ଜାଲିଆତି, ଠକେଇ, ଅପରାଧିକ ଷଡ଼ଯନ୍ତ୍ର ମ‌ାମଲାରେ ଗିରଫ ହୋଇଛନ୍ତି ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ। ଆଇଏଫ୍‌ଏସ୍‌ ଅଫିସର ଅଭୟକାନ୍ତ ପାଠକ ଓ ତାଙ୍କ ପୁଅ ଆକାଶ ପାଠକଙ୍କ ଲିଙ୍କ୍‌ରେ ଶ୍ରୀ ପାଣିଗ୍ରାହୀଙ୍କ ଗିରଫଦାରିକୁ ସାରାରାଜ୍ୟରେ ଚର୍ଚ୍ଚା ଲାଗି ରହିଛି। ତେବେ, ବିଧାୟକ ଥାଇ ଗିରଫ ହେବା ଏହା ପ୍ରଥମ ଘଟଣା ନୁହେଁ। ଏହାପୂର୍ବରୁ କେତେଜଣ ବିଧାୟକ ଥାଇ ମଧ୍ୟ ବିଭିନ୍ନ କାରଣରୁ ଗିରଫ ହୋଇଥିଲେ। ସେ ସମ୍ପର୍କରେ ଏକ ସଂକ୍ଷିପ୍ତ ଉପସ୍ଥାପନା....

Advertisment

publive-image India TV News

ବୋହୂ ନିର୍ଯାତନ‌ା‌ ମାମଲାରେ ଗିରଫ ହୋଇଥିଲେ ରଘୁନାଥ ମହାନ୍ତି
ବାଲେଶ୍ବର: ପୂର୍ବତନ ଆଇନ ଓ ନଗର ଉନ୍ନୟନ ମନ୍ତ୍ରୀ ରଘୁନାଥ ମହାନ୍ତି ବୋହୂ ବର୍ଷାସୋନୀ ଚୌଧୁରୀଙ୍କୁ ଯୌତୁକ ନିର୍ଯାତନା ଦେବା ଅଭିଯୋଗ‌ରେ ଛନ୍ଦି ହୋଇଥିଲେ। ବର୍ଷାସୋନୀ ୨୦୧୩ ମାର୍ଚ୍ଚ ୧୪ ତାରିଖ ଦିନ ରଘୁନାଥ ମହାନ୍ତି, ତାଙ୍କ ପୁଅ ରାଜାଶ୍ରୀ ମହାନ୍ତି, ପତ୍ନୀ ପ୍ରୀତିଲତା ଏବଂ ଝିଅ ଓ ଜ୍ୱାଇଁଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ। ରଘୁନାଥ ଏବଂ ତାଙ୍କ ପରିବାରର ଅନ୍ୟ ସଦସ୍ୟମାନଙ୍କୁ ଗିରଫ କରିବା ପାଇଁ ବିରୋଧୀ ଦଳଗୁଡ଼ିକ ମଧ୍ୟ ଚାପ ସୃଷ୍ଟି କରିଥିଲେ। ଫଳରେ ତନାଘନା କରି ଶ୍ରୀ ମହାନ୍ତି ଓ ତାଙ୍କ ପତ୍ନୀଙ୍କୁ ପୁଲିସ କୋଲକାତାରୁ ଗିରଫ କରିଥିଲା ଏବଂ ପରଦିନ ଶ୍ରୀ ମହାନ୍ତି ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ।

