‘‘ଏତେ ଲମ୍ବା ଜାଗା ଫାଙ୍କା ପଡୁଛି, ତାକୁ କାମରେ ନ ଲଗାଇବା କାହିଁକି?’’ ବନାରସ୍‌ ଲୋକୋମୋଟିଭ୍‌ ୱାର୍କ୍ସର ଇଞ୍ଜିନିୟରିଙ୍ଗ୍‌ ଟିମ୍‌ର କେତେଜଣ ସଦସ୍ୟଙ୍କ ମନକୁ ଆସିଥିଲା ଏଭଳି ଏକ ପ୍ରଶ୍ନ। ଏହି ପ୍ରଶ୍ନର ଉତ୍ତର ଖୋଜୁ ଖୋଜୁ ଯେଉଁ ସମାଧାନ ମିଳିଲା, ତାହା ଅଭିନବ ଓ ଉତ୍ସାହଜନକ। ଦୁଇ ଲୌହ ରେଳଧାରଣା ମଧ୍ୟସ୍ଥଳ, ଯେଉଁଠି ସାଧାରଣତଃ ମେଟାଲ୍‌ ଓ ଗୋଡ଼ି ବିଛାଯାଇଥାଏ; ସେଠି ଏବେ ସୁନ୍ଦର ଭାବେ ଧାଡ଼ି ଧାଡ଼ି ହୋଇ ଖଞ୍ଜାଯାଇଛି ସୂର୍ଯ୍ୟଫଳକ ବା ସୋଲାର୍‌ ପାନେଲ୍‌। ଖରାରେ ଚକ୍‌ ଚକ୍‌ କରୁଥିବା ସେସବୁ ସୋଲାର୍‌ ପାନେଲ୍‌ ପରୀକ୍ଷାମୂଳକ ଭାବେ ବସାଯାଇଛି।

Advertisment

ଛାତ ଉପରେ ଅଥବା ଭୂଇଁରେ ସୋଲାର୍‌ ପାନେଲ୍‌ ବସାଇଲେ ତାହା ବହୁ ଜାଗା ମାଡ଼ିବସୁଛି। ହୁଏ ତ ସେ ସ୍ଥାନରେ ଆଉ କିଛି କରାଯାଇ ପାରନ୍ତା! ତେଣୁ ପରୀକ୍ଷାମୂଳକ ଭାବେ ଗତ ଅଗଷ୍ଟ ମାସରେ ଦେଶରେ ପ୍ରଥମକରି ବାରାଣସୀ ସହରରେ ରେଳ ଧାରଣା ମଝିରେ ସହଜରେ ଖୋଲି ନିଆଯାଇ ପାରିବା ଭଳି ସୋଲାର୍‌ ପାନେଲ୍‌ ବସାଯାଇଛି। ପରୀକ୍ଷାମୂଳକ ଭାବେ ୭୦ ମିଟର ସ୍ଥାନରେ ବସାଯାଇଥିବା ୨୮ଟି ସୋଲାର୍‌ ପାନେଲ୍‌ରୁ ଦୈନିକ ଉତ୍ପାଦିତ ହେଉଛି ୬୭ ୟୁନିଟ୍‌ ବିଜୁଳିଶକ୍ତି। ରବର୍‌ ପ୍ୟାଡ୍‌ରେ ବସାଯାଇ ଇପୋକ୍୍୍ସି ଅଠା ଲଗାଯାଇଥିବା ଏହି ସୋଲାର୍‌ ପାନେଲ୍‌ ସବୁ ରେଳଗାଡ଼ି ଚଳାଚଳଜନିତ ଅବିଶ୍ରାନ୍ତ କମ୍ପନ ସହ୍ୟ କରିପାରିବ ଏବଂ ଖରାପ ହେଲେ ମରାମତି ନିମନ୍ତେ ଅତି ସହଜରେ ଖୋଲି ନିଆଯାଇ ପାରିବ।

