ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ ଶନିବାର ମୋଦୀମୟ ହୋଇ ଉଠିଥିଲା ଝାରସୁଗୁଡ଼ା ସହର। ବିମାନବନ୍ଦରରୁ ଅମଲିପାଲି ସଭାସ୍ଥଳ ଯାଏଁ ବ୍ୟାନର, ପୋଷ୍ଟର, କଟ୍‌ଆଉଟ୍‌ ଛାଇ ହୋଇ ଯାଇଥିଲା। ପ୍ରଧାନମନ୍ତ୍ରୀଙ୍କୁ ଦେଖିବା ପାଇଁ ଲୋକେ ଆତୁର ହୋଇ ଅପେକ୍ଷା କରି ରହିଥିଲେ। ପ୍ରଧାନମନ୍ତ୍ରୀ ସଭାସ୍ଥଳରେ ପହଞ୍ଚିବା ମାତ୍ରେ ଲୋକେ ‘ମୋଦୀ-ମୋଦୀ’ ନାରା ଦେଇ ଖଣ୍ଡମଣ୍ଡଳ କମ୍ପାଇଥିଲେ। ‌ପ୍ରାୟ ୧ ଘଣ୍ଟା ଧରି ଲକ୍ଷାଧିକ ଲୋକ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀଙ୍କୁ ପାଖରୁ ଦେଖିବାକୁ ଓ ଶୁଣିବାକୁ ପାଇ ବେଶ୍‌ ଉତ୍ସ‌ାହିତ ଥିଲେ। ପ୍ରଧାନମନ୍ତ୍ରୀଙ୍କ ଝାରସୁଗୁଡ଼ା ଗସ୍ତକୁ ନେଇ ତେଜସ୍କର ମହାପାତ୍ରଙ୍କ 
ସ୍ବତନ୍ତ୍ର ଉପସ୍ଥାପନା

Advertisment

ଓଡ଼ିଆରେ ଭାଷଣ ଆରମ୍ଭ କଲେ 
‘ଜୟ ଜଗନ୍ନାଥ, ଜୟ ମା’ ସମଲେଇ, ଜୟ ମା’ ରାମଚଣ୍ଡୀ କହି ଭାଷଣ ଆରମ୍ଭ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଓଡ଼ିଆରେ ଉଦ୍‌ବୋଧନ ଦେଇ ‘ଏଠି ଉପସ୍ଥିତ ସମସ୍ତ ମାନ୍ୟଗଣ୍ୟ ବ୍ୟକ୍ତିଙ୍କୁ ମୋର୍‌ ଜୁହାର’ ବୋଲି କହିଥିଲେ। ନବରାତ୍ର ଭଳି ପବିତ୍ର ସମୟରେ ମା’ ସମଲେଶ୍ବରୀ, ମା’ ରାମଚଣ୍ଡୀଙ୍କ ମାଟିରେ ପହଞ୍ଚିବାର ସୌଭାଗ୍ୟ ମିଳିଥିବାରୁ ସେ ଅତ୍ୟନ୍ତ ଆନନ୍ଦିତ ବୋଲି କହିଥିଲେ। ପ୍ରଧାନମନ୍ତ୍ରୀଙ୍କ ଓଡ଼ିଆ ଭାଷଣ ଲୋକଙ୍କ ଭିତରେ ଏକ ସ୍ବତନ୍ତ୍ର ଉତ୍ସାହ ସୃଷ୍ଟି କରିଥିଲା।
ମନ୍ତ୍ରୀମାନଙ୍କ ବିଭାଗ ବଦଳାଇଦେଲେ ଉପସ୍ଥାପିକା
ଅମଲିପାଲି ସଭାସ୍ଥଳରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପହଞ୍ଚିବା ପରେ ଉପସ୍ଥାପିକା ମଞ୍ଚ ପରିଚାଳନା ଆରମ୍ଭ କରିଥିଲେ। ସେ ରାଜ୍ୟପାଳଙ୍କଠାରୁ ନେଇ ମଞ୍ଚାସୀନ ଥିବା ଝାରସୁଗୁଡ଼ା ବିଧାୟକଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ନାଁ ଉଚ୍ଚାରଣ କରିଥିଲେ। ତେବେ ସେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀଙ୍କୁ ପଞ୍ଚାୟତିରାଜ ମନ୍ତ୍ରୀ, ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାଏକଙ୍କୁ ସ୍ବାସ୍ଥ୍ୟମନ୍ତ୍ରୀ, ସ୍ବାସ୍ଥ୍ୟମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗଙ୍କୁ ସାଂସଦ ଭାବେ ସମ୍ବୋଧନ କରିଥିଲେ। ଯାହାକୁ ନେଇ ଉପସ୍ଥାପିକା ମନ୍ତ୍ରୀମାନଙ୍କ ବିଭାଗ ବଦଳ କରି ଦେଇଥିବା ନେଇ ଲୋକେ ପରିହାସ ଛଳରେ ଚର୍ଚ୍ଚା କରିଥିଲେ।