ବର୍ଷାଙ୍କ ଅଭିଯୋଗ ଥିଲା; ସେ ରାଜାଶ୍ରୀ ମହାନ୍ତିଙ୍କୁ ଜୁନ୍‌ ୨୦୧୨ରେ ବିବାହ କରିଥିବାବେଳେ ଶାଶୂଘର ଦାବି ମୁତାବକ ତାଙ୍କ ବାପା କିଶୋର କୁମାର ଚୌଧୁରୀ ନଗଦ ୧୦ ଲକ୍ଷ ଟଙ୍କା ଏବଂ ଅନ୍ୟାନ୍ୟ ଜିନିଷପତ୍ର ଦେଇଥିଲେ। ବିବାହ ପରେ ବାପଘରୁ ଅଧିକ ୨୫ ଲକ୍ଷ ଟଙ୍କା ଓ ଏକ ସ୍କୋର୍ପିଓ ଗାଡ଼ି ଆଣିବା ପାଇଁ ବର୍ଷାସୋନୀଙ୍କୁ ଶାଶୂଘର ଲୋକ ଚାପ ପକାଇ ଆସୁଥିଲେ। ଉଲ୍ଲେଖ ଥାଉ କି, ମହାନ୍ତି ପରିବାରର ଏହି ମାମଲା କୋର୍ଟକୁ ଯିବା ସହ ବର୍ଷାସୋନୀ ଓ ରାଜାଶ୍ରୀ ପରସ୍ପରଠାରୁ ଦୀର୍ଘଦିନ ଧରି ଅଲଗା ରହିଥିଲେ। ତେବେ ପରେ ଉଭୟ ପରିବାର ମଧ୍ୟରେ ବୁଝାମଣା ହୋଇଥିଲା। ଏବେ ଶ୍ରୀ ମହାନ୍ତି ଓ ତାଙ୍କ ପତ୍ନୀ; ପୁଅବୋହୂ ଓ ନାତି ସହ ହସଖୁସିରେ ଦିନ କାଟୁଛନ୍ତି।

publive-image Sambad English

ଯନ୍ତ୍ରୀଙ୍କୁ ମାଡ଼ ମାରି ବନ୍ଧା ହୋଇଥିଲେ ବିଧାୟକ ପ୍ରକାଶ ସୋରେନ୍‌
ବାରିପଦା: ଚଳିତବର୍ଷ ସେପ୍ଟେମ୍ବର ମାସରେ ବାରିପଦା ଆଇଟିଡିଏ କାର୍ଯ୍ୟାଳୟରେ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କୁ ମାଡ଼ ମାରି ଗିରଫ ହୋଇଥିଲେ ବାରିପଦା ବିଧାୟକ ପ୍ରକାଶ ସୋରେନ।

ସ୍ଥାନୀୟ ସର୍କିଟ୍‌ ହାଉସକୁ ଡାକି ନିଜ ଦଳୀୟ କର୍ମୀଙ୍କୁ ଠିକା କାମ ଦେବାକୁ କହି ବିଜେପି ବିଧାୟକ ଶ୍ରୀ ସୋରେନ ଉକ୍ତ ଯନ୍ତ୍ରୀଙ୍କୁ ମାଡ଼ ମାରିଥିବା ବାରିପଦା ଟାଉନ୍‌ ଥାନାରେ ଅଭିଯୋଗ ହୋଇଥିଲା। ଆହତ ଯନ୍ତ୍ରୀ ମଧ୍ୟ ମେଡିକାଲରେ ଭର୍ତ୍ତି ହୋଇଥି‌େଲ।

ଯନ୍ତ୍ରୀଙ୍କ ଅଭି‌ଯୋଗ ଆଧାରରେ ପୁଲିସ ବିଧାୟକଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲା। କୋର୍ଟରୁ ବିଧାୟକ ଜାମିନରେ ଛାଡ଼ ପାଇଥିଲେ। ଏହି ଘଟଣାକୁ ନେଇ ସେତେବେଳେ ରାଜନୈତିକ ମହଲରେ ଝଡ଼ ସୃଷ୍ଟି ହୋଇଥିଲା।

