ସଂପ୍ରତି ଗବେଷକମାନେ ଏକ ନୂତନ ଧରଣର ରଙ୍ଗ ବିକଶିତ କରିଛନ୍ତି, ଯାହା ଗରମ ଦିନରେ କାନ୍ଥରୁ ‘ଝାଳ’ ସଦୃଶ ଜଳବିନ୍ଦୁ ବାହାର କରି ଘରକୁ ଥଣ୍ଡା ରଖିବ। ‘ସିସିପି-୩୦’ ନାମକ ରାସାୟନିକ ପଦାର୍ଥ ବ୍ୟବହାରରେ ପ୍ରସ୍ତୁତ ଏହି ରଙ୍ଗର ପ୍ରାରମ୍ଭିକ ପରୀକ୍ଷଣ ସକାରାତ୍ମକ ଫଳାଫଳ ଦେଇଛି। ବଜାରରେ ଉପଲବ୍ଧ ରଙ୍ଗଗୁଡ଼ିକ ଅପେକ୍ଷା ଏହା ଘରକୁ ୧୦ ଗୁଣ ଅଧିକ ଶୀତଳ ରଖିପାରିବ ବୋଲି ଏହାର ଉଦ୍ଭାବକମାନେ ଦାବି କରିଛନ୍ତି। ସାରା ବିଶ୍ୱରେ ବ୍ୟବହୃତ ବିଦ୍ୟୁତ୍ ଶକ୍ତିର ପ୍ରାୟ ୨୦ ପ୍ରତିଶତ ପଙ୍ଖା ଏବଂ ଶୀତ-ତାପ-ନିୟନ୍ତ୍ରଣ ପ୍ରଣାଳୀରେ ବିନିଯୋଗ ହୋଇଥାଏ। ଏହାକୁ ହ୍ରାସ କରିବା ପାଇଁ, ଚୀନର ନାନୟାଙ୍ଗ ବୈଷୟିକ ବିଶ୍ବବିଦ୍ୟାଳୟର ଦଳେ ଗବେଷକ ‘ସିସିପି-୩୦’ ରଙ୍ଗ ବିକଶିତ କରିଛନ୍ତି, ଯାହା ଉଭୟ ନୂତନ ଓ ପୁରୁଣା କୋଠାରେ ପ୍ରୟୋଗ କରାଯାଇପାରିବ।
‘ସିସିପି-୩୦’ ରଙ୍ଗ ବଜାରରେ ଉପଲବ୍ଧ ରଙ୍ଗଗୁଡ଼ିକ ଅପେକ୍ଷା ଘରକୁ ୧୦ ଗୁଣ ଅଧିକ ଶୀତଳ ରଖିପାରିବ ବୋଲି ଏହାର ଉଦ୍ଭାବକମାନେ ଦାବି କରିଛନ୍ତି।
ଚୀନୀ ଗବେଷକମାନେ ଏଥିପାଇଁ ସିମେଣ୍ଟ ଓ ଝାଳରୁ ପ୍ରେରଣା ନେଇଥିଲେ। ସିମେଣ୍ଟ ପ୍ରଚୁର ପରିମାଣର ଜଳ ଶୋଷି ପାରୁଥିବା ବେଳେ ଝାଳ ହେଉଛି ବାଷ୍ପୀଭବନ ଦ୍ବାରା ଶରୀରକୁ ଶୀତଳ ରଖିବାର ପଦ୍ଧତି। ଗବେଷକମାନେ କ୍ୟାଲସିୟମ୍ ସିଲିକେଟ୍ ହାଇଡ୍ରେଟ୍ ଦ୍ୱାରା ପ୍ରସ୍ତୁତ ଏକ ଧଳା ଜେଲ୍କୁ ଅଣୁସ୍ତରରେ ଅଧିକ ଛିଦ୍ରଯୁକ୍ତ କରି ‘ସିସିପି-୩୦’ ପ୍ରସ୍ତୁତ କରିଥିଲେ। ଏହା ପରେ କିଛି ଘରେ ଏହି ରଙ୍ଗ ପ୍ରୟୋଗ କରି ସାଧାରଣ ରଙ୍ଗର ଶୀତଳୀକରଣ ପ୍ରଭାବକୁ ତୁଳନା କରାଯାଇଥିଲା। ‘ସିସିପି-୩୦’ ରଙ୍ଗର ପ୍ରତିଫଳନ, ବିକିରଣ ଏବଂ ବାଷ୍ପୀଭବନ କ୍ଷମତା ଅତୁଳନୀୟ ପ୍ରମାଣିତ ହୋଇଥିଲା। ଏହା ମାସ ମାସ ଧରି ୯୨% ସୂର୍ଯ୍ୟାଲୋକ ପ୍ରତିଫଳନ କରିବାକୁ ସକ୍ଷମ ଏବଂ ୯୫% ତାପକୁ ଇନଫ୍ରାରେଡ୍ ବିକିରଣ ଭାବରେ ବିଚ୍ଛୁରିତ କରିପାରୁଛି। ପୁଣି ଏହି ରଙ୍ଗ ପ୍ରଲେପରେ ଥିବା ଛିଦ୍ରଗୁଡ଼ିକ ତାହାର ୩୦ ପ୍ରତିଶତ ଓଜନର ଜଳ ଧାରଣ କରିପାରେ, ଯାହା ତାପମାତ୍ରା ବୃଦ୍ଧି ପାଇଲେ ଝାଳ ପରି ବାଷ୍ପରେ ପରିଣତ ହୋଇ ଅତିରିକ୍ତ ଶୀତଳତା ପ୍ରଦାନ କରିଥାଏ।