କମାଲ ଓ କାରନାମାର ଛକାପଞ୍ଝା ଭିତରେ ବିଦାୟ ନେବାକୁ ଯାଉଛି ୨୦୨୪ କ୍ରୀଡ଼ା କ୍ୟାଲେଣ୍ଡର। ନୂଆ ବର୍ଷ, ନୂଆ ଉନ୍ମାଦନା ଏବଂ ନୂଆ ଆଶା, ଆକାଂକ୍ଷା ଭିତରେ ଭାରତୀୟ କ୍ରୀଡ଼ା ଜଗତ ସଫଳତାର ନୂଆ ସ୍ତର ଛୁଇଁବାର ସ୍ବପ୍ନ କ୍ରୀଡ଼ାପ୍ରେମୀଙ୍କ ମନକୁ ଯେତିକି ଉଲ୍ଲସିତ କରୁଛି, ଲକ୍ଷ୍ୟଚ୍ୟୁତ ହେବାର ଆଶଙ୍କା ବି ସେତିକି ଆନ୍ଦୋଳିତ କରୁଛି। କାରଣ ‘୨୦୨୪’ର ଖେଳ ପଡ଼ିଆରେ ଖେଳାଳିଙ୍କୁ ନେଇ ଯେତିକି ଚର୍ଚ୍ଚା ହୋଇଥିଲା ତା’ଠାରୁ ଅଧିକ ବିବାଦ ଓ ବିତର୍କ ସୃଷ୍ଟି ହୋଇଥିଲା। ବିଦାୟୀବର୍ଷର କିଛି ବିଶିଷ୍ଟ ସଫଳତା କିନ୍ତୁ ଭାରତୀୟ କ୍ରୀଡ଼ା ଜଗତର ଆତ୍ମବଳକୁ ଦୋହଲିବାକୁ ଦେଇନି। ଟ୍ବେଣ୍ଟି-୨୦ ବିଶ୍ବକପ୍ ବିଜୟ ସହ ଭାରତୀୟ ହକି ଦଳର ଐତିହାସିକ ପ୍ରଦର୍ଶନ ସବୁଦିନ ପାଇଁ ଅବିସ୍ମରଣୀୟ ହୋଇଯାଇଛି। ଅଲିମ୍ପିକ୍ସରେ ମନୁ ଭାକର ଏବଂ ଚେସ୍ ବୋର୍ଡର ଚଉଷଠି ଘର ଭିତରେ କିଶୋର କ୍ରୀଡ଼ାବିତ୍ ଆର୍. ପ୍ରଜ୍ଞାନନ୍ଦ, ଡି ଗୁକେଶ ଓ ଆର, ବୈଶାଳୀଙ୍କ ଭଳି ଖେଳାଳିଙ୍କ ପ୍ରଭାବଶାଳୀ ପ୍ରଦର୍ଶନ ନୂଆ ଭରସା ଓ ଉତ୍ସାହ ଭରିଛି। ପିଆର୍ ଶ୍ରୀଜେଶ ଓ ସୁନୀଲ ଛେତ୍ରୀଙ୍କ ସହ ଟ୍ବେଣ୍ଟି-୨୦ରୁ ବିରାଟ କୋହଲି ଓ ରୋହିତ ଶର୍ମାଙ୍କ ଅବସର ଭାରତୀୟ କ୍ରୀଡ଼ା ଦୁନିଆରେ ବିରାଟ ଶୂନ୍ୟସ୍ଥାନ ସୃଷ୍ଟି କରିଛି। ଚାମ୍ପିଅନ୍ସ ଟ୍ରଫିକୁ ନେଇ ଟଣାଓଟରା କ୍ରିକେଟ୍ ଜଗତକୁ ଚିନ୍ତାରେ ପକାଇଛି। ତେବେ ବୈଭବ ସୂର୍ଯ୍ୟବଂଶୀ ଓ ତନ୍ବୀ ପତ୍ରୀଙ୍କ ଭଳି କୁନି କୃତିବିତ୍ଙ୍କ ଆବିର୍ଭାବ ଅସୁମାରି ଆଶାର ପ୍ରତିଶ୍ରୁତି ନେଇ ଆସିଛି। ସେଥିପାଇଁ ‘୨୦୨୫’ରେ ଭାରତୀୟ ତାରକାମାନେ ବିଶ୍ବ କ୍ରୀଡ଼ା ଆକାଶରେ ଆହୁରି ଚମକିବାର ସମ୍ଭାବନାକୁ ଆଦୌ ଟାଳି ଦିଆଯାଇ ନପାରେ।
