କ୍ଷମତାଚ୍ୟୁତ ହେବ ବିଜେଡି... ନିଜେ ହାରିଯିବେ ନବୀନ ପଟ୍ଟନାୟକ... ଏକାକୀ ଶାସନ ଡୋରି ଧରିବ ବିଜେପି... ମୁଖ୍ୟମନ୍ତ୍ରୀ ହେବେ ମୋହନ ମାଝୀ... ଲୋକସଭାରେ ଖାତା ଖୋଲିପାରିବନି ବିଜେଡି। ୨୦୨୪ର ପ୍ରଥମାର୍ଦ୍ଧରେ ଏସବୁ ଲାଗୁଥିଲା ଅସମ୍ଭବ... ଅକଳ୍ପନୀୟ। ଏମିତି ଅନୁମାନ ଲଗାଇ ପାରୁନଥିଲେ ରାଜନୀତି ବିଶାରଦମାନେ। ଏହି ଧାରାରେ ନଥିଲା କୌଣସି ସର୍ଭେର ରିପୋର୍ଟ। କିନ୍ତୁ ଗଣତନ୍ତ୍ରରେ ଜନତା ହିଁ ସର୍ବେସର୍ବା... ‘୨୦୨୪’ ଏହାକୁ ପ୍ରମାଣିତ କରିଦେଲା। ନିଜର ଦମ୍ ଦେଖାଇଲେ ଭୋଟର୍। ପ୍ରତ୍ୟାଖ୍ୟାନ କରିଦେଲେ ଅହଙ୍କାର, ଔଦ୍ଧତ୍ୟ ଓ ନିଜ ରାଜ୍ୟରେ ଅଣଓଡ଼ିଆଙ୍କ ଅଖଣ୍ଡ ପ୍ରଭାବକୁ। କଡ଼ ଲେଉଟାଇଲା ରାଜ୍ୟ ରାଜନୀତି। ୨୪ ବର୍ଷର ନବୀନ ରାଜ୍‌ର ପୂର୍ଣ୍ଣଛେଦ ପଡ଼ିଗଲା। କାମ କଲାନି ବିଜେଡିର ଅଭେଦ୍ୟ ରଣନୀତି। ଲୋକଙ୍କୁ ଛୁଇଁଗଲା ବିଜେପିର ‘ଓଡ଼ିଆ ଅସ୍ମିତା’ର ନାରା। କଲବଲ ହୋଇଗଲା ଆଞ୍ଚଳିକ ଦଳ। ବିଧାନସଭାରେ ତ ମ୍ୟାଜିକ୍ ନମ୍ବର ଛୁଇଁଲା ବିଜେପି। ଲୋକସଭାରେ ବି ଏକପାଖିଆ ସଫଳତା ମିଳିଲା। ସ୍ଥିତି ଏମିତି ଯେ ବିଜେଡିର ଭବିଷ୍ୟତ ଏବେ ସନ୍ଦେହରେ। ଆଉ ବର୍ଷର ଦ୍ବିତୀୟାର୍ଦ୍ଧରେ ଲୋକ ଦେଖୁଛନ୍ତି ମୋହନ ସରକାରକୁ। ଭଲମନ୍ଦ ପରଖୁଛନ୍ତି। ମୂଲ୍ୟାୟନର ସମୟ ଏ ଯାଏ ଆସିନି। ରାଜ୍ୟ ରାଜନୀତିର ଇତିହାସରେ ‘୨୦୨୪’ ନିଶ୍ଚିତ ଏକ ଗୁରୁତ୍ବପୂର୍ଣ୍ଣ ଅଧ୍ୟାୟ ହୋଇ ରହିବ।

Advertisment

ବିଜେଡିର ଦୁର୍ବଳ ପ୍ରଦର୍ଶନ

ବିଜେଡି ଗଠନର ହେବାର ୨୭ ବର୍ଷ ପରେ ୨୦୨୪ରେ ସବୁଠାରୁ ବଡ଼ ଝଟ୍‌କା ପାଇଲା ଦଳ। ସବୁ ନିର୍ବାଚନରେ ସଫଳ ରଣନୀତି ପ୍ରସ୍ତୁତ କରିବାରେ ମାହିର୍ ବିଜେଡି ଏଥର ଫେଲ୍ ହେଲା। ଦଳର ଆସନ କମିବ ବୋଲି ଆକଳନ କରାଯାଉଥିଲା ବେଳେ ଏତେ ପଛକୁ ଚାଲିଯିବ ବୋଲି କେହି ଭାବି ନଥିଲେ। ତିନି ଚତୁର୍ଥାଂଶ ଆସନରେ ନିଶ୍ଚିତ ବିଜୟ ବୋଲି ଦଳର ନେତାମାନେ କରୁଥିବା ଦୃଢ଼ୋକ୍ତି ଭାଙ୍ଗି ଚୁର୍‌ମାର ହୋଇଯାଇଥିଲା। ନିଜେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ କଣ୍ଟାବାଞ୍ଜିରେ ଲଜ୍ଜାଜନକ ପରାଜୟର ସାମ୍ନା କରିଥିଲେ। ନିଜର ପୁରୁଣା ଆସନ ହିଞ୍ଜିଳିରେ ଜିତିଲେ ସତ, କିନ୍ତୁ ବିଜୟ ବ୍ୟବଧାନ ଅତି ନଗଣ୍ୟ। ଅଧାରୁ ଅଧିକ ମନ୍ତ୍ରୀ ହାରିଗଲେ। ବହୁ ପୁରୁଣା ନେତା ଚିତ୍‌ପଟାଙ୍ଗ ମାରିଲେ। ଦଳ ପାଇଁ ଏକା ପ୍ରଚାର କରି ସବୁ ଶ୍ରେୟ ନେବାକୁ ଆଶା ରଖିଥିବା ଭି କେ ପାଣ୍ଡିଆନ୍‌ଙ୍କ ରଣନୀତି ସମ୍ପୂର୍ଣ୍ଣ ଫେଲ୍ ମାରିଲା। ଶ୍ରେୟ ନେବା ତ ଦୂରର କଥା, କ୍ଷମତା ବଞ୍ଚାଇବାକୁ ବି ସେ ସକ୍ଷମ ହୋଇପାରିଲେନି। ବିଜେଡିରେ ନବୀନଙ୍କ ପରେ ପାଣ୍ଡିଆନ୍ ହିଁ ପରବର୍ତ୍ତୀ ନେତା ବୋଲି ଖୋଦ୍ ବିଜେଡି ପକ୍ଷରୁ ଏକ ଧାରଣା ଦିଆଗଲା। ପାଣ୍ଡିଆନ୍‌ଙ୍କୁ ନବୀନଙ୍କ ଉତ୍ତରାଧିକାରୀ ଭାବେ ଉପସ୍ଥାପିତ କରିବାକୁ ସବୁ ପ୍ରକାର ଚେଷ୍ଟା କରାଗଲା। ବିଜେଡିର ଏକ ପ୍ରଭାବଶାଳୀ ଗୋଷ୍ଠୀ ବିଜେଡିକୁ ଜିତାଇବାରେ ଯେତିକି ସମୟ ଦେଉ ନଥିଲେ, ପାଣ୍ଡିଆନ୍‌ଙ୍କୁ ହିରୋ କରାଇବାରେ ଅଧିକ ସମୟ ଦେଉଥିଲେ। କିନ୍ତୁ ସେସବୁ ଦଳ ପାଇଁ ବୁମେରାଂ ସାବ୍ୟସ୍ତ ହେଲା। ରାଜ୍ୟ ବାହାରର ଜଣେ ଅଧିକାରୀ ଏଠାରେ ଓଡ଼ିଆଙ୍କୁ ଶାସନ କରିବେ, ତାହାକୁ ଲୋକମାନେ ସହଜରେ ଗ୍ରହଣ କରିପାରିଲେ ନାହିଁ। 

