ବେଙ୍ଗାଲୁରୁ: ନୋବେଲ କରୋନାଭାଇରସ୍ ଲକ୍ଷ ଲକ୍ଷ ଭାରତୀୟଙ୍କ ଅର୍ଥନୀତି ଏବଂ ଜୀବିକା ଉପରେ ପ୍ରଭାବ ପକାଇଛି | ସାରା ବିଶ୍ୱର ଅର୍ଥନୀତିକୁ କରୋନା ଭୂତାଣୁ ଦୋହଲାଇ ଦେଇଥିବା ବେଳେ ଅନେକଙ୍କୁ ସେମାନଙ୍କ ପରିବାରଠାରୁ ଦୂର କରିଛି | ପୂର୍ବରୁ ଏଭଳି ଅନେକ ଘଟଣା ସାମ୍ନାକୁ ଆସିଥିବା ବେଳେ ବର୍ତ୍ତମାନ କର୍ଣ୍ଣାଟକରୁ ଜଣେ ନର୍ସଙ୍କ କାହାଣୀ ସମସ୍ତଙ୍କ ଆଖିରେ ଲୁହ ଆଣି ଦେଇଛି | କରୋନା ଆକ୍ରାନ୍ତଙ୍କ ଚିକିତ୍ସା କରୁଥିବାରୁ କର୍ଣ୍ଣାଟକର ବେଲଗମରେ ଥିବା ଡାକ୍ତରଖାନାରେ ନର୍ସଭାବେ କାମ କରୁଥିବା ସୁଗନ୍ଧା ୫ଦିନ ହେଲାଣି ନିଜ ଘରକୁ ଯାଇନଥିବା ଜଣା ପଡିଛି |
୫ଦିନ ଯାଏ ନିଜ ମା’ଙ୍କୁ ନଦେଖିବା ପରେ ତାଙ୍କ ୪ବର୍ଷର ଝିଅ ଡାକ୍ତରଖାନାକୁ ତାଙ୍କୁ ଭେଟିବାକୁ ଆସିବା ଦୃଶ୍ୟ ଉପସ୍ଥିତ ଲୋକଙ୍କ ଆଖିରେ ଲୁହ ଆଣି ଦେଇଥିଲା | କୋଭିଡ-୧୯ ବିଚ୍ଛିନ୍ନତା ୱାର୍ଡରେ ନିଯୁକ୍ତ କରାଯାଇଥିବାରୁ ସୁଗନ୍ଧାଙ୍କୁ ଘରକୁ ଫେରିବାକୁ ଅନୁମତି ଦିଆଯାଇ ନଥିଲା | ଘରେ ଥିବା ପରିବାର ସଦସ୍ୟ କରୋନା ଆକ୍ରାନ୍ତ ହେବାର ଆଶଙ୍କା ଥିବାରୁ ସ୍ୱାସ୍ଥ୍ୟ ସେବା କର୍ମଚାରୀଙ୍କୁ ଡାକ୍ତରଖାନା ପକ୍ଷରୁ ଘରକୁ ଫେରିବାକୁ ଅନୁମତି ଦିଆଯାଇ ନଥିବା ଜଣା ଯାଇଛି | ତେବେ ୫ଦିନ ନିଜ ମା’ ଠାରୁ ଅଲଗା ରହିବା ପରେ ସୁଗନ୍ଧାଙ୍କ ୪ବର୍ଷର ଝିଅ ମା’କୁ ଦେଖିବାକୁ ଅହରହ କାନ୍ଦିବା ଆରମ୍ଭ କରିଥିଲା | ଝିଅର ଏ ଅବସ୍ଥା ଦେଖି ସୁଗନ୍ଧାଙ୍କ ପରିବାର ଲୋକେ ତାଙ୍କ ଝିଅକୁ ଧରି ଡାକ୍ତରଖାନାରେ ପହଞ୍ଚିଥିଲେ | କିନ୍ତୁ ସେମାନଙ୍କୁ ମେଡିକାଲରେ ପ୍ରବେଶ କରିବାର ଅନୁମତି ମିଳି ନଥିଲା |
/sambad/media/post_attachments/78374bc9441de45c6589d35f78bb36a649a54bab2bb7aa1fb0fc71ca5029b16e.jpeg)
ଅନ୍ୟପକ୍ଷରେ, ଝିଅ ଆସିଥିବା ଖବର ପାଇଁ ଡାକ୍ତରଖାନା ବାହାରକୁ ଦୌଡ଼ି ଆସିଥିଲେ ସୁଗନ୍ଧା | ପାଖକୁ ଆସିଲେ ସଂକ୍ରମଣର ଭୟ ଥିବାରୁ ଦୂରରୁ ନିଜ ଝିଅକୁ ହାତ ହଲାଇ କେମିତି ଅଛୁ ବୋଲି ପଚାରିଥିଲେ | ଏହା ଶୁଣି ତାଙ୍କ ଝିଅ ଭାଙ୍ଗିପଡିବା ସହ 'ମା, ଦୟାକରି ଫେରି ଆସ' ବୋଲି କହିବା ଆରମ୍ଭ କରିଥିଲା | ଦୁଇ ମା-ଝିଅଙ୍କ ଏହି ମିଳନର ଅନେକ ଫଟୋ ଓ ଭିଡ଼ିଓ ସାମ୍ନାକୁ ଆସିଥିବା ବେଳେ ତାହା ଏବେ ଭାଇରଲ ହୋଇଛି | ଭିଡିଓ ଭାଇରାଲ ହେବା ପରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବି ଏସ ୟେଦୁରପ୍ପା ନର୍ସଙ୍କ ପରିଶ୍ରମ ଏବଂ ନିଷ୍ଠାକୁ ପ୍ରଶଂସା କରିଛନ୍ତି। ତାଙ୍କ ସହ ଫୋନ୍ ଯୋଗେ କଥାବାର୍ତ୍ତା କରି କୃତଜ୍ଞତା ଜଣାଇବା ସହ ଖୁବ୍ ଶୀଘ୍ର ସବୁ ଠିକ୍ ହେବ ବୋଲି ଆଶ୍ୱାସନା ଦେଇଛନ୍ତି।