ମନୁ ମହାନ
ମହିଳା ସୁଟର ମନୁ ଭାକର ଭାରତୀୟ କ୍ରୀଡ଼ାର ନୂଅା ପୋଷ୍ଟର ଗାର୍ଲ ଭାବେ ଉଭା ହୋଇଥିଲେ। ପ୍ୟାରିସ୍ ଅଲିମ୍ପିକ୍ସରେ ରେକର୍ଡ କରିବା ପରେ ସାରା ଦେଶରେ ଯେମିତି ସେ ଧୁମ୍ ମଚାଇଥିଲେ। ଟେଲିଭିଜନ୍ ପରଦାଠାରୁ ରୢାମ୍ପ୍ ୱାକ୍ ପର୍ଯ୍ୟନ୍ତ ବର୍ଷ ସାରା ତାଙ୍କ ସଫଳତାର ଉତ୍ସବ ପ୍ରଶଂସକ ପାଳିଥିଲେ। ମନୁ ପ୍ରଥମ ଭାରତୀୟ ମହିଳା ଭାବେ ଗୋଟିଏ ଅଲିମ୍ପିକ୍ସରେ ଦୁଇଟି ପଦକ ଜିତିଥିଲେ। ସେ ମଧ୍ୟ ଅଲିମ୍ପିକ୍ସ ସୁଟିଂରୁ ପଦକ ଜିତିବାରେ ପ୍ରଥମ ଭାରତୀୟ ମହିଳା ହୋଇଥିଲେ।
‘ହିଲ୍’ ଫେରିଲା
୭ବର୍ଷ ପରେ ହକି ଇଣ୍ଡିଆ ଲିଗ୍ (ହିଲ୍)ର ପ୍ରତ୍ୟାବର୍ତ୍ତନ ଭାରତୀୟ ହକି ପାଇଁ ବହୁତ ବଡ଼ ଭଲ ଖବର ଥିଲା। ପୁରୁଷ ଲିଗ୍ ସହ ମହିଳା ଲିଗ୍ ଘୋଷଣା କରି ହକି ଇଣ୍ଡିଆ ନୂଆ ଯୁଗର ଆରମ୍ଭ କରିଥିଲା। ଭାରତୀୟ ହକି ଦଳ ବି ଉଚ୍ଚକୋଟୀର ପ୍ରଦର୍ଶନ କରିଥିଲା। ଅଧିନାୟକ ହର୍ମନପ୍ରୀତ୍ ସିଂହ ଏବଂ କିଂବଦନ୍ତି ଗୋଲ୍ରକ୍ଷକ ପିଆର୍ ଶ୍ରୀଜେଶ ଏଫ୍ଆଇଏଚ୍ ବର୍ଷର ଶ୍ରେଷ୍ଠ ଖେଳାଳି ପୁରସ୍କାର ଲାଭ କରିବା ଭାରତୀୟ ହକି ପାଇଁ ଗୌରବମୟ ଅଧ୍ୟାୟ ଥିଲା। ହର୍ମନପ୍ରୀତ୍ ସିଂହ ପୁରୁଷ ଦଳକୁ ବଳିଷ୍ଠ ନେତୃତ୍ବ ପ୍ରଦାନ କରିଥିଲା ବେଳେ ସଲିମା ଟେଟେଙ୍କ ନେତୃତ୍ବରେ ଭାରତୀୟ ମହିଳା ହକି ଦଳ ମଧ୍ୟ ତାର ପୁରୁଣା ଚମକ ଫେରି ପାଇବା ଦିଗରେ ଦ୍ରୁତ ଗତିରେ ଅଗ୍ରସର ହୋଇଥିଲା।
ବାର୍ବାଡସ୍ରେ ବିଶ୍ବ ଦଖଲ