publive-image Update Odisha

୨୦୧୩ରେ ଗିରଫ ହୋଇଥିଲେ ବ୍ରଜକିଶୋର ପ୍ରଧାନ
ଅନୁଗୁଳ: ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଗିରଫ ହେବା ପରେ ଏବେ ରାଜ୍ୟର ମାନ୍ୟବର ବିଧାୟକମାନେ ବିଭିନ୍ନ କାରଣରୁ ଗିରଫ ହେବା ଘଟଣାକୁ ଚର୍ଚ୍ଚା‌ ଚାଲିଛି। ଅତୀତରେ ଅନୁଗୁଳ ଜିଲ୍ଲାର ଏକମାତ୍ର ବିଧାୟକ ବ୍ରଜକିଶୋର ପ୍ରଧାନ ଗିରଫ ହୋଇଥିଲେ। ବ୍ରଜକିଶୋର ପ୍ରଧାନ ତାଳଚେର ସ୍ବାଧୀନ ବିଧାୟକ ଥିବା ବେଳେ ୨୦୧୩ ମସିହା ନଭେମ୍ବର ମାସରେ ଏମ୍‌ସିଏଲ୍‌ର କୋଇଲା ଖଣିରେ ଗାଡ଼ି ପୋଡ଼ି ଘଟଣାକୁ କେନ୍ଦ୍ର କରି ତାଙ୍କୁ ଗିରଫ କରାଯାଇଥିଲା। ଏମ୍‌ସିଏଲ୍‌ ତାଳଚେରର କୋଇଲା ଖଣିଗୁଡ଼ିକରେ ‌କୋଇଲା ବୋଝେଇ କାମରେ ଠିକା ଶ୍ରମିକ ନିଯୁକ୍ତି ଉପରେ କଟକଣା ଲଗାଇବାକୁ କେନ୍ଦ୍ର କରି ଆନ୍ଦୋଳନ ଚାଲିଥିଲା। ଦୁଇ ଶ୍ରମିକ ଗୋଷ୍ଠୀ ମଧ୍ୟରେ ବିବାଦ ହୋଇଥିଲା। ସେତେବେଳେ କୋଇଲା ଖଣିର ୪୦ରୁ ଅଧିକ ଗାଡ଼ି ପୋଡ଼ି ଦିଆଯାଇଥିବା ବେଳେ ଏମ୍‌ସିଏଲ୍‌ କାର୍ଯ୍ୟାଳୟ ମଧ୍ୟ ବ୍ୟାପକ ଭଂଗାରୁଜା ହୋଇଥିଲା। ଏହାକୁ କେନ୍ଦ୍ରକରି ୨୦୧୩ ମସିହା ନଭେମ୍ବର ୩୦ ତାରିଖ ଦିନ ବିଧାୟକ ଶ୍ରୀ ପ୍ରଧାନଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଥିଲା। ସେଠାରୁ ପୁଣି ତାଙ୍କୁ ତାଳଚେର ଉପକାରାଗାରକୁ ପଠାଇ ଦିଆଯାଇଥିଲା। ଏହି ଘଟଣାକୁ ନେଇ ସେତେବେଳେ ଓଡ଼ିଶା ବିଧାନସଭାରେ ପ୍ରବଳ ତୁମ୍ବିତୋଫାନ ହୋଇଥିଲା। ତତ୍କାଳୀନ ବିରୋଧ ଦଳ ନେତା ଭୂପିନ୍ଦର ସିଂହଙ୍କ ବିଧାନସଭାରେ ବାରଂବାର ଏହି ପ୍ରସଂଗ ଉତ୍‌ପାଥନ କରିଥିଲେ। ଶ୍ରୀ ପ୍ରଧାନଙ୍କୁ ଅକାରଣରେ ଗିରଫ କରାଯାଇଥିବା ଦର୍ଶାଯାଇଥିଲା। ବିଧାନସଭା ଅଚଳ ହୋଇଯାଇଥିଲା। ତେବେ ୩ ଡିସେମ୍ବରରେ ବିଧାୟକ ଶ୍ରୀ ପ୍ରଧାନଙ୍କୁ ଜାମିନ ମିଳିଥିଲା।

publive-image

ଚିଟ୍‌ଫଣ୍ଡ ସ୍କାମ୍‌ରେ ଗିରଫ ହୋଇଥିଲେ ସାଂସଦ ରାମଚନ୍ଦ୍ର
ବାରିପଦା: ୨୦୧୪ରେ ବିଜେଡି ଟିକେଟରୁ ମୟୂରଭଞ୍ଜ ଲୋକସଭା ସାଂସଦ ଭାବେ ନିର୍ବାଚିତ ହୋଇଥିବା ରାମଚନ୍ଦ୍ର ହାଁସଦା ନଭେମ୍ବର ମାସରେ ଚିଟ୍‌ଫଣ୍ଡ ଦୁର୍ନୀତିରେ ଜଡ଼ିତ ଥିବା ଅଭିଯୋଗରେ ଗିରଫ ହୋଇଥିଲେ। ଗିରଫ ହେବା ଦିନ ହିଁ ତାଙ୍କୁ ଦଳରୁ ନିଲମ୍ବିତ କରିଥିଲେ ସୁପ୍ରିମୋ। ପୂର୍ବରୁ ଏନସିପି ଟିକେଟରେ ବିଧାୟକ ଭାବେ ମଧ୍ୟ ନିର୍ବାଚିତ ହୋଇଥିଲେ ଶ୍ରୀ ହାଁସଦା। ହେଲେ ନିଜ ସାଂସଦ କାର୍ଯ୍ୟକାଳର ପ୍ରାୟ ୪ ବର୍ଷ ସେ ଜେଲ୍‌ରେ ରହିଥିଲେ। ଝାରପଡ଼ା ଜେଲରେ ପ୍ରାୟ ୪ ବର୍ଷ ରହିବା ପରେ ୨୦୧୮ରେ ତାଙ୍କୁ ଜାମିନ ପ୍ରଦାନ କରିଥିଲେ ସୁପ୍ରିମକୋର୍ଟ। ଜାମିନରେ ମୁକୁଳିବା ପରେ ଗତ ସାଧାରଣ ନିର୍ବାଚନରେ ତାଙ୍କୁ କୌଣସି ଦଳରୁ ଆଉ ଟିକେଟ ମିଳିନଥିଲା। ସେ ସ୍ବାଧୀନ ପ୍ରାର୍ଥୀ ଭାବେ ସାରସକଣା ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀ ହୋଇ ପରାଜିତ ହୋଇଥିଲେ।

