ପ୍ରଧାନମନ୍ତ୍ରୀ ମୋଦିଙ୍କ ଭାଷଣ ଶୁଣି ୫୭,୦୦୦ ଟଙ୍କାର ଖୁଚୁରା ସଞ୍ଚୟ କଲେ ଦୋକାନୀ, କିଣିଲେ ବାଇକ୍

ଭୋପାଳ : ଏମିତି ବି ଘଟଣା ଘଟେ। ନିଜର ଅଭିଳାଷକୁ ପୂରଣ କରିବା ଲାଗି ମଣିଷକୁ ବହୁ ପରିଶ୍ରମ କରିବାକୁ ପଡ଼େ।  ମଧ୍ୟପ୍ରଦେଶର ରାଇସିନ୍ ସହରର ବାସିନ୍ଦା  ହସିବ ନାମକ ଜଣେ ବ୍ୟକ୍ତିଙ୍କ ବହୁତ ଇଚ୍ଛା ଥିଲା ସେ ଗୋଟିଏ ବାଇକ କିଣିବେ। ମାତ୍ର ତାଙ୍କର ସମ୍ବଳ ନ ଥିଲା। ସେ ଆରମ୍ଭ କଲେ ସଞ୍ଚୟ। ନିରବଚ୍ଛିନ୍ନ ଭାବେ ସେ ପ୍ରତିଦିନ ବଳକା ଖୁଚୁରା ଏକ ଡବାରେ ରଖବାକୁ ଲାଗିଲେ।

ହସିବ୍ ବାଇକ୍ କିଣିବା ପାଇଁ ୫୭,୦୦୦ ଟଙ୍କାର ଖୁଚୁରା ଧରି ନିକଟସ୍ଥ ଏକ ହିରୋ ସୋରୁମରେ ପହଞ୍ଚିଲେ । ଯାହାକୁ ଦେଖି ସେଠାରେ ଉପସ୍ଥିତ ଥିବା ସମସ୍ତ ଲୋକ ପୂରାପୂରି ତାଜୁବ ହୋଇଯାଇଥିଲେ । ଏତେଗୁଡ଼ାଏ ଖୁଚୁରା ଗଣିବାକୁ କାହା ପାଖରେ ବା ସମୟ ଅଛି? ତେବେ ପ୍ରଥମେ ତ ଏତେ ପରିମାଣର ଖୁଚୁରା ଟଙ୍କା ଦେଖି ସୋ ରୁମବାଲା ତାଙ୍କୁ ମନା କରିଦେଲେ।

ହେଲେ ବିଚରା ହସିବଙ୍କ ମନ ଦୁଃଖ ହୋଇଗଲା। ସେ ସୋ’ରୁମ ମାଲିକଙ୍କୁ ନିଜ କାହାଣୀ ଶୁଣାଇଲେ।  ବହୁ ପରିମାଣର ଖୁଚୁରା ଧରି ସୋରୁମରେ ପହଂଚି ଥିବା ହସିବଙ୍କ କହିବା କଥା ହେଲା, ତାଙ୍କ ଘରେ ଦଶ ଜଣ ସଦସ୍ୟ ଅଛନ୍ତି । ଯେଉଁମାନେ କି ଗତ ୩ବର୍ଷ ହେଲା ତାଙ୍କ ବାଇକ୍ କିଣିବା ପାଇଁ ଗୋଟିଏ ଗୋଟି ଗୋଟି କରି ଟଙ୍କା ଜମା କରି ଆସୁଥିଲେ ଆଉ ହସିବଙ୍କର ଏହି ଦୁଃଖ ଭରା କାହାଣୀକୁ ଶୁଣି କାନ୍ଦି ପକାଇଥିଲେ ସୋରୁମ ମାଲିକ । ହସିବଙ୍କର କାହାଣୀ ଶୁଣିବା ପରେ ରାଜି ହୋଇଯାଇଥିଲେ ଏବଂ ତାଙ୍କୁ ତାଙ୍କ ମନ ପସନ୍ଦର ବାଇକଟିକୁ ଦେଇ ଦେଇଥିଲେ ।

Photo Courtesy of TOI

ଏହାପରେ ସୋ’ରୁମ୍ ମାଲିକଙ୍କ ନିର୍ଦ୍ଦେଶରେ ଖୁଚୁରା ଟଙ୍କାକୁ ଗଣିବା ପାଇଁ ସୋରୁମର ସବୁ କର୍ମଚାରୀଙ୍କୁ ନିୟୋଜିତ କରାଯାଇଥିଲା ଏବଂ ଏଥିପାଇଁ ସେମାନଙ୍କୁ ପାଖାପାଖି ୩ ଘଣ୍ଟା ଲାଗିଥିଲା । ହସିବ ପାଖାପାଖି  ୩୨୨ଟି  ୧୦ଟଙ୍କିଆ କଏନ, ୧,୪୫୮ ପାଞ୍ଚ ଟଙ୍କିଆ , ୧୫,୬୪୫ଟି ଦୁଇ ଟଙ୍କିଆ ଏବଂ ୧୪,୬୦୦ଟି ଏକ ଟଙ୍କିଆ  କଏନ ନେଇ ସୋରୁମକୁ ଆସିଥିଲେ ।

ଏନେଇ ହସିବ କହନ୍ତି, ଏହି ଟଙ୍କା ଜମା କରିବାର ପ୍ରେରଣା ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଏକ ଭାଷଣରୁ ଅନୁପ୍ରାଣିତ ହୋଇଥିଲେ । ଯେଉଁଥିରେ ମୋଦି ଟଙ୍କା ସଂଚୟ କରିବାର ପରାମର୍ଶ ଦେଇଥିଲେ । ହସିବଙ୍କ କହିବା ମୁତାବକ, ସେବେଠାରୁ ହିଁ ତାଙ୍କ ପରିବାର ଲୋକେ ତାଙ୍କ ପାଇଁ ଟଙ୍କା ଜମା କରି ଆସୁଥିଲେ ।

ସୋ’ରୁମ ମାଲିକଙ୍କ କହିବା ଅନୁସାରେ, ସବୁ ଖୁଚୁରା ଟଙ୍କାକୁ ବ୍ୟାଙ୍କରେ ଜମା କରିଦିଆଯିବ ଯାହାଦ୍ୱାରା କି ଖୁଚୁରା ଟଙ୍କାର ଅଭାବ କିଛି ମାତ୍ରାରେ ଏଡା ଯାଇ ପାରବ । ରାଇସିନ ସହରରେ ଏକ ଦୋକାନ କରି ଗୁଜରାଣ ମେଣ୍ଟାନ୍ତି ହସିବ । ଗତ ୧୨ ତାରିଖରେ ଖୁଚୁରା ୫୭.୦୦୦ ଟଙ୍କା ଧରି ନିକଟସ୍ଥ ଏକ ହିରୋ ସୋ’ ରୁମରେ ପହଞ୍ଚିଥିଲେ । ହସିବଙ୍କ କାହାଣୀ ବର୍ତ୍ତମାନ ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ହୋଇଛି।

ସମ୍ବନ୍ଧିତ ଖବର