ରାଜେଶ ଅଗ୍ରୱାଲ୍
ଲର୍ଡ ଡେଲ୍ହାଉସୀଙ୍କ ରାଜସ୍ବତ୍ବ ଲୋପ ନୀତିର ଶିକାରହୋଇ ସମ୍ବଲପୁର ରାଜ୍ୟ ୧୮୪୯ ମସିହାରେ ଇଂରେଜ ଶାସନ ଅଧୀନସ୍ଥ ହେଲା। ଏହାପରେ ୧୮୫୦ ଜାନୁଆରି ପହିଲାରେ ଏକ ସ୍ବତନ୍ତ୍ର ଜିଲ୍ଲା ହେଲା। ମଧ୍ୟପ୍ରଦେଶର ଚିଫ୍ କମିସନର୍ଙ୍କ ଉପରେ ଏହାର ଶାସନ ଭାର ନ୍ୟସ୍ତହେଲା। ୧୮୬୦ରେ ମଧ୍ୟପ୍ରଦେଶରୁ ଆସି ସମ୍ବଲପୁର ଜିଲ୍ଲା ଓଡ଼ିଶା ଡିଭିଜନ୍ରେ ମିଶିଲା। କିନ୍ତୁ, ୧୮୬୨ରେ ପୁଣି ମଧ୍ୟପ୍ରଦେଶର ଛତିଶଗଡ଼ ଡିଭିଜନ୍କୁ ଫେରିଗଲା। ମଧ୍ୟପ୍ରଦେଶରେ ରାଜକର୍ମଚାରୀ ଓଡ଼ିଆ ଜାଣି ନ ଥିଲେ, ଏଣୁ ସେମାନଙ୍କୁ ଓଡ଼ିଆ ଶିଖି କାର୍ଯ୍ୟ କରିବାରେ ଅସୁବିଧା ହେଲା। ଫଳରେ ସେମାନେ ସମ୍ବଲପୁର ଜିଲ୍ଲାରେ ଶାସନ କାର୍ଯ୍ୟ ଓଡ଼ିଆ ବଦଳରେ ହିନ୍ଦୀରେ କରିବାକୁ ପ୍ରସ୍ତାବ ଦେଲେ। ଏହାକୁ ସମ୍ବଲପୁର ଡେପୁଟି କମିସନର୍ ଓ ଅନ୍ୟ ସରକାରୀ ଅଧିକାରୀ ସମର୍ଥନ ଜଣାଇଲେ। ନାଗପୁର ସଚିବାଳୟରେ କାର୍ଯ୍ୟ କରୁଥିବା ସମ୍ବଲପୁର ଅଧିବାସୀ ଚନ୍ଦ୍ରଶେଖର ବେହେରା (ଯାହାଙ୍କ ନାମରେ ସମ୍ବଲପୁର ଜିଲ୍ଲା ସ୍କୁଲ୍) ଏହି ଚକ୍ରାନ୍ତ ବିଷୟରେ ଜାଣିପାରି ଧରଣୀଧର ପ୍ରେସ୍ର ପ୍ରତିଷ୍ଠାତା ତଥା ସମ୍ବଲପୁରର ପ୍ରଥମ ମାଟ୍ରିକୁଲେଟ୍ ଧରଣୀଧର ମିଶ୍ର ଓ ବରଗଡ଼ର ପୂର୍ବତନ ଡେପୁଟି ମାଜିଷ୍ଟ୍ରେଟ୍ ସତ୍ୟବାଦୀ ପାଢ଼ୀଙ୍କୁ ଅବଗତ କଲେ।
