ଶ୍ରୀମନ୍ଦିର ଗାରଦରୁ ମୋଦକ ଚୋରି! ଅଣସର ଘରେ ଜ୍ବରରେ ପୀଡ଼ିତ ମହାପ୍ରଭୁଙ୍କୁ ସୁସ୍ଥ କରିବା‌ ନି‌ମନ୍ତେ ଲାଗିହେଉଥିବା ଦଶମୂଳ ମୋଦକ ଚୋରି!! ନିକଟରେ ଏଭଳି ଶିରୋନାମା ରାଜ୍ୟରେ ହଇଚଇ ସୃଷ୍ଟି କରିଥିଲା। ଯଦିଓ ପରବର୍ତ୍ତୀ ସମୟରେ ଏହି ଅଭିଯୋଗ ସତ୍ୟ ଆଧାରିତ ନୁହେଁ ବୋଲି ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ ସ୍ପଷ୍ଟ କରିଥିଲେ, କିନ୍ତୁ ‘ଦଶମୂଳ ମୋଦକ’ ସଂପର୍କରେ ସବିଶେଷ ଜାଣି ନଥିବା ଲୋକଙ୍କ ମନରେ କୌତୂହଳ ସୃଷ୍ଟି ହୋଇଥିଲା। କ’ଣ ଏହି ମୋଦକ? କେବଳ ଶ୍ରୀଜଗନ୍ନାଥଙ୍କ ପାଖରେ ଲାଗି ହୁଏ ନା ଅନ୍ୟ ଦେବଦେବୀଙ୍କୁ ମୋଦକ ଅର୍ପଣ କରାଯାଏ? କେବେଠୁ ଏହାର ପ୍ରଚଳନ? ଏହା ପଥି ନା ପଥ୍ୟ? କେମିତି ତିଆରି ହୁଏ ମୋଦକ? ସାଧାରଣ ଲୋକେ ମୋଦକ ଖାଅନ୍ତି ତ? ଏଭଳି ଅନେକ ପ୍ରଶ୍ନ ଜଣଙ୍କ ମନକୁ ଆସିବା ସ୍ବାଭାବିକ। ଏସବୁ ପ୍ରଶ୍ନର ଉତ୍ତର ରଖୁଛି ‘ରବିବାର ସମ୍ବାଦ’ର ଏହି ସ୍ବତନ୍ତ୍ର ଉପସ୍ଥାପନା।

Advertisment

ସଂସ୍କୃତର ‘ମୂଦ୍‌’ ଧାତୁରୁ ମୋଦକ ଶବ୍ଦର ଉତ୍ପତ୍ତି। ପୂର୍ଣ୍ଣଚନ୍ଦ୍ର ଭା‌ଷାକୋଷରେ ପ୍ରଦତ୍ତ ବହୁ ଅର୍ଥରୁ ଗୋଟାଏ ହେଉଛି-ଶର୍କରାପକ୍ବ ମିଷ୍ଟ ଔଷଧ। ଇଂରାଜୀରେ ଏହାକୁ ‘ମେଡିସିନ୍‌ ରୋଲ୍‌ଡ୍‌ ଇନ୍‌ଟୁ ବଲ୍‌ସ୍‌ ୱିଥ୍‌ ସୁଗାର୍‌’ ଭାବେ ବ୍ୟାଖ୍ୟା କରାଯାଇଛି। ଏହି ଦୃଷ୍ଟିରୁ ବିଚାର କଲେ ମହାପ୍ରଭୁଙ୍କ ଚିକିତ୍ସା ଲାଗି ବ୍ୟବହୃତ ଦଶମୂଳ ମୋଦକକୁ ଆମେ ସୁମିଷ୍ଟ ଔଷଧ କହିପାରିବା। ମାନବୀୟ ଲୀଳାରେ ଅଣସରଠାକୁରମାନଙ୍କୁ ଯେପରି ଜର ହୁଏ, ସେହିପରି ଫୁଲୁରି ତେଲ ଓ ଦଶମୂଳ ମୋଦକ ଦେଇ ଉପଚାର ମଧ୍ୟ କରାଯାଏ। ଶ୍ରୀମନ୍ଦିରର ନୀତିକାନ୍ତି ଅନୁସାରେ, ଅଣସର ଏକାଦଶୀ ଦିନ ‘ଦଶମୂଳ ମୋଦକ’ ଲାଗିହୁଏ। ଏହି ମୋଦକ ଖାଇବା ପରେ ଠାକୁରମାନେ ସୁସ୍ଥ ହୁଅନ୍ତି ବୋଲି ବିଶ୍ୱାସ ରହିଛି। ଶ୍ରୀମନ୍ଦିରର ବୈଦ୍ୟ ସେବକ ବର୍ଷକେ ଥରେ ନିଜ ଘରେ ଏହି ମୋଦକ ପ୍ରସ୍ତୁତ କରି ମନ୍ଦିରକୁ ପଠାଇ ଥାଆନ୍ତି।
 
