ଚଳିତବର୍ଷ ଥିଲା ନିର୍ବାଚନର ବର୍ଷ। ସବୁ ବର୍ଗକୁ ଖୁସି କରିବାକୁ ଚାହୁଁଥିବା ତତ୍କାଳୀନ ରାଜ୍ୟ ସରକାର ସ୍ବାସ୍ଥ୍ୟ ବିଭାଗକୁ ମଧ୍ୟ ବେଶ୍ ଗୁରୁତ୍ବ ଦେଇଥିଲେ। ଡାକ୍ତର, ସ୍ବାସ୍ଥ୍ୟକର୍ମୀଙ୍କ ବହୁଦିନର ଦାବିକୁ ପୂରଣ କରିବା ଲାଗି ଯଥାସମ୍ଭବ ଚେଷ୍ଟା କରିଥିଲେ। କ୍ୟାଡର ପରିବର୍ତ୍ତନଠାରୁ ଆରମ୍ଭ କରି ଡାକ୍ତରୀ ଛାତ୍ରଛାତ୍ରୀଙ୍କ ଭତ୍ତାରେ ବୃଦ୍ଧି, ନୂଆ ହସ୍ପିଟାଲ ଖୋଲିବା, ଆମ୍ବୁଲାନ୍‌ସ ଚାଳକଙ୍କ ସମେତ ସ୍ବାସ୍ଥ୍ୟ କ୍ଷେତ୍ରରେ କାର୍ଯ୍ୟରତ କର୍ମଚାରୀଙ୍କୁ ଖୁସି କରିଥିଲେ ତତ୍କାଳୀନ ସରକାର। ଡାକ୍ତରଙ୍କ ଉପରୁ ଚାପ ହଟାଇବା ଲାଗି ସେମା‌ନଙ୍କୁ ଅନ୍ୟତ୍ର ବୁଲାଇନେବା ଲାଗି ମଧ୍ୟ ବ୍ୟବସ୍ଥା କରିଥିଲେ। ହେଲେ ନିର୍ବାଚନ ପରେ ସରକାର ବଦଳିଯିବା ପରେ ପୂର୍ବ ସରକାରର ଅନେକ ଯୋଜନାକୁ ନେଇ ଦ୍ବନ୍ଦ୍ବ ସୃଷ୍ଟି ହୋଇଥିଲା। ରାଜ୍ୟରେ ଚାଲୁଥିବା ସ୍ବାସ୍ଥ୍ୟ ବୀମା ଯୋଜନାକୁ ନେଇ ଛକାପଞ୍ଝା ଚାଲିବା ପରେ ଏହାର ସମାଧାନ ହୋଇଥିଲା। ନୂଆ ସରକାର ଦାୟିତ୍ବ ଗ୍ରହଣ କରିବା ପରେ ରାଜ୍ୟରେ ଡିପ୍‌ଥେରିଆ ସଂକ୍ରମଣ ଚିନ୍ତା ବଢ଼ାଇଥିଲା। କେଉଁଠାରୁ ଡିପ୍‌ଥେରିଆ ବ୍ୟାପିଲା ଏହାକୁ ନେଇ ସ୍ବାସ୍ଥ୍ୟ ବିଭାଗ ଓ ସରକାର ବାଉଳାଚାଉଳା ହୋଇଥିଲେ। ଏହାସହ ବାର୍ଡ ଫ୍ଲୁକୁ ନେଇ ମଧ୍ୟ କିଛି ମାସ ଲୋକଙ୍କ ଭିତରେ ଭୟ ସୃଷ୍ଟି ହୋଇଥିଲା। ବାର୍ଡଫ୍ଲୁର ନିୟନ୍ତ୍ରଣ, ରୋଡ୍‌ମ୍ୟାପ ପ୍ରସ୍ତୁତ କରିବା ପାଇଁ ସ୍ବାସ୍ଥ୍ୟ ବିଭାଗର ଅଧିକାରୀଙ୍କୁ ବେଶ୍‌ ନାକେଦମ ହେବାକୁ ପଡ଼ିଥିଲା..

