ପାଠପଢ଼ା ସରିଗଲାଣି ଆଉ ରୋଜଗାର ପାଇଁ ଆପଣ ସଜବାଜ ହେଉଛନ୍ତି କିମ୍ବା ନୂଆନୂଆ ଚାକିରି ଜୀବନ ଆରମ୍ଭ କରିଛନ୍ତି? ଦରମା ହାତକୁ ଆସିଲେ ଆମର ଖର୍ଚ୍ଚ କରିବାର ଇଚ୍ଛା ଓ ଆକାଂକ୍ଷା ବି ବଢ଼ିଯାଏ। ପୋଷାକପତ୍ରଠାରୁ ଆରମ୍ଭ କରି ନାନା ସୌଖୀନ ଜିନିଷ କିଣିବାକୁ ମନ ବଳେ। ହେଲେ ଏସବୁ ଭିତରେ ଆମକୁ ଭବିଷ୍ୟତ ପାଇଁ କିଛି ସଞ୍ଚୟ କରିବା ନିହାତି ଜରୁରି। ଆସନ୍ତୁ ନିଜ ଆୟବ୍ୟୟକୁ ସନ୍ତୁଳିତ କରିବା ଦିଗରେ କିଛି ଚର୍ଚ୍ଚା କରିବା।
କ୍ରେଡିଟ୍ କାର୍ଡ ବଦଳରେ ନଗଦ ଟଙ୍କା ଦିଅନ୍ତୁ:
ଆଜିକାଲି ଅତି ସହଜରେ କ୍ରେଡିଟ୍ କାର୍ଡ ମିଳିଯାଉଛି। କେତେକ ଷ୍ଟାଟସ୍ ପାଇଁ ଓ ଆଉ କେତେକ ଖର୍ଚ୍ଚ ଲାଗି କ୍ରେଡିଟ୍ କାର୍ଡ ନେଇଯା’ନ୍ତି। କିନ୍ତୁ ସଞ୍ଚୟ କରିବାକୁ ହେଲେ କିମ୍ବା ଖର୍ଚ୍ଚ କାଟ୍ କରିବାକୁ ହେଲେ କିଣାକିଣି ନଗଦ ଟଙ୍କାରେ ହିଁ କରନ୍ତୁ। ଆବଶ୍ୟକସ୍ଥଳେ ଡେବିଟ୍ କାର୍ଡ ବ୍ୟବହାର କରିପାରନ୍ତି। ଏହା ଖର୍ଚ୍ଚ ଉପରେ କିଛି ପରିମାଣର ଲଗାମ୍ ରଖେ। ଅନ୍ୟପକ୍ଷରେ କ୍ରେଡିଟ୍ କାର୍ଡ ଏକପ୍ରକାର ଋଣ, ଯାହା ପାଇଁ ଆପଣଙ୍କୁ ସୁଧ ଦେବାକୁ ପଡ଼ିଥାଏ। ପୁଣି ଶୁଝିବା ଅବଧି ଗଡ଼ିଲେ ସୁଧ ବଢ଼େ। ତେଣୁ ଅତି ଜରୁରି କାମରେ ହିଁ ଏହାର ବ୍ୟବହାର କରିବା ଉଚିତ।
ବ୍ୟକ୍ତିଗତ ସଞ୍ଚୟ ପାଇଁ ନିଜେ ଶିକ୍ଷିତ ହୁଅନ୍ତୁ:
ଆର୍ଥିକ ସ୍ବଚ୍ଛଳ ବନିବାର ଚାବିକାଠି ସଂପୂର୍ଣ୍ଣ ଭାବେ ଆପଣଙ୍କ ହାତରେ। ଏଣୁ ବଜାର ବିଶେଷଜ୍ଞଙ୍କ ପ୍ରଦତ୍ତ ଟିପ୍ସ ପଢ଼ନ