କେମିତି ତିଆରି ହୁଏ ଦଶମୂଳ ମୋଦକ?
ଏହି ଦଶମୂଳ ମୋଦକ ସଂପୂର୍ଣ୍ଣ ଭାବରେ ଆୟୁର୍ବେଦୀୟ ପଦ୍ଧତିରେ ପ୍ରସ୍ତୁତ ହୋଇଥାଏ। ଏଥିପାଇଁ ଦଶଟି ବୃକ୍ଷର ଚେର, ମୂଳ ଓ ପତ୍ର ଆଦି ଆବଶ୍ୟକ ହୁଏ। ସେହି ଦଶଟି ଦ୍ରବ୍ୟ ହେଉଛି, ବେଲ, ଗମ୍ଭାରୀ, ଅଙ୍କରାନ୍ତି, ଜଟାମାଂସୀ, ଫଣଫଣା, ଅଗବଥୁ, ଗୋଖରା, କୃଷ୍ଣପର୍ଣ୍ଣୀ (ପ୍ଲଶୀପର୍ଣ୍ଣୀ), ଶାଳପର୍ଣ୍ଣୀ ଓ ଲବିଂକୋଳି। ଦ୍ରବ୍ୟଗୁଣ ଅନୁସାରେ ‘ବେଲ’ ଜ୍ୱର, କାଶ ଓ ସର୍ଦ୍ଦିରୋଗ ଉପଶମ ସହିତ ଅରୁଚି ଦୂରକରେ। ଏହା ବ୍ୟତୀତ ପାକସ୍ଥଳୀ ରୋଗ ନିବାରଣ ଓ ଜୀର୍ଣ୍ଣଶକ୍ତି ବୃଦ୍ଧିର କ୍ଷମତା ମଧ୍ୟ ସେଥିରେ ରହିଛି। ‘ଗମ୍ଭାରୀ’ ଆମଶୂଳ ଦୂରକାରୀ। ଶୋଷକ୍ଷୟ ଓ ଜ୍ୱରର ନିଦାନ ଗୁଣ ମଧ୍ୟ ଏଥିରେ ଅଛି। ‘ଅଙ୍କରାନ୍ତି’ କାଶ, ଚକ୍ଷୁରୋଗ ଓ ଶ୍ୱାସରୋଗ ନିବାରକ। ‘ଜଟାମାଂସୀ’ କାଶ, ଶ୍ୱାସକଷ୍ଟ ଓ ଉନ୍ମାଦ ଅପନୋଦନ କରିଥାଏ। ‘ଫଣଫଣା’ ଅତିସାର ଓ ସନ୍ନିପାତ ଜ୍ୱର ନିବାରଣ ସହିତ କଫରୋଗ ନିରାକରଣ କରେ। ‘ଅଗବଥୁ’ ଥଣ୍ଡାଜ୍ୱର, ଯକୃତରୋଗ, ପାକସ୍ଥଳୀର ସମସ୍ୟା ଓ ଆଣ୍ଠୁଗଣ୍ଠି ବାତରେ ଉପକାରୀ ହୋଇଥାଏ। ‘ଗୋଖରା’ ମୁଖ ଦୁର୍ଗନ୍ଧ ନାଶକରିବା ସହିତ କଟିଶୂଳ ଦୂରକରେ। ‘କୃଷ୍ଣପର୍ଣ୍ଣୀ’ କଫଜନିତ ରୋଗ ଓ ନେତ୍ରରୋଗରେ ସୁଫଳ ପ୍ରଦାନ କରେ। ‘ଶାଳପର୍ଣ୍ଣୀ’ ଜ୍ୱର, ଶ୍ୱାସ ଓ ଅତିସାର ରୋଗରେ ଉପକାରୀ ହୋଇଥାଏ ଏବଂ ‘ଲବିଂକୋଳି’ ଶ୍ୱାସ ଓ କାଶ ରୋଗ ଅପନୋଦନ କରିଥାଏ।