Advertisment

କଲବଲ କଲା ଡେଙ୍ଗୁ, ମ୍ୟାଲେରିଆ ଓ ଡିପଥେରିଆଚଳିତବର୍ଷ ରାଜ୍ୟରେ ଡେଙ୍ଗୁ ଓ ମ୍ୟାଲେରିଆ ରାଜ୍ୟବାସୀଙ୍କୁ କଲବଲ କରିଛି। ଭୁବନେଶ୍ବର, ରାଉରକେଲା ସମେତ ସହରାଞ୍ଚଳରେ ଡେଙ୍ଗୁ ସଂକ୍ରମଣ ବର୍ଷ ଶେଷ ପର୍ଯ୍ୟନ୍ତ ଜାରି ରହିଥିଲା। ଚଳିତବର୍ଷ ପ୍ରାୟ ୧୦ହଜାର ଡେଙ୍ଗୁରୋଗୀ ଚିହ୍ନଟ ହୋଇଛନ୍ତି। ସେହିପରି ମ୍ୟାଲେରିଆ ଓଡ଼ିଶାରେ ରେକର୍ଡ ପରେ ରେକର୍ଡ କରିଚାଲିଛି। ମ୍ୟାଲେରିଆ ସଂକ୍ରମଣରେ ଶୀର୍ଷରେ ରହି ଓଡ଼ିଶା ଦେଶରେ ଅଲୋଡ଼ା ରେକର୍ଡ କରିଛି। ମ୍ୟାଲେରିଆକୁ ନିୟନ୍ତ୍ରଣ କରିବାରେ ରାଜ୍ୟ ସରକାର ସଂପୂର୍ଣ୍ଣ ବିଫଳ ହୋଇଛନ୍ତି। ଅପରପକ୍ଷରେ ରାଜ୍ୟରେ ବହୁ ବର୍ଷର ବ୍ୟବଧାନ ପରେ ଶିଶୁଙ୍କଠାରେ ଡିପ୍‌ଥେରିଆ ସଂକ୍ରମଣ ଦେଖିବାକୁ ମିଳିଥିଲା। ରାୟଗଡ଼ା, କୋରାପୁଟ ଓ କଳାହାଣ୍ଡି ଜିଲ୍ଲାରୁ ରୋଗୀଙ୍କୁ ଚିହ୍ନଟ କରାଯାଇଥିଲା। ତେବେ ରାଜ୍ୟରେ ଡିପ୍‌ଥେରିଆ ରୋଗ କିଭଳି ବ୍ୟାପିଲା ତାହା ସ୍ବାସ୍ଥ୍ୟ ବିଭାଗର ଚିନ୍ତା ବଢ଼ାଇଥିଲା। ଡିପ୍‌ଥେରିଆ ବ୍ୟାପିବା ପଛର ନିର୍ଦ୍ଦିଷ୍ଟ କାରଣ ଖୋଜି ପାଇ ନ ଥିଲା ସ୍ବାସ୍ଥ୍ୟ ବିଭାଗ। ତେବେ ଅପପୁଷ୍ଟିକୁ ଏଥିପାଇଁ ସନ୍ଦେହ କରାଯାଇଥିଲା। ରାଜ୍ୟରେ ଅନ୍ୟ ଜିଲ୍ଲାଗୁଡ଼ିକରେ ଯେପରି ଡିପ୍‌ଥେରିଆ ନ ବ୍ୟାପିବ ସେଥିପାଇଁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଡିପ୍‌ଥେରିଆ ବୁଷ୍ଟର ଡୋଜ୍ ଟିକାକରଣ ଆରମ୍ଭ ହୋଇଥିଲା। 
ସରକାରୀ ଡାକ୍ତରଖାନାରେ ଘରୋଇ ଔଷଧ ଷ୍ଟୋରକୁ ନା
ରାଜ୍ୟର ସରକାରୀ ଡାକ୍ତରଖାନା ପରିସରରେ ଖୋଲିଥିବା ଘରୋଇ ଔଷଧ ଷ୍ଟୋରକୁ ନେଇ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି ସ୍ବାସ୍ଥ୍ୟ ବିଭାଗ। ଯେଉଁ ଷ୍ଟୋରଗୁଡ଼ିକ ଏବେ କାର୍ଯ୍ୟକ୍ଷମ ଅଛନ୍ତି ସେମାନଙ୍କ ଲିଜ୍ ଅବଧି ଆଉ ନ ବଢ଼ାଇବା ସହ ନୂଆ ଷ୍ଟୋର ଯେପରି ନ ଖୋଲିବ ସେଥିପାଇଁ ସରକାର ଗୁରୁତ୍ବ ଦେଇଛନ୍ତି। ସରକାରୀ ହସ୍ପିଟାଲ ପରିସରରେ ଔଷଧ ଷ୍ଟୋର ଖୋଲିଥିବା କିଛି ବ୍ୟବସାୟୀ ଏହା ବିରୋଧରେ ହାଇକୋର୍ଟରୁ ରହିତାଦେଶ ଆଣି ବ୍ୟବସାୟ କରୁଛନ୍ତି। ମାତ୍ର ଅନେକ ଦୋକାନୀଙ୍କ ପାଖରେ ହାଇକୋର୍ଟଙ୍କ ରହିତାଦେଶ ନ ଥିଲେ ବି ସେମାନେ ବ୍ୟବସାୟ ଜାରି ରଖିଛନ୍ତି। ବିଭାଗ ସେମାନଙ୍କ ଏକ ତାଲିକା ପ୍ରସ୍ତୁତ କରିଛି। ବେଆଇନ ଭାବେ ଔଷଧ ବିକ୍ରି କରୁଥିବା ଦୋକାନୀଙ୍କ ଚୁକ୍ତିକୁ ତୁରନ୍ତ ବାତିଲ୍‌ କରିବା ସହ ଔଷଧ ଦୋକାନକୁ ଉଚ୍ଛେଦ କରିବା ଲାଗି ପଦକ୍ଷେପ ନେବାକୁ କୁହାଯାଇଛି।
ରାଜ୍ୟରେ ପ୍ରଥମ କାଡାଭରିକ୍‌ ଯକୃତ୍‌ ପ୍ରତିରୋପଣ
ଉତ୍କଳ ହସ୍ପିଟାଲ ଓ ଏଆଇଜି ହସ୍ପିଟାଲ ହାଇଦ୍ରାବାଦର ମିଳିତ ଉଦ୍ୟମରେ ଓଡ଼ିଶାରେ ପ୍ରଥମଥର ଲାଗି କାଡାଭରିକ୍‌ ଯକୃତ୍‌ ପ୍ରତିରୋପଣ କରାଯାଇଛି। ରାମ ନବମୀରେ ସୋନପୁରର ଶରତ ପ୍ରଧାନଙ୍କ ଶରୀରରେ ଜଣେ ମହିଳାଙ୍କ ଯକୃତ୍‌ ପ୍ରତିରୋପଣ ସଫଳ ହୋଇଛି। ଏହି ଅସ୍ତ୍ରୋପଚାର ସଫଳ ହେବା ପରେ ଆଗାମୀ ଦିନରେ ଓଡ଼ିଶାର ରୋଗୀମାନଙ୍କୁ ବାହାର ରାଜ୍ୟକୁ ଯିବାକୁ ପଡ଼ିବ ନାହିଁ ବୋଲି ହସ୍ପିଟାଲ ପକ୍ଷରୁ ଦାବି କରାଯାଇଛି। ଉତ୍କଳ ହସ୍ପିଟାଲରେ ୧୫-୨୦ ଲକ୍ଷ ଟଙ୍କାରେ ଯକୃତ୍‌ ପ୍ରତିରୋପଣ କରାଯିବ। ହସ୍ପିଟାଲର ୧୮-୨୦ ଜଣ ସ୍ବାସ୍ଥ୍ୟକର୍ମୀଙ୍କୁ ପ୍ରତିରୋପଣ ସଂପର୍କରେ ତାଲିମ୍ ନେବେ। ଏହାସହ ଆଗକୁ ଅସ୍ଥିମଜ୍ଜା ପ୍ରତିରୋପଣ ଓ ହୃତ୍‌ପିଣ୍ଡ ପ୍ରତିରୋପଣ କରାଯିବାକୁ ହସ୍ପିଟାଲ ଲକ୍ଷ୍ୟ ରଖିଛି। ଏହି ଦୁଇ ଅସ୍ତ୍ରୋପଚାର ୨୦-୨୫ଲକ୍ଷ ଟଙ୍କା ଭିତରେ ସୀମିତ ରଖିବା ଲାଗି ଉଦ୍ୟମ କରାଯାଉଥିବା ହସ୍ପିଟାଲ ପକ୍ଷରୁ ସୂଚନା ଦିଆଯାଇଛି। 

ଡାକ୍ତରୀ ଛାତ୍ରଛାତ୍ରୀଙ୍କ ଷ୍ଟାଇପେଣ୍ଡ ବଢ଼ିଲା
