ଆଧୁନିକ ଜୀବନରେ ଲୋକମାନେ ପାଶ୍ଚାତ୍ୟ ଜୀବନଶୈଳୀକୁ ଆପଣେଇ ନେଇଥିବାରୁ ଏହାର ପ୍ରଭାବରେ ଲାଇଫ୍ ଷ୍ଟାଇଲ୍ ଡିଜିଜ୍ ବା ତ୍ରୁଟିଗତ ଜୀବନଶୈଳୀରୁ ସୃଷ୍ଟି ବିଭିନ୍ନ ରୋଗର ସମ୍ମୁଖୀନ ହେବାକୁ ପଡ଼ୁଛି। ଯାହାର ଆଲୋଚନା କରିବା ବହୁତ ଗୁରୁତ୍ବପୂର୍ଣ୍ଣ। ଅସ୍ବାସ୍ଥ୍ୟକର ଖାଦ୍ୟ ଅଭ୍ୟାସ, ପରିବର୍ତ୍ତିତ ଜୀବନଶୈଳୀ, ମଦ୍ୟପାନ, ସର୍ବୋପରି ଚାପଗ୍ରସ୍ତ ଆଧୁନିକ ଜୀବନର ଅବଦାନ ହେଉଛି ଏହି ଲାଇଫ୍ ଷ୍ଟାଇଲ୍ ଡିଜିଜ୍ ବା ଜୀବନଶୈଳୀଜନିତ ରୋଗ। ଏକ ପରିସଂଖ୍ୟାନରୁ ଜଣାଯାଏ ଯେ, ସମଗ୍ର ବିଶ୍ବରେ ସମୁଦାୟ ମୃତ୍ୟୁବରଣ କରୁଥିବା ଲୋକମାନଙ୍କ ମଧ୍ୟରେ ଶତକଡ଼ା ୭୧ ଭାଗ ମୃତ୍ୟୁ ପାଇଁ ଏହି ଅଣସଂକ୍ରାମକ ଜୀବନଶୈଳୀ ଜନିତ ରୋଗ ହିଁ ଦାୟୀ। ଭାରତରେ ପ୍ରାୟ ୬୦ ଭାଗ ମୃତ୍ୟୁ ଏହି ଅଣସଂକ୍ରମଣ ଜନିତ ରୋଗ ଯୋଗୁଁ ହୋଇଥାଏ। ଏହି ରୋଗ ଗୁଡ଼ିକ ମଧ୍ୟରେ ହୃଦ୍ଘାତ, ବ୍ରେନ୍ ଷ୍ଟ୍ରୋକ୍, କର୍କଟ, ମଧୁମେହ, ମୋଟାପଣ ଏବଂ ଫୁସ୍ଫୁସ୍ ଜନିତରୋଗ ଅନ୍ୟତମ।
ହୃଦ୍ରୋଗ : ଏହି ଅଣସଂକ୍ରାମକ ରୋଗ ଆଜି ଭାରତରେ ମୃତ୍ୟୁର ଏକ ନମ୍ବର କାରଣ ସାଜିଛି। ସାରାବିଶ୍ବରେ ହୃଦ୍ଜନିତ ମୃତ୍ୟୁର ପ୍ରାୟ ୨୦ ଭାଗ ମୃତ୍ୟୁ ଭାରତରେ ହୋଇଥାଏ। ଭାରତର ହୃଦ୍ରୋଗୀମାନଙ୍କ ମଧ୍ୟରେ ୧୧ ଭାଗ ରୋଗୀ ମଧୁମେହ ରୋଗରେ ଆକ୍ରାନ୍ତ ହୋଇନଥିବାବେଳେ ପ୍ରାୟ ୨୧ ଭାଗ ରୋଗୀ ମଧୁମେହ ରୋଗରେ ପୀଡ଼ିତ। ଆଧୁନିକ ଜୀବନଶୈଳୀ ହେଉଛି ହୃଦ୍ରୋଗ ଭଳି ବିପଦ ବୃଦ୍ଧିର ମୁଖ୍ୟ କାରଣ। ଭାରତରେ ହୃଦ୍ରୋଗ ଅନ୍ୟ ଦେଶ ତୁଳନାରେ ଶୀଘ୍ର ଘଟିଥାଏ, ଶୀଘ୍ର ଅଗ୍ରଗତି କରିଥାଏ, ଅଧିକ ଡାକ୍ତରଖାନାରେ ଭର୍ତ୍ତି ହେବାର ସମ୍ଭାବନା ବଢ଼ିଥାଏ ଏବଂ ମୃତ୍ୟୁହାର ମଧ୍ୟ ଅଧିକ ରହିଥାଏ। ହୃଦ୍ଘାତକୁ ରୋକିବା ପାଇଁ ସୁସ୍ଥ ଖାଦ୍ୟ, ରକ୍ତଶର୍କରା ଏବଂ ରକ୍ତଚାପ ସ୍ତରକୁ ନିୟନ୍ତ୍ରଣ ରଖିବା ସହ ଧୂମପାନ, ମଦ୍ୟପାନ ବନ୍ଦ କରନ୍ତୁ ଏବଂ ଉତ୍ତମ ଶାରୀରିକ କାର୍ଯ୍ୟକଳାପ ପ୍ରତିଦିନ ଜାରି ରଖନ୍ତୁ।
ମେଦବହୁଳତା(obesity): ଆଧୁନିକ ଜୀବନଚର୍ଯ୍ୟାଯୁକ୍ତ ପରିବର୍ତ୍ତିତ ଜୀବନଶୈଳୀର ଅନ୍ୟ ଏକ ଅବଦାନ ହେଉଛି ମେଦବହୁଳତା। ଅନିୟମିତ ଏବଂ ଅତ୍ୟଧିକ ଖାଦ୍ୟ ଗ୍ରହଣ, ଅଧିକ କ୍ୟାଲୋରିରେ ଭରପୁର ଏବଂ ଫ୍ୟାଟ୍ଯୁକ୍ତ ଖାଦ୍ୟର ବହୁଳ ବ୍ୟବହାର ସହିତ କମ୍ ଶାରୀରିକ କାର୍ଯ୍ୟକଳାପ ହିଁ ମେଦବହୁଳତା ପାଇଁ ପ୍ରୋତ୍ସାହିତ କରିଥାଏ। ବର୍ତ୍ତମାନ ଭାରତରେ ପ୍ରାୟ ୪୦% ଲୋକ ମେଦ ବହୁଳତାର ଶୀକାର ହୋଇଥିବା ବେଳେ ଦକ୍ଷିଣ ଭାରତରେ ସର୍ବାଧିକ ୪୬% ଏବଂ ଭାରତର ପୂର୍ବଭାଗରେ ସର୍ବନିମ୍ନ ୩୨% ଲୋକେ ଏଥିରେ ପୀଡିତ। ମେଦବହୁଳତା ବ୍ୟକ୍ତିର ଦୈନନ୍ଦିନ ଜୀବନକୁ ପ୍ରଭାବିତ କରିବା ସହ ଭବିଷ୍ୟତରେ ହୃଦ୍ରୋଗ, ମଧୁମେହ, ଉଚ୍ଚ ରକ୍ତଚାପ, ଲିପିଡ଼୍ ଅସ୍ବାଭାବିକତା, ଯକୃତ ରୋଗ, କର୍କଟ ଓ ବ୍ରେନ୍ ଷ୍ଟ୍ରୋକ୍ ସହିତ ବିଭିନ୍ନ ସମସ୍ୟା ସୃଷ୍ଟି କରିବାରେ ସହାୟକ ହୋଇଥାଏ। ଏଥିରୁ ମୁକ୍ତ ପାଇବା ପାଇଁ ହେଲେ ପ୍ରତିଦିନ ନିୟନ୍ତ୍ରିତ କ୍ୟାଲୋରିଯୁକ୍ତ ଖାଦ୍ୟ ଗ୍ରହଣ ଓ ଉତ୍ତମ ଶାରୀରିକ ବ୍ୟାୟାମ(୩୦ରୁ ୪୦ ମିନିଟ୍)ର ଆବଶ୍ୟକତା ରହିଛି। ସ୍ବଳ୍ପସମୟ ପାଇଁ ଉଚ୍ଚ ଚର୍ବିଯୁକ୍ତ ଖାଦ୍ୟ ଯଥା କେଟୋ ଡାଏଟ୍ ଏବଂ ଇଟକିନ୍ସ ଡାଏଟ୍ର ସାହାଯ୍ୟ ନିଆଯାଇପାରେ।
