ପାଞ୍ଚ ପତିଙ୍କ କଥା ଆସିଲେ ମନରେ ଆସନ୍ତି ପାଞ୍ଚାଳ ରାଜକୁମାରୀ ପାଞ୍ଚାଳୀ। ରାଜା ଦ୍ରୁପଦଙ୍କ ଝିଅ ଦୌପଦୀଙ୍କୁ ସ୍ୱୟଂବରରେ ଜିତନ୍ତି କୁନ୍ତିଙ୍କର ମଧ୍ୟମ ପୁତ୍ର ଅର୍ଜୁନ। ହେଲେ ବି କେବଳ ଅର୍ଜୁନଙ୍କ ପତ୍ନୀ ହେବାର ସୁଯୋଗ ପାଆନ୍ତିନି ପାଞ୍ଚାଳୀ। ପରିସ୍ଥିତିରେ ପଡ଼ି ତାଙ୍କୁ ପାଞ୍ଚ ପତି ଗ୍ରହଣ କରିବାକୁ ପଡ଼େ। ଏମିତି କେଉଁ ପରିସ୍ଥିତିରେ ହୋଇଥିଲା ତାହା ତ ଅଳ୍ପ ବହୁତ ଆପଣ ନିଶ୍ଚୟ ଜାଣିଥିବେ।
ପ୍ରତିଦିନ ଭିକ୍ଷା ବୃତ୍ତି କରି ପାଣ୍ଡବ ପାଞ୍ଚ ଭାଇ ଘରକୁ ଫେରନ୍ତି। ମାଆ ଆମେ ଆସିଗଲୁ ବୋଲି ମାଆ କୁନ୍ତିଙ୍କୁ ସୂଚୀତ କରାନ୍ତି। ପ୍ରତିଦିନ ମାଆ କହନ୍ତି ସେହି ଗୋଟାଏ କଥା- ଯାହା ଆଣିଛ ପାଞ୍ଚ ଭାଇ ବାଣ୍ଟି ନିଅ। ସେଦିନ ଅର୍ଜୁନ ଦ୍ରୌପଦୀଙ୍କୁ ଜିଣି ପତ୍ନୀ ଭାବେ ଘରକୁ ଆଣିଥାନ୍ତି। ସାଙ୍ଗ ହୋଇ ଖୁସିରେ ଘରକୁ ଫେରିଥାନ୍ତି ପାଞ୍ଚ ଭାଇ। ଦୁଆରୁ ଡାକିଲେ ମାଆ କୁନ୍ତିଙ୍କୁ, ମାଆ! ଆଜି ଆମେ ଏକ ବଢ଼ିଆ ଜିନିଷ ଆଣିଛୁ। ମାଆ ଉତ୍ତର ଦେଲେ, ଯାହା ଆଣିଛ ପାଞ୍ଚ ଭାଇ ବାଣ୍ଟି ନିଅ। ଦ୍ରୌପଦୀଙ୍କ ପାଦ ତଳୁ ମାଟି ଖସିବା ପରି ଲଗିଲା। ଗୋଟାଏ ନାରୀ କେମିତି କରିବ ପାଞ୍ଚ ସ୍ୱାମୀଙ୍କ ସହ ସଂସାର! କ’ଣ କହିବ ଦୁନିଆ ଆଉ କେମିତି ଅକ୍ଷୁର୍ଣ୍ଣ ରହିବ ସତୀତ୍ୱ! ଯାହା ବି ହେଉ ଶାଶୂଙ୍କ ଆଦେଶ ମାନି ପାଞ୍ଚ ପତି ବରିଥିଲେ ଦ୍ରୁପଦ ନନ୍ଦିନୀ।
ମାତ୍ର ଏହାକୁ ନେଇ କଥା ରହିଛି ଯେ ଏହା ଥିଲା ମାଆ କୁନ୍ତିଙ୍କର ମାୟା। ସେ ଜମା ବି ଅଜାଣତରେ କହି ନ ଥିଲେ ପାଞ୍ଚ ଭାଇଙ୍କୁ ବାଣ୍ଟି ନେବାକୁ। କୁନ୍ତି ଜାଣିଥିଲେ ବାହାରେ ତାଙ୍କ ମଧ୍ୟମା ବଧୂ ଅଛନ୍ତି। ତାଙ୍କୁ ଜଣାଥିଲା ଯେ ଦ୍ରୁପଦ ନନ୍ଦିନୀଙ୍କୁ ଅର୍ଜୁନ ଜୟ କରିଛନ୍ତି। ତା ସତ୍ୱେ ସେ ପାଞ୍ଚ ପୁତ୍ର ମଧ୍ୟରେ ଏକତା ବଜାୟ ରଖିବା ପାଇଁ ଏପରି କପଟ କରିଥିଲେ। ଯଦି ପାଞ୍ଚ ପୁତ୍ରଙ୍କ ମଧ୍ୟରେ ଏକତା ନ ରହେ ଭବିଷ୍ୟତରେ ଯୁଦ୍ଧରେ ସେମାନେ ଜିତିବେ କିପରି? ଯଦି ପାଞ୍ଚ ଭାଇ ଭିନ୍ନ ଭିନ୍ନ ପାଞ୍ଚ ପତ୍ନୀ ବରଣ କରନ୍ତି ତେବେ ମନମାଳିନ୍ୟ ହୋଇ ଏକତା କ୍ଷୁର୍ଣ୍ଣ ହୋଇଥାନ୍ତା। ଏହା ହିଁ ଥିଲା ମାଆ କୁନ୍ତିଙ୍କୁ କୌଶଳ।
ଆହୁରି ବି କେତେକ ସ୍ଥାନରେ ଉଲ୍ଲେଖ କରାଯାଇଛି ଯେ ପାଣ୍ଡବ ପାଞ୍ଚ ଭାଇଙ୍କର ବାପା ଜଣେ ବ୍ୟକ୍ତି ନ ଥିଲେ। ସେ ଦୃଷ୍ଟିରୁ ଦୁଯ୍ୟୋଧନ ଆଦି କୌରବ ଭାଇମାନେ ବିଭିନ୍ନ ସମୟରେ ପାଣ୍ଡବ ଭାଇମାନଙ୍କୁ ଅପମାନିତ କରିଥାନ୍ତି। କୁନ୍ତିଙ୍କ ମନରେ ଭୟ ଥିଲା କାଳେ ତାଙ୍କ ବୋହୂ ବି ତାଙ୍କୁ ସୁଯୋଗ ପାଇଲେ ଅପବାଦ ଦେବେ କି! ସେମିତି ଏକ ଭୟ ହେତୁ ମାଆ କୁନ୍ତି ଦ୍ରୌପଦୀଙ୍କୁ ମଧ୍ୟ ସମାନ ପରିସ୍ଥିତିରେ ପକାଇଥିଲେ ବୋଲି କଥା ରହିଛି।