publive-image

ଚିଟ୍‌ଫଣ୍ଡ ଲିଙ୍କ୍‌ରେ ଗିରଫ ହୋଇଥିଲେ କଟକର ୨ ବିଧାୟକ
କଟକ: ଚିଟ୍‌ଫଣ୍ଡ ଲିଙ୍କ୍‌ ମାମଲାରେ କଟକର ଦୁଇଜଣ ବିଧାୟକଙ୍କୁ ଗିରଫ କରିଥିଲା ସିବିଆଇ। ବାଙ୍କୀ ବିଧାୟକ ତଥା ବିଜେଡିର ବରିଷ୍ଠ ନେତା ପ୍ରଭାତ ତ୍ରିପାଠୀଙ୍କୁ ୨୦୧୪, ଅକ୍ଟୋବର ୩୧ରେ ଅର୍ଥତତ୍ତ୍ବ ଲିଙ୍କ୍‌ ମାମଲାରେ ସିବିଆଇ ଗିରଫ କରିଥିଲା। ସେହିପରି ଚୌଦ୍ବାର-କଟକ ବିଧାୟକ ପ୍ରଭାତ ବିଶ୍ବାଳଙ୍କୁ ସିସୋର ଲିଙ୍କ୍‌ରେ ୨୦୧୭ ସେପ୍ଟେମ୍ବର ୧୯ରେ ସିବିଆଇ ଗିରଫ କରିଥିଲା। ଶ୍ରୀ ବିଶ୍ବାଳ ଓ ଶ୍ରୀ ତ୍ରିପାଠୀ ଏବେ ଜାମିନରେ ଅଛନ୍ତି। ଏଥିପାଇଁ ନିର୍ବାଚନୀ ରାଜନୀତିରେ ଦୁଇ ନେତାଙ୍କୁ ବି ମୂଲ୍ୟ ଦେବାକୁ ପଡ଼ିଥିଲା ଏବଂ ଗତ ୨୦୧୯ ମସିହା ନିର୍ବାଚନରେ ଟିକେଟ୍‌ ଦେଇ ନ ଥିଲା। ଶ୍ରୀ ତ୍ରିପାଠୀ ଓ ଶ୍ରୀ ବିଶ୍ବାଳଙ୍କ ବଦଳରେ ଦଳ ସେମାନଙ୍କ ପୁଅଙ୍କୁ ଟିକେଟ୍‌ ଦେଇଥିଲା। ଦେବୀରଂଜନ ତ୍ରିପାଠୀ ଓ ସୌଭିକ ବିଶ୍ବାଳ ଯଥାକ୍ରମେ ବାଙ୍କୀ ଓ କଟକ-ଚୌଦ୍ବାରର ବିଧାୟକ ଅଛନ୍ତି।

publive-image Sambad English

ଚିଟ୍‌ଫଣ୍ଡ, ମାଡ଼ ଘଟଣାରେ ଗିରଫ ହୋଇଥିଲେ ସୁବର୍ଣ୍ଣ ନାଏକ
କେନ୍ଦୁଝର: ସମଗ୍ର ଓଡ଼ିଶାରେ ଯେଉଁ କେତେ ଜଣ ବିଧାୟକ ନିଜ କାର୍ଯ୍ୟକାଳ ସମୟ ମଧ୍ୟରେ ବିଭିନ୍ନ କାରଣ ପାଇଁ ଗିରଫ ହୋଇଛନ୍ତି, ସେମାନଙ୍କ ମଧ୍ୟରୁ କେନ୍ଦୁଝର ସଦର ବିଧାୟକ ସୁବର୍ଣ୍ଣ ନାଏକ ଅନ୍ୟତମ।

