‘ମୋ ବିଚ୍’ ଅଭିଯାନକୁ ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ

ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ ମେଗା ବେଳାଭୂମି ସଫେଇ କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀ ବି ପ୍ରଶଂସା କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ମୋ ବିଚ୍ ଅଭିଯାନ ଏକ ମହତ ଲକ୍ଷ୍ୟ ନେଇ କରାଯାଇଛି। ଆଜିର ଆୟୋଜନ ନିଶ୍ଚିତ ପକ୍ଷେ ଏହାର ଲକ୍ଷ୍ୟ ପୂରଣ କରିବ। ଏହା କେବଳ ରାଜ୍ୟ ନୁହେଁ, ପୂରା ବିଶ୍ବକୁ ସଚେତନତାର ବାର୍ତ୍ତା ଦେବ। ଏହି ଅଭିଯାନରେ ସାମିଲ୍ ହେବା ସହ ଅନ୍ୟମାନଙ୍କୁ ବି ଏଥିରେ ସାମିଲ୍ କରିବାକୁ ଚେଷ୍ଟା କରିବା ଦରକାର ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ପାଣି ମିଳିଲାନି, ଚେତାଶୂନ୍ୟ ହେଲେ ଛାତ୍ରୀ

ମେଗା ସଫେଇ କାର୍ଯ୍ୟକ୍ରମରେ ସ୍ବେଚ୍ଛାସେବୀମାନେ ଆଜି ପାଣି ପିଇବା ପାଣି କଲବଲ ହୋଇଥିଲେ। ପାନୀୟ ଜଳର ସେ ଭଳି କୌଣସିବ୍ୟବସ୍ଥା କରାଯାଇ ନଥିବାରୁ ବିନା ପିଇବା ପାଣିରେ ଲୋକେ ଫେରିଥିଲେ। ଏହି ତ୍ରୁଟି ପାଇଁ ଜିଲ୍ଲା ପ୍ରଶାସନକୁ ସମସ୍ତେ ଦାୟୀ କରିଥିଲେ। ଅନ୍ୟପକ୍ଷରେ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ବହୁ ଛାତ୍ରୀ ଆଜି ଚେତାଶୂନ୍ୟ ହୋଇପଡ଼ିବା ଦେଖିବାକୁ ମିଳିଥିଲା। ପ୍ରବଳ ଖରା ଓ ଗୁଳୁଗୁଳିରେ କାମ କରିବାରୁ ଏଭଳି ସ୍ଥିତି ଦେଖା ଦେଇଥିଲା। ଚିକିତ୍ସା ପାଇଁ ଏମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ଆଶୁ ଚିକିତ୍ସା ପରେ ଛାତ୍ରୀମାନେ ଘରକୁ ଫେରିଥିଲେ।

ସେଲ୍ଫି ପାଇଁ କଲବଲ, ବିଦ୍ୟୁତ୍ ଜମୱାଲ

ଏହି ମେଗା ବେଳାଭୂମି ସଫେଇ କାର୍ଯ୍ୟକ୍ରମରେ ସେଲିବ୍ରିଟି ତଥା ବଲିଉଡ୍ ଅଭିନେତା ବିଦ୍ୟୁତ୍ ଜମୱାଲ, ଅଭିନେତ୍ରୀ ନନ୍ଦିତା ଦାସ ପ୍ରମୁଖ ଯୋଗ ଦେଇଥିଲେ। କିନ୍ତୁ ସଭା ଶେଷ ପରେ ସେଲ୍ଫି ପାଇଁ ବିଦ୍ୟୁତଙ୍କୁ କଲବଲ ହେବାକୁ ପଡ଼ିଥିଲା। ସଭା ସାରି ରୁମ୍‌କୁ ଯିବା ସମୟରେ ସୁରକ୍ଷା ଢିଲା ଯୋଗୁଁ ହଠାତ୍ ସେଲ୍ଫି ନେବାକୁ ଲୋକେ ତାଙ୍କୁ ଘେରି ଯାଇଥିଲେ। ଶହ ଶହ ଯୁବକ ଯୁବତୀ ସେଲ୍ଫି ନେବାକୁ ଭିଡ଼ ଜମାଇଥିଲେ। ଫଳରେ ବିଦ୍ୟୁତଙ୍କ ଯିବା ବାଟ ବି ବନ୍ଦ ହୋଇଯାଇଥିଲା; ଆଉ ସେ ଭିଡ଼ ଭିତରେ ବିଦ୍ୟୁତ୍ ଫସି ଯାଇଥିଲେ। ଶେଷରେ ବାଧ୍ୟ ହୋଇ ଯେଉଁ ବାଟ ଦେଇ ସେ ହୋଟେଲକୁ ଯାଇଥାନ୍ତେ, ସେ ବାଟେ ନଯାଇ ଅନ୍ୟ ବାଟ ଦେଇ ଯାଇଥିଲେ।

ଯୋଗଦେଲେ ବିଦେଶୀ ପର୍ଯ୍ୟଟକ

ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ଆୟୋଜିତ ମେଗା ବେଳାଭୂମି ସଫେଇ କାର୍ଯ୍ୟକ୍ରମରେ ବିଦେଶୀ ପର୍ଯ୍ୟଟକମାନେ ବି ସାମିଲ୍ ହୋଇଥିଲେ। ନେପାଳର ବହୁ ମହିଳା ପର୍ଯ୍ୟଟକ ଏହି କାର୍ଯ୍ୟକ୍ରମରେ ସାମିଲ୍ ହୋଇ ବେଳାଭୂମି ସଫା କରିଥିଲେ। ଏହା ସହ ଅନ୍ୟମାନଙ୍କୁ ବି ଉତ୍ସାହିତ କରିଥିଲେ। ଏହି ଅବସରରେ ଏମାନେ କାର୍ଯ୍ୟକ୍ରମକୁ ଭୂୟସୀ ପ୍ରଂଶସା କରିଥିଲେ। ଏହି କାର୍ଯ୍ୟ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିବ ବୋଲି ଏହି ଅବସରରେ ଏମାନେ କହିଛନ୍ତି।

ସମ୍ବନ୍ଧିତ ଖବର