ଏହି ଦଶଟି ପ୍ରାକୃତିକ ଔଷଧୀୟ ସାମଗ୍ରୀ ଖରାରେ ଶୁଖାଇ, ସମପରିମାଣରେ ମିଶାଇ ଗୁଣ୍ଡକରି, ନୂଆ ସଫା କନାରେ ଛାଣି ଏବଂ ଚିନି ଓ ଖୁଆରେ ପାଗକରି ବୈଦ୍ୟ ସେବକ ଓ ତାଙ୍କର ପରିବାର ଦଶମୂଳ ମୋଦକ ପ୍ରସ୍ତୁତ କରନ୍ତି। ତାହାକୁ ଛୋଟ ଛୋଟ ଲଡୁପରି କରାଯାଇ, ତିନିଟି କୁଡୁଆରେ ସମପରିମାଣରେ ରଖି, ବୈଦ୍ୟ ସେବକ ଦଶମୀ ଦିନ ଶ୍ରୀମନ୍ଦିରର ଗାରଦ ଘରେ ଦିଅନ୍ତି। ଏକାଦଶୀ ଦିନ ତାହା ପ୍ରଭୁଙ୍କୁ ଲାଗି ହେବାପରେ ସେମାନେ ଜ୍ୱରମୁକ୍ତ ହୋଇ ଶୀଘ୍ର ସୁସ୍ଥ ହୁଅନ୍ତି।

ମୋଦକର ପ୍ରାଚୀନତା
ଭାରତୀୟ ଧର୍ମ, ସଂସ୍କୃତି, ପରମ୍ପରା ଓ ଜୀବନଶୈଳୀରେ ମୋଦକର ବ୍ୟବହାର ବହୁ ପୁରାତନ। ଖ୍ରୀଷ୍ଟପୂର୍ବ ୩୦୦୦ ପୂର୍ବରୁ ଭାରତୀୟ ଆୟୁର୍ବେଦ ଚିକିତ୍ସା ପଦ୍ଧତି‌େର ଏକଶହରୁ ଊର୍ଦ୍ଧ୍ବ ଔଷଧୀୟ ମୋଦକ ପ୍ରୟୋଗ ହେଉଥିବା ଜଣାଯାଏ। ଆଜି ମଧ୍ୟ ଆୟୁର୍ବେଦ ଚିକିତ୍ସାରେ ମୋଦକ ବ୍ୟବହାର ଜାରି ରହିଛି। ହିନ୍ଦୁ ପୃଷ୍ଠଭୂମିରୁ ବିବେଚନା କଲେ ଯାହା ଆନନ୍ଦ, ସୁଖ ଓ ଖୁସି ଦିଏ ତାହା ହେଉଛି ମୋଦକ। ମୋଦକ ବୈଭବର ପ୍ରତୀକ ବୋଲି ବିବେଚନା କରାଯାଇଥାଏ।

 ସେହିପରି ତାନ୍ତ୍ରିକ ପରମ୍ପରାରେ ଊର୍ଦ୍ଧ୍ବମୁଖୀ ତ୍ରିଭୂଜାକାର ମୋଦକ ବ୍ୟବହାର ସଂପର୍କରେ ଉଲ୍ଲେଖ ରହିଛି। ତନ୍ତ୍ରବିଦ୍ୟାରେ ଏହା ‘ଶିବ’ଙ୍କୁ ବୁଝାଇଥାଏ ଏବଂ ନିମ୍ନମୁଖୀ ତ୍ରିଭୂଜ ସଦୃଶ ମୋଦକ ‘ଶକ୍ତି’ଙ୍କୁ ବୁଝାଇଥାଏ। କେବଳ ହିନ୍ଦୁ ଧର୍ମଶାସ୍ତ୍ର ନୁହେଁ, ଜୈନ ଗ୍ରନ୍ଥରେ ମଧ୍ୟ ମୋଦକ ବର୍ଣ୍ଣନା ରହିଛି। ଧାର୍ମିକ ଚେତନାରେ ମୋଦକକୁ ଦେବ ଚିକିତ୍ସାର ଉପାଦାନ ବିବେଚନା କରାଯାଉଥିବାରୁ ମାଦକ ଦ୍ରବ୍ୟ ଭାବେ ଏହାର ବ୍ୟବହାର ନିଷିଦ୍ଧ।