sffssf

ଲୋକସଭାରେ ବିଜେଡି ଶୂନ
ବିଧାନସଭା ନିର୍ବାଚନରେ ତ ବିଜେଡି ହାରିଲା। ଲୋକସଭାରେ ଖାତା ହିଁ ଖୋଲିପାରିଲାନି। ଲୋକସଭାରେ ମୋଦୀ ମ୍ୟାଜିକ୍ ଯେ ଓଡ଼ିଶାରେ ଏତେ ମାତ୍ରାରେ କାମ ଦେବ, ତାହା ରାଜନୈତିକ ସମୀକ୍ଷକମାନେ ଚିନ୍ତା କରିପାରି ନଥିଲେ। ୨୪ ବର୍ଷ ଧରି ଶାସନରେ ଥିବା ବିଜେଡି ଲୋକସଭାରେ ପୋଛି ହୋଇଯିବ, ତାହା ଥିଲା କଳ୍ପନାର ବାହାରେ। ପ୍ରଥମ ଥର ପାଇଁ ଲୋକସଭାରେ ବିଜେଡିର ପ୍ରତିନିଧିତ୍ବ ଶୂନ ହୋଇଯାଇଥିଲା। ବିଜେଡି ଗଠନ ହୋଇଥିଲା ୧୯୯୭ ମସିହାରେ। ୧୯୯୮ ମସିହାରେ ଦଳ ପ୍ରଥମ ଥର ଲୋକସଭା ନିର୍ବାଚନକୁ ସାମ୍ନା କଲା। ଏଥିରେ ବିଜେପି ସହ ଦଳ ମେଣ୍ଟ କରିଥିଲା। ଏ ଯାଏ ମୋଟ୍ ୬ଟି ଲୋକସଭା ନିର୍ବାଚନ ଲଢ଼ିଛି ବିଜେଡି। ୧୯୯୮, ୧୯୯୯, ଓ ୨୦୦୪ରେ ବିଜେପି ସହ ମେଣ୍ଟ କରି ଲଢ଼ିଥିଲା। ପରେ ଆଉ ତିନିଟି ନିର୍ବାଚନ ଦଳ ଏକା ଲଢ଼ିଲା। ୧୯୯୮ରେ ବିଜେଡି ୯ଟି, ୧୯୯୯ରେ ୧୦ ଓ ୨୦୦୪ରେ ୧୧ଟି ଆସନରେ ଜିତିଥିଲା ବିଜେଡି। ଏହା ପରେ ୨୦୦୯ରେ ଦଳ ଏକା ଲଢ଼ି ୧୪ଟି ଲୋକସଭା ଆସନ ଅକ୍ତିଆର କଲା। ୨୦୧୪ରେ ଦଳ ସର୍ବାଧିକ ୨୦ଟି ଆସନ ଜିତିଥିଲା। ୨୦୧୯ରେ ଏହି ସଂଖ୍ୟା ୧୨କୁ ଖସିଆସିଲା। ଆଉ ୨୦୨୪ରେ ଦଳ ଲୋକସଭା ନିର୍ବାଚନରେ ଖାତା ଖୋଲିପାରିଲା ନାହିଁ।  ବିଜେପି ୨୦ଟି ଆସନରେ ଜିତିଥିଲା ବେଳେ କେବଳ କୋରାପୁଟ ଆସନରେ କଂଗ୍ରେସ ତା’ର ସଫଳତା ବଜାୟ ରଖିଥିଲା। 

