ଭାରତର ପ୍ରସିଦ୍ଧ ସଂଗୀତଭିତ୍ତିକ ରିଆଲିଟି ସୋ’ ‘ଇଣ୍ଡିଆନ୍ ଆଇଡଲ୍’ର ଉପସ୍ଥାପିକା ଭାବେ ଭାରତର ଘରେ ଘରେ ପରିଚିତି ଅର୍ଜନ କରିଥିବା ମିନି ମାଥୁର ନିକଟରେ ଏଭଳି ଏକ ଦୁଃଖଦାୟକ କଥା ପ୍ରକାଶ କରିଛନ୍ତି ଯାହା ଭାରତୀୟ ନାରୀମାନେ କାର୍ଯ୍ୟସ୍ଥଳରେ ସମ୍ମୁଖୀନ ହେଉଥିବା ପାତରଅନ୍ତରକୁ ପଦାରେ ପକାଇଛି। ‘ଇଣ୍ଡିଆନ୍ ଆଇଡଲ୍’ କାର୍ଯ୍ୟକ୍ରମରୁ ବାହାରିବା ତାଙ୍କ ନିଷ୍ପତ୍ତି ନଥିଲା ବରଂ ତାଙ୍କ ଗର୍ଭାବସ୍ଥାରେ ତାଙ୍କୁ କାମରୁ ବାହାର କରିଦିଆଯାଇଥିଲା ବୋଲି ମିନି ଏକ ପଡକାଷ୍ଟରେ କହିଛନ୍ତି। ତାଙ୍କ କହିବା ଅନୁସାରେ ‘ଇଣ୍ଡିଆନ୍ ଆଇଡଲ୍’ର ଚତୁର୍ଥ ସିଜନ୍ରେ ସେ ଗର୍ଭବତୀ ହୋଇଥିଲେ। ଏହି ସମୟରେ କାର୍ଯ୍ୟକ୍ରମର ନିର୍ମାତା ତାଙ୍କୁ କହିଥିଲେ ଯେ ଭାରତୀୟ ଦର୍ଶକମାନେ ଜଣେ ଗର୍ଭବତୀ ଉପସ୍ଥାପିକାଙ୍କୁ ଦେଖିବାକୁ ପ୍ରସ୍ତୁତ ନୁହନ୍ତି।
ସେ ସମୟରେ ସେ ‘ଇଣ୍ଡିଆନ୍ ଆଇଡଲ୍’ର ଉପସ୍ଥାପିକା ଭାବେ ଅତ୍ୟନ୍ତ ଲୋକପ୍ରିୟ ଥିଲେ, ତେଣୁ ତାଙ୍କୁ ଏହି କଥା ଆଘାତ ଦେଇଥିଲେ। ଅନ୍ତର୍ଜାତୀୟ ସ୍ତରରେ କିପରି ଗର୍ଭବତୀ ମହିଳମାନେ ‘ପ୍ରୋଜେକ୍ଟ ରନ୍ୱେ’ ପରି ଟିଭି କାର୍ଯ୍ୟକ୍ରମରେ ଉପସ୍ଥାପିକା ଭାବେ କାମ କରିଛନ୍ତି ତାହାର ଉଦାହରଣ ଦେଇ ସେ ଭାରତରେ ମଧ୍ୟ ତାହା ହେବା ଉଚିତ ବୋଲି କହିଥିଲେ। କିନ୍ତୁ ତାଙ୍କ ସ୍ଥାନରେ ଆଉ ଜଣେ ଉପସ୍ଥାପିକାଙ୍କୁ ନିଆଯାଇଥିଲା। ଏହା ପରେ ସେ ସାମୟିକ ଭାବେ ଇଣ୍ଡିଆନ୍ ଆଇଡଲ୍ର ଷଷ୍ଠ ସିଜନ୍ର ଉପସ୍ଥାପିକା ଭାବେ କାମ କରିଥିଲେ, ଯାହା ଉକ୍ତ କାର୍ଯ୍ୟକ୍ରମରେ ତାଙ୍କର ଶେଷ ସିଜନ୍ ଥିଲା। କାର୍ଯ୍ୟକ୍ରମଟି ବାସ୍ତବଧର୍ମୀ ହେବା ପରିବର୍ତ୍ତେ ସେଥିରେ ଅଧିକରୁ ଅଧିକ ଆବେଗପୂର୍ଣ୍ଣ ଅଭିନୟ ଯୋଡ଼ାଯିବାକୁ ନେଇ ଅସହମତି ଯୋଗୁଁ ସେ ଶେଷରେ କାର୍ଯ୍ୟକ୍ରମ ଛାଡ଼ିଦେଇଥିଲେ ବୋଲି ମିନି କହିଛନ୍ତି।