ନାକେଦମ୍‌ କଲେ ସିନ୍ଧିଚୋର। ସହର ଜଗିବା ବେଳକୁ ଉପକଣ୍ଠରେ ମାତିଲେ। ଉପକଣ୍ଠ ଜଗିବା ବେଳକୁ ସହରରେ ମାତିଲେ। ଲୋକେ କଷ୍ଟ ଅର୍ଜିତ ଧନସମ୍ପତ୍ତି ହରାଇଲେ। ଏହାସହ ପୁଲିସର ପାରିବା ପଣିଆ ଉପରେ ପ୍ରଶ୍ଚଚିହ୍ନ ଲାଗିଲା। କେବଳ ସିନ୍ଧିଚୋରି ନୁହେଁ, ବରଂ ହତ୍ୟା, ଦୁଷ୍କର୍ମ ଭଳି ବଡ଼ବଡ଼ ଘଟଣା ବର୍ଷସାରା ଯନ୍ତ୍ରଣା ଦେଲା। କେଉଁଠି ସାଇବର ଠକ ଲୋକଙ୍କୁ ଲୁଟିଲେ ତ ଆଉ କେଉଁଠି ୯୯ ମହିଳାଙ୍କୁ ପ୍ରେମ ଜାଲରେ ଫସାଇବା ଭଳି ଘଟଣା ଚର୍ଚ୍ଚାକୁ ଆସିଥିଲା। ହୁଗୁଳା ଜେଲ୍‌ ସୁରକ୍ଷାକୁ ନେଇ ବି ତମ୍ବିତୋଫାନ କିଛି କମ୍‌ ନଥିଲା।

Advertisment

ସବୁକୁ ବଳିଗଲା ଟ୍ରାଫିକ୍‌ ଯନ୍ତ୍ରଣା
ବର୍ଷ ସାରା କନ୍ଦାଇଥିଲା ଟ୍ରାଫିକ୍‌ ଯନ୍ତ୍ରଣା। ଯିଏ ଥରେ ଟ୍ରାପିକ୍‌ ଜାମ୍‌ରେ ଫସିଥିଲା ସେ ଘରୁ ବାହାରିବାକୁ ଡରୁଥିଲା। ସନ୍ଧ୍ୟାବେଳେ କିମ୍ବା ପର୍ବପର୍ବାଣୀରେ ନୁହେଁ, ବରଂ ଏହା ନିତିଦିନିଆ ହୋଇଥିଲା। ଯେଉଁଠି ଆମ୍ବୁଲାନ୍ସ୍‌ ଓ ଦମକଳ ଭଳି ଜରୁରିକାଳୀନ ଗାଡ଼ି ଘଣ୍ଟା ଘଣ୍ଟା ଛିଡ଼ା ହେଉଥିଲା; ସେଠାରେ ସାଧାରଣ ଲୋକଙ୍କ କଥା ଅନୁମାନ କରିହେଉଥିଲା। ବଡ଼କଥା ହେଲା ବଡ଼ବଡ଼ିଆଙ୍କ ଗସ୍ତରେ ସୁରକ୍ଷା ଓ ଟ୍ରାଫିକ୍‌ ଶୃଙ୍ଖଳାରେ ବ୍ୟସ୍ତ କମିସନରେଟ୍‌ ପୁଲିସ ଏହି ସମସ୍ୟାର ସମାଧାନ ପାଇଁ ହାତ‌ ଟେକି ଦେଇଥିଲା।