ଗେରୁଆ ଶାସନ ଆରମ୍ଭ
ସାଧାରଣ ନିର୍ବାଚନରେ ବିଜେପି ଭଲ ପ୍ରଦର୍ଶନ କରିବ ବୋଲି ସର୍ଭେ କହୁଥିଲା। କିନ୍ତୁ ବିଜେପି ଲୋକସଭାରେ ୨୧ରୁ ୨୦ଟି ଆସନ ଏବଂ ବିଧାନସଭାରେ ୭୮ଟି ଆସନ ଜିତିବା ସମସ୍ତଙ୍କ କଳ୍ପନା ବାହାରେ ଥିଲା। ବିଭିନ୍ନ ସର୍ଭେରେ ବିଜେଡି ପୁଣି ଷଷ୍ଠ ଥର ପାଇଁ ସରକାର ଗଠନ କରିବାକୁ କୁହାଯାଉଥିଲେ ହେଁ ଜୁନ୍ ୪ରେ ନିର୍ବାଚନୀ ଫଳ ସବୁ ସର୍ଭେ, ଆକଳନକୁ ଓଲଟପାଲଟ କରିଦେଇଥିଲା। ବିଜେଡି-ବିଜେପି ମେଣ୍ଟ ମିଳିତ ଭାବେ ୨୦୦୦ରୁ ୨୦୦୯ ପର୍ଯ୍ୟନ୍ତ ସରକାର କରିଥିଲେ। ହେଲେ ମେଣ୍ଟ ଭାଙ୍ଗିବା ପରେ ବିଜେପି ବ୍ୟାକଫୁଟ୍‌କୁ ପଳାଇଥିଲା। ୨୦୦୯ରେ ବିଜେପି ଏକାକୀ ଲଢ଼ି ବିଧାନସଭାରେ ମାତ୍ର ୬ଟି ଆସନ ପାଇଥିବାବେଳେ ଲୋକସଭାରେ ଖାତା ଖୋଲି ପାରିନଥିଲା। ୨୦୧୪ରେ ଗୋଟିଏ ଲୋକସଭା ଆସନ ଜିତିବା ସହ ୧୦ଟି ବିଧାନସଭା ଆସନ ଜିତିଥିଲା। ୨୦୧୪ରେ କେନ୍ଦ୍ରରେ ବିଜେପି ସରକାର ଆସିବା ପରେ ଓଡ଼ିଶାରେ ବିଜେପିର ସ୍ଥିତି ଟିକେ ସୁଦୃଢ଼ ହୋଇଥିଲା। ୨୦୧୯ରେ ବିଜେପି ୮ଟି ଲୋକସଭା ଆସନ ଜିତିବା ସହ ୨୩ଟି ବିଧାନସଭା ଆସନ ଜିତିଥିଲା। ହେଲେ ୨୦୨୪ ସାଧାରଣ ନିର୍ବାଚନ ବିଜେପିର ଭାଗ୍ୟ ବଦଳାଇଦେଲା। ସାରା ଦେଶରେ ବିଜେପି ଅାଶାନୁରୂପକ ପ୍ରଦର୍ଶନ କରିପାରିନଥିବା ବେଳେ ଓଡ଼ିଶାରେ କିନ୍ତୁ ଚକ୍‌ମା ଦେଖାଇଥିଲା। ୧୪୭ଟି ବିଧାନସଭା ଆସନରେ ପ୍ରାର୍ଥୀ ଲଢ଼ିଥିବାବେଳେ ୭୮ଟି ଆସନ ଜିତିଥିଲା। ଏପରିକି ଲୋକସଭାରେ ୨୧ଟିରୁ ୨୦ଟି ଆସନ ଜିତିଥିଲା। ଯାହା କେନ୍ଦ୍ରରେ ଏନ୍‌ଡିଏ ସରକାର ଗଠନରେ ବଡ଼ ସହାୟକ ହୋଇଥିଲା। ନିର୍ବାଚନ ପରେ ୩ଜଣ ସ୍ବାଧୀନ ବିଧାୟକ ବିଜେପିକୁ ସମର୍ଥନ କରିଥିଲେ। ଓଡ଼ିଶାରେ ବିଜେପି ନିଜ ଦମ୍ ବଳରେ ଏକାକୀ ସରକାର ଗଢ଼ିଲା।

