ଚଳିତ ୨୦୨୫-୨୬ ଆର୍ଥିକ ବର୍ଷ ବଜେଟ୍‌ ଅଭିଭାଷଣରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମହିଳା ସମ୍ମାନ ସଞ୍ଚୟ ପ୍ରମାଣପତ୍ର (ଏମ୍‌ଏସ୍‌ଏସ୍‌ସି) ଯୋଜନାର ସମୟସୀମା ବୃଦ୍ଧି କରିବାକୁ ପ୍ରସ୍ତାବ ଦେଇ ନାହାନ୍ତି। ଏହାର ସରଳ ଅର୍ଥ ହେଉଛି ଏହି ଯୋଜନା ୩୧ ମାର୍ଚ୍ଚ, ୨୦୨୫ରେ ଶେଷ ହେବ ଏବଂ ୧ ଏପ୍ରିଲ, ୨୦୨୫ରୁ ଏହି ଯୋଜନାରେ କୌଣସି ନୂତନ ନିବେଶ ସମ୍ଭବ ହେବ ନାହିଁ। ଏପରି ପରିସ୍ଥିତିରେ, ମହିଳାଙ୍କ ପାଖରେ ଏହି ଯୋଜନାର ଲାଭ ଉଠାଇବା ପାଇଁ କେବଳ ୩୧ ମାର୍ଚ୍ଚ ପର୍ଯ୍ୟନ୍ତ ସମୟ ଅଛି।

Advertisment

 ମହିଳା ସମ୍ମାନ ସଞ୍ଚୟ ପ୍ରମାଣପତ୍ର କ’ଣ?
୨୦୨୩ର କେନ୍ଦ୍ରୀୟ ବଜେଟ୍‌ରେ ଘୋଷଣା କରାଯାଇଥିବା ମହିଳା ସମ୍ମାନ ସଞ୍ଚୟ ପ୍ରମାଣପତ୍ର (ଏମ୍‌ଏସ୍‌ଏସ୍‌ସି) ଯୋଜନା ହେଉଛି ଭାରତର ମହିଳା ଓ ଝିଅମାନଙ୍କ ପାଇଁ ଏକ କ୍ଷୁଦ୍ର ସଞ୍ଚୟ ଯୋଜନା। ଏଥିରେ ସର୍ବାଧିକ ୨,୦୦,୦୦୦ ଟଙ୍କାର ଏକକାଳୀନ ନିବେଶ ସୀମା ରହିଛି। ଏହା ମାର୍ଚ୍ଚ ୩୧, ୨୦୨୫ ପର୍ଯ୍ୟନ୍ତ ଉପଲବ୍ଧ। ଏହି ଯୋଜନାରେ ବାର୍ଷିକ ୭.୫% ସୁଧ ହାର ଦିଆଯାଏ, ଯାହା ବର୍ତ୍ତମାନ ସ୍ଥାୟୀ ଜମା ଉପରେ ବ୍ୟାଙ୍କ୍‌ଗୁଡ଼ିକ ଦେଉଥିବା ସୁଧ ହାରଠାରୁ ଅଧିକ। ଦେଶର କୌଣସି ବି ମହିଳା ଏହି ଯୋଜନାରେ ଏକ ଆକାଉଣ୍ଟ୍‌ ଖୋଲିପାରିବେ। ଏଥିରେ ଆକାଉଣ୍ଟ୍‌ ଖୋଲିବା ପାଇଁ କୌଣସି ବୟସ ପ୍ରତିବନ୍ଧକ ନାହିଁ। ଜମା ଉପରେ ଦୁଇବର୍ଷର ଲକ୍‌ ଅବଧି ରହିବ। ଜମା ତାରିଖରୁ ୧ ବର୍ଷ ପୂରଣ ହେବାପରେ ବାଲାନ୍ସର ୪୦% ପର୍ଯ୍ୟନ୍ତ ଆଂଶିକ ଉଠାଣ ଅନୁମତି ରହିଛି।

 ଅବଧି ପୂର୍ବରୁ ଆକାଉଣ୍ଟ୍‌ ବନ୍ଦ କରିପାରିବେ?
ନିମ୍ନଲିଖିତ କ୍ଷେତ୍ରରେ ଅବଧି ପୂରଣ ପୂର୍ବରୁ ଆକାଉଣ୍ଟ୍‌ ବନ୍ଦ କରିବା ସମ୍ଭବ:
 ଆକାଉଣ୍ଟ୍‌ଧାରୀଙ୍କ ଆକସ୍ମିକ ମୃତ୍ୟୁ
 ଚିକିତ୍ସା ପରି ଜରୁରୀକାଳୀନ ପରିସ୍ଥିତି
 ଆକାଉଣ୍ଟ୍‌ ଅବଧିର ୬ ମାସ ପୂରଣ କରିବା ପରେ, ଆକାଉଣ୍ଟ୍‌ ସ୍ୱେଚ୍ଛାକୃତ ଭାବରେ ବନ୍ଦ କରାଯାଇପାରିବ, କିନ୍ତୁ ସୁଧ ସେହି ଅନୁସାରେ ଆଡ୍‌ଜଷ୍ଟ୍‌ ହେବ।
ଏମ୍‌ଏସ୍‌ଏସ୍‌ସି ଅଧୀନରେ ଅର୍ଜିତ ସୁଧ ବ୍ୟକ୍ତିଙ୍କ ଆୟକର ସ୍ଲାବ୍‌ ଅନୁଯାୟୀ ଦିଆଯାଏ। ତଥାପି ନିବେଶ କରାଯାଇଥିବା ମୂଳଧନ ପାଇଁ କୌଣସି ଟିକସ ରିହାତି ଉପଲବ୍ଧ ନାହିଁ।
୨ ବର୍ଷ ଶେଷରେ ଆକାଉଣ୍ଟ୍‌ଧାରୀ ସଂଗୃହୀତ ସୁଧ ସହିତ ମୋଟ୍‌ ରାଶି ପାଇବେ। ସେ ରାଶିକୁ ନିଜ ବ୍ୟାଙ୍କ୍‌ ଆକାଉଣ୍ଟ୍‌ରେ ଜମା କରିପା‌ରିବେ କିମ୍ବା ନଗଦ  ଉଠାଇପାରିବେ। ଏମ୍‌ଏସ୍‌ଏସ୍‌ସି ଆକାଉଣ୍ଟ୍‌କୁ ଆପଣ ଚାହିଲେ ପୋଷ୍ଟ୍‌ ଅଫିସ୍‌ କିମ୍ବା ନିଜ ପସନ୍ଦର ବ୍ୟାଙ୍କ୍‌କୁ ଟ୍ରାନ୍‌ସଫର୍‌ କରିପାରିବେ।