ବିଜୁ ଏକ୍ସପ୍ରେସ୍‌ ୱେ’ ଭୀଷଣ ଜାମ୍‌ 
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଝାରସୁଗୁଡ଼ା ଗସ୍ତ ପାଇଁ ଏସ୍‌ପିଜି ସମସ୍ତ ସୁରକ୍ଷା ବ୍ୟବସ୍ଥାକୁ ନିଜ ନିୟନ୍ତ୍ରଣକୁ ନେଇଥିଲା। ଫଳସ୍ବରୂପ ସଭାସ୍ଥଳରୁ ଦୂରରେ ଯଥା ପଞ୍ଚପଡ଼ା, ସାଲେଟିକ୍ରା, ତାଳପଟିଆ, ଟାଙ୍ଗରପାଲି ଅଞ୍ଚଳରେ ପାର୍କିଂ ବ୍ୟବସ୍ଥା କରାଯାଇଥିଲା। ସମସ୍ତ ପାର୍କିଂସ୍ଥଳ ବିଜୁ ଏକ୍ସପ୍ରେସ୍‌ ୱେ’ କଡ଼ରେ ରହିଥିବା ବେଳେ କାର୍ଯ୍ୟକ୍ରମରେ ୩ ହଜାରରୁ ଅଧିକ ବସ୍‌ ନିୟୋଜିତ ହୋଇଥିଲା। ଏହାସହିତ ଭିଆଇପି, ଭିଭିଆଇପିଙ୍କ ଗାଡ଼ି ମଧ୍ୟ ଉକ୍ତ ରାସ୍ତା ଦେଇ ଯିବାଆସିବା କରିଥିଲା। ଫଳସ୍ବରୂପ ଆଜି ସକାଳ ୯ଟାରୁ ବିଜୁ ଏକ୍ସପ୍ରେସ୍‌ ୱେ’ରେ ଟ୍ରାଫିକ୍‌ ଜାମ୍‌ ଆରମ୍ଭ ହୋଇଯାଇଥିଲା। ପ୍ରଧାନମନ୍ତ୍ରୀ ଦିନ ଗୋଟାଏରୁ ଫେରି ଯାଇଥିଲେ ହେଁ ସନ୍ଧ୍ୟା ୬ଟା ଯାଏଁ ବିଜୁ ଏକ୍ସପ୍ରେସ୍‌ ୱେରୁ ଜାମ୍‌ ହଟିପାରି ନଥିଲା। ଯାହାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା।
୨.୫ କିମିର ରୋଡ୍‌ ସୋ’
ପ୍ରଥମଥର ପାଇଁ ଝାରସୁଗୁଡ଼ାରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ରୋଡ୍‌ ସୋ’ ଦେଖିବାକୁ ମିଳିଥିଲା। ପ୍ରଧାନମନ୍ତ୍ରୀ ଝାରସୁଗୁଡ଼ା ବିମାନବନ୍ଦରରେ ଅବତରଣ କରିବା ପରେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଭବ୍ୟ ସ୍ବାଗତ କରିଥିଲେ। ଏହାପରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ୨.୫ କିମିର ରୋଡ୍‌ ସୋ’ରେ ଆସି ଅମଲିପାଲି ସଭାସ୍ଥଳରେ ପହଞ୍ଚିଥିଲେ। ରୋଡ୍‌ ସୋ’ ବେଳେ ହଜାର ହଜାର ଲୋକ ରାସ୍ତାକଡ଼ରେ ଛିଡ଼ାହୋଇ ପ୍ରଧାନମନ୍ତ୍ରୀଙ୍କୁ ନିକଟରୁ ଦେଖିଥିଲେ। ଏହି ସମୟରେ ବିଭିନ୍ନ ଛକ ଜାଗାମାନଙ୍କରେ ଦୁଲଦୁଲି ବାଜା, ସଂକୀର୍ତ୍ତନ, ସମ୍ବଲପୁରୀ ନୃତ୍ୟ, କଳାହାଣ୍ଡି ନୃତ୍ୟ, ଆଦିବାସୀ ନୃତ୍ୟ ମଧ୍ୟ ପରିବେଷଣ କରାଯାଇଥିଲା। ରୋଡ୍‌ ସୋ’ବେଳେ ଏକାଧିକ ସ୍ଥାନରେ ଲୋକେ ସୁରକ୍ଷା ବଳୟ ଡେଇଁ ପ୍ରଧାନମନ୍ତ୍ରୀଙ୍କ ନିକଟତର ହେବାକୁ ଚେଷ୍ଟା କରିଥିବା ଦୃଶ୍ୟ ସାମନାକୁ ଆସିଥିଲା।