ମିଷ୍ଟାନ୍ନର ଅନ୍ୟନାମ ମୋଦକ
ରନ୍ଧନକଳା ଇତିହାସକାର ଦରାର୍‌ ଗୋଲ୍‌ଡ୍‌ଷ୍ଟେନ୍‌ଙ୍କ ଅନୁଯାୟୀ ମୋଦକ ହେଉଛି ଏକ ପ୍ରାଚୀନ ‘ମିଠେଇ’ ବା ‘ଲଡୁ’ ଯାହା ଖ୍ରୀଷ୍ଟ ଜନ୍ମର ୨୦୦ ବର୍ଷ ପୂର୍ବରୁ ପ୍ରଚଳିତ। ଆୟୁର୍ବେଦ, ରାମାୟଣ ଓ ମହାଭାରତ ଭଳି ପୌରାଣିକ ଗ୍ରନ୍ଥରେ ମୋଦକର ବର୍ଣ୍ଣନା ରହିଛି। ଏହି ଗ୍ରନ୍ଥଗୁଡ଼ିକରେ ମୋଦକକୁ ଏପରି ଏକ ପିଷ୍ଟକ ବା ପିଠା ବୋଲି ବର୍ଣ୍ଣନା କରାଯାଇଛି, ଯେଉଁଥିରେ ମିଠାପୂର ରହିଥାଏ। ସେହିପରି ସଂଗମ ସାହିତ୍ୟରେ ମୋଦକକୁ ଚାଉଳରେ ତିଆରି ମିଠାପୂର ଥିବା ଏକ ପ୍ରକାରର ପିଠା ବୋଲି ଅଭିହିତ କରାଯାଇଛି। ପ୍ରାଚୀନ ସହର ମଦୁରାଇରେ ବୁଲାବିକାଳିମାନେ ମୋଦକ ବିକ୍ରି କରୁଥିବାର ବର୍ଣ୍ଣନା ରହିଛି।
ମଧ୍ୟଯୁଗୀୟ ‘ମାନସୋଲ୍ଲାସ’ ରନ୍ଧନକଳା ଗ୍ରନ୍ଥରେ ମୋଦକ ଚାଉଳଚୂନା ଏବଂ ଗୁଜୁରାତି ଓ କର୍ପୂର ପରି ସୁବାସିତ ମସଲାର ପୁର ଦେଇ ପ୍ରସ୍ତୁତ କରାଯାଇଥିବା ପିଠା ବା ମିଠେଇ ବୋଲି ଉଲ୍ଲେଖ କରାଯାଇଛି।

ଏହି ଗ୍ରନ୍ଥରେ ଏପରି ମୋଦକକୁ ‘ବ‌େର୍ଷାପାଳଗୋଲକ’ ବୋଲି ବର୍ଣ୍ଣନା କରାଯାଇଛି କାରଣ ଏଗୁଡ଼ିକ ‘କୁଆପଥର’ ପରି ଦେଖାଯାଇ ଥାଆନ୍ତି। ଭଜା ଯାଇଥିବା ମୋଦକଗୁଡ଼ିକ ଅଟାରେ ପ୍ରସ୍ତୁତ କରାଯାଉଥିବା ବେଳେ ସିଝା ମୋଦକଗୁଡ଼ିକ ଚାଉଳଚୂନାରେ ପ୍ରସ୍ତୁତ କରାଯାଇଥାଏ। ଭାରତରେ ମହାରାଷ୍ଟ୍ରରେ ପ୍ରଥମେ ମୋଦକର ବ୍ୟବହାର କରାଯିବାର ପ୍ରମାଣ ମିଳେ। ପ୍ରାଚୀନ ଖାଦ୍ୟ ଉପରେ ଗବେଷଣା କରୁଥିବା କେତେକ ଐତିହାସିକଙ୍କ ମତରେ ଛତ୍ରପତି ଶିବାଜୀ ସାମାଜିକ ଉତ୍ସବ ପାଳନରେ ମୋଦକକୁ ଲୋକପ୍ରିୟ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଏହାପରେ ମୋଦକ ଅନ୍ୟ ରାଜ୍ୟକୁ ପ୍ରସାର ଲାଭ କରିଥିଲା।