ବାର୍ବାଡସ୍ରେ ଭାରତ ବିଶ୍ବ ଦଖଲ କରିଛି। ପୁଣି ଥରେ ଟ୍ବେଣ୍ଟି-୨୦ ବିଶ୍ବକପ୍ ଜିତିବାର ବହୁ ପ୍ରତୀକ୍ଷିତ ଆଶା ୧୭ ବର୍ଷ ପରେ ପୂରଣ ହୋଇଛି। ରୋମାଞ୍ଚକ ଫାଇନାଲ୍ରେ ଦକ୍ଷିଣ ଆଫ୍ରିକାକୁ ମାତ୍ର ୭ ରନ୍ରେ ପରାସ୍ତ କରି ଭାରତ ଯେତେବେଳେ ଦ୍ବିତୀୟ ଥର ଟ୍ବେଣ୍ଟି-୨୦ ବିଶ୍ବକପ୍ର ଆକର୍ଷଣୀୟ ଟ୍ରଫି ତୋଳି ଧରିଥିଲା ପୂରା ଦେଶ ଯେମିତି ଉତ୍ସବମୁଖର ହୋଇଉଠିଥିଲା। ଆମେରିକାରେ ନାଟକୀୟ ଭାବେ ଭାରତ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ପାକିସ୍ଥାନକୁ ହରାଇବା ମଧ୍ୟ ପ୍ରଶଂସକଙ୍କ ହୃଦୟ ଜିତି ନେଇଥିଲା। ଦୁଇ ଥର ଟ୍ବେଣ୍ଟି-୨୦ ବିଶ୍ବକପ୍ ଜିତିଥିବା ୱେଷ୍ଟଇଣ୍ଡିଜ୍ ଓ ଇଂଲଣ୍ଡ ସହ ନିଆରା କ୍ଲବ୍ରେ ସାମିଲ ହୋଇଥିଲା ଭାରତ। ଇଂଲଣ୍ଡ, ବାଂଲାଦେଶକୁ ହରାଇଥିବା ଭାରତୀୟ କ୍ରିକେଟ୍ ଦଳ ଘରୋଇ ପରିବେଶରେ ପ୍ରଥମ ଥର ନ୍ୟୁଜିଲାଣ୍ଡଠାରୁ ମୂଳପୋଛ ହେବାର ଅଲୋଡ଼ା ରେକର୍ଡ ଅବଶ୍ୟ ପାଇଥିଲା। ତେବେ ବର୍ଡର-ଗାଭାସ୍କର ଟ୍ରଫି ଅନ୍ତର୍ଗତ ପର୍ଥରେ ଐତିହାସିକ ବିଜୟ ହାସଲ କରି ଏହି ଦୁଃଖକୁ ଦୂର କରିଥିଲା। ଅଭିଷେକ ଶର୍ମାଙ୍କ ଭଳି ଖେଳାଳିଙ୍କ ଆବିର୍ଭାବ ଏବଂ ୫୦୦ ଦିନ ପରେ କିଙ୍ଗ୍ କୋହଲି ଶତକ ହାସଲ କରିବା ଭାରତୀୟ କ୍ରିକେଟ୍ ପାଇଁ ଆଉ ଏକ ଭଲ ଖବର ହୋଇଥିଲା। ବିସିସିଆଇ ସଂପାଦକ ଭାବେ ବେଶ୍ ପ୍ରଶଂସନୀୟ କାର୍ଯ୍ୟ କରିଥିବା ଜୟ ଶାହ ବର୍ଷ ଶେଷ ଆଡ଼କୁ ଆଇସିସିର ଅଧ୍ୟକ୍ଷ ପଦ ଅଳଙ୍କୃତ କରିବା ଭାରତୀୟ କ୍ରିକେଟ୍ ପାଇଁ ମର୍ଯ୍ୟାଦାଜନକ ଖବର ହୋଇଥିଲା। ବର୍ଷ ଶେଷ ବେଳକୁ ଟିମ୍ ଇଣ୍ଡିଆ ଟେଷ୍ଟ୍ରେ ଦ୍ବିତୀୟ ଏବଂ ଟ୍ବେଣ୍ଟି-୨୦ ଓ ଦିନିକିଆରେ ପ୍ରଥମ ସ୍ଥାନରେ ରହିଥିଲା।
ଅଲିମ୍ପିକ୍ସରେ ଅଳ୍ପ ଖୁସି, ଅନେକ ଅବସୋସ୍