କେନ୍ଦୁଝର ଜିଲ୍ଲାର ଅନ୍ୟତମ ବିଧାନସଭା ଆସନ ହେଉଛି କେନ୍ଦୁଝର ସଦର ନିର୍ବାଚନମଣ୍ଡଳୀ। ଏହି ନିର୍ବାଚନମଣ୍ଡଳୀ‌ରୁ ବିଜେଡ଼ି ଟିକେଟରେ ୨୦୦୯ ମସିହା ବିଧାନସଭା ନିବାଚନରେ ସୁବର୍ଣ୍ଣ ନାଏକ ବିଜୟୀ ହୋଇଥିଲେ। ତେବେ ୨୦୧୨ ମସିହାରେ ବିଧାୟକ ସୁବର୍ଣ୍ଣ ନାଏକ ଜଣେ ମହିଳା ହୋମଗାର୍ଡଙ୍କୁ ଚାପୁଡା ମାରି ଗିରଫ ‌ହୋଇଥିଲେ। ଜଣେ ଶାସକ ଦଳର ବିଧାୟକ ହୋଇ ସୁଦ୍ଧା ସୁବର୍ଣ୍ଣ ଗିରଫ ହେବା ଘଟଣା ସମଗ୍ର ରାଜ୍ୟରେ ହଇଚଇ ସୃଷ୍ଟି ହୋଇଥିଲା। ତେବେ ସୁବର୍ଣ୍ଣଙ୍କ ଗିରଫ ଘଟଣା ଏକ ସାମାନ୍ୟ ମାମଲାରୁ ହୋଇଥିଲା। ଘଟଣା ଅନୁସାରେ, ୨୦୧୨ ମସିହା ଫେବ୍ରୁଆରି ୧୮ ତାରିଖରେ କେନ୍ଦୁଝର ସହର ଦେଇ ଯାଇଥିବା ୨୧୫ ନମ୍ବର ଜାତୀୟ ରାଜପଥ ଉପରେ ବିଧାୟକ ସୁବର୍ଣ୍ଣଙ୍କ ଗାଡି ପାର୍କିଂକୁ ନେଇ ସେଠାରେ ଉପସ୍ଥିତ ଥିବା ମହିଳା ହୋମଗାର୍ଡ ବବିତା ଲେଙ୍କାଙ୍କ ସହିତ ଯୁକ୍ତି ହୋଇଥିଲା। ଏହି ସମୟରେ ବିଧାୟକ ଶ୍ରୀ ନାଏକ ତାଙ୍କୁ ଚାପୁଡା ମାରିଥିଲେ। ଏହାପରେ ମହିଳା ହୋମଗାର୍ଡ ବବିତା ଲେଙ୍କା କେନ୍ଦୁଝର ଟାଉନ ଥାନାରେ ଅଭିଯୋଗ କରିଥିଲେ। ଟାଉନ ଥାନା ପୁଲିସ ଅଭିଯୋଗକୁ ଆଧାର କରି ୨୦୧୨ ମସିହା ଫେବ୍ରୁଆରି ୨୦ ତାରିଖରେ ସୁବର୍ଣ୍ଣଙ୍କୁ ଗିରଫ କରିଥିଲା। ତେବେ କୋର୍ଟରେ ତାଙ୍କୁ ହାଜର କରାଯିବା ପରେ ଜାମିନ ମିଳିଥିଲା।

ତେବେ ଏହାପରେ ପୁଣି ସୁବର୍ଣ୍ଣ ନାଏକ ବିଧାୟକ କାର୍ଯ୍ୟକାଳ ସରିବା ପରେ ୨୦୧୪ ମସିହାରେ ଆଉଥରେ ମଧ୍ୟ ଗିରଫ ହୋଇଥିଲେ। ୨୦୧୪ ମସିହା ନଭେମ୍ବର ୪ ତାରିଖରେ ନବଦିଗନ୍ତ ଚିଟ୍‌ଫଣ୍ଡ ଠକେଇ ମାମଲାରେ ସିବିଆଇ ତାଙ୍କୁ ଗିରଫ କରିଥିଲା।