ଦ୍ରବ୍ୟ ଏକ, ନାମ ଅନେକ
ଦେଶବିଦେଶରେ ମୋଦକର ବିଭିନ୍ନ ନାମ ରହିଛି। ପଣ୍ଡିତ ବରଋଚିଙ୍କ ଯୋଗ ଶତକରେ (ଦଶମ ଶତାବ୍ଦୀ) ମୋଦକକୁ ଗୁଟିକା ବୋଲି ମଧ୍ୟ ଦର୍ଶାଯାଇଛି ଏବଂ ଏହା ଔଷଧୀୟ ବଟିକା ବା ଗୁଳା ବୋଲି ଉଲ୍ଲେଖ କରାଯାଇଛି। ଏହି ଗ୍ରନ୍ଥରେ ସାଧାରଣ ଭାବେ ଦେଖାଯାଉଥିବା ରୋଗର ଚିକିତ୍ସା ଲାଗି ବ୍ୟବହୃତ ଔଷଧୀୟ ମୋଦକଗୁଡ଼ିକ ସଂପର୍କରେ ବର୍ଣ୍ଣନା କରାଯାଇଛି। ପଞ୍ଚଦଶ ଶତାବ୍ଦୀରେ ବାସୁଦେବଙ୍କ ଦ୍ବାରା ଲିଖିତ ‘ଯୋଗସାର ସମଗ୍ର’ରେ ମୋଦକର ଅନ୍ୟ ଏକ ନାମ ‘ଗୁଳିକା’ ବୋଲି ବର୍ଣ୍ଣନା କରାଯାଇଛି। ଏଥିରେ ଉଲ୍ଲେଖ କରାଯାଇଛି ଯେ ଯେତେବେଳେ ଗୁଣ୍ଡ କରାଯାଇଥିବା ଔଷଧୀୟ ଗୁଡ଼ ସିରାରେ ମିଶାଯାଇ କିମ୍ବା ପାଣି, କ୍ଷୀର ଓ ଗ୍ବରସ ସହିତ ମିଶାଯାଇ ଛୋଟ ଛୋଟ ଗୁଲି କରାଯାଇ ଶୁଖାଯାଏ, ତାହାକୁ ଗୁଲିକା କୁହାଯାଏ। ମୋଦକର ଅନ୍ୟ ନାମଗୁଡ଼ିକ ହେଲା ବଟନ, ବଟି, ବଟିକା, ମୋଦକ, ପିଣ୍ଡି, ବର୍ତ୍ତି ଇତ୍ୟାଦି।  ସେହିପରି ଭାରତର ବିଭିନ୍ନ ରାଜ୍ୟରେ ମୋଦକ ଭିନ୍ନ ଭିନ୍ନ ନାମରେ ପରିଚିତ। ମରାଠୀ ଭାଷାଭାଷୀ ମୋଦକ୍, ସଂସ୍କୃତରେ ମୋଦକମ୍, ଓଡ଼ିଆ-ଗୁଜରାଟୀ- ସେହିପରି ହିନ୍ଦୀ ଭାଷାରେ ମୋଦକ, କନ୍ନଡ଼ରେ କୋଲୁକତ୍ତାଇ, ତାମିଲରେ କୋଝୁକତ୍ତାଇ ଓ ମୋଥରମ୍, ମଲୟାଲମ୍‌ରେ ଜିଲେଜୁକ ଏବଂ ତେଲୁଗୁରେ ଜିଲେଦୁକାୟଲୁ ଓ କୁଡୁମ ନାମରେ ମୋଦକ ପରିଚିତ ଥିବାବେଳେ କୋଙ୍କଣୀ ଭାଷାରେ ମୋଦକକୁ ନେଭ୍ରି କୁହାଯାଏ।