ବିଜେପି ଛଡ଼ାଇ ନେଲା ବିଜେଡିର ଦୁଇ ସାଂସଦ

ସାଧାରଣ ନିର୍ବାଚନରେ ବିଜେଡି ଗୋଟିଏ ବି ଲୋକସଭା ଆସନ ଜିତି ପାରିନଥିଲା। ଦଳ ଏହାର ତର୍ଜମା କରୁକରୁ ବିଜେପି ବିଜେଡିର ଜଣେ ରାଜ୍ୟସଭା ସାଂସଦଙ୍କୁ ଛଡ଼ାଇନେଲା। ଯାହା ୨୦୨୪ର କେବଳ ଏକ ଚର୍ଚ୍ଚିତ ରାଜନୈତିକ ଘଟଣା ନଥିଲା ବରଂ ଓଡ଼ିଶା ରାଜନୀତିର ବିରଳ ଥିଲା। ଜୁଲାଇ ୩୧ରେ ବିଜେଡିର ରାଜ୍ୟସଭା ସାଂସଦ ମମତା ମହନ୍ତ ହଠାତ୍ ସାଂସଦ ପଦରୁ ଇସ୍ତଫା ଦେଇଥିଲେ। ବିଜେଡି ନେତାମାନେ ଏହା ଜାଣୁ ଜାଣୁ ସେ ବିଜେଡିରୁ ବି ଇସ୍ତଫା ଦେଇଦେଲେ। ଏହାପରେ ମମତା ହଠାତ୍ ଓଡ଼ିଶା ରାଜନୀତିର ଚର୍ଚ୍ଚିତ ବ୍ୟକ୍ତିତ୍ବ ପାଲଟିଗଲେ। ରାଜ୍ୟସଭାରେ ବିଜେଡିର ୯ଜଣ ସାଂସଦ ଥିବାବେଳେ ମମତା କାହିଁକି ଇସ୍ତଫା ଦେଲେ ସେନେଇ ବହୁ ଆଲୋଚନା ହେଲା। ହେଲେ ମମତା ନୂଆଦିଲ୍ଲୀରେ ବିଜେପିରେ ଯୋଗଦେଲେ। ଏହାପରେ ସେ ବିଜେଡି କିପରି ରାଜ୍ୟସଭା ସାଂସଦଙ୍କ ପାଣ୍ଠିର ଅପବ୍ୟବହାର କରୁଥିଲା, ତାଙ୍କୁ ଅଲୋଡ଼ା କରାଯାଇଥିଲା, ବିଜେଡିର ଦୁଇ ମଙ୍ଗୁଅାଳ ଭି.କେ ପାଣ୍ଡିଆନ ଓ ପ୍ରଣବ ପ୍ରକାଶ ଦାସ ତାଙ୍କୁ ହତାଦାର କରୁଥିଲେ ତାହା ସେ ବଖାଣିଥିଲେ। ବିଜେପି ବି ମମତାଙ୍କୁ ପୁଣି ରାଜ୍ୟସଭାକୁ ପଠାଇ ବଡ଼ ଅଙ୍କ ‌କଷିଥିଲା। ମମତାଙ୍କ ପରେ ବିଜେଡିରୁ କିଏ ପୁଣି ବିଜେପିରେ ମିଶିବେ ସେନେଇ ଚର୍ଚ୍ଚା ଚାଥିଲା। ଏହାର ପ୍ରାୟ ମାସକ ପରେ ସେପ୍ଟେମ୍ବର ୬ରେ ମମତାଙ୍କ ଷ୍ଟାଇଲ୍‌ରେ ସୁଜିତ କୁମାର ବି ରାଜ୍ୟସଭା ସାଂସଦ ଓ ବିଜେଡିରୁ ଇସ୍ତଫା ଦେଇଦେଲେ। ସେହି ସମାନ ଢାଞ୍ଚା- ଦିଲ୍ଲୀରେ ବିଜେପିରେ ମିଶିଲେ ଏବଂ ବିଜେପିରୁ ପୁଣି ରାଜ୍ୟସଭାକୁ ସେ ଗଲେ। ଦୁଇ ସାଂସଦଙ୍କୁ ବିଜେପି ଯେପରି ବିଜେଡି ପଞ୍ଝାରୁ ଛଡ଼ାଇ ନେଲା ସେଥିରେ ଦଳର ବହୁ ବରିଷ୍ଠ ନେତା ସନ୍ଦେହ ଘେରକୁ ଆସିଲେ। ଆଗକୁ କିଏ ବିଜେପି ଯିବେ ସେନେଇ ଚର୍ଚ୍ଚା ବଢ଼ିଲା। ସ୍ଥିତି ଏପରି ହେଲା ଯେ ବାକି ୭ଜଣ ସାଂସଦଙ୍କୁ ଏକାଠି ହୋଇ କହିବାକୁ ପଡ଼ିଲା ଯେ ଆମ ଭିତରୁ କେହି ବିଜେପିରେ ମିଶିବେନି।

sfsffsfs

‘ଓଡ଼ିଆ ଅସ୍ମିତା’

ବିଜେଡି ସହ ମେଣ୍ଟକୁ ପ୍ରତ୍ୟାଖ୍ୟାନ କରି ‘ଓଡ଼ିଆ ଅସ୍ମିତା’କୁ ପ୍ରସଙ୍ଗ କରି ନିର୍ବାଚନକୁ ଓହ୍ଲାଇବା ବିଜେପି ପାଇଁ ସଫଳ ସାବ୍ୟସ୍ତ ହେଲା। ଓଡ଼ିଶାରେ ଶାସନ, ପ୍ରଶାସନ ଓ ବ୍ୟବସାୟରେ ଅଣଓଡ଼ିଆଙ୍କ ରାଜୁତିକୁ ବେଶ୍ ପ୍ରଭାବୀ ଢଙ୍ଗରେ ଲୋକଙ୍କ ପାଖରେ ଉପସ୍ଥାପନ କରିପାରିଲା ଦଳ। ନବୀନ-ପାଣ୍ଡିଆନ୍‌ଙ୍କ ଶାସନରେ କିପରି ଓଡ଼ିଆଙ୍କ ସ୍ବାର୍ଥ କ୍ଷତିଗ୍ରସ୍ତ ହେଉଛି, ତାହାକୁ ସେମାନେ ଲୋକଙ୍କୁ ବୁଝାଇବାରେ ସଫଳ ହେଲେ। ଏପରିକି ପାଣ୍ଡିଆନ୍‌ଙ୍କ ଇଙ୍ଗିତରେ ଓଡ଼ିଶାର ଖଣି, ପାଣି ସବୁ ଅଣଓଡ଼ିଆମାନେ ଲୁଟୁଛନ୍ତି ବୋଲି କହିଲେ। ଏସବୁର ପ୍ରଭାବ ଲୋକଙ୍କ ଉପରେ ପଡ଼ିଲା। ଓଡ଼ିଆ ଅସ୍ମିତା ନବୀନ-ପାଣ୍ଡିଆନ୍‌ଙ୍କ ହାତରେ ସୁରକ୍ଷିତ ନୁହେଁ ବୋଲି ଲୋକମାନେ ଭାବିନେଲେ। ଏକ ଆଞ୍ଚଳିକ ଦଳ ଓଡ଼ିଆ ଅସ୍ମିତାକୁ ରକ୍ଷା କରିବାରେ କେଉଁଠି ନା କେଉଁଠି ବିଫଳ ହୋଇଛି ବୋଲି ଭୋଟର୍ ଅନୁଭବ କଲେ। ନବୀନ ପଟ୍ଟନାୟକଙ୍କ ଭାବମୂର୍ତ୍ତିକୁ ନେଇ ବିଜେଡି ଯେତେ ପ୍ରଚାର କରିବାକୁ ଚେଷ୍ଟା କରିଥିଲେ ବି ତାହା ଆଉ କାମ ଦେଲାନି। ‘ଓଡ଼ିଆ ଅସ୍ମିତା’ର ମାପକାଠିରେ ଭୋଟର୍‌ମାନେ ଦୁଇ ପ୍ରମୁଖ ଦଳକୁ ତଉଲିଲା ବେଳେ ଏଥିରେ ବିଜେଡି ବହୁ ପଛରେ ପଡ଼ିଗଲା।