ରାଜ୍ୟର ନର୍ସିଂ, ଫାର୍ମାସି ଓ ଆଲାଏଡ୍ ମେଡିକାଲ ଛାତ୍ରଛାତ୍ରୀଙ୍କ ମାସିକ ଷ୍ଟାଇପେଣ୍ଡ୍‌ ରାଶିକୁ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। ଏବେ ଡି.ଫାର୍ମା ୫୦୦,  ଏଏନ୍‌ଏମ୍‌ ୨ହଜାର, ବିଏସ୍‌ସି(ଏନ୍‌)ଇଣ୍ଟର୍ଣ୍ଣସିପ୍‌ ୫ହଜାର,  କ୍ଲିନିକାଲ ସାଇକୋଲୋଜି(ଏମ୍‌ଫିଲ) ୧୦ହଜାର,  ସାଇକାଟ୍ରିକ୍ ସୋସିଆଲ ୱାର୍କ(ଏମ୍‌ଫିଲ୍‌) ୧୦ହଜାର ଟଙ୍କା ପାଇବେ। ପୂର୍ବରୁ ଏସବୁ ପାଠ୍ୟକ୍ରମରେ ଫାର୍ମା ପାଇଁ ୨୫୦ ଟଙ୍କା, ଏଏନ୍‌ଏମ୍‌ ୧ହଜାର, ବିଏସ୍‌ସି(ଏନ୍‌)ଇଣ୍ଟର୍ଣ୍ଣସିପ୍‌ ୨୫୦୦, କ୍ଲିନିକାଲ ସାଇକୋଲୋଜି(ଏମ୍‌ଫିଲ) ୭ହଜାର ଓ ସାଇକାଟ୍ରିକ୍ ସୋସିଆଲ ୱାର୍କ(ଏମ୍‌ଫିଲ୍‌) ୭ହଜାର ଟଙ୍କା ଦିଆଯାଉଥିଲା। 
ଡାକ୍ତରୀ ଶିକ୍ଷକଙ୍କୁ ଦୁଇଟି ସୁନିଶ୍ଚିତ ପଦୋନ୍ନତି
ରାଜ୍ୟ ମେଡିକାଲ ଶିକ୍ଷା ସେବା(ଓଏମ୍‌ଇଏସ୍‌)ରେ ଡିଏସିପି(ଡାଏନାମିକ ଆସ୍ୟୁର୍ଡ କ୍ୟାରିୟର ପ୍ରୋଗ୍ରେସନ) ଯୋଜନା ଲାଗୁ ହୋଇଛି। ରାଜ୍ୟର ‌ସରକାରୀ ମେଡିକାଲ ଓ ଡେଣ୍ଟାଲ କଲେଜରେ କାର୍ଯ୍ୟରତ ଡାକ୍ତରୀ ଶିକ୍ଷକଙ୍କୁ ଏବେ ଦୁଇଟି ସୁନିଶ୍ଚିତ ପଦୋନ୍ନତି ମିଳିବ। ନିଯୁକ୍ତିର ୬ବର୍ଷ ଓ ୧୨ବର୍ଷ ପରେ ଏହି ପଦୋନ୍ନତି ଦିଆଯିବ। ଓଏମ୍‌ଇଏସ୍‌ କ୍ୟାଡରରେ କାର୍ଯ୍ୟରତ ଡାକ୍ତରଙ୍କ ଅନେକ ସମୟରେ ବିଭିନ୍ନ କାରଣ ପାଇଁ ପଦୋନ୍ନତି ବିଳମ୍ବ ହୋଇଥାଏ। ଏହି ବିଳମ୍ବିତ ପଦୋନ୍ନତିକୁ ଦୂର କରିବା ପାଇଁ ରାଜ୍ୟ ସରକାର ଡିଏସିପି ଲାଗୁ କରିଛନ୍ତି। ଏଥିପାଇଁ ଏକ ସ୍କ୍ରିନିଂ କମିଟି ଗଠନ କରାଯିବା ସହ ଯୋଗ୍ୟ ବିବେଚିତ ଶିକ୍ଷକଙ୍କୁ ଏଥିରେ ସାମିଲ କରାଯିବ। ଯେଉଁମାନେ ଯୋଗ୍ୟତା ପୂରଣ ନ କରିବା କାରଣରୁ ବାଦ୍ ପଡ଼ିବେ ସେମାନଙ୍କୁ ପରବର୍ତ୍ତୀ ବର୍ଷରେ ବିଚାରକୁ ନିଆଯିବ। 
