ନୋଇଡ଼ା: ସଚିନଙ୍କୁ  ‘ଲପ୍ପୁ’ ଏବଂ ‘ଝିଙ୍ଗୁର’ ବୋଲି କହିଥିବା ପଡ଼ୋଶୀ ମହିଳା ମିଥିଲେଶ ଭାଟି ଆଜିକାଲି ବେଶ୍‌ ଚର୍ଚ୍ଚାରେ ଅଛନ୍ତି। ସେ ସଚିନଙ୍କ ପ୍ରତି ଅପମାନସୂଚନ ଶବ୍ଦ ପ୍ରୟୋଗ କରିଛନ୍ତି ବୋଲି ନିଜକୁ ସଚିନଙ୍କ ପତ୍ନୀ ବୋଲି କହୁଥିବା ପାକିସ୍ତାନରୁ ଭାରତ ଆସିଥିବା ସୀମା ହାଇଦର ଅଭିଯୋଗ ଆଣିବା ପରେ ତାଙ୍କ ଓକିଲ ପଡ଼ୋଶୀ ମିଥିଲେଶଙ୍କୁ ଏକ କାରଣ ଦର୍ଶାଅ ନୋଟିସ୍‌ ପଠାଇଥିଲେ।

Advertisment

ଏହାରି ମଧ୍ୟରେ ଏକ ନିଉଜ୍‌ ଚ୍ୟାନେଲ୍‌ରେ ସୀମା ଓ ମିଥିଲେଶଙ୍କ ମଧ୍ୟରେ ଖୁବ୍‌ ଜୋର୍‌ ଝଗଡ଼ା ହୋଇଥିବାର ଦେଖିବାକୁ ମିଳିଛି। ପାକିସ୍ତାନରୁ ଭାରତ ଆସିଥିବା ସୀମା ଉକ୍ତ ଚ୍ୟାନେଲ୍‌ରେ କହିଛନ୍ତି କି ‘ପ୍ରଥମ କଥା ହେଲା ମିଥିଲେଶ ଆମ ପଡ଼ୋଶୀ ନୁହନ୍ତି। ସେ ଆମ ପଡ଼ୋଶୀ ଗ୍ରାମର ମହିଳା। ମୋ ସ୍ବାମୀଙ୍କ ଉପରେ ପ୍ରତିକ୍ରିୟା ଦେବାରେ ତାଙ୍କର କୌଣସି ଅଧିକାର ନାହିଁ। ତାଙ୍କ ବୟାନ ଶୁଣି ମୋତେ ଭାରି ଖରାପ ଲାଗିଲା। ତାଙ୍କ ପାଖରେ ମନ ହିଁ ନାହିଁ। ସେଥିପାଇଁ ସେ କାହାର ପ୍ରେମକୁ ବୁଝି ପାରୁନାହାନ୍ତି।’

ସୀମା କଥାରେ କଥାରେ ମିଥିଲେଶଙ୍କ ଝିଅକୁ କଥା ଭିତରକୁ ନେଇ ଆସିଲେ। କହିଲେ କି ଯଦି ମିଥିଲେଶଙ୍କ ଝିଅ ଏପରି କରିଥାନ୍ତା ତ ସେ କ’ଣ କରିଥାନ୍ତେ? ଏହାକୁ ଶୁଣି ମିଥିଲେଶ ଖୁବ୍ ଜୋର୍‌ ରାଗିଗଲେ ଓ କହିଲେ, ‘‘ଯଦି ‌ମୋ ଝିଅ ଏପରି କରିଥାନ୍ତା ତ ମୁଁ ତା ଗଳା କାଟି ଦେଇଥାନ୍ତି।’’

ଆପଣଙ୍କୁ କହିରଖୁଛୁ ଯେ ଚଳିତବର୍ଷ ମେ ମାସରେ ସୀମା ହାଇଦର ତାଙ୍କ ଚାରି ସନ୍ତାନଙ୍କ ସହ ନେପାଳ ଦେଇ ପାକିସ୍ଥାନରୁ ଭାରତ ଆସିଥିଲେ। ସଚିନଙ୍କ ସହ ପବ୍‌ଜୀ ଖେଳିବା ସମୟରେ ସେମାନଙ୍କର ପ୍ରେମ କାହାଣୀ ଆରମ୍ଭ ହୋଇଥିଲା। ସୀମା ହାଇଦର ଆଉ ପାକିସ୍ତାନକୁ ଫେରିବାକୁ ଚାହୁଁନାହାଁନ୍ତି। ୟୁପି ପୁଲିସ ସଚିନ, ସୀମା ଏବଂ ସେମାନଙ୍କ ଶଶୁର ନେତ୍ରପାଲ ମୀନାଙ୍କୁ ଅନେକ ଦିନ ଧରି ପଚରାଉଚରା କରିଥିଲା। ତେ‌ବେ ପଡ଼ୋଶୀ ମିଥିଲେଶ ଭାଟି ସଚିନଙ୍କୁ ‘ଲପ୍ପୁ’ ଏବଂ ‘ଝିଙ୍ଗୁର’ ବୋଲି କହିଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାପରେ ଏପରି ପ୍ରତିକ୍ରିୟା ଦେଖିବାକୁ ମିଳିଛି।