ମଧୁମେହ : ମଧୁମେହ ବା ଡାଇବେଟିସ୍ ମଧ୍ୟ ଏକ ବିକୃତ ଜୀବନଶୈଳୀରୁ ସୃଷ୍ଟି ରୋଗ। ଏହା ଅନିୟମିତ ଖାଦ୍ୟପେୟ ଅଭ୍ୟାସ, ସ୍ବଳ୍ପ ଶାରୀରିକ କାର୍ଯ୍ୟକଳାପ, ଚାପଗ୍ରସ୍ତ ଆଧୁନିକ ଜୀବନ ଏବଂ ଜେଟେନିକ୍ସ ବା ବଂଶଗତ କାରଣ ଯୋଗୁଁ ମୁଖ୍ୟତଃ ହୋଇଥାଏ। ପରିସଂଖ୍ୟାନରୁ ଜଣାଯାଏ ଯେ, ଭାରତରେ ୭.୭ କୋଟି ଲୋକ ମଧୁମେହରେ ପୀଡ଼ିତ ଥିବାର ଅନୁମାନ କରାଯାଉଛି। ଉଦ୍ବେଗର କାରଣ ଏହା ଯେ ଭାରତରେ ଅତି କମ୍ ବୟସର ବ୍ୟକ୍ତିବିଶେଷଙ୍କ ପାଖରେ ଏହି ମଧୁମେହ ସମସ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏହାର ସଫଳ ପରିଚାଳନା ଓ ନିୟନ୍ତ୍ରଣ ପାଇଁ ଔଷଧର ଯେତିକି ପ୍ରାଥମିକତା ରହିଛି ତାଠାରୁ ମହତ୍ବପୂର୍ଣ୍ଣ ହେଉଛି ଲୋକମାନଙ୍କର ଜୀବନଶୈଳୀରେ ପରିବର୍ତ୍ତନ।
କର୍କଟ ରୋଗ : ପ୍ରାୟ ୭୦ ଲକ୍ଷ ଲୋକ ପ୍ରତିବର୍ଷ ସାରା ବିଶ୍ବରେ କର୍କଟ ରୋଗରେ ମୃତ୍ୟୁବରଣ କରିଥାନ୍ତି। ଯେଉଁଥିରୁ ପ୍ରାୟ ୩୦ ଭାଗ କର୍କଟ ରୋଗୀ ଏହି ଦୁଃସ୍ଥ ଜୀବନଶୈଳୀ ଯୋଗୁଁ ଏଥିରେ ଆକ୍ରାନ୍ତ ହୋଇଥାନ୍ତି। ଧୂମପାନ, ବିକିରଣ ଚିକିତ୍ସା, ବାୟୁ ପ୍ରଦୂଷଣ, ମେଦବହୁଳତା, ଅସ୍ବାସ୍ଥ୍ୟକର ଖାଦ୍ୟ ଏହି ରୋଗ ପାଇଁ ସହଯୋଗ କରିଥାଏ। ଏହାକୁ ପ୍ରତିହତ ବା ନିବୃତ ପାଇବାକୁ ହେଲେ ଧୂମପାନ ବନ୍ଦ କରିବା, ଅତି ବାଇଗଣି ରଶ୍ମିରୁ ଦୂରେଇ ରହିବା, ମଦ୍ୟପାନ ବନ୍ଦ କରିବା, ପ୍ରକ୍ରିୟାକୃତ ମାଂସ ଗ୍ରହଣ ନକରିବା ଏବଂ ବାୟୁ ପ୍ରଦୂଷଣରୁ ଦୂରେଇ ରହିବା ସହ ସୁସ୍ଥ ଓ ସୁଷମ ଖାଦ୍ୟ ଗ୍ରହଣ କରିବା ନିତାନ୍ତ ଆବଶ୍ୟକ।
