ସୁରଟ:ଆଜି ଧନତେରସ୍। ଧନ୍ତେରସ୍କୁ ଆଖି ଆଗରେ ରଖି ବିଭିନ୍ନ ଗହଣୀ ବ୍ୟବସାୟୀ ନାନାଭାବେ ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ ପ୍ରୟାସ ଚଳାଇଛନ୍ତି। ଏହି କ୍ରମରେ ଜଣେ ବ୍ୟବସାୟୀ ସଂପୂର୍ଣ୍ଣ ନିଆରା କାମଟିଏ କରିଛନ୍ତି।
ଗୁଜୁରାଟର ସୂରଟର ଜଣେ ଗହଣା ବ୍ୟବସାୟୀ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫଟୋ ଥିବା ସୁନା ଓ ରୂପାର ବିସ୍କୁଟ୍ ବିକ୍ରି କରୁଛନ୍ତି। ଏହା ମଧ୍ୟ ଗ୍ରାହକମାନଙ୍କ ଭିତରେ ବେଶ୍ ଲୋକପ୍ରିୟ ହେବାରେ ଲାଗିଛି।
ଏହାକୁ କିଣିଥିବା ଜଣେ ଗ୍ରାହକ କହିଛନ୍ତି ପ୍ରତ୍ୟେକ ଦୀପାବଳିରେ ଆମେ ମା’ ମହାଲକ୍ଷ୍ମୀ ଓ ଭଗବାନ ଶ୍ରୀଗଣେଶଙ୍କର ପୂଜାର୍ଚ୍ଚନା କରିଥାଉ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଆମପାଇଁ ଭଗବାନଙ୍କ ଭଳି। ଏ ବର୍ଷ ମୋଦିଜୀଙ୍କ ଏହି ସୁନାର ମୂର୍ତ୍ତି କିଣିଛି ଓ ତାଙ୍କୁ ପୂଜା କରିବି।‘
ଅବଶ୍ୟ ପ୍ରଥମଥର ପାଇଁ କୌଣସି ଗହଣା ବ୍ୟବସାୟୀ ପ୍ରଧାନମନ୍ତ୍ରୀ ମୋଦିଙ୍କର ଏଭଳି ସାମଗ୍ରୀ ତିଆରି କରିଛନ୍ତି,ତା’ନୁହେଁ। ଏହା ଆଗରୁ ବି ସୂରାଟରେ ଜଣେ ଗହଣା ଦୋକାନୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଫଟୋ ଥିବା ରୂପାର ରାଖି ବିକ୍ରି କରି ଚର୍ଚ୍ଚାକୁ ଆସିଥିଲେ।

ସୂରଟର ଏହି ନିର୍ଦ୍ଦିଷ୍ଟ ଗହଣା ଦୋକାନରେ ସବୁଠାରୁ ଅଧିକ ଭିଡ ହେଉଛି ଏବଂ ଗ୍ରାହକମାନେ ମୋଦିଙ୍କ ସୁନା ବିସ୍କୁଟ୍ କିଣୁଥିବାର ମଧ୍ୟ ପରିଲକ୍ଷିତ ହେଉଛି।