କମିସନରେଟ୍‌ ପୁଲିସର ନବକଳେବର
ଗୋଟିଏ ବର୍ଷରେ ଭୁବନେଶ୍ବର ଦୁଇଦୁଇ ଜଣ ପୁଲିସ କମିସନର୍‌ ଦେଖିଛି। ସଞ୍ଜୀବ ପଣ୍ଡାଙ୍କ କାର୍ଯ୍ୟକାଳର ୮ମାସ ମଧ୍ୟରେ ସରକାର ବଦଳିବା ପରେ ସୁରେଶ ଦେବଦତ୍ତ ସିଂହ ଟ୍ବିନ୍‌ ସିଟିର ନୂଆ ମୁଖିଆ ହୋଇଥିବା ବେଳେ ଭୁବନେଶ୍ବର ମୁଖିଆ(ଡିସିପି) ମଧ୍ୟ ବଦଳିଛନ୍ତି। ପିନାକ ମିଶ୍ର ଭୁବନେଶ୍ବର ଡିସିପି ହୋଇଛନ୍ତି। ହେଲେ ଅପରାଧ ନିୟନ୍ତ୍ରଣରେ ସେଭଳି ଆଖିଦୃଶିଆ ସଫଳତା ମିଳିନାହିଁ।
ବିବାଦରେ ଆଇପିଏସ୍‌
ରାଜେଶ ଉତ୍ତମରାଓ ପଣ୍ଡିତ ଜୁଲାଇ ୨୭ରେ ଜଣେ ମହିଳା ଇନ୍‌ସ୍ପେକ୍ଟରଙ୍କ ଘରେ ପଶି ଦୁର୍ବ୍ୟବହାର କରିବା ଘଟଣା ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଥିଲା। ଯାହାକୁ ନେଇ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଥିଲା। ଚାକରିରୁ ନିଲମ୍ବନ ହୋଇଥିଲେ।
ପୁଲିସକୁ ଡର ଭରତପୁର
ସେପ୍ଟେମ୍ବର ୧୫। ଭରତପୁର ଥାନା ପାଇଁ ଥିଲା କଳା ଦିବସ। କ୍ୟା‌ପ୍‌ଟେନ୍‌ ଓ ତାଙ୍କ ବାନ୍ଧବୀଙ୍କ ପ୍ରସଙ୍ଗରେ ସାରା ରାଜ୍ୟରେ ବିବାଦକୁ ଆସିଥିଲା ଏହି ଥାନା। ସେନା ଓ ପୁଲିସ ମଧ୍ୟରେ ମୁହାଁମୁହିଁ ସ୍ଥିତି ହୋଇଥିଲା। ଥାନା ଅଧିକାରୀଙ୍କ ସମେତ ୫ଜଣ କାର୍ଯ୍ୟାନୁଷ୍ଠାନର ଶିକାର ହେଲେ। ମାମଲା କ୍ରାଇମବ୍ରାଞ୍ଚକୁ ବି ଗଲା।

ddadad

 