ଏ ପଦକ୍ଷେପ ବାରାଣସୀ ରେଳଧାରଣାକୁ ଅକ୍ଷୟଶକ୍ତି ଉତ୍ପାଦନ ଉତ୍ସରେ ରୂପାନ୍ତର କରିଛି। ଭାରତୀୟ ରେଳର ପ୍ରତି କିଲୋମିଟର୍‌ ରାସ୍ତା ଖୁବ୍‌ ମୂଲ୍ୟବାନ୍‌ ସତ, କିନ୍ତୁ ରେଳଧାରଣା ମଧ୍ୟସ୍ଥ ସ୍ଥାନ ଅବ୍ୟବହୃତ ହୋଇ ପଡ଼ିରହୁଛି। ହିସାବକରି ଦେଖିଲେ ସମଗ୍ର ଦେଶରେ ଥିବା ୧.୨ ଲକ୍ଷ କିଲୋମିଟର୍‌ ରେଳଧାରଣା ମଧ୍ୟବର୍ତ୍ତୀ ଜାଗାରୁ ବିପୁଳ ସୌରଶକ୍ତି ସଂଗ୍ରହ କରାଯାଇ ପାରିବ। ବାରାଣସୀରେ କରାଯାଇଥିବା ପ୍ରକଳ୍ପଟି ଅତି ଛୋଟ, କିନ୍ତୁ ତା’ର ସମ୍ଭାବ୍ୟ ଉଦ୍ଦେଶ୍ୟ ବେଶ୍‌ ବଡ଼। ଏଠାରେ ବସାଯାଇଥିବା ୨୮ଟି ଉଚ୍ଚ କ୍ଷମତାସମ୍ପନ୍ନ ସୋଲାର୍‌ ପାନେଲ୍‌ ସବୁ ସାଧାରଣ କାଚ ଓ ସିଲିକନ୍‌ ଖଣ୍ଡ ନୁହେଁ। ୨,୨୭୮ ମିଲିମିଟର୍‌ ଲମ୍ବ, ୧,୧୩୩ ମିଲିମିଟର୍‌ ପ୍ରସ୍ଥ ଏବଂ ୩୧.୮୩ କିଲୋ ଓଜନବିଶିଷ୍ଟ ଏହି ସୋଲାର୍‌ ପାନେଲ୍‌ଗୁଡ଼ିକ ୨୧.୩୧ ପ୍ରତିଶତ କାର୍ଯ୍ୟଦକ୍ଷତା ପ୍ରଦର୍ଶନ କରୁଛନ୍ତି। ଅବଶ୍ୟ ଏଥିରେ ଲାଗିଥିବା ‘ହାଫ୍‌-କଟ୍‌-ମନୋ-କ୍ରିଷ୍ଟାଲାଇନ୍‌ ପର୍କ ବାଇଫେସିଆଲ୍‌ ସେଲ୍‌’ ଯୋଗୁଁ ଏହା ସମ୍ଭବ ହୋଇଛି।