dagdaadgvzvccv

ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଗସ୍ତ ପାଇଁ ବିମାନବନ୍ଦରରୁ ଅମଲିପାଲି ପଡ଼ିଆ ଯାଏଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିଲା। ଏହି ରୁଟ୍‌ରେ ପୁଲିସ ଛାଉଣି କରି ଦିଆଯାଇଥିବା ବେଳେ ଏସ୍‌ପିଜି, ବିଏସ୍‌ଏଫ୍‌, ଆଇଟିବିପି ଓ ଏନ୍‌ଏସ୍‌ଜିର ବ୍ଲାକ୍‌ କ୍ୟାଟ୍‌ କମାଣ୍ଡୋ ପଇଁତରା ମାରୁଥିଲେ। ସଭାସ୍ଥଳ‌ରେ ମଧ୍ୟ ଅନୁରୂପ ଭାବେ ସୁରକ୍ଷା ବ୍ୟବସ୍ଥା ରହିଥିଲା। ସଭାସ୍ଥଳରେ ରହିଥିବା ୩ଟି ଗେଟ୍‌ରେ ତନ୍ନତନ୍ନ କରି ସୁରକ୍ଷା ଯାଞ୍ଚ କରାଯାଇଥିଲା। ଏପରିକି ପକେଟ୍‌ରେ ଚାବି, ସାଙ୍ଗରେ ପାଣି ବୋତଲ ନେବା ଉପରେ ମଧ୍ୟ କଟକଣା ଜାରି କରାଯାଇଥିଲା। ସଭାସ୍ଥଳରେ ନିର୍ଦ୍ଦିଷ୍ଟ ସଂସ୍ଥାକୁ ଛାଡ଼ି ଅନ୍ୟ କାହାକୁ ସୋସିଆଲ୍‌ ମିଡିଆରେ ଲାଇଭ୍‌ କରିବାର ଦେଖିଲେ ବି ଏସ୍‌ପିଜି ଓ ପୁଲିସ୍‌ ସେମାନଙ୍କ ମୋବାଇଲ୍‌ ଛଡ଼ାଇ ନେଉଥିବା ଦେଖିବାକୁ ମିଳିଥିଲା। 