୨୮ ଦିନରେ ରାୟ
ଶ୍ରୀଲିଙ୍ଗରାଜ ମନ୍ଦିରରେ ବିଦେଶିନୀଙ୍କୁ ଅସଦାଚରଣ ମାମଲାର ରାୟ ୨୮ ଦିନରେ ପ୍ରକାଶ ପାଇଥିଲା। ଅଭିଯୁକ୍ତକୁ ୧୮ ମାସ ଜେଲ୍‌ଦଣ୍ଡ ହୋଇଥିଲା। ଫେବ୍ରୁଆରି ୧୯ ତାରିଖରେ ଘଟଣା ଘଟିଥିଲା। ୪ଦିନରେ ଶ୍ରୀଲିଙ୍ଗରାଜ ଥାନା ପୁଲିସ ଚାର୍ଜସିଟ୍‌ ଦାଖଲ କରିଥିଲା। ୨୬ ଫେବ୍ରୁଆରିରେ ମାମଲାର ବିଚାର ଆରମ୍ଭ ହୋଇ ମାର୍ଚ୍ଚ ୨୬ ତାରିଖରେ ରାୟ ପ୍ରକାଶ ପାଇଥିଲା। ଏଭଳି ଘଟଣା ଓଡ଼ିଶାରେ ପ୍ରଥମ ବୋଲି କୁହାଯାଉଛି।
ଯୁବପିଢ଼ିଙ୍କ ଚରମ ନିଷ୍ପତ୍ତି
ପ୍ରେମ ହେଉ କି ପାଠପଢ଼଼ାରେ ବିଫଳତା କିମ୍ବା କାମ ଚାପ। ପାରିବାରିକ କଳହ ହେଉ କି ଆର୍ଥିକ ଅନଟନ। କ୍ଷଣିକ ଉତ୍ତେଜନାର ବଶବର୍ତ୍ତୀ ହୋଇ ଯୁବପିଢ଼ି ଚରମ ନିଷ୍ପତ୍ତି ନେଉଛନ୍ତି। ରାଜ୍ୟର ଆତ୍ମହତ୍ୟା ହାରକୁ ପଛରେ ପକାଇ ଭୁବନେଶ୍ବର‌ ବହୁ ଆଗରେ ରହିଛି। ମାସକୁ ୧୦୦ରୁ ଊର୍ଦ୍ଧ୍ବ ମାନସିକ ଚାପଗ୍ରସ୍ତ ଯୁବକ ଓ ଯୁବତୀ ଆତ୍ମହତ୍ୟା ଉଦ୍ୟମ କରୁଛନ୍ତି। ସେମାନଙ୍କ ମଧ୍ୟରୁ ୬୦ ରୁ ୭୦ ପ୍ରତିଶତ ‌ହେଉଛନ୍ତି ଯୁବବର୍ଗ। ଏମାନଙ୍କ ମଧ୍ୟରୁ ୩୦ ପ୍ରତିଶତ ଏକାଧିକ ବାର ଉଦ୍ୟମ କରିଥିବା ‌ରେକର୍ଡ କହୁଛି। 
କଳାକନା ବୁଲାଇଲେ 
କେତେବେଳେ ଭିକ୍ଷାବୃତ୍ତି ଆଳରେ, କେତେବେ‌ଳେ ଦିବ୍ୟାଙ୍ଗ ଭଳି ଅଭିନୟ କରି ଦୁର୍ବୃତ୍ତ ଘର ଠାରୁ ଆପାର୍ଟମେଣ୍ଟ ପର୍ଯ୍ୟନ୍ତ କଳାକନା ବୁଲାଇଛନ୍ତି। ମହିଳା ଓ ଯୁବତୀଙ୍କୁ ଟାର୍ଗେଟ୍‌ କରି ଆଖି ପିଛୁଳାକେ ଗହଣା ଝାମ୍ପିନେଇଛନ୍ତି। କିଏ କିଏ  ସୁନାଗହଣା ସଫା କରିବା ଆଳରେ ନକଲି ଜିନିଷ ନେଇ ଅସଲି ଦେଇଯାଇଛନ୍ତି। ରାସ୍ତାଘାଟରେ ହଣାକଟା କରି ଲୋକଙ୍କୁ ଲୁଟିଛନ୍ତି। ମହିଳା ଗ୍ୟାଙ୍ଗ ଦୋକାନ, ମଲ୍‌ରେ ପଶି ଗହଳିର ସୁଯୋଗ ନେଇ ଲୁଟିଛନ୍ତି। ରାଜଧାନୀରେ ସକ୍ରିୟ ଥିବା ଏଭଳି ୧୦ରୁ ଊର୍ଧ୍ବ ଅନ୍ତଃରାଜ୍ୟ ଲୁଟେରା ଗ୍ୟାଙ୍ଗ ପୁଲିକୁ ନାକେଦମ କରିଛନ୍ତି। ବର୍ଷ ଶେଷ ଉପଦ୍ରବ ଚରମ ସୀମାରେ ପହଞ୍ଚିଛି। ପ୍ରାୟ ୩୦ ଆପାର୍ଟମେଣ୍ଟରୁ ୪କୋଟିରୁ ଊର୍ଦ୍ଧ୍ବ ଟଙ୍କାର ସୁନାଗହଣା ସିନ୍ଧିଚୋରି କରିଛନ୍ତି ସ୍ବତନ୍ତ୍ର ଗ୍ୟାଙ୍ଗ୍‌। 

sssfsf

ସାଇବର ଆତଙ୍କୀଙ୍କ କବ୍‌ଜାରେ ରାଜଧାନୀ
ସାଇବର ଅପରାଧ ଏବେ ବଡ଼ ଆହ୍ବାନ ହୋଇଛି। ରାଜଧାନୀ ସାଇବର ଆତଙ୍କୀଙ୍କ କବ୍‌ଜାରେ ରହିଛି। କେତେବେଳେ ସହର ମଝିରୁ ଆଉ କେତେବେଳେ ସହରର ଉପାନ୍ତରୁ ସିମ୍‌ବକ୍ସ ଠାବ ହେବା ଘଟଣା; ଏଠାରୁ ହିଁ ଠକମାନେ ନିଜ ନେଟ୍‌ୱର୍କ ଚଳାଉଥିବା ପ୍ରମାଣ କରୁଛି। ରାଜଧାନୀରେ ରହି ଏମାନେ ପାକିସ୍ତାନ, ବାଂଲାଦେଶ, ଚୀନ, ଦୁବାଇ ଭଳି ଦେଶ ସହ ସମ୍ପର୍କ ରଖୁଛନ୍ତି। କମିସନରେଟ୍‌ ପୁଲିସ କେବଳ ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଥିଲେ ମଧ୍ୟ ରୢାକେଟ୍‌ ପଛର ମାଷ୍ଟରମାଇଣ୍ଡ ପାଖରେ ପହଞ୍ଚି ପାରିନାହିଁ। ଯେଉଁଥିପାଇଁ ଘଟଣାର ପୁନରାବୃତ୍ତି ବାରମ୍ବାର ହେଉଛି। 
ଚର୍ଚ୍ଚାରେ ୯୯ରାଣୀଙ୍କ ରଜା
ମାଟ୍ରିମୋନି ସାଇଟ୍‌ରେ ୯୯ ଯୁବତୀ ଓ ମହିଳାଙ୍କୁ ପ୍ରେମ ଜାଲରେ ଫସାଇ ବନ୍ଧା ହେବା ଘଟଣା ୨୦୨୪ ବର୍ଷକୁ ଚର୍ଚ୍ଚାରେ ରଖିଥିଲା। ଗୋଟିଏ ପରେ ଗୋଟିଏଙ୍କୁ ଫସାଉଥିଲେ ମଧ୍ୟ କେହି ତାର ଚାଲ୍‌ ବୁଝି ନ ପାରିବା ଘଟଣା ବେଶ୍‌ ଆଶ୍ଚର୍ଯ୍ୟଜନକ ଥିଲା। ଯୁବତୀ ଓ ମହିଳାଙ୍କୁ ଫସାଇବା ପରେ ସେମାନଙ୍କ ଟଙ୍କାରେ କାର୍‌, ବୁଲେଟ୍‌ କିଣିବା ସହ ସେୟାର ମାର୍କେଟ୍‌ରେ ଟଙ୍କା ଲଗାଇଥିଲା। କମିସନରେଟ୍‌ ପୁଲିସ  ପୁରୀ ଜିଲ୍ଲାର ନୃସିଂହ ସାହୁକୁ ଗିରଫ କରି ଏଭଳି ଜଣେ ଚରିତ୍ରକୁ ପଦାକୁ ଆଣିଥିଲା।
ହୁଗୁଳା ଜେଲ୍‌ ସୁରକ୍ଷା
ନିଶା କାରବାରକୁ ନେଇ ବର୍ଷ ସାରା ଝରପଡ଼ା ସ୍ବତନ୍ତ୍ର ଜେଲ୍‌ ଉଠିଥିଲା ପଡ଼ିଥିଲା। ଜେଲ୍‌ ଭିତରେ କଏଦୀ ନିଜ ନିଜ ଭିତରେ ହଣାହଣି ହେବା ଓ ୱାର୍ଡରକୁ ଆକ୍ରମଣ କରିବା ଘଟଣା ଅଭାବନୀୟ ପରିସ୍ଥିତି ସୃଷ୍ଟି କରିଥିଲା। କଏଦୀଙ୍କ ମୃତ୍ୟୁ ବି ଅଧିକାରୀଙ୍କୁ ବିବାଦକୁ ଟାଣିଥିଲା। ବର୍ଷ ତମାମ୍‌ ଏଭଳି କିଛି ଆପରାଧିକ କାଣ୍ଡ ଜେଲ୍‌ର ହୁଗୁଳା ସୁରକ୍ଷା ବ୍ୟବସ୍ଥାକୁ ପଦାରେ ପକାଇ ଦେଇଥିଲା। ଯେଉଁଥିପାଇଁ କାର୍ଯ୍ୟାନୁଷ୍ଠାନ ସ୍ବରୂପ ୨ ଜଣଙ୍କୁ ନିଲମ୍ବନ କରା‌ଯାଇଥିଲା।

ddadadg

ଚୋରାସୁନାର ଗନ୍ତାଘର ଭୁବନେଶ୍ବର
ଭୁବନେଶ୍ବର ଚୋରା ସୁନାଗହଣାର ଗନ୍ତାଘର ପାଲଟିଛି। ବିମାନ ଓ ରେଳ ଯୋଗେ ମାଫିଆ ଆଣି ଭୁବନେଶ୍ବରର ବହୁ ପ୍ରତିଷ୍ଠିତ ବ୍ୟବସାୟୀଙ୍କୁ ଏଭଳି ଚୋରାସୁନା ଦେବା ଘଟଣା ବେଶ ଚର୍ଚ୍ଚାରେ ରହିଛି। ଭୁବନେଶ୍ବର ବିମାନବନ୍ଦର ଦେଇ ଚାଲାଣ ବେଳେ ୭୦ କେଜି ସୁନା ସହ ୨୦୦ କେଜି ରୁପା ଜବତ ହୋଇଛି। 