ଶାସକ ଦଳ ଓ ମୁଖ୍ୟ ବିରୋଧୀ ଦଳ ଭିତରେ ମେଣ୍ଟ। ଏହା ଅତ୍ୟନ୍ତ ଅବାସ୍ତବ ଲାଗୁଥିଲେ ବି ଏମିତି ଏକ ସମ୍ଭାବନା ଭିତରେ ଓଡ଼ିଶାରେ ବାଜିଥିଲା ୨୦୨୪ ସାଧାରଣ ନିର୍ବାଚନର ଘଣ୍ଟି। ବିଜେଡି-ବିଜେପି ମଧ୍ୟରେ ଏହି ମେଣ୍ଟ ଆଲୋଚନା ଶୀର୍ଷ ସ୍ତରରେ ଚାଲିଥିଲା। ସିଧାସଳଖ ନ ହେଲେ ବି ଉଭୟ ଦଳ ପକ୍ଷରୁ ପରୋକ୍ଷ ଭାବେ ଏହି ଇଙ୍ଗିତ ମିଳିଥିଲା। ମାର୍ଚ୍ଚ ୫ରେ ବିଜୁ ବାବୁଙ୍କ ଜୟନ୍ତୀ ଦିନ ଚଣ୍ଡୀଖୋଲରେ ଆୟୋଜିତ ଏକ ସରକାରୀ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗଦେଇ ଯେପରି ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସା କଲେ, ନିଜର ବନ୍ଧୁ ବୋଲି ସମର୍ଥନ କଲେ, ବିଶେଷକରି ଦୁଇ ନେତା ହାତ ଧରାଧରି ହୋଇ ଯେପରି କଥାବାର୍ତ୍ତା ହେଉଥିଲେ ତାହା ମେଣ୍ଟ ନେଇ ବଡ଼ ସୁରାକ୍ ଯୋଗାଇଥିଲା। ମେଣ୍ଟ ଚର୍ଚ୍ଚା ପାଇଁ ଅନେକ ଦିନ ଯାଏ ରାଜ୍ୟରେ ନିର୍ବାଚନ ପରିବେଶ ପୂରା ଥଣ୍ଡା ପଡ଼ିଯାଇଥିଲା। କର୍ମୀମାନେ ଦ୍ବନ୍ଦ୍ବରେ ଥିଲେ ପରସ୍ପର ବିରୋଧରେ ଲଢ଼ିବେ ନା ହାତ ମିଳାଇବେ। ଶେଷରେ ମେଣ୍ଟ ଆଲୋଚନା ଅଧାରେ ଅଟକିଗଲା। ବହୁ ଆଲୋଚନା ସତ୍ତ୍ବେ ଟିକେଟ ଭାଗବଣ୍ଟା ନଛିଣ୍ଡିବା, ଓଡ଼ିଶା ବିଜେପିର କେତେକ ନେତାଙ୍କ ବିରୋଧ ଏବଂ ଜନମତ ସର୍ଭେକୁ ଦେଖି ଦୁଇ ଦଳ ମେଣ୍ଟ ଚର୍ଚ୍ଚାରୁ ଓହରି ଯାଇଥିଲେ। ହେଲେ ନିର୍ବାଚନ ସମୟରେ ପ୍ରଚାର ହେଲା ଯେ ବିଜେଡି ମେଣ୍ଟ ପାଇଁ ଅଧିକ ଅାଗ୍ରହୀ ଥିଲା। ଓଡ଼ିଶା ବିଜେପି ନେତୃତ୍ବ ମନ ନବଳାଇବାରୁ ମେଣ୍ଟ ହୋଇପାରିଲାନି। ତେବେ ନିର୍ବାଚନରେ ପୂରା ଜୋର୍ ଦେଇ ଉଭୟ ଦଳ ପରସ୍ପର ବିରୋଧରେ 
ଲଢ଼ିଲେ।  

xxcxc

ଓଡ଼ିଶା କୋଟାରେ ତିନି ମନ୍ତ୍ରୀ ପଦ

ଓଡ଼ିଶାରୁ ଏଥର ବିଜେପିର ୨୦ ଜଣ ସାଂସଦ ଲୋକସଭାକୁ ନିର୍ବାଚିତ ହୋଇଥିଲେ। ରାଜ୍ୟରେ ବିଜେପିର ଏହା ହେଉଛି ସର୍ବକାଳୀନ ରେକର୍ଡ। ବିଜେପି ଗଠନ ହେଲା ପରେ ପ୍ରଥମ ଥର ପାଇଁ ରାଜ୍ୟରେ ଏମିତି ବଡ଼ ସଫଳତା ମିଳିଥିଲା। ଏଥର ଅଧିକ ସାଂସଦ ଜିତିଥିବାରୁ ଓଡ଼ିଶାରୁ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ଅଧିକ ପ୍ରତିନିଧିତ୍ବ ରହିବ ବୋଲି ଆକଳନ କରାଯାଉଥିଲା। କିନ୍ତୁ ତିନି ଜଣଙ୍କୁ ହିଁ ମନ୍ତ୍ରିମଣ୍ଡଳରେ ସ୍ଥାନ ମିଳିଥିଲା। ଆଉ ସମସ୍ତେ ଥିଲେ ଅନୁଭବୀ ଓ ଅଭିଜ୍ଞ। ଲୋକସଭା ସାଂସଦଙ୍କ ମଧ୍ୟରୁ ଜୁଏଲ ଓରାମ ଓ ଧର୍ମେନ୍ଦ୍ର ପ୍ରଧାନ ମନ୍ତ୍ରୀ ହୋଇଥିଲେ। ବିଜେପିର ଏକମାତ୍ର ରାଜ୍ୟସଭା ସାଂସଦ ଅଶ୍ବିନୀ ବୈଷ୍ଣବ ମନ୍ତ୍ରୀ ହୋଇଥିଲେ। ଜୁଏଲ ପୂର୍ବରୁ ଦୁଇ ଥର କେନ୍ଦ୍ରରେ ମନ୍ତ୍ରୀ ହୋଇସାରିଥିଲେ। ସେହିପରି ଧର୍ମେନ୍ଦ୍ର ପ୍ରଧାନଙ୍କ ଉପରେ ଲଗାତାର ୧୦ ବର୍ଷ ହେଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭରସା କରି ଆସୁଛନ୍ତି। ୨୦୧୪ ମସିହାରୁ ସେ ମୋଦୀଙ୍କ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଉଛନ୍ତି। ଲଗାତାର ଭାବେ ଏତେ ଲମ୍ବା ସମୟ ଓଡ଼ିଶାରୁ କେନ୍ଦ୍ର ମନ୍ତ୍ରୀ ହେବାରେ ଶ୍ରୀ ପ୍ରଧାନ ନୂଆ ରେକର୍ଡ ସ୍ଥାପନ କରିଛନ୍ତି। ଅଶ୍ବିନୀ ବୈଷ୍ଣବ ୨୦୧୯ ମସିହାରେ ଓଡ଼ିଶାରୁ ରାଜ୍ୟସଭା ସାଂସଦ ଭାବେ ନିର୍ବାଚିତ ହେଲା ପରେ ୨୦୨୧ରେ ତାଙ୍କୁ ମନ୍ତ୍ରିମଣ୍ଡଳରେ ସ୍ଥାନ ଦିଆଯାଇଥିଲା। ସେବେଠାରୁ ସେ ମନ୍ତ୍ରୀ ପଦ ବଜାୟ ରଖିଛନ୍ତି। 