ହିନ୍ଦୀ ସରକାରୀ ଭାଷା ହେଉଥିବା ଜଣାପଡ଼ିବା ପରେ ଏହା ବିରୋଧରେ ସମ୍ବଲପୁର ଓ ବରଗଡ଼ରୁ ପ୍ରତିବାଦ ପତ୍ର ଦିଆଗଲା। ମାତ୍ର ଏହାକୁ କର୍ଣ୍ଣପାତ ନକରି ୧୮୯୫ ଜାନୁଆରି ୧୫ରେ ଅଦାଲତରେ ହିନ୍ଦୀ ଭାଷା ଲାଗୁ ପାଇଁ ନିର୍ଦ୍ଦେଶ ଦିଆଗଲା। ମଧ୍ୟପ୍ରଦେଶର ଚିଫ୍ କମିସନର୍ ଉଡ୍ବର୍ନଙ୍କ ଏହି ଆଦେଶ ୧୮୯୫ ଜାନୁଆରି ୧୫ରେ ପ୍ରକାଶ ପାଇଲା। ଏହି ଆଦେଶ ମୁତାବକ ହିନ୍ଦୀ ଶିଖିବା ବାଧ୍ୟତାମୂଳକ ହେଲା। ସରକାରୀ ଭାଷା ଭାବେ ହିନ୍ଦୀର ପ୍ରଚଳନକୁ ତୀବ୍ର ବିରୋଧ କରାଗଲା।
ସମ୍ବଲପୁରବାସୀ ତଥା ତତ୍କାଳୀନ ମଧ୍ୟପ୍ରଦେଶର ଏକ୍ଷ୍ଟ୍ରା ଆସିଷ୍ଟାଣ୍ଟ୍ କମିସନର୍ (ଅନ୍ୟତ୍ର ଡେପୁଟି କଲେକ୍ଟର୍) ବୈକୁଣ୍ଠନାଥ ପୁଝାରୀ ପ୍ରତିବାଦର ସ୍ବର ଉଠାଇଲେ। ସ୍ବଭାବ କବି ଗଙ୍ଗାଧର ମେହେର ‘ଉତ୍କଳ ଭାରତୀଙ୍କ ନିବେଦନ’ ଶୀର୍ଷକ କବିତା ଜରିଆରେ ୧୮୯୫ ମାର୍ଚ୍ଚ ୬ ତାରିଖରେ ଚିଫ୍ କମିସନର୍ ଉଡ୍ବର୍ନଙ୍କୁ ନ୍ୟାୟ ଦେବାକୁ ଅନୁରୋଧ କଲେ। ପୂର୍ବରୁ ସେ ‘ସମ୍ବଲପୁର ହିତୈଷିଣୀ’ ପତ୍ରିକାରେ ‘ଭାରତୀ ରୋଦନ’ କବିତା ଜରିଆରେ ମଧ୍ୟ ପ୍ରତିବାଦ କରିଥିଲେ। ଗୌରୀଶଙ୍କର ରାୟଙ୍କ ‘ଉତ୍କଳ ଦୀପିକା’ ମଧ୍ୟ ସ୍ବର ଉଠାଇଥିଲା। ୧୮୯୫ ଫେବ୍ରୁଆରିରେ ପ୍ରଥମ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା। ଏହାପରେ ୧୮୯୫ ଜୁନ୍ ୬ ତାରିଖରେ ସମ୍ବଲପୁରରେ ଯଥାକ୍ରମେ ଧରଣୀଧର ମିଶ୍ର ଓ ସୋମନାଥ ବାବୁଙ୍କ ଅଧ୍ୟକ୍ଷତାରେ ପ୍ରତିବାଦ ସଭା ହେଲା। ପରେ ଗ୍ରାମେ ଗ୍ରାମେ ସଭା କରାଯାଇ ୨୩୭୪ଜଣଙ୍କ ଦସ୍ତଖତ ସଂଗ୍ରହ କରାଯାଇ ୧୮୯୫ ଜୁଲାଇ ୫ରେ ବଡଲାଟ୍ ଲର୍ଡ ଏଲ୍ଗ୍ରିନ୍ଙ୍କ ପାଖକୁ ପଠାଗଲା। ଏଥିରେ ସମ୍ବଲପୁରର ଭାଷା ଓଡ଼ିଆ କି, ନୁହେଁ ତା’ର ବିଚାର ଶିକ୍ଷା ବିଭାଗର ପରିଦର୍ଶକମାନଙ୍କ ଠାରୁ ମତ ସଂଗ୍ରହକରି କରାଯାଉ ବୋଲି ଦାବି କରାଯାଇଥିଲା। ବ୍ରିଟିସ୍ ଗବେଷକ ଜନ୍ ବିମ୍ସ୍ଙ୍କ ଭାଷା ବିଷୟକ ପୁସ୍ତକକୁ ପ୍ରାମାଣିକ ଗ୍ରନ୍ଥ ଭାବରେ ଗ୍ରହଣ କରାଯାଉ ବୋଲି ଯୁକ୍ତି ଉପସ୍ଥାପନ ହୋଇଥିଲା। କଟକର ଓଡ଼ିଶା ଆସୋସିଏସନ୍ ମଧ୍ୟ ୧୮୯୫ ଜୁନ୍ ୨୦ରେ ହିନ୍ଦୀ ପ୍ରଚଳନକୁ ବିରୋଧ କରି ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ। ମାତ୍ର ଲର୍ଡ ଏଲ୍ଗ୍ରିନ୍ ସମସ୍ତ ସ୍ମାରକପତ୍ର ପ୍ରତ୍ୟାଖ୍ୟାନ କରିଦେଲେ।
୧୯୦୧ରେ ଜନଗଣନା ଆରମ୍ଭହେଲା ଏବଂ ଓଡ଼ିଆ ଭାଷାଭାଷୀଙ୍କ ଗଣନା କରିବାକୁ ସରକାରୀ ନିଷ୍ପତ୍ତି ନିଆଗଲା। ଜନଗଣନା ଦାୟିତ୍ବରେ ଥିବା ଅଧିକାରୀ ବୈକୁଣ୍ଠନାଥ ପୂଝାରୀ ଗ୍ରାମ ଗ୍ରାମ ବୁଲି ଓଡ଼ିଆ ଭାଷାଭାଷୀଙ୍କୁ ଏକତ୍ରକରି ସେମାନଙ୍କ ମାତୃଭାଷା ଲିପିବଦ୍ଧ କରାଇଲେ। ସୌଭାଗ୍ୟ କ୍ରମେ ଆଣ୍ଡ୍ର୍ୟୁ ଫ୍ରେଜର୍ ମଧ୍ୟପ୍ରଦେଶର ଚିଫ୍ କମିସନର୍ ଭାବେ ଅବସ୍ଥାପିତ ହେଲେ। ପୂର୍ବରୁ ସେ ବରଗଡ଼ରେ ଏସ୍ଡିଓ ଥିଲେ ତଥା ତାଙ୍କ ପେସ୍କାର୍ ଥିଲେ ରାୟସାହେବ ଦାଶରଥୀ ପୂଝାରୀ। ସମ୍ବଲପୁରର ଭାଷା ବାବଦରେ ଫ୍ରେଜର୍ଙ୍କ ଭଲ ଜ୍ଞାନ ଥିଲା। ସେ ମାମଲାର ପୁନଃବିଚାର ପାଇଁ ସମ୍ମତ ହୋଇଥିଲେ।
ସମ୍ବଲପୁରରୁ ଅନ୍ୟ ଏକ ସ୍ମାରକପତ୍ର ଚିଫ୍ କମିସନର୍ ଫ୍ରେଜର୍ ଓ ବଡ଼ଲାଟ୍ ଲର୍ଡ କର୍ଜନ୍ ପାଖକୁ ପଠାଗଲା। ୧୯୦୧ ଜୁଲାଇରେ ସମ୍ବଲପୁରର ବିଶିଷ୍ଟ ବ୍ୟକ୍ତି ମହନ୍ତ ବିହାରୀ ଦାସ, ବଳଭଦ୍ର ସୂପକାର, ମଦନମୋହନ ମିଶ୍ର ଓ ବ୍ରଜମୋହନ ପଟ୍ଟନାୟକ ନାଗପୁର ଯାଇ ଫ୍ରେଜର୍ ସାହେବଙ୍କୁ ସାକ୍ଷାତ କରିବାରୁ ସେ ଏହା ବଡ଼ଲାଟ୍ଙ୍କୁ ଜଣାଇବେ ବୋଲି ନିର୍ଭର ପ୍ରତିଶ୍ରୁତି ଦେଲେ। ୧୯୦୧ ଗଣେଶ ଚତୁର୍ଥୀ ଦିନ ସେମାନେ ଶ୍ରୀପତି ମିଶ୍ରଙ୍କୁ ସାଙ୍ଗରେ ନେଇ ଲର୍ଡ କର୍ଜନ୍ଙ୍କ ସାକ୍ଷାତ ପାଇଁ ସିମ୍ଲା ଗଲେ। ମାତ୍ର ଶିକ୍ଷା ସମ୍ମିଳନୀ ଚାଲୁଥିବାରୁ ବଡ଼ଲାଟ୍ଙ୍କ ସହିତ ସାକ୍ଷାତ ହୋଇପାରିଲା ନାହିଁ। ତେବେ ଫ୍ରେଜର୍ ଏ ପ୍ରସଙ୍ଗକୁ ନେଇ ଖୁବ୍ଶୀଘ୍ର ସମ୍ବଲପୁର ଆସିବେ ବୋଲି ତାଙ୍କ ସେକ୍ରେଟାରିଙ୍କ ଠାରୁ ସୂଚନା ମିଳିଲା।
ସେ ବର୍ଷ ଦଶହରା ସମୟରେ ଫ୍ରେଜର୍ ସାହେବ ସମ୍ବଲପୁର ଆସି ପହଞ୍ଚିଲେ। ହଜାର ହଜାର ଲୋକ ଓଡ଼ିଆ ଭାଷା ପୁନଃପ୍ରଚଳନ ପାଇଁ ଗୁହାରିକଲେ। ତା’ପରେ ଏ ମାମଲାରେ ସେ ଏକ ରିପୋର୍ଟ ବଡ଼ଲାଟ୍ଙ୍କୁ ପ୍ରଦାନକଲେ। ତାଙ୍କ ରିପୋର୍ଟ ଆଧାରରେ ସମ୍ବଲପୁରରେ ଓଡ଼ିଆ ଭାଷା ପୁନଃପ୍ରଚଳନ ନିଷ୍ପତ୍ତି ହେଲା। ୧୯୦୨ରେ ଏ ମର୍ମରେ ସରକାରୀ ଘୋଷଣାନାମା ପ୍ରକାଶ ପାଇଲା। ଏଥିରେ ଉଲ୍ଲେଖ ଥିଲା କି, ୧୯୦୩ ମସିହା ଆରମ୍ଭରୁ ସମ୍ବଲପୁର ଜିଲ୍ଲାରେ ସରକାରୀ ଭାଷା ଭାବେ ଓଡ଼ିଆର ପୁନଃପ୍ରଚଳନ ହେବ। ତେବେ ଘଟଣାଚକ୍ରରେ ୧୯୦୫ ମସିହାରେ ସମ୍ବଲପୁର ଛତିଶଗଡ଼ ଡିଭିଜନ୍ରୁ ପୁଣି ଓଡ଼ିଶା ଡିଭିଜନ୍କୁ ଫେରିଲା ଏବଂ ସରକାରୀ ସ୍ତରରେ ଓଡ଼ିଆ ଭାଷାର ସଂପୂର୍ଣ୍ଣ ପ୍ରଚଳନ ସମ୍ଭବ ହେଲା।
ଅତାବିରା, ବରଗଡ଼
ମୋ: ୯୪୩୮୨୧୪୮୭୮
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/11/02/dgjgdjgjdgjcbnbn-2025-11-02-00-38-53.jpg)