ସରଳ ଭାବରେ କହିଲେ, ଏହି ସୋଲାର୍‌ ପାନେଲ୍‌ଗୁଡ଼ିକ ଉପର ଓ ତଳ- ଦୁଇ ପାର୍ଶ୍ବରେ ସୂର୍ଯ୍ୟକିରଣ ବିଶୋଷଣ କରିପାରନ୍ତି। ଅର୍ଥାତ୍‌ ଚାରିଆଡ଼େ ବିଛାଡ଼ି ହୋଇ ପଡ଼ିଥିବା ଖରାରୁ ବି ଏହା ଶକ୍ତି ଟାଣିପାରେ। ରବର୍‌ ପ୍ୟାଡ୍‌ ଓ ଇପୋକ୍‌ସି ଅଠା ଯୋଗୁଁ ଏହି ସୋଲାର୍‌ ପାନେଲ୍‌ ଖୁବ୍‌ ମଜଭୁତ ହୋଇପାରିଛି। ପ୍ରାୟ ୨୫ ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ରହି ଏହି ସୋଲାର୍‌ ପାନେଲ୍‌ ସୌରବିଦ୍ୟୁତ୍‌ ଯୋଗାଇଦେବ। ଏଗୁଡ଼ିକର ଗ୍ରୀଷ୍ମ ଉତ୍ତାପ, ବର୍ଷା, ଧୂଳି ଓ ରେଳ ଚଳାଚଳଜନିତ କମ୍ପନ ସହ୍ୟ କରିବାର ଶକ୍ତି ଅଛି। ଏହାଛଡ଼ା, ଆବଶ୍ୟକସ୍ଥଳେ ମରାମତି ପାଇଁ ଅଳ୍ପ ସମୟ ଭିତରେ ମଧ୍ୟ ଏଗୁଡ଼ିକୁ ଖୋଲି ନିଆଯାଇ ପାରିବ। ଇଞ୍ଜିନିୟର୍‌ମାନେ ହିସାବକରି କହିଛନ୍ତି ଯେ ପ୍ରତି ଏକ କିଲୋମିଟର୍‌ ରେଳଧାରଣା ବର୍ଷକୁ ୩.୫ ଲକ୍ଷ ୟୁନିଟ୍‌ ବିଜୁଳି ଶକ୍ତି ଯୋଗାଇଦେବ। ଅର୍ଥାତ୍‌ ପ୍ରତି କିଲୋମିଟର୍‌ ରେଳଧାରଣାରୁ ଦୈନିକ ହାରାହାରି ୮୮୦ ୟୁନିଟ୍‌ ବିଜୁଳି ଶକ୍ତି ମିଳିବ।

କିନ୍ତୁ, ସବୁ ପ୍ରାରମ୍ଭିକ ପ୍ରକଳ୍ପ ପରି ବାରାଣସୀରେ ଲାଗିଥିବା ସୋଲାର୍‌ ଟ୍ରାକ୍‌ ପରୀକ୍ଷଣ ବି ବାଧାବିଘ୍ନର ସମ୍ମୁଖୀନ ହେଉଛି। ରେଳଧାରଣା ମଧ୍ୟବର୍ତ୍ତୀ ସ୍ଥାନରେ ସହଜରେ ଧୂଳି ଓ ଆବର୍ଜନା ଜମା ହୋଇଯାଉଥିବାରୁ ସୋଲାର୍‌ ପାନେଲ୍‌ଗୁଡ଼ିକର କାର୍ଯ୍ୟଦକ୍ଷତା ହ୍ରାସପାଉଛି। ତା’ଛଡ଼ା ସ୍ବତନ୍ତ୍ର ଉପାଦାନ ଓ ଉପକରଣରେ ନିର୍ମିତ ହୋଇଥିବାରୁ ଏହି ସୋଲାର୍‌ ପାନେଲ୍‌ ସବୁ ମହଙ୍ଗା। ସେଗୁଡ଼ିକୁ ରେଳଧାରଣା ମଧ୍ୟରେ ବସାଇବା ଖର୍ଚ୍ଚ ବି ଅଧିକ। ସଦାସର୍ବଦା ରେଳଗାଡ଼ି ଚଳାଚଳ କରୁଥିବା ମୁଖ୍ୟ ରେଳଧାରଣାଗୁଡ଼ିକ ଉପରେ ଏହି ବ୍ୟବସ୍ଥା କେତେ ଦିନ ବା ତିଷ୍ଠି ରହିପାରିବ? ‌ତେବେ ଭାରତୀୟ ରେଳର ଅଧିକାରୀମାନେ ଆଶାବାଦୀ ଯେ ଏସବୁ ସମସ୍ୟା ସମାଧାନ ହୋଇଯିବ। ସେମାନେ କହନ୍ତି ଯେ ସବୁ ନୂଆ ବୈଷୟିକ ଜ୍ଞାନକୌଶଳ ପ୍ରଚଳନ କରିବା ସମୟରେ  ଅସୁବିଧା ଆସିଥାଏ। କିନ୍ତୁ, ଅସୁବିଧା ଅପେକ୍ଷା ଭବିଷ୍ୟତ ପାଇଁ ଏହାର ଉପଯୋଗିତା ଅଧିକ କି, ନୁହେଁ ତାହା ବିଚାର କରିବା ଆବଶ୍ୟକ।