ନିର୍ବାଚନରେ ବିବାଦୀୟ ଅଧିକାରୀ

ଏଥର ସାଧାରଣ ନିର୍ବାଚନ ବେଳେ ଏକ ବଡ଼ ଅଭାବନୀୟ ଘଟଣା ଘଟିଥିଲା। ବହୁ ଉଚ୍ଚପଦସ୍ଥ ଅଧିକାରୀଙ୍କ ବିରୋଧରେ ନିର୍ବାଚନ କମିସନ୍ କଠୋର ହୋଇଥିଲେ। ଅଭିଯୋଗ ଥିଲା, ସେମାନେ ଶାସକ ଦଳକୁ ସୁହାଇଲା ପରି କାମ କରୁଛନ୍ତି। ଏପ୍ରିଲ୍‌ ୨ ତାରିଖରେ ଏକାଥରେ ୮ ଜଣ ଅଧିକାରୀଙ୍କୁ ବଦଳି କରିବାକୁ ମୁଖ୍ୟ ଶାସନ ସଚିବଙ୍କୁ ନି‌ର୍ଦ୍ଦେଶ ଦେଇଥିଲେ। ଏହି ଅଧିକାରୀମାନେ ହେଲେ କେନ୍ଦ୍ରାଞ୍ଚଳ ଆଇଜି ତଥା ଆଇପିଏସ୍‌ ଅଧିକାରୀ ଆଶିଷ ସିଂହ, କଟକ ଜିଲ୍ଲାପାଳ ଭୀନିତ ଭରଦ୍ବାଜ, ଜଗତସିଂହପୁର ଜିଲ୍ଲାପାଳ ପାରୁଲ୍‌ ପଟୱାରୀ, ଅନୁଗୁଳ ଏସ୍‌ପି ସୁଧାଂଶୁ ଶେଖର ମିଶ୍ର, ବ୍ରହ୍ମପୁର ଏସ୍‌ପି ଶରବଣା ବିବେକ ଏମ୍‌, ଖୋର୍ଦ୍ଧା ଏସ୍‌ପି ଯୁଗଳ କିଶୋର ବାନୋଥ, ରାଉରକେଲା ଏସ୍‌ପି ମିତ୍ରଭାନୁ ମହାପାତ୍ର ଓ କଟକର ଡିସିପି କେ ବି ସିଂହ। ଏହି ଅଧିକାରୀମାନଙ୍କୁ ନିର୍ବାଚନ ସହ ସମ୍ପର୍କ ନଥିବା କୌଣସି ପଦବିକୁ ବଦଳି କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ସେହିପରି ବିଜେଡିର ଦ୍ବିତୀୟ କ୍ଷମତାକେନ୍ଦ୍ର ଭି କେ ପାଣ୍ଡିଆନଙ୍କ ପତ୍ନୀ ତଥା ମିସନ ଶକ୍ତି ବିଭାଗର ତତ୍‌କାଳୀନ ସଚିବ ସୁଜାତା କାର୍ତ୍ତିକେୟନଙ୍କୁ ସେହି ବିଭାଗରୁ ହଟାଇ ଦିଆଯାଇଥିଲା। ତାଙ୍କୁ ଅର୍ଥ ବିଭାଗର ସ୍ବତନ୍ତ୍ର ସଚିବ ଭାବେ ଅବସ୍ଥାପିତ କରାଯାଇଥିଲା। ନିର୍ବାଚନ ଫଳାଫଳ ଆସିବାର ଠିକ୍ ପରେ ପରେ ସେ ୬ ମାସ ଛୁଟିରେ ଯାଇଥିଲେ। ପୁଣି ଛୁଟି ସମ୍ପ୍ରସାରଣ କରିବାକୁ ସେ କରିଥିବା ଆବେଦନକୁ ସରକାର ଅଗ୍ରାହ୍ୟ କରିଥିଲେ। ଫଳରେ ସେ ନଭେମ୍ବର ମାସରେ ଅର୍ଥ ବିଭାଗରେ ଆସି ଯୋଗ ଦେଇଛନ୍ତି। ‌ଶେଷ ପର୍ଯ୍ୟାୟ ନିର୍ବାଚନ ଠିକ୍ ପୂର୍ବରୁ ଆଇପିଏସ୍‌ ଅଧିକାରୀ ଆଶିଷ ସିଂହଙ୍କ ସମେତ ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସଚିବ ତଥା ଆଇପିଏସ୍ ଅଧିକାରୀ ଡି ଏସ୍‌ କୁଟ୍ଟେଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଲେ ନିର୍ବାଚନ କମିସନ୍‌। ନିର୍ବାଚନରେ ଅନୈତିକ ହସ୍ତକ୍ଷେପ ଅଭିଯୋଗରେ ଶ୍ରୀ କୁଟ୍ଟେଙ୍କୁ ନିଲମ୍ବିତ କରାଗଲା। ସୁସ୍ଥ ଥାଇ ବି ମେଡିକାଲ ଛୁଟିରେ ଥିବାରୁ ଆଶିଷ ସିଂହଙ୍କ ବିରୋଧରେ ଓଡ଼ିଶାର ମୁଖ୍ୟ ଶାସନ ସଚିବ କାର୍ଯ୍ୟାନୁଷ୍ଠାନ ‌ନେବାକୁ କମିସନ୍ ଜୁନ୍ ୬ ତାରିଖରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଚିଠି ଲେଖି ଜଣାଇଥିଲେ। ନୂଆ ସରକାର ଆସିଲା ପରେ ଉଭୟ ଶ୍ରୀ କୁଟ୍ଟେ ଓ ଶ୍ରୀ ସିଂହଙ୍କୁ ଗୃହ ବିଭାଗର ଓଏସ୍‌ଡି ଭାବେ ନିଯୁକ୍ତି ଦେଲେ। ତେବେ ପରବର୍ତ୍ତୀ ସମୟରେ ଉଭୟ କେନ୍ଦ୍ରୀୟ ଡେପୁଟେସନରେ ଯାଇ ସେଠାରେ ନୂଆ ନିଯୁକ୍ତି ପାଇଲେ।