କ୍ରୋନିକ୍ ଫୁସ୍ଫୁସ୍ ଜନିତ ରୋଗ : ଅଜମା ଏବଂ କ୍ରୋନିକ୍ ଅବଷ୍ଟ୍ରିକ୍ଟିଭ୍ ଫୁସଫୁସ ରୋଗ ହେଉଛି ଏକ ତ୍ରୁଟି ଜୀବନଶୈଳୀଗତ ରୋଗ, ଯାହା ପ୍ରଦୂଷିତ ପରିବେଶ, ରାସାୟନିକ ପ୍ରକ୍ରିୟା, ଧୂଳି, ଜିନ୍ ଏବଂ ସଂକ୍ରମଣ ଯୋଗୁଁ ଘଟିଥାଏ।
ଆଧୁନିକ ଜୀବନଶୈଳୀରୁ ସୃଷ୍ଟି ରୋଗ ଗୁଡ଼ିକର ସମସ୍ୟାକୁ ହ୍ରାସ କରିବା ନିମନ୍ତେ ଆମକୁ ପ୍ରତିଦିନ ସୁସ୍ଥ ଏବଂ ସୁଷମ ଖାଦ୍ୟର ଆବଶ୍ୟକତା ରହିଛି। ଯାହା ପର୍ଯ୍ୟାପ୍ତ କ୍ୟାଲୋରିଯୁକ୍ତ ପୃଷ୍ଟିକର ଖାଦ୍ୟ ହେବା ଦରକାର। ତମାଖୁ ସେବନ ଠାରୁ ଦୂରେଇ ରହିବା ଉଚିତ୍। କାରଣ ଏଥିରେ ପ୍ରାୟତଃ ୭ହଜାର କେମିକାଲ୍ ଏବଂ ୭୦ ପ୍ରକାର କାସିନୋଜେନ୍ ଉପାଦାନ ଭରି ରହିଛି। ପରବର୍ତ୍ତୀ ପର୍ଯ୍ୟାୟରେ ଶରୀରକୁ ଏହା କ୍ଷତି ପହଞ୍ଚାଇଥାଏ। ପରିଶେଷରେ ଏତିକି କୁହାଯାଇପାରେ ଯେ, କମ୍ ମଦ୍ୟପାନ କିମ୍ବା ଏହାକୁ ସଂପୂର୍ଣ୍ଣ ବନ୍ଦ କରିବା ସହିତ କାର୍ଯ୍ୟକ୍ଷେତ୍ରରେ ହାନିକାରକ ରାସାୟନିକ ପଦାର୍ଥ ଠାରୁ ଦୂରେଇ ରହିବା, ଉତ୍ତମ ଖାଦ୍ୟ ଗ୍ରହଣ ଉପରେ ପ୍ରାଥମିକତା ଦେବା, ପ୍ରଦୂଷଣମୁକ୍ତ ସୁସ୍ଥ ବାୟୁ ଗ୍ରହଣ କରିବା ଏବଂ ନିୟମିତ ଶାରୀରିକ ବ୍ୟାୟାମ କରିବା ଦ୍ବାରା ଆମେ ଏକ ସୁନ୍ଦର ଓ ସୁସ୍ଥ ଜୀବନ ବଞ୍ଚିପାରିବା।
ଆସୋସିଏଟ୍ ପ୍ରଫେସର ଅନ୍ତସ୍ରାବ ବିଭାଗ
ଏମ୍.କେ.ସି.ଜି ମେଡିକାଲ କଲେଜ, ବ୍ରହ୍ମପୁର