୧୦୮ ଆମ୍ବୁଲାନ୍‌ସ କର୍ମଚାରୀଙ୍କୁ ସ୍ବତନ୍ତ୍ର ଭତ୍ତା
ରାଜ୍ୟରେ ଜରୁରିକାଳୀନ ମେଡିକାଲ ସେବା ପ୍ରଦାନ କରୁଥିବା ୧୦୮ ଆମ୍ବୁଲାନ୍‌ସ କର୍ମଚାରୀଙ୍କୁ ପାଇଁ ସ୍ବତନ୍ତ୍ର ଭତ୍ତା ବ୍ୟବସ୍ଥା ହୋଇଛି। ଆମ୍ବୁଲାନ୍‌ସ କ୍ର୍ୟୁ ସଦସ୍ୟ ଭାବେ ଡ୍ରାଇଭର, ଇଏମ୍‌ଟିଙ୍କୁ ୫ହଜାର ଓ ହେଲ୍‌ପରଙ୍କୁ ୩ହଜାର ଟଙ୍କା ମିଳିବ। ସେମାନଙ୍କ ଦରମା ବାଦ୍ ଏହି ସ୍ବତନ୍ତ୍ର ଭତ୍ତା ସେମାନେ ପାଇବେ। ୧୦୮ ଆମ୍ବୁଲାନ୍‌ସର କ୍ର୍ୟୁ ସଦସ୍ୟ ଥିବା ଡ୍ରାଇଭର, ଇଏମ୍‌ଟି ଓ ହେଲ୍‌ପର ପ୍ରତିକୂଳ ପରିସ୍ଥିତିରେ କାର୍ଯ୍ୟ କରୁଛନ୍ତି। ପ୍ରାକୃତିକ ବିପର୍ଯ୍ୟୟ, ଦୁର୍ଘଟଣା, କୋଭିଡ୍‌ ମହାମାରୀ ସମୟରେ ସେମାନଙ୍କ ସେବା ଉଲ୍ଲେଖନୀୟ ରହିଆସିଛି। ଡ୍ରାଇଭର ଓ ଇଏମ୍‌ଟି କୁଶଳୀ ଶ୍ରମିକର ମାନ୍ୟତା ପାଇଥିବା ବେଳେ ହେଲ୍‌ପର ଅଣକୁଶଳୀ ଶ୍ରମିକ ରହିଛନ୍ତି। 
ଡାକ୍ତରଙ୍କ ସୁରକ୍ଷା ପାଇଁ ସ୍ବତନ୍ତ୍ର ନିର୍ଦ୍ଦେଶାବଳୀ
କୋଲକାତାସ୍ଥିତ ଆରଜି(ରାଧା ଗୋବିନ୍ଦ) କର ମେଡିକାଲ କଲେଜରେ ଜଣେ ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାକୁ ନେଇ ଦେଶବ୍ୟାପୀ କାର୍ଯ୍ୟସ୍ଥଳୀରେ ଡାକ୍ତରଙ୍କ ସୁରକ୍ଷାକୁ ନେଇ ଦାବି ଜୋର୍‌ ଧରିଥିଲା। ଓଡ଼ିଶା ସରକାର ମଧ୍ୟ ସ୍ବାସ୍ଥ୍ୟକର୍ମୀଙ୍କ ସୁରକ୍ଷା ପାଇଁ ଏକ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି। ସମୁଦାୟ ୮ଟି ବିନ୍ଦୁ ଉପରେ ଏହି ନିର୍ଦ୍ଦେଶାବଳୀରେ ଗୁରୁତ୍ବ ଦିଆଯାଇଛି। ନିର୍ଦ୍ଦେଶାବଳୀରେ ପ୍ରବେଶସ୍ଥଳରେ କଟକଣା, ସୁରକ୍ଷା ବ୍ୟବସ୍ଥା, ଡାକ୍ତର ଓ କର୍ମଚାରୀଙ୍କ ପାଇଁ ଡ୍ୟୁଟି-ବିଶ୍ରାମ ଗୃହ, ଜରୁରୀକାଳୀନ ରେସ୍‌ପନ୍‌ସ ଯୋଜନା, ସମ୍ମାନଜନକ କର୍ମସ୍ଥଳୀ ସଂସ୍କୃତି, ସହାୟତା ସେବା, ଘଟଣାର ରିପୋର୍ଟିଂ ଓ ତଦାରଖ କମିଟି ସ୍ଥାନ ପାଇଛି। ସ୍ବାସ୍ଥ୍ୟାନୁଷ୍ଠାନରେ କାର୍ଯ୍ୟରତ ସମସ୍ତ କର୍ମଚାରୀଙ୍କୁ ଆଇଡି କାର୍ଡ ଦିଆଯିବା ସହ ଆବଶ୍ୟକସ୍ଥଳେ ଡ୍ରେସ୍ କୋଡ୍‌ କଡ଼ାକଡ଼ି ଭାବେ ପାଳିତ ହେବ। ରୋଗୀଙ୍କ ୱାର୍ଡ ପାଇଁ ଭିଜିଟର ପାସ୍ ବ୍ୟବସ୍ଥା ଲାଗୁ ହେବ। 
ନୂଆ ସଂସ୍ଥାକୁ ୧୦୮ ଆମ୍ବୁଲାନ୍‌ସ ଦାୟିତ୍ବ
ରାଜ୍ୟରେ ୧୦୮ ଆମ୍ବୁଲାନ୍‌ସ ପରିଚାଳନା କରୁଥିବା ସଂସ୍ଥା ବଦଳିଛି। ପୂର୍ବରୁ ଜିକିତ୍ସା ହେଲ୍‌ଥ କେୟାର ଦୀର୍ଘବର୍ଷ ଧରି ଏହାକୁ ପରିଚାଳନା କରୁଥିବା ବେଳେ ଏବେ ଏମ୍ରି ଗ୍ରିନ୍‌ ହେଲ୍‌ଥ ସର୍ଭିସକୁ ୧୦୮ ଆମ୍ବୁଲାନ୍‌ସ ଚଳାଇବା ପାଇଁ ରାଜ୍ୟ ସରକାର ଅନୁମୋଦନ ଦେଇଛନ୍ତି। ଦୁର୍ଘଟଣାଗ୍ରସ୍ତ ଲୋକଙ୍କ ପାଖରେ କମ୍ ସମୟରେ ଆମ୍ବୁଲାନ୍‌ସ ପହଞ୍ଚାଇବା ଲାଗି ସରକାରୀସ୍ତରରେ ଉଦ୍ୟମ ହୋଇଛି। ଏଥିପାଇଁ ଅଧିକ ସଂଖ୍ୟାରେ ଆମ୍ବୁଲାନ୍‌ସ କିଣିବା ଲାଗି ଯୋଜନା କରାଯାଉଛି। 

ନକଲି ଡାକ୍ତର ଚିହ୍ନଟ ପାଇଁ ତତ୍ପର
ରାଜ୍ୟରେ ନକଲି ଡାକ୍ତରଙ୍କୁ ଚିହ୍ନଟ କରିବା ଲାଗି ରାଜ୍ୟ ସରକାର ଏକ ଜିଲ୍ଲାସ୍ତରୀୟ ଆଣ୍ଟି କ୍ବାକରି ବା କ୍ବାକ୍ ନିରୋଧୀ ସେଲ୍‌ ଗଠନ କରିଛନ୍ତି। ଯେ କୌଣସି ସୂତ୍ରରୁ ନକଲି ଡାକ୍ତରଙ୍କ ସଂପର୍କରେ ସୂଚନା ପାଇଲେ ଏହି ସେଲ୍‌ ତୁରନ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବ। ଏହି ସେଲ୍‌ରେ ଜିଲ୍ଲାପାଳ ଓ ଏସ୍‌ପିଙ୍କ ପ୍ରତିନିଧି, ସ୍ଥାନୀୟ ସିଡିଏମ୍‌ଓ, ଜିଲ୍ଲା ଆଇନ ସହାୟତା କର୍ତ୍ତୃପକ୍ଷଙ୍କ ନୋମିନି ଓ ଆଇଏମ୍‌ଏର ପ୍ରତିନିଧିଙ୍କୁ ସ୍ଥାନ ଦିଆଯାଇଛି। ବ୍ୟକ୍ତିଗତ, ଛାପା କିମ୍ବା ବୈଦ୍ୟୁତିକ ଗଣମାଧ୍ୟମ, ସାମାଜିକ ଗଣମାଧ୍ୟମ କିମ୍ବା କେହି କଲ୍‌ କରି ନକଲି ଡାକ୍ତରଙ୍କ ସଂପର୍କରେ ସୂଚନା ଦେଲେ ଏହି ସେଲ୍ ‌ଆବଶ୍ୟକ ପଦକ୍ଷେପ ନେବ। ଏହା ସହ ସରକାରୀ ଓ ‌ଘରୋଇ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଏଲୋପ୍ୟାଥିକ ଡାକ୍ତରଙ୍କ ତାଲିକା ଓସିଏମ୍‌ଆର ୱେବ୍‌ସାଇଟ୍‌ରେ ଅପଲୋଡ୍‌ କରାଯାଇଛି। ଏହାସହ ଡାକ୍ତରଙ୍କ ତାଲିକା ଓ ରେଜିଷ୍ଟ୍ରେସନ ନମ୍ବର ରାଜ୍ୟ ପଞ୍ଚାୟତିରାଜ ବିଭାଗକୁ ପ୍ରଦାନ କରାଯାଇଛି।

ରାଜ୍ୟରେ ନୂଆ ସରକାର ଗଠନ ପରେ ସରକାରୀ ଡାକ୍ତରଖାନାରେ କାର୍ଯ୍ୟରତ ନର୍ସିଂ କର୍ମଚାରୀ ଆନ୍ଦୋଳନକୁ ଓହ୍ଲାଇଥିଲେ। ବିଭିନ୍ନ ଦଫା ଦାବି ନେଇ ସିରିଞ୍ଜ ଛାଡ଼ ଆନ୍ଦୋଳନ କରିଥିଲେ। ଯାହାକୁ ନେଇ ସ୍ବାସ୍ଥ୍ୟସେବା ବ୍ୟାଘାତ ହୋଇଥିଲା। ନର୍ସିଂ କର୍ମଚାରୀଙ୍କ ଆନ୍ଦୋଳନକୁ ନଜରରେ ରଖି ରାଜ୍ୟ ସରକାର ଏସ୍‌ମା ଲାଗୁ କରିଥିଲେ। ହେଲେ ଏହାକୁ ଖାତିର ନ କରି ନର୍ସିଂ କର୍ମଚାରୀମାନେ ଆନ୍ଦୋଳନ ଜାରି ରଖିଥିଲେ। ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ସହ ଆଲୋଚନା ପରେ ନର୍ସିଂ କର୍ମଚାରୀମାନେ ଆନ୍ଦୋଳନରୁ ଓହରିଥିଲେ। ଅପରପକ୍ଷରେ ୧୦୮ ଆମ୍ବୁଲାନ୍‌ସ ପରିଚାଳନା ସଂସ୍ଥା ବଦଳିବା ପରେ କିଛି କର୍ମଚାରୀଙ୍କୁ ସଂସ୍ଥା ନିଯୁକ୍ତି ଦେଇ ନ ଥିଲା। ଏହାକୁ ବିରୋଧ କରି ୧୦୮ ଆମ୍ବୁଲାନ୍‌ସ କର୍ମଚାରୀମାନେ ମଧ୍ୟ ଆନ୍ଦୋଳନକୁ ଓହ୍ଲାଇବା ପାଇଁ ଧମକ ଦେଇଥିଲେ। ହେଲେ ପରବର୍ତ୍ତୀ ସମୟରେ ଆନ୍ଦୋଳନରୁ ଓହରି ଯାଇଥିଲେ। 
ଯକ୍ଷ୍ମା ନିୟନ୍ତ୍ରଣ ପାଇଁ ଅଣ୍ଟା ଭିଡ଼ିଲେ
୨୦୨୫ ସୁଦ୍ଧା ଦେଶ ତଥା ରାଜ୍ୟରେ ଯକ୍ଷ୍ମା ନିରାକରଣ ପାଇଁ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ମିଳିତ ଆନୁକୂଲ୍ୟରେ ଆଜି ୧୦୦ ଦିନିଆ ଯକ୍ଷ୍ମା ଦୂରୀକରଣ ଅଭିଯାନର ଶୁଭାରମ୍ଭ ହୋଇଛି। ରାଜ୍ୟର ୧୯ଟି ଜିଲ୍ଲା ବଲାଙ୍ଗୀର, ବରଗଡ଼, ଭଦ୍ରକ, ବୌଦ୍ଧ, କଟକ, ଦେବଗଡ଼, ଗଞ୍ଜାମ, ଜଗତସିଂହପୁର, କଳାହାଣ୍ଡି, କନ୍ଧମାଳ, କେନ୍ଦ୍ରାପଡ଼ା, କେନ୍ଦୁଝର, କୋରାପୁଟ, ମାଲକାନଗିରି, ମୟୂରଭଞ୍ଜ, ପୁରୀ, ରାୟଗଡ଼ା, ସୁବର୍ଣ୍ଣପୁର