ବିଦେଶରେ ମୋଦକ
ଏସିଆ ମହାଦେଶରେ ମୋଦକ ବ୍ୟବହାର ଅତ୍ୟନ୍ତ ପ୍ରାଚୀନ। କାମ୍ବୋଡ଼ିଆରେ ମୋଦକ ପରମ୍ପରା ପ୍ରଚଳିତ ରହିଛି। ସେଠାରେ ମୋଦକର ନାମ ନୁମ୍‌ କୋମ୍। କାମ୍ବୋଡ଼ିଆ ଅଧିବାସୀ ମୋଦକରେ ‌ମଇଦା ବ୍ୟବହାର କରନ୍ତି। ଜାପାନର ଅଧିବାସୀ ବିଭିନ୍ନ ଉତ୍ସବରେ, ଏପରିକି ଜନ୍ମଦିନ ପ‌ାଳନ ସମୟରେ ମୋଦକ ଖାଇଥାନ୍ତି। ଜାପାନରେ ମୋଦକକୁ କାଙ୍ଗିଦନ୍ କୁହାଯାଏ। ଜାପାନୀମାନେ ବିଘ୍ନ ବିନାଶକ ଦେବତା କଙ୍ଗିତେନ୍‌ଙ୍କୁ ମୋଦକ ଭୋଗ ଲଗାନ୍ତି।  ବୌଦ୍ଧାଧର୍ମାବଲମ୍ବୀମାନେ ମୋଦକ ଅର୍ପଣ କରିବା ବିଷୟରେ ମଧ୍ୟ ଉଲ୍ଲେଖ ରହିଛି। ଜାପାନରେ ମୋଦକ ପ୍ରସ୍ତୁତିରେ ଦହି, ମହୁ ସମେତ ଲାଲ୍‌ ଶିମ୍ବମଞ୍ଜି ଚୂନା ଓ ଅଟା ବ୍ୟବହାର ହୋଇଥାଏ। ସେମାନେ ମୋଦକକୁ ପାଉଁରୁଟି ଭଳି ପ୍ରସ୍ତୁତ କରନ୍ତି। ଏଥିରେ ବହୁଳ ମାତ୍ରାରେ ଗୁଜୁରାତି ଓ ଅଳେଇଚ ବ୍ୟବହାର ହୁଏ।

ମାଲେସିଆ ଓ ସିଙ୍ଗାପୁର ଭଳି ରାଷ୍ଟ୍ରରେ ମୋଦକକୁ ‘କୁଇହି’ କୁହାଯାଏ। ଇଣ୍ଡୋନେସିଆରେ ‘କୁଏ’ ନାମରେ ମୋଦକ ପରିଚିତ। ଏହି ଦେଶସମୂହରେ କେତେକ ପ୍ରକାରର ସ୍ବତନ୍ତ୍ର ମୋଦକକୁ ‘କ୍ଲେପୋନ୍‌ ଓ ସେନିଲ୍‌’ ବୋଲି ମଧ୍ୟ କୁହାଯାଏ। ମିଅଁାମାରରେ ମୋଦକର ନାମ ‘ଲେ‌ାନେ-ୟ ୱ’। ସେଠାରେ ଥିଙ୍ଗୟନ୍ ପର୍ବ ପାଳନ ସମୟରେ ଏହାର ବହୁଳ ବ୍ୟବହାର କରାଯାଏ। ଥାଇଲାଣ୍ଡରେ ‘ଖାନୋମ୍-ଦୋମ୍ ଓ ଖାନୋମ୍-ତଖା’ ନାମକ ମୋଦକ ପ୍ରଚଳିତ। ଉଭୟ ମୋଦକ ଉପରେ ନଡ଼ିଆକୋରା ପ୍ରଲେପ ଦିଆଯାଇଥାଏ। ଭିଏତ୍‌ନାମ୍‌ରେ ମୋଦକକୁ ‘ବନହ-ଦୁଅ ଓ ନହନ୍’ ବୋଲି କୁହାଯାଏ।