ଜଙ୍ଗଲୀ ଭାଲୁ ସହ ଲଢି ମାଲିକର ଜୀବନ ବଞ୍ଚାଇଲା କୁକୁର, ସିସିଟିଭିରେ କଏଦ ହେଲା ଭିଡିଓ

ନୂଆଦିଲ୍ଲୀ: କୁକୁର କେତେ ବିଶ୍ବସ୍ତ, ତାହା ସମସ୍ତେ ଜାଣନ୍ତି। ଅନେକ ସମୟରେ କୁକୁରର ସାହାସିକତା ଏବଂ ବଳିଦାନର କାହାଣୀ ଆପଣ ପଢ଼ିଥିବେ ନିଶ୍ଚୟ। ଏବେ ପୁଣି ଏକ ସେଭଳି ଘଟଣା ସାମ୍ନାକୁ ଆସିଛି। ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଦୁଇଟି ପୋଷା କୁକୁର ତା’ର ମାଲିକକୁ ବଞ୍ଚାଇବାକୁ ଜଙ୍ଗଲୀ ଭାଲୁ ସହ ଲଢେଇ କରିଥିବା ଦେଖାଯାଇଛି । କୁକୁରର ଏଭଳି ସାହାସିକତାକୁ ଦେଖିବା ପରେ ଲୋକେ ଏବେ ପ୍ରସଂଶା କରିବା ଆରମ୍ଭ କରିଛନ୍ତି।

କୁକୁର ଏବଂ ଭାଲୁର ଏହି ଭିଡିଓଟି ତୁର୍କୀର ଏକ ସହରର‌ ବୋଲି ଜଣାପଡ଼ିଛି । ସମ୍ପୁର୍ଣ୍ଣ ଘଟଣାଟି ଘର ବାହାରେ ଲାଗିଥିବା ସିସିଟିଭିରେ କଏଦ୍ ହୋଇଥିବା ବେଳେ ଭିଡିଓରେ ଦେଖାଯାଇଛି ଯେ, ମାଲିକ ଓ ତାଙ୍କ ଦୁଇ କୁକୁର ଉଭୟ ଘର ବାହାରେ ବୁଲୁଥିଲେ। ଏହି ସମୟରେ ହଠାତ୍ ଭାଲୁଟି ତାଙ୍କ ଆଡ଼କୁ ମ‌ାଡ଼ି ଆସିଥିଲା। ଏହା ଦେଖି ଯୁବକଜଣକ ଘର ଭିତରକୁ ଚାଲିଯାଇଥିବା ବେଳେ ଦୁଇ କୁକୁର ଭାଲୁ ଆଡକୁ ଦୌଡ଼ିଥିଲେ।  ଏହା ପରେ ଦୁଇ କୁକୁର ଓ ଭାଲୁଙ୍କ ମଧ୍ୟରେ କିଛି ସମୟ ଧରି ଘମାଘୋଟ ଲଢେଇ ହୋଇଥିଲା।

Paws Channel

ସୂଚନା ଅନୁସାରେ ଭାଲୁଟି ନିକଟସ୍ଥ ଜଙ୍ଗଲରୁ ଖାଦ୍ୟ ଅନ୍ବେଷଣରେ ସେହି ସ୍ଥାନକୁ ଚାଲିଆସିଥିଲା । କୁକୁର ଓ ଭାଲୁ ମଧ୍ୟରେ ହୋଇଥିବା ଲଢେଇରେ କାହାରି କିଛି କ୍ଷତି ହୋଇନଥିବା ଜଣାପଡ଼ିଛି ।

ଗତ କିଛି ମାସ ତଳେ ଆମେରିକାର ଫ୍ଲୋରିଡାର ଏହି ଭଳି ଏକ ଘଟଣା ସାମ୍ନାକୁ ଆସିଥିଲା । ହେଲେ ତୁର୍କୀରେ ଘଟିଥିବା ଏହି ଘଟଣାଠାରୁ ସେ ଘଟଣାଟି ଠିକ ଓଲାଟା ଥିଲା। ୱାଲଟର ହିକ୍କସ୍ ନାମକ ଜଣେ ବ୍ୟକ୍ତି, ତାଙ୍କ ସ୍ତ୍ରୀ ଓ ତାଙ୍କର ତିନି କୁକୁରଙ୍କୁ ଏକ ଭାଲୁ ମୁହଁରୁ ଉଦ୍ଧାର କରିଥିଲେ ।

ସମ୍ବନ୍ଧିତ ଖବର