ପ୍ୟାରିସ୍ ଅଲିମ୍ପିକ୍ସରେ ଭାରତର ପଦକ ବିଜୟ ମାତ୍ର ୬ରେ ସୀମିତ ରହିଥିଲା। ୧୧୦ଜଣିଆ ଦଳ କେବଳ ଗୋଟିଏ ରୌପ୍ୟ ଓ ୫ଟି କାଂସ୍ୟ ପଦକ ଜିତି ୭୧ତମ ସ୍ଥାନରେ ଅଭିଯାନ ଶେଷ କରିଥିଲା। ପୁରୁଷ ଜାଭଲିନରେ ନୀରଜ ଚୋପ୍ରା ରୌପ୍ୟ, ମନୁ ଭାକର ମହିଳା ୧୦ ମିଟର ଏୟାର ପିସ୍ତଲର ବ୍ୟକ୍ତିଗତ ଓ ମିଶ୍ରିତ ବର୍ଗରେ ସରବଜୋତ ସିଂହଙ୍କ ସହ ମିଶି କାଂସ୍ୟ ପଦକ ପାଇଥିଲେ। ୫୦ ମିଟର ରାଇଫଲ୍ ଥ୍ରୀ ପୋଜିସନ୍ରେ ସ୍ବପ୍ନିଲ କୁଶାଲେ ଓ ୫୭ କିଲୋଗ୍ରାମ ଫ୍ରିଷ୍ଟାଇଲ୍ କୁସ୍ତିରେ ଅମନ ସେରାୱତ୍ କାଂସ୍ୟ ପଦକ ଜିତି ଦେଶର ସମ୍ମାନ ରଖିଥିଲେ। ଭାରତୀୟ ହକି ଦଳ ମଧ୍ୟ ଲଗାତାର କାଂସ୍ୟ ଜିତିବାର ଅନନ୍ୟ ସଫଳତା ଲାଭ କରିଥିଲା। ତୀରନ୍ଦାଜ, ଦୌଡ଼କୁଦ, ବ୍ୟାଡ୍ମିଣ୍ଟନ୍, ମୁଷ୍ଟିଯୁଦ୍ଧ, ଟେନିସ୍, ଭାରୋତ୍ତୋଳନରେ ଭାରତୀୟ ଖେଳାଳି ଅତ୍ୟନ୍ତ ଖରାପ ପ୍ରଦର୍ଶନ କରିଥିଲେ। ମହିଳା ୫୦ କିଲୋଗ୍ରାମ କୁସ୍ତିର ଠିକ୍ ଫାଇନାଲ୍ ପୂର୍ବରୁ ଭିନେଶ ଫୋଗଟ ଅଯୋଗ୍ୟ ଘୋଷିତ ହେବା ଭାରତୀୟ କ୍ରୀଡ଼ା ପାଇଁ ଲଜ୍ଜାଜନକ ଖବର ଥିଲା।
୩୬ ପାଇଁ ୨୪ରେ ମୂଳଦୁଆ
୨୦୩୬ରେ ଅଲିମ୍ପିକ୍ସ ଆୟୋଜନ ସ୍ବପ୍ନକୁ ସାକାର କରିବା ଦିଗରେ ଭାରତ ଏବର୍ଷ ଏକ ବଡ଼ ପାଦ ଆଗକୁ ବଢ଼ାଇଥିଲା। ଅନ୍ତର୍ଜାତୀୟ ଅଲିମ୍ପିକ୍ସ କମିଟିକୁ ଆଗ୍ରହ ପତ୍ର ପଠାଇଥିଲା। ସର୍ବାଧିକ ଜନସଂଖ୍ୟା ବିଶିଷ୍ଟ ଦେଶରେ ଅଲିମ୍ପିକ୍ସ ଆୟୋଜନର ମୂଳଦୁଆ ପଡ଼ିବା ଭାରତୀୟ କ୍ରୀଡ଼ା ପାଇଁ ଅନ୍ୟତମ ବଡ଼ ଖବର ଥିଲା।
ସୁନୀଲ-ଶ୍ରୀଜେଶଙ୍କ ସନ୍ନ୍ୟାସ
ଦୁଇ ମହାନ ତାରକା ପିଆର ଶ୍ରୀଜେଶ ଓ ସୁନୀଲ ଛେତ୍ରୀ ହକି ଓ ଫୁଟବଲ୍ରୁ ସନ୍ନ୍ୟାସ ନେଇଥିଲେ। ଦୁଇ ଦଶନ୍ଧିର କ୍ରୀଡ଼ା କ୍ୟାରିୟର୍ ମଧ୍ୟରେ ଶ୍ରୀଜେଶ ଦେଶ ପାଇଁ ମାଳମାଳ ପଦକ ଜିତିଛନ୍ତି। ଅଲିମ୍ପିକ୍ସ, ବିଶ୍ବକପ୍, ଏସୀୟ କ୍ରୀଡ଼ା, ରାଜ୍ୟଗୋଷ୍ଠୀ କ୍ରୀଡ଼ା ସବୁଠି ସେ ନିଜ ଛାପ ଛାଡ଼ିଛନ୍ତି। ସେହିଭଳି ସୁନୀଲ ମଧ୍ୟ ବାଇଚୁଙ୍ଗ ଭୂତିଆଙ୍କ ପରେ ଭାରତୀୟ ଫୁଟବଲ୍ ଦଳର ପୋଷ୍ଟର ବଏ ପାଲଟିଥିଲେ। ଇଣ୍ଡିଆନ୍ ସୁପର ଲିଗ୍ର ସେ ସର୍ବାଧିକ ଗୋଲ୍ ସ୍କୋରର୍। ସେହିଭଳି ଅନ୍ତର୍ଜାତୀୟ ଫୁଟବଲ୍ରେ ଚତୁର୍ଥ ସର୍ବାଧିକ ଗୋଲ୍ ଦେଇଥିବା ଖେଳାଳି। ଖେଳ ପଡ଼ିଆରେ ଏହି ଦୁଇ ଜଣଙ୍କ ଅନୁପସ୍ଥିତିକୁ ଭାରତୀୟ କ୍ରୀଡ଼ାପ୍ରେମୀ ସବୁବେଳେ ଅନୁଭବ କରିବେ।
ହୃଦୟ ଜିତିଲେ ପାରାଅାଥ୍ଲେଟ୍
ପ୍ୟାରିସ୍ ପାରାଲିମ୍ପିକ୍ସରେ ଭାରତୀୟ କ୍ରୀଡ଼ାବିତ୍ମାନେ ରେକର୍ଡ ସଂଖ୍ୟକ ପଦକ ଜିତି ସମସ୍ତଙ୍କ ହୃଦୟ ଜିତି ନେଇଥିଲେ। ଭାରତ ଏଥର ପାରାଲିମ୍ପିକ୍ସ ଇତିହାସର ସର୍ବାଧିକ ୨୯ ପଦକ (୭ ସ୍ବର୍ଣ୍ଣ, ୯ ରୌପ୍ୟ, ୧୩ କାଂସ୍ୟ ପଦକ ଜିତିଥିଲା)। ଭାରତର ସବୁଠୁ ବଡ଼ ୮୪ଜଣିଆ ଦଳ ବି ଅଂଶଗ୍ରହଣ କରିଥିଲା। ଅବନୀ ଲେଖରା ପ୍ରଥମ ଭାରତୀୟ ଭାବେ କୌଣସି ପାରାଲିମ୍ପିକ୍ସରେ ଦୁଇଟି ସ୍ବର୍ଣ୍ଣ ପଦକ ଜିତିଥିଲେ। ଧରମବୀର ଓ ପର୍ଣ୍ଣବ ସୁର୍ମା (ପୁରୁଷ କ୍ଲବ୍ ଥ୍ରୋ’)ଙ୍କ ରୂପରେ ପ୍ରଥମ ଥର ପାଇଁ ଭାରତ ପାରାଲିମ୍ପିକ୍ସରେ ୱାନ୍-ଟୁ ଫିନିସ୍ ପାଇଥିଲା। ସୁମିତ ଅନ୍ତିଲ ପ୍ରଥମ ଭାରତୀୟ ଭାବେ ନିଜ ଟୋକିଓ ସ୍ବର୍ଣ୍ଣ ପଦକ ବଜାୟ ରଖିଥିଲେ। ଏଫ୍୪୧ରେ ନଭଦୀପ ସିଂହ ସ୍ବର୍ଣ୍ଣିମ ସଫଳତା ପାଇବା ଦେଶ ପାଇଁ ଗର୍ବର ବିଷୟ ହୋଇଥିଲା।
ଡୋପ୍ ଟେଷ୍ଟ୍ ପାଇଁ ନମୁନା ଦେବାକୁ ମନାକରି ଅଲିମ୍ପିକ୍ସ ପଦକ ବିଜୟୀ କୁସ୍ତି ତାରକା ବଜରଙ୍ଗ ପୁନିଆ ଜାତୀୟ ଡୋପିଂ ନିରୋଧୀ ସଂସ୍ଥାନ (ନାଡା) ଦ୍ବାରା ୪ବର୍ଷ ବାସନ୍ଦ ହେବା ଭାରତୀୟ କୁସ୍ତି ଜଗତକୁ ଦୋହଲାଇ ଦେଇଥିଲା। ରାଜନୈତିକ ଆକ୍ରୋଶ ପାଇଁ ତାଙ୍କୁ ବାସନ୍ଦ କରାଯାଇଥିବା