ମୋଦୀଙ୍କୁ ଘରକୁ ଡାକିଛି...
ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଯୁବ ସମାବେଶ କାର୍ଯ୍ୟକ୍ରମ ଅବସରରେ ଅନ୍ତ୍ୟୋଦୟ ଯୋଜନାରେ ୫୦ ହଜାର ପରିବାରଙ୍କୁ ଗୃହନିର୍ମାଣ ସମ୍ପର୍କିତ ସ୍ବୀକୃତିପତ୍ର ପ୍ରଦାନ କରିଥିଲେ। ତେବେ କାର୍ଯ୍ୟକ୍ରମରେ ନିର୍ଦ୍ଦିଷ୍ଟ ୫ ଜଣଙ୍କୁ କାର୍ଯ୍ୟାଦେଶ (ୱାର୍କଅର୍ଡର) ପ୍ରଦାନ କରାଯାଇଥିଲା। ସେମାନେ ହେଲେ ଝାରସୁଗୁଡ଼ାର ସମ୍ପୂର୍ଣ୍ଣ ଦୃଷ୍ଟିହୀନ ମହିଳା ପୂର୍ଣ୍ଣମୀ ସେଠ, ରାୟଗଡ଼ାର ଗ‌ଡୈତ ଏକ୍କା, ସୁନ୍ଦରଗଡ଼ର କଲ୍ୟାଣୀ ସିଂହ, ବରଗଡ଼ର ବୁଲୁ ପଶାୟତ ଏବଂ କନ୍ଧମାଳର ଲକ୍ଷ୍ମଣ କହଁର। କାର୍ଯ୍ୟାଦେଶ ପ୍ରଦାନବେଳେ ପ୍ରଧାନମନ୍ତ୍ରୀ ଝାରସୁଗୁଡ଼ାର ପୂର୍ଣ୍ଣମୀଙ୍କ ସହ ବେଶ୍‌ କିଛି ସମୟ ଆଳାପ କରିଥିଲେ। ମଞ୍ଚରୁ ଓହ୍ଲାଇବା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ପୂର୍ଣ୍ଣମୀ କହିଲେ, ସେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଘରକୁ ଡାକିଛନ୍ତି। କେବେ ବି ଯଦି ସେ ତାଙ୍କ ଘରକୁ ଆସିବେ, ତାଙ୍କୁ ଭାତ, ଡାଲି ରାନ୍ଧି ଖୁଆଇବେ।

ବିମାନବନ୍ଦର ଛକରେ ଅଧଘଣ୍ଟା ଅଟକିଲେ ଯାତ୍ରୀ 
ଅମଲିପାଲିସ୍ଥିତ ସଭାସ୍ଥଳକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦିନ ୧୧ଟାରେ ପହଞ୍ଚିଥିବାବେଳେ ୧୨ଟା ୪୫ ମିନିଟ୍‌ରେ ସଭାସ୍ଥଳରୁ ବିମାନବନ୍ଦର ଅଭିମୁଖେ ବାହାରିଥିଲେ। ଦିନ ସାଢ଼େ ଗୋଟାଏରେ ବିମାନବନ୍ଦରରୁ ବେଙ୍ଗାଲୁରୁ ବିମାନ ଥିବା ବେଳେ ଘଣ୍ଟାଏ ପୂର୍ବରୁ ଚେକ୍‌ ଇନ୍‌ କରାଯିବାର ନିୟମ ରହିଛି। କିନ୍ତୁ ସାଢ଼େ ୧୨ଟା ପୂର୍ବରୁ ବିମାନବନ୍ଦରକୁ ଯାଉଥିବା ଯାତ୍ରୀଙ୍କୁ ଛକରେ ଅଟକାଇ ଦିଆଯାଇଥିଲା। ପ୍ରଧାନମନ୍ତ୍ରୀ ବିମାନବନ୍ଦର ଭିତରେ ପ୍ରବେଶ କରିସାରିବା ପରେ ଯାଇ ଯାତ୍ରୀଙ୍କୁ ଛକରୁ ଛଡ଼ାଯାଇଥିଲା। ଫଳସ୍ବରୂପ ପ୍ରାୟ ଅଧଘଣ୍ଟା ଧରି ଯାତ୍ରୀମାନେ ବିମାନବନ୍ଦର ଛକରେ ଅପେକ୍ଷା କରି ରହିଥିଲେ।