ସରକାରଙ୍କୁ ଅଡ଼ୁଆ ମନ୍ତ୍ରୀଙ୍କ ତୁଣ୍ଡ

vvb

ବିଜେଡି ସରକାର ସମୟରେ ମନ୍ତ୍ରୀମାନଙ୍କ କୌଣସି ଗୁରୁତ୍ୱ ନ ଥିବା ଅଭିଯୋଗ ହେଉଥିଲା। ସେମାନେ ଗଣମାଧ୍ୟମରେ ମୁହଁ ଖୋଲୁ ନଥିଲେ। ଚଳିତ ନିର୍ବାଚନରେ ଓଡିଶାରେ ପ୍ରଥମଥର ଲାଗି ବିଜେପି ସରକାର ଗଠନ ହେବା ପରେ ପୂର୍ବ ଧାରାରେ ପରିବର୍ତ୍ତନ ହେବ ବୋଲି ଲୋକମାନେ ଆଶା କରିଥିଲେ। ହେଲେ ନୂଆ ମନ୍ତ୍ରୀମାନେ ମାତ୍ରାଧିକ ଉତ୍ସାହିତ ହୋଇ ଗଣମାଧ୍ୟମରେ ଏଣୁତେଣୁ ବୟାନ ଦେବା ସରକାରଙ୍କ ପାଇଁ ଅଡୁଆ ସୃଷ୍ଟି କରିଛି। ଯେ କୌଣସି ଘଟଣାରେ ନିଜ ବିଭାଗକୁ ଛାଡ଼ି ଅନେକ ମନ୍ତ୍ରୀ ଅନ୍ୟ ବିଭାଗ ସଂପର୍କରେ ଗଣମାଧ୍ୟମରେ ମତ ରଖିବା ରାଜ୍ୟ ସରକାରଙ୍କୁ ସମାଲୋଚନା ପାଇଁ ଖୋରାକ ଯୋଗାଇଛି। କେବଳ ଅନ୍ୟ ବିଭାଗ ସଂପର୍କରେ ମତ ନୁହେଁ, ନିଜ ବିଭାଗରେ ହେଉଥିବା ସମସ୍ୟା ସଂପର୍କରେ ମନ୍ତ୍ରୀମାନେ ବାରମ୍ବାର ମତ ବଦଳାଉଥିବା ନଜରକୁ ଆସିଛି। ରାଜ୍ୟରେ ବାର୍ଡ ଫ୍ଲୁ ସମୟରେ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଭୁଲଭାଲ ବୟାନ ଜନସାଧାରଣଙ୍କ ଭିତରେ ଦ୍ୱନ୍ଦ୍ୱ ଆଣିଥିଲା। ସ୍ୱାସ୍ଥ୍ୟ ମନ୍ତ୍ରୀ ବାର୍ଡ ଫ୍ଲୁରେ ଜଣେ ବ୍ୟକ୍ତି ଆକ୍ରାନ୍ତ ହୋଇଥିବା ଗଣମାଧ୍ୟମରେ କହିଥିଲେ, ଯାହା ଲୋକଙ୍କ ଭିତରେ ଆତଙ୍କ ଖେଳାଇଥିଲା। ପରେ ମନ୍ତ୍ରୀ ଏ ସଂପର୍କରେ ଠିକ୍ ସୂଚନା ଦେଇଥିଲେ। ସେହିପରି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ଆଳୁ ଦର ବୃଦ୍ଧି, ରାସନ କାର୍ଡକୁ ନେଇ ଦେଇଥିବା ବୟାନ ଭିତରେ କିଛି ତାଳମେଳ ନ ଥିବା ଦେଖିବାକୁ ମିଳିଥିଲା। କଲେଜ ନିର୍ବାଚନ ନେଇ ଉଚ୍ଚଶିକ୍ଷା ମନ୍ତ୍ରୀ ଗୋଟିଏ ବିବୃତି ଦେଲା ବେଳକୁ ଆଇନ ମନ୍ତ୍ରୀଙ୍କ ବିବୃତି ଆଉ ଗୋଟେ ଥିଲା। ସେମିତି ଆମ୍ବଟାକୁଆ ପ୍ରସଙ୍ଗରେ ଦୁଇ ଜଣ ମନ୍ତ୍ରୀ ହାଲୁକା ମନ୍ତବ୍ୟ ଦେଇଥିଲେ।  ପୁଣି ବିଜୁ ପଟ୍ଟନାୟକ ନାମରେ ପ୍ରଚଳିତ କ୍ରୀଡ଼ା ସମ୍ମାନର ନାମ ପରିବର୍ତ୍ତନ କରିବାକୁ କ୍ରୀଡ଼ା ବିଭାଗ ବିଜ୍ଞପ୍ତି ଜାରି କରିଥିଲା। କିନ୍ତୁ ବିରୋଧ ହେବାରୁ ନିଜେ ମୁଖ୍ୟମନ୍ତ୍ରୀ ସେଥିରେ ହସ୍ତକ୍ଷେପ କଲେ ଏବଂ ନାମ ଅପରିବର୍ତ୍ତିତ ରହିଲା। ଅଧିକାଂଶ ମନ୍ତ୍ରୀ ଯେଉଁପରି ଭାବେ ଗଣମାଧ୍ୟମରେ ବିବୃତି ଦେଉଛନ୍ତି, ସେହି ମାତ୍ରାରେ କାର୍ଯ୍ୟ ଏ  ଯାଏ ଲୋକ ଅନୁଭବ କରିନାହାନ୍ତି।  