ବଜରଙ୍ଗ ଅଭିଯୋଗ ଆଣି ମାମଲାକୁ ଭିନ୍ନ ରୂପ ଦେବାକୁ ଚେଷ୍ଟା କରିଥିଲେ। ତେବେ ବଜରଙ୍ଗ ନମୁନା ଦେବାରେ ଆଦୌ ସହଯୋଗ କରି ନଥିଲେ ବୋଲି କହି ନାଡା ତାଙ୍କ ମୁହଁ ବନ୍ଦ କରି ଦେଇଥିଲା। ସେହିଭଳି ଅଲିମ୍ପିକ୍ସ ପଦକ ବିଜୟିନୀ ସାକ୍ଷୀ ମଲ୍ଲିକ ନିଜ ଆତ୍ମଜୀବନୀରେ ଭିନେଶ ଫୋଗଟ ଓ ବଜରଙ୍ଗଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣି ହଇଚଇ ସୃଷ୍ଟି କରିଥିଲେ।
ପନ୍ତ,ବୈଭବଙ୍କ ବଡ଼ ଲମ୍ଫ
ବିହାରର ୧୩ବର୍ଷୀୟ ବିସ୍ମୟ ବାଳକ ବୈଭବ ସୂର୍ଯ୍ୟବଂଶୀଙ୍କୁ ରାଜସ୍ଥାନ ରୟାଲ୍ସ ୧.୧ କୋଟି ଟଙ୍କାରେ କିଣିବା ପରେ ସେ ରାତାରାତି ହିରୋ ପାଲଟିଯାଇଥିଲେ। ଋଷଭ ପନ୍ତ (୨୭ କୋଟି) କିନ୍ତୁ ସବୁଠୁ ଦାମୀ ଖେଳାଳିର ରେକର୍ଡ କରିଥିଲେ। ସୂର୍ଯ୍ୟବଂଶୀ ଅବଶ୍ୟ ଆଇପିଏଲ୍ ଇତିହାସର ସର୍ବକନିଷ୍ଠ ଖେଳାଳି ଭାବେ କିଣାବିକା ହୋଇଥିଲେ।
ନୀରଜଙ୍କ ପାଇଁ ନୂଆ ଆହ୍ବାନ
ଜାଭଲିନ୍ କିଂବଦନ୍ତି ନୀରଜ ଚୋପ୍ରାଙ୍କ ପାଇଁ ପାକିସ୍ତାନର ଅର୍ସଦ ନଦୀମ ପ୍ୟାରିସ୍ରେ ନୂଆ ଆହ୍ବାନ ଭାବେ ଉଭା ହୋଇଥିଲେ। ୯୨.୯୭ ମିଟର ଦୂରତାକୁ ଜାଭଲିନ୍ ଫିଙ୍ଗି ନଦୀମ କେବଳ ପ୍ୟାରିସ୍ ଅଲିମ୍ପିକ୍ସର ସ୍ବର୍ଣ୍ଣ ପଦକ ଜିତି ନଥିଲେ। ବରଂ ନୂଆ ଅଲିମ୍ପିକ୍ସ କୀର୍ତ୍ତିମାନ ସ୍ଥାପନ କରିଥିଲେ। ଅନ୍ୟପକ୍ଷରେ ୮୯.୪୫ ମିଟରର ଥ୍ରୋ’ ସହ ନୀରଜ ରୌପ୍ୟ ପଦକରେ ସନ୍ତୁଷ୍ଟ ରହିଥିଲେ। ଫଳରେ ତାଙ୍କ ଲଗାତାର ଅଲିମ୍ପିକ୍ସ ସ୍ବର୍ଣ୍ଣ ଜିତିବା ସ୍ବପ୍ନ ଧୂଳିସାତ୍ ହୋଇଯାଇଥିଲା। ତେବେ କୁସ୍ତି ତାରକା ସୁଶୀଲ କୁମାର ଓ ପିଭି ସିନ୍ଧୁଙ୍କ ପରେ ଦୁଇଟି ଭିନ୍ନ ଭିନ୍ନ ଅଲିମ୍ପିକ୍ସରେ ଦୁଇଟି ପଦକ ଜିତିବାରେ ତୃତୀୟ ଭାରତୀୟ ହୋଇଥିଲେ ନୀରଜ।