ଓ ସୁନ୍ଦରଗଡ଼ ଜିଲ୍ଲାରେ ଆରମ୍ଭ ହୋଇଛି। ରାଜ୍ୟରେ  ଯକ୍ଷ୍ମା ରୋଗୀଙ୍କୁ ୧ ହଜାର ଟଙ୍କାର ପ୍ରୋତ୍ସାହନ ରାଶି ଉପଯୁକ୍ତ ଚିକିତ୍ସା ଓ ପୁଷ୍ଟିକର ଖାଦ୍ୟ ଖାଇବା ପାଇଁ ପ୍ରଦାନ କରାଯାଉଛି।
ଓଡ଼ିଆରେ ପଢ଼ାଯିବ ଡାକ୍ତରୀ ପାଠ
ଓଡ଼ିଆ ପିଲାଙ୍କ ପାଇଁ ଡାକ୍ତରୀ ପାଠକୁ ସହଜ ଓ ବୋଧଗମ୍ୟ କରିବାକୁ ରାଜ୍ୟ ସରକାର ଓଡ଼ିଆ ଭାଷାରେ ଡାକ୍ତରୀ ପାଠ ପଢ଼ାଇବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ଏକ ୨୨ଜଣିଆ କମିଟି ଗଠନ କରାଯାଇଛି। ଏଥିରେ ବିଭିନ୍ନ ବର୍ଗର ବିଶିଷ୍ଟ ବ୍ୟକ୍ତିଙ୍କୁ ସ୍ଥାନ ଦିଆଯାଇଛି। ଏହି କମିଟି ଏମ୍‌ବିବିଏସ୍‌ ପାଠ୍ୟକ୍ରମର ବହିକୁ ଅନୁବାଦ ପାଇଁ ଚିହ୍ନଟ କରିବେ। ଏହାଭିତରେ କମିଟିର ଗୋଟିଏ ବୈଠକ ଅନୁଷ୍ଠିତ ହୋଇସାରିଛି।

ବ୍ୟାପିଲା ବାର୍ଡଫ୍ଲୁ

ପୁରୀ ଜିଲ୍ଲା ପିପିଲି ବ୍ଲକ୍‌ରେ ଅଗଷ୍ଟ ମାସରେ ପ୍ରଥମେ ବାର୍ଡ ଫ୍ଲୁ ଚିହ୍ନଟ ହୋଇଥିଲା। ଏହାର କିଛିଦିନ ପରେ ସତ୍ୟବାଦୀ, ନିମାପଡ଼ା, ଡେଲାଙ୍ଗ ଆଦି ଅଞ୍ଚଳରେ ନିଆଁ ଭଳି ବ୍ୟାପି ଯାଇଥିଲା ବାର୍ଡ ଫ୍ଲୁ। ଏହାପରେ ରାଜ୍ୟ ସରକାରଙ୍କ ପକ୍ଷରୁ କୁକୁଡ଼ା ମରା ଅଭିଯାନ ଆରମ୍ଭ ହୋଇଥିଲା। ବିଭିନ୍ନ ସ୍ଥାନରେ ହଜାର ହଜାର କୁକୁଡ଼ା ମରାଯିବା ସହ କୁକୁଡ଼ା ବିକ୍ରି ଉପରେ କଟକଣା ଜାରି ହୋଇଥିଲା। ସଂକ୍ରମିତ ଅଞ୍ଚଳରେ କିଛିଦିନ ପାଇଁ କୁକୁଡ଼ା ନ ଖାଇବା ଲାଗି ଲୋକମାନଙ୍କୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଥିଲା। ଓଡ଼ିଶାରେ ବାର୍ଡ ଫ୍ଲୁ ବ୍ୟାପିବା ପରେ ଏଠାରୁ କୌଣସି ଜୀବନ୍ତ କୁକୁଡ଼ା କିମ୍ବା ଉତ୍ପାଦ ନ ଆଣିବା ଲାଗି ପଶ୍ଚିମବଙ୍ଗ ସରକାର କଟକଣା ଜାରି କରିଥିଲେ।