ଯେଉଁ ପିଲାମାନେ ବହି ଖୋଲିବା ପୂର୍ବରୁ ମାତ୍ର ପାଞ୍ଚ ମିନିଟ୍ ପାଇଁ ‘ମାଇଣ୍ଡ୍ଫୁଲ୍ନେସ୍’ ନାମକ ଧ୍ୟାନ କରନ୍ତି, ସେମାନଙ୍କ ଅଧ୍ୟୟନ ଦକ୍ଷତା ବଢ଼ିଥାଏ ବୋଲି ଏକ ଗବେଷଣାରୁ ଜଣାଯାଇଛି। ଆମେରିକାର କର୍ଣ୍ଣେଲ ବିଶ୍ବବିଦ୍ୟାଳୟ ଓ ସିରାକ୍ୟୁଜ୍ ବିଶ୍ବବିଦ୍ୟାଳୟର ଗବେଷକମାନଙ୍କ ଦ୍ବାରା କରାଯାଇଥିବା ଏକ ଅଧ୍ୟୟନରୁ ଏଭଳି ନିର୍ଯାସ ମିଳିଛି। କିଶୋରମାନଙ୍କ ମସ୍ତିଷ୍କ ଓ ଶିକ୍ଷାଗତ ସାମର୍ଥ୍ୟ ମଧ୍ୟରେ ସିଧାସଳଖ ସମ୍ପର୍କକୁ ପରଖିବା ଦିଗରେ ଏହି ଗବେଷଣା ପ୍ରଥମ ବୋଲି କୁହାଯାଉଛି। ଗବେଷକମାନେ ଏଥିରେ ୧୨ରୁ ୧୩ ବର୍ଷ ବୟସର ୫୬ ଜଣ ଛାତ୍ରଛାତ୍ରୀଙ୍କୁ ସାମିଲ କରିଥିଲେ। ସେମାନଙ୍କ ଭିତରୁ କେତେକଙ୍କୁ ‘ମାଇଣ୍ଡଫୁଲ୍ନେସ୍’ ଅଭ୍ୟାସ କରିବାକୁ କୁହାଯାଇଥିଲା।
‘ମାଇଣ୍ଡଫୁଲ୍ନେସ୍’ ଏଭଳି ଏକ ଧ୍ୟାନ ଶୈଳୀ ଯେଉଁଥିରେ ନିଜର ନିଃଶ୍ବାସପ୍ରଶ୍ବାସ ଉପରେ ଧ୍ୟାନ ଦେବା, ସକାରାତ୍ମକ କଥା ଚିନ୍ତା କରିବାର ପ୍ରକ୍ରିୟା ଅନ୍ତର୍ଭୁକ୍ତ। କେବଳ ବର୍ତ୍ତମାନ ସମୟ ଓ ଆଖପାଖର ଜିନିଷ ଉପରେ ଧ୍ୟାନ କେନ୍ଦ୍ରିତ କରିବା ମାଇଣ୍ଡ୍ଫୁଲ୍ନେସ୍ର ମୂଳ ମନ୍ତ୍ର। ବର୍ଷବ୍ୟାପୀ ଅଧ୍ୟୟନ ଶେଷରେ ଦେଖାଯାଇଥିଲା, ମାଇଣ୍ଡ୍ଫୁଲ୍ନେସ୍ ଅଭ୍ୟାସ କରିଥିବା ଛାତ୍ରଛାତ୍ରୀ ଅନ୍ୟମାନଙ୍କ ତୁଳନାରେ ହାରାହାରି ୪.୪୧ଟି ଅଧିକ ଶବ୍ଦ ନିର୍ଭୁଲ୍ ଭାବରେ ପଢ଼ିପାରୁଥିଲେ। ଏହି ଅଧ୍ୟୟନରେ ସମ୍ପୃକ୍ତ ବିଦ୍ୟାର୍ଥୀମାନଙ୍କ ମଧ୍ୟରେ ୭୦ ପ୍ରତିଶତ କୃଷ୍ଣକାୟ ଥିଲେ ଏବଂ ୮୮ ପ୍ରତିଶତ ଛାତ୍ରଛାତ୍ରୀ ଦାରିଦ୍ର୍ୟ ସୀମାରେଖା ତଳେ ରହିଥିଲେ। ତେଣୁ ପଛରେ ରହିଯାଉଥିବା ଦରିଦ୍ର ପିଲାମାନଙ୍କ ଶିକ୍ଷାରେ ଉନ୍ନତି ପାଇଁ ଏହା ଏକ ସରଳ ଓ ଖର୍ଚ୍ଚମୁକ୍ତ ଉପାୟ ହୋଇପାରିବ ବୋଲି ଗବେଷକମାନେ ଆଶା ବ୍ୟକ୍ତ କରିଛନ୍ତି।