କଂଗ୍ରେସର ଆସନ ବଢ଼ିଲା, ଭୋଟ୍‌ କମିଲା

xxxcc

ଓଡ଼ିଶାରେ ୨୦୦୦ ମସିହାରୁ ଶାସନ କ୍ଷମତାରେ ନ ଥିବା କଂଗ୍ରେସ ୨୦୨୪ ନିର୍ବାଚ‌ନରେ ଭଲ ପ୍ରଦର୍ଶନ କରିପାରେ ବୋଲି ଅନୁମାନ କରାଯାଉଥିଲା। କାରଣ ସରକାର ବିରୋଧୀ ହାୱାକୁ ବିରୋଧୀ ବିଜେପି ଓ କଂଗ୍ରେସ ବିଧାନସଭା କ୍ଷେତ୍ରରେ ଭୋଟ୍‌ରେ ରୂପାନ୍ତରିତ କରିବେ ବୋଲି ରାଜନୈତିକ ବିଶେଷଜ୍ଞମାନେ ମତ ରଖିଥିଲେ। ତେବେ ବିରୋଧୀ ବ‌ିଜେପି ଠିକଣା ଢଙ୍ଗରେ ନିର୍ବାଚନ ପରିଚାଳନା କରି ଶାସନ କ୍ଷମତାକୁ ଆସିଥିବା ବେଳେ କଂଗ୍ରେସ ପଛରେ ରହିଯାଇଛି। ଯଦିଓ କଂଗ୍ରେସର ବିଧାୟକ ସଂଖ୍ୟା ବଢ଼ିଛି, ହେଲେ ଭୋଟ୍‌ ହାର କମିଛି। ୨୦୧୯ ମସିହାରେ କଂଗ୍ରେସକୁ ବିଧାନସଭାରେ ୯ଟି ଆସନ ମିଳିଥିଲା। ଏଥର ଆସନ ସଂଖ୍ୟା ବୃଦ୍ଧି ପାଇ ୧୪ରେ ପହଞ୍ଚିଛି। ଗତ ନିର୍ବାଚନରେ କଂଗ୍ରେସକୁ ବିଧାନସଭ‌ାରେ ୧୬.୧୨% ଭୋଟ୍‌ ମିଳିଥିବା ବେଳେ ଚଳିତବର୍ଷ ନିର୍ବାଚନରେ ଏହା ୧୩.୨୬%କୁ ଖସି ଆସିଛି। ମୋଟାମୋଟି ଭାବେ କଂଗ୍ରେସର ଭୋଟ୍‌ ହାରରେ ୨.୮% ହ୍ରାସ ଘଟିଛି। ଅଧିକାଂଶ ସ୍ଥାନରେ କଂଗ୍ରେସ ପ୍ରାର୍ଥୀ ଅମାନତ ହରାଇଛନ୍ତି। ତେବେ ଗତଥର ଭଳି ଏଥର ମଧ୍ୟ କଂଗ୍ରେସ କୋରାପୁଟ ‌ଲୋକସଭା ଆସନ ଜିଣିବାରେ ସକ୍ଷମ ହୋଇଛି। ନିର୍ବାଚନ ପରେ କଂଗ୍ରେସ ବିଧାୟକ ଦଳ ନେତା କିଏ ହେବ, ତାହାକୁ ନେଇ ଟଣାଓଟରା ବି ଚାଲିଲା। ଦୌଡ଼ରେ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ଓ ପଟ୍ଟାଙ୍ଗୀ ବିଧାୟକ ରାମଚନ୍ଦ୍ର କାଡ଼ାମ ନାମ ଚର୍ଚ୍ଚାରେ ଥିଲେ। ବରି‌ଷ୍ଠତା ଓ ଅଭିଜ୍ଞତା ଦୃଷ୍ଟିରେ ଶ୍ରୀ ବାହିନୀପତି ଆଗରେ ଥିଲେ। ସେ ପାଞ୍ଚ ଥର ବିଧାନସଭାକୁ ପ୍ରତିନିଧିତ୍ବ କରିଥିଲା ବେଳେ କାଡ଼ାମ ତିନି ଥର ଜିତିଥିଲେ। କିନ୍ତୁ ଶେଷରେ କଂଗ୍ରେସ ଆଦିବାସୀ କାର୍ଡ ଖେଳିଥିଲା। ଯେହେତୁ ବିଜେପି ଆଦିବାସୀ ନେତାଙ୍କୁ ମୁଖ୍ୟମନ୍ତ୍ରୀ ପଦବି ପାଇଁ ବାଛିଥିଲା, ତେଣୁ କଂଗ୍ରେସ ମଧ୍ୟ ସେହି ରାସ୍ତା ଆପଣାଇଥିଲା। ରାମଚନ୍ଦ୍ର କାଡ଼ାମ କଂଗ୍ରେସ ବିଧାୟକ ଦଳ ନେତା ଭାବେ ନିର୍ବାଚିତ ହେଲେ।