ବିବାଦରେ ବାର୍‌, ହଟହଟା ଅଧିକାରୀ
ବାର୍‌ଗାର୍ଲଙ୍କ ନାଚ ଓ ଟଙ୍କା ଉଡ଼ାଇବାକୁ ନେଇ ବିବାଦ ବଢ଼ିବା ପରେ ଅବକାରୀ ବିଭାଗ କଠୋର ହୋଇଥିଲା। ବାର୍‌ଗାର୍ଲ ନାଚିପାରିବେ ନାହିଁ ବୋଲି କଟକଣା ହୋଇଥିଲା। ତା ସହ ବିଳମ୍ବିତ ରାତିଯାଏଁ ମନୋରଞ୍ଜନ କାର୍ଯ୍ୟକ୍ରମ ଚାଲିବନି ବୋଲି କଟକଣା ହୋଇଥିଲା। ହେଲେ ଅଧିକାଂଶ ବାର୍‌ମାଲିକ ଏହାକୁ ମାନି ନଥିଲେ। କେତେକ ବାହାରେ ତାଲା ପକାଇ ଭିତର ଖୋଲା ରଖି ବାର୍‌ଗାର୍ଲ ନଚାଇଲେ। ଏଭଳି ଅଭିଯୋଗ ଆଧାରରେ ଚଢ଼ଉ ବେଳେ ଜଣେ ମହିଳା ଅବକାରୀ ଅଧିକାରୀ ବାର୍‌ମାଲିକଙ୍କ ଆକ୍ରୋଶର ଶିକାର ହେବା ଘଟଣା ଚର୍ଚ୍ଚାରେ ରହିଥିଲା।  

ଖାତା କଲମରେ ସମନ୍ବୟ, ସହଭାଗିତା

ସହରର ଗଳିକନ୍ଦିରୁ ଆରମ୍ଭ କରି ଉପାନ୍ତ ଅଞ୍ଚଳ ଉପରେ ନଜର ରଖିଛି ସିସିଟିଭି କ୍ୟାମେରା। କମିସନରେଟ୍‌ ପୁଲିସ ଓ ଭୁବନେଶ୍ବର ସ୍ମାର୍ଟସିଟି ଲିମିଟେଡ୍‌ର ସହଭାଗିତାରେ ଏହି ବ୍ୟବସ୍ଥା ଅପରାଧ ନିୟନ୍ତ୍ରଣ ଓ ଚିହ୍ନଟରେ ବଡ଼ ଭୂମିକା ଗ୍ରହଣ କରୁଛି। ତେବେ ଆବାସିକ ତଥା ବ୍ୟାବସାୟିକ ପ୍ରତିଷ୍ଠାନରେ ଅପରାଧ ନିୟନ୍ତ୍ରଣ ପାଇଁ ସିସିଟିଭି କ୍ୟାମେରା ଖଞ୍ଜିବାକୁ ଘୋଷଣା ହୋଇଥିଲା। ସମସ୍ତେ ନିଜର ସିସିଟିଭି ଆଇପି ଆଡ୍ରାସ୍‌ ପୁଲିସ ସହ ବିନିମୟ କରିବାକୁ କୁହାଯାଇଥିଲା। ଯାହାଦ୍ବାରା ସମ୍ପୃକ୍ତ ଅଞ୍ଚଳରେ ଘଟୁଥିବା ଅପରାଧ ଉପରେ ପୁଲିସ ନଜର ରଖିପାରିବ। ହେଲେ ଏହା ସମ୍ଭବ ହେଲା ନାହିଁ। ବଡ଼କଥା ହେଲା ଖୋଦ୍‌ କମିସନରେଟ୍‌ ପୁଲିସର ଅଧିକାଂଶ ସିସିଟିଭି କାମ କରୁନାହିଁ।