖବର ପାଇଥିଲୁ ଯେ ତାଙ୍କ ଦେହ ଭଲ ହୋଇଯାଇଛି। କିନ୍ତୁ ହଠାତ୍ ତାଙ୍କର ପରଲୋକର ଖବର ପାଇ ଖୁବ୍ ଦୁଃଖ ଲାଗୁଛି। ତାଙ୍କର ଅମର ଆତ୍ମାର ସଦଗତି ହେଉ।
ବୀଣାପାଣି ମହାନ୍ତି, ବରିଷ୍ଠ ସାହିତ୍ୟିକା

ଓଡ଼ିଆ ଭାବଧାରାକୁ ଅନ୍ତର୍ଜାତୀୟ ସ୍ତରକୁ ନେବାରେ ସେ ଥିଲେ ପ୍ରଥମ
ମନୋଜ ଦାସ ଓଡ଼ିଆ ସାହିତ୍ୟ ଜଗତର ଏକ ଉଜ୍ଜ୍ବଳତମ ତାରକା ଥିଲେ। ସେ ସାହିତ୍ୟ ଜଗତରେ ଯେଉଁଭଳି ପ୍ରସିଦ୍ଧ ଥିଲେ ଆଧ୍ୟାତ୍ମିକ ଜଗତରେ ସେହିଭଳି ପ୍ରସିଦ୍ଧ ଥିଲେ। ସାହିତ୍ୟରେ ପୁରାତନ ଆଧ୍ୟତ୍ମିକ ଧାରାକୁ ପୁଣି ଆଗକୁ ଆଣିବାରେ ସେ ଅଗ୍ରଣୀ ଭୂମିକା ନିର୍ବାହ କରିଛନ୍ତି। ଓଡ଼ିଆ ସାହିତ୍ୟ ତଥା ଓଡ଼ିଆ ଭାବଧାରାକୁ ଅନ୍ତର୍ଜାତୀୟସ୍ତରରେ ନେଇ ପହଞ୍ଚାଇବାରେ ମନୋଜ ଦାସ ହେଉଛନ୍ତି ସର୍ବପ୍ରଥମ ବ୍ୟକ୍ତି। ତାଙ୍କ ସାହିତ୍ୟ‌ରେ ସମସାମୟିକ ଜୀବନର କଥା ଯେମିତି ଥିଲା; ଅତୀତର ଐତିହ୍ୟ ଓ ଜୀବନୀର କଥା ସେହିଭଳି ଥିଲା। ଗଳ୍ପ, ଉପନ୍ୟାସ, ଶିଶୁ ସାହିତ୍ୟ, ପ୍ରବନ୍ଧ ଓ ଫିଚର୍‌ ଆଦି ସବୁ ଦିଗରେ ତାଙ୍କର ଅବଦାନ ନିଶ୍ଚିତ ଚିରଦିନ ପାଇଁ ସ୍ମରଣୀୟ ରହିବ। ଏଭଳି ଜଣେ ବ୍ୟକ୍ତିତ୍ବଙ୍କୁ ହରାଇବା ଓଡ଼ିଶା ପାଇଁ ଅପୂରଣୀୟ କ୍ଷତି।
ଦାଶ ବେନହୁର, ବିଶିଷ୍ଟ ସାହିତ୍ୟିକ

ମୃତ୍ୟୁଞ୍ଜୟୀ ମନୋଜ
ମନୋଜ ଦାସ ଥିଲେ କଥା ସାହିତ୍ୟରୂପୀ କନକ ଉପତ୍ୟକାର ଶେଷ ବସନ୍ତ। ତାଙ୍କ ପରଲୋକ ସହିତ ଭାରତୀୟ ସାହିତ୍ୟ ତାର ପ୍ରିୟତମ ଲେଖକଙ୍କୁ ହରେଇଛି ଯିଏ ଗତ ଛଅ ଦଶନ୍ଧି ଧରି ଏହାକୁ ସମୃଦ୍ଧ କରି ଆସିଥିଲେ। ଜଣେ ଲେଖକ, ଚିନ୍ତକ, ବାଗ୍ମୀ ଏବଂ ଦାର୍ଶନିକ ଭାବେ ମନୋଜ ଦାସ ଯେଉଁ ଉଜ୍ଜ୍ବଳ ସାରସ୍ବତ କୀର୍ତ୍ତିମାନ ରଖି ଯାଇଛନ୍ତି ତାହା କାଳ କାଳକୁ ମନେ ରହିଥିବ। ଏହି ଅବିକଳ୍ପ ବିଷ୍ଣୁଶର୍ମାଙ୍କର ମୃତ୍ୟୁ ନାହିଁ, ମୃତ୍ୟୁଞ୍ଜୟୀ।
ଗୌରହରି ଦାସ, ସମ୍ପାଦକ, କଥା

ଚମତ୍କାର ଲେଖା ପାଇଁ ଚିର ସ୍ମରଣୀୟ
ମନୋଜ ବାବୁ ଅସୁସ୍ଥ ଥିବାର ସମ୍ବାଦ ମୁଁ କିଛି ଦିନ ତଳେ ପାଇଥିଲି। ତା’ ପୂର୍ବରୁ ତାଙ୍କ ସହ ମୁଁ ବରାବର୍‌ କଥାବର୍ତ୍ତା ହେଉଥିଲି। ତାଙ୍କ ଶାଳୀଙ୍କଠାରୁ ଏଇ କିଛି ଦିନ ତଳେ ମୁଁ ତାଙ୍କ ଅସୁସ୍ଥତା ସମ୍ପର୍କରେ ଶୁଣିଥିଲି। ସେ ଅରବିନ୍ଦଙ୍କ ‘ସାବିତ୍ରୀ କାବ୍ୟ’ର ଓଡ଼ିଆ ଅନୁବାଦ କାର୍ଯ୍ୟରେ ବ୍ୟସ୍ତ ରହୁଥିବାରୁ ତାଙ୍କ ସହ ମୁଁ କିଛି ଦିନ ହେଲା କଥା ହୋଇନଥିଲି। କିନ୍ତୁ ତାଙ୍କ ଅସୁସ୍ଥତା କଥା ଶୁଣିବା ପରେ ତାଙ୍କୁ ଫୋନ୍‌ କରିଥିଲି। ତାଙ୍କୁ ପଚାରିବାରୁ ସେ ଅତି ବିନମ୍ର ଭାବେ କହିଥିଲେ ବୟସାଧିକ ଯୋଗୁଁ ଏ ଅସୁସ୍ଥତା। ମନୋଜ ଦାସ ତାଙ୍କର ଅତ୍ୟନ୍ତ ଚମତ୍କାର ତଥା ଅତି ପ୍ରଭାବଶାଳୀ ଗଳ୍ପ ପୁସ୍ତକ, ଉପନ୍ୟାସ ଆଦି ପାଇଁ ବେଶ୍‌ ପ୍ରସିଦ୍ଧ ଓ ଲୋକପ୍ରିୟ। ମୁଁ ବି ତାଙ୍କ ଲେଖାର ମୁଗ୍ଧ ପ୍ରଶଂସକ। ତାଙ୍କର କବିତା ‘ତମ ଗାଁ ମନେ ହେଲା ଅତି ପରିଚିତ, ପ୍ରଥମ ଦେଖାରେ ମୋର…’ ମୋର ଅତି ପ୍ରିୟ କବିତା। ‘ଦିଗନ୍ତ’ ପତ୍ରିକାରେ ମୋର ପ୍ରଥମ କବିତା ସେ ଛପାଇଥିଲେ। ସେ ମୋ ପାଇଁ ଦେବତୁଲ୍ୟ। ଆଜି ମୁଁ ତାଙ୍କୁ ହରାଇ ବସିଛି ବିଶ୍ବାସ ହେଉନାହିଁ। ତାଙ୍କ ଦେହ ଖରାପ ଖବର ଶୁଣିବା ପରଠାରୁ ତାଙ୍କ ଆରୋଗ୍ୟ କାମନା କରୁଥିଲି। ହେଲେ ଭଗବାନ ‌ତାଙ୍କ ନିଜ ପାଖକୁ ନେଇଗଲେ।
ପ୍ରତିଭା ଶତପଥୀ, ବିଶିଷ୍ଟ କବୀ

ତରୁଣଙ୍କ ମାନଦଣ୍ଡ ଚାଲିଗଲା
କେବଳ ଓଡ଼ିଆ ଭାଷାରେ ଲେଖୁଥିବା ଓଡ଼ିଆ ସାହିତ୍ୟିକ ନଥିଲେ ମନୋଜ ଦାସ। ବିଭିନ୍ନ ଭାରତୀୟ ଭାଷାରେ ଲେଖିଥିବା ଭାରତୀୟ ସାହିତ୍ୟର ସେ ଥିଲେ ଜଣେ ଦିଗ୍‌ଗଜ୍‌ ପୁରୁଷ। କେବଳ ଗଳ୍ପ ରଚନା ନୁହେଁ; ସେ ଜଣେ ବିଶିଷ୍ଟ ସମ୍ପାଦକ ଥିଲେ। ଶିଶୁ ସାହିତ୍ୟ ରଚନା ସହିତ ସେ ଆଧ୍ୟାତ୍ମିକ ସାହିତ୍ୟ ମଧ୍ୟ ରଚନା କରୁଥିଲେ। ପଶୁ, ପକ୍ଷୀ, କୀଟପତଙ୍ଗକୁ ନେଇ ଏତେ ଅଧିକ ସାହିତ୍ୟ‌ ବି ଓଡ଼ିଶାରେ କିଏ ରଚନା କରିନାହାନ୍ତି। ତାଙ୍କ ବିୟୋଗରେ ଓଡ଼ିଆ ସାହିତ୍ୟରେ ସତରେ ଏକ ଯୁଗର ଅବସାନ ଘଟିଛି। ଆମେମାନଙ୍କ ପାଇଁ ସେ ଦର୍ପଣ ସଦୃଶ ଥିଲେ। ସେ ଥିଲେ ତରୁଣମାନଙ୍କ ମାନଦଣ୍ଡ। ତାଙ୍କୁ ଦେଖିଲେ ଓଡ଼ିଆ ସାହିତ୍ୟର ପ୍ରଚ୍ୟୁର୍ଯ୍ୟ ଜାଣି ହେଉଥିଲା।
ଅରବିନ୍ଦ ରାୟ, ବିଶିଷ୍ଟ କଥାକାର

ଓଡ଼ିଆ ସାହିତ୍ୟର ପୂର୍ଣ୍ଣିମ ପୁରୁଷ
ମନୋଜ ଦାସ ଥିଲେ ଓଡ଼ିଆ ସାହିତ୍ୟର ପୂର୍ଣ୍ଣିମ ପୁରୁଷ। ଏହା ଏଇଥିପାଇଁ ଯେ ଓଡ଼ିଆ ସାହିତ୍ୟର ପ୍ରାୟ ସବୁ ବିଭାଗରେ ସେ ଲେଖନୀ ଚାଳନା କରିଛନ୍ତି ଏବଂ ସବୁଥିରେ ଯଶସ୍ବୀ ହୋଇଛନ୍ତି। ୧୯୪୯ରୁ ୨୦୨୦- ତାଙ୍କର ଦୀର୍ଘ ପ୍ରାୟ ୭୦ ବର୍ଷରୁ ଊର୍ଦ୍ଧ୍ବ କାଳର ଲେଖନୀ ଚାଳନା ଦ୍ବାରା ଓଡ଼ିଆ ସାହିତ୍ୟ ବହୁ ଭାବରେ ସମୃଦ୍ଧ ହୋଇଛି। ମନୋଜ ଦାସଙ୍କ କଥା ମନେ ପଡ଼ିଲେ ମୋର ମନେ ପଡ଼ନ୍ତି ମହାଭାରତର ଅର୍ଜୁନ। ବାମ ଓ ଡାହାଣ ଦୁଇ ହାତରେ ସେ ତୀର ଚାଳନା କରିପାରୁଥିଲେ। ସେହିପରି ଉଭୟ ଓଡ଼ିଆ ଓ ଇଂରାଜୀ ଦୁଇ ଭାଷାରେ ଲେଖନୀ ଚାଳନା କରି ମନୋଜ ଦାସ ନିଜ ଲେଖନୀର ସବ୍ୟସାଚୀତ୍ବ ସାବ୍ୟସ୍ତ କରିଛନ୍ତି। ଶ୍ରୀଅରବିନ୍ଦଙ୍କ ଜୀବନୀ ଓ ‘ସାବିତ୍ରୀ’ କାବ୍ୟର ଅନୁବାଦ, ସାହିତ୍ୟକୁ ତାଙ୍କର ଶେଷ ଅବଦାନ। ଚୈତ୍ର ପୂର୍ଣ୍ଣିମାରେ ବସନ୍ତ ଋତୁର ଶେଷ। ଏଣୁ ଏ ପୂର୍ଣ୍ଣିମା ତିଥିରେ ତାଙ୍କର ବିଦାୟ ଓଡ଼ିଶାବାସୀଙ୍କୁ ଶେଷ ବସନ୍ତର ଶେଷ ଅଶ୍ରୁଳ ଚିଠି।
ଅସିତ ମହାନ୍ତି, ବିଶିଷ୍ଟ ସାହିତ୍ୟିକ

ଆଧୁନିକ ଓଡ଼ିଆ ସାହିତ୍ୟର ସନ୍ଥ
ତାଙ୍କ ସହ ‌ଶେଷ ଦେଖା ହୋଇଥିଲା ୨୦୧୯ ମାର୍ଚ୍ଚ ୫ ତାରିଖ ରେଭେନ୍ସା ବିଶ୍ବବିଦ୍ୟାଳୟରେ। ସେ ‘ସମ୍ବାଦ-ସାହିତ୍ୟ ଘର’ର ଷଷ୍ଠ ରାଜ୍ୟସ୍ତରୀୟ ସାରସ୍ବତ ସମାବେଶରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଦୀର୍ଘ ଦୁଇ ଦଶନ୍ଧିରୁ ଅଧିକ ସମୟ ସେ ମୋତେ ବ୍ୟକ୍ତିଗତ ଭାବେ ଜାଣିଥିଲେ। ତା’ର ଢେର ପୂର୍ବରୁ ମୁଁ ତାଙ୍କର ଜଣେ ମୁଗ୍ଧ ପାଠିକା। ଆଜି ଏହି ଦାରୁଣ ଦୁଃସମ୍ବାଦ ଶୁଣିଲା ପରେ ଭାବି ପାରୁନି କ’ଣ କହିବି। କ’ଣ କହିଲେ ତାଙ୍କୁ ମୋର ଶ୍ରଦ୍ଧାଞ୍ଜଳି ଠିକ୍‌ ଭାବେ ଜଣାଇପାରିବି। ଆଧୁନିକ ଓଡ଼ିଆ ସାହିତ୍ୟର ସନ୍ଥ କହିଲେ ସଭିଏଁ ତାଙ୍କୁ ବୁଝନ୍ତି। ଆଧୁନିକ ଓଡ଼ିଆ ଗଦ୍ୟ ସାହିତ୍ୟର ବିଷ୍ଣୁଶର୍ମା ସିଏ। ଭାଷା, ଶୈଳୀ, ବର୍ଣ୍ଣନା, ପାଣ୍ଡିତ୍ୟ, କାରୁଣ୍ୟ, ଅସହାୟତା ସବୁ ପାଠକଙ୍କ ଅନ୍ତଃସ୍ତରକୁ ଚଟ୍‌କିନା ଛୁଇଁଯାଏ। ଆଉ ସେ ଆଚ୍ଛନ୍ନ କରି ରଖିପାରନ୍ତି ପାଠକର ଚେତନାକୁ। ତାଙ୍କ ଲୋକପ୍ରିୟତା, ପାଠକୀୟତା ଅନ୍ତର୍ଜାତୀୟ ସ୍ବୀକୃତି ଓ ପୁରସ୍କାର ଢେର ଊର୍ଦ୍ଧ୍ବରେ। ମୋର ସୌଭାଗ୍ୟ ବ୍ୟକ୍ତିଗତ ଭାବେ ତାଙ୍କର ସ୍ନେହ ପାଇଛି। ଆହାଃ… ଆସନ୍ତା ଥର ଫୋନ୍‌ କଲା ବେଳକୁ ସେ ଆଉ ପଚାରିବେନି କେମିତି ଅଛନ୍ତି ଶୁଭଶ୍ରୀ ଦେବୀ। ଯଦିଓ ଏହି ଦେବୀ ଶଦ୍ଦଟି ନ କହିବାକୁ ତାଙ୍କୁ ପ୍ରତିଥର ଅନୁରୋଧ କରିଥିବି। କିନ୍ତୁ ପରଥର କଥା ହେଲାବେଳକୁ ସେ ତାହାହିଁ କହନ୍ତି। ବର୍ଷେ ହେବ ତାଙ୍କ ସହ କଥା ହୋଇନଥିଲି। ଏ ଦୁଃଖ ବି ରହିବ ସାରାଜୀବନ।
ଡ. ଶୁଭଶ୍ରୀ ଲେଙ୍କା, ରାଜ୍ୟ ସଂଯୋଜିକା, ସମ୍ବାଦ ସାହିତ୍ୟ ଘର

ଦେଶ ଓ ଜାତି ପାଇଁ ଅପୂରଣୀୟ କ୍ଷତି
ସାହିତ୍ୟିକ ତଥା କେନ୍ଦ୍ର ସାହିତ୍ୟ ଅକାଦେମିର ଫେଲୋ ମନୋଜ ଦାସଙ୍କ ତିରୋଧାନ ଦେଶ ଓ ଜାତି ପାଇଁ ଏକ ଅପୂରଣୀୟ କ୍ଷତି। ଦୀର୍ଘ ଅର୍ଦ୍ଧ ଶତାବ୍ଦୀରୁ ଊର୍ଦ୍ଧ୍ବ କାଳଧରି ଭାରତୀୟ ସାହିତ୍ୟର ସମୃଦ୍ଧି ପାଇଁ ସେ ଯେଉଁ ଅନନ୍ୟ ଅବଦାନ ଦେଇଯାଇଛନ୍ତି ତାହା ଜାତୀୟ ଇତିହାସରେ ନୂତନ ଅଧ୍ୟାୟ ଉନ୍ମୋଚନ କରିଛି ବୋଲି କେନ୍ଦ୍ର ସାହିତ୍ୟ ଅକାଦେମି ଓଡ଼ିଆ ଉପଦେଷ୍ଟା ମଣ୍ଡଳୀର ଆବାହକ ଡକ୍ଟର ବିଜୟାନନ୍ଦ ସିଂହ କହିଛନ୍ତି।
ବିଜୟାନନ୍ଦ ସିଂହ, କେନ୍ଦ୍ରସାହିତ୍ୟ ଅକା‌େଦମି, ଆବାହକ ଓଡ଼ିଶା

ସମ୍ବନ୍ଧିତ ଖବର