ଭ୍ରୂଲତାବିହୀନ ମୋନାଲିସା

ସାଧାରଣତଃ ଜଣେ ମହିଳାଙ୍କୁ ସୁନ୍ଦର ତଥା ଆକର୍ଷଣୀୟ କରାଇଥାଏ ତାଙ୍କର ନୟନ ଯୁଗଳ। ବିଶେଷ କରି ଢଳ ଢଳ ହେଉଥିବା ଏବଂ ନିର୍ଦ୍ଦିଷ୍ଟ ବ୍ୟବଧାନରେ ପଲକ ପଡୁଥିବା ଭଳି ସୂକ୍ଷ୍ମ କାର୍ଯ୍ୟ ସାଧନ କରୁଥିବା ଆଖିର ଗଢ଼ଣ ଓ ମୁଖମଣ୍ଡଳରେ ତାହାର ଉପସ୍ଥିତି ହିଁ ମୁହଁକୁ ଅତୀବ ସୁନ୍ଦର କରାଇଥାଏ। ତେବେ କଳାଗୁମର ଆଖି ଦୁଇଟିକୁ ଆହୁରି ମନଲୋଭା କରାଇଥାଏ ଆଖିପତା ଉପରେ ରହିଥିବା କଳା ମଚମଚ ଲୋମଶ ଭ୍ରୂଲତା। ମାତ୍ର ଜାଣିଲେ ଆଶ୍ଚର୍ଯ୍ୟ ଲାଗିବ ଯେ, ପ୍ରସିଦ୍ଧ ଚିତ୍ରଶିଳ୍ପୀ ଲିଓନାର୍ଡୋ ଡା ଭିନ୍ସିଙ୍କ ଦ୍ବାରା ପ୍ରସ୍ତୁତ ତଥା ବିଶ୍ବର ସବୁଠୁ ସୁନ୍ଦର ପ୍ରତିକୃତିର ମାନ୍ୟତା ରଖିଥିବା ଷୋଡ଼ଶ ଶତାବ୍ବୀର ଚିତ୍ରକଳା ‘ମୋନା ଲିସା’ ବା ଲା ଜିଓକୋଣ୍ଡାର ଆଦୌ ଭ୍ରୂଲତା ନାହିଁ। ଉକ୍ତ ଚିତ୍ରପ୍ରତିମାର ନିରୀହ ଚାହାଣି ଏବଂ ଓଠରେ ବିଜୁଳି ପରି ଲାଖି ରହିଥିବା କଥାକୁହା ହସ ହିଁ ଏତେ ଆକର୍ଷଣୀୟ ହୋଇପଡ଼ିଛି ଯେ ଦର୍ଶକମାନେ ଚିତ୍ରଟିର ଭ୍ରୂଲତାକୁ ଅଣଦେଖା କରିଦେଇଥା’ନ୍ତି। ତେବେ ନିକଟରୁ ନିରୀକ୍ଷଣ କଲେ ଡା ଭିନ୍ସି ତାଙ୍କ ସୃଷ୍ଟିରେ ଭ୍ରୂଲତା ଯୋଡ଼ିବାକୁ ଭୁଲିଯାଇଥିବା ମନେ ହୁଏ।

ତେବେ ଏହା ପଛରେ ଐତିହାସିକମାନଙ୍କର ଏକ ବଳିଷ୍ଠ ଯୁକ୍ତି ବି ରହିଛି। ସୂଚନାଯୋଗ୍ୟ, ୟୁରୋପୀୟ ସଂସ୍କୃତିର ପୁନରୁତ୍‌ଥାନ ଯୁଗ(ରିନାଇସାନ୍ସ) ଭାବେ ପରିଚିତ ଚତୁର୍ଦ୍ଦଶ ଶତାବ୍ଦୀରୁ ସପ୍ତଦଶ ଶତାବ୍ଦୀ ଭିତରେ ସମ୍ଭ୍ରାନ୍ତ ମହିଳାମାନେ ନିଜ ମୁଖମଣ୍ଡଳରେ ରହିଥିବା ଲୋମଗୁଡ଼ିକୁ ସଫା କରିଦେବାଟା ହିଁ ଅନ୍ୟତମ ସୌନ୍ଦର୍ଯୀକରଣ ଢଙ୍ଗ ବା ଫେସନ ପାଲଟିଥିଲା। ସୁତରାଂ ଡା ଭିନ୍ସି ତାହାକୁ ଦୃଷ୍ଟିରେ ରଖି ତାଙ୍କ ପ୍ରିୟ ମୋନା ଲିସାର ମୁହଁର ଭ୍ରୂଲତାକୁ ଜାଣିଶୁଣି ହଟାଇ ଦେଇଥିବା ସନ୍ଦେହ କରାଯାଏ। ମାତ୍ର ୨୦୦୭ ମସିହାରେ ଫରାସୀ ଯନ୍ତ୍ରୀ ପାସ୍କାଲ କଟ୍ଟ ଏହି ସନ୍ଦେହକୁ ଦୂରୀଭୂତ କରିଥିଲେ। ମୂଳ ଚିତ୍ରକୁ ୨୪ ଗୁଣ ବର୍ଦ୍ଧିତ କରି ଉକ୍ତ ଚିତ୍ରର ଭ୍ରୂଲତାରେ ଗୋଟିଏ ଲୋମ ସେ ଠଉରାଇଥିଲେ। ସୁତରାଂ ଡା ଭିନ୍ସି ମୋନା ଲିସାର ଭ୍ରୂଲତା ରଖିଥିଲେ ହେଁ କାଳକ୍ରମେ ଉକ୍ତ ରାସାୟନିକ ଚିତ୍ରକଳାଟିର ରକ୍ଷଣାବେକ୍ଷଣ ବେଳେ ଏପରି ନିରନ୍ତର ପୋଛାପୋଛି କରିବାରେ ତାହା ଉଭେଇ ଯାଇଥିବା ସ୍ପଷ୍ଟ ହୋଇଛି।

ସମ୍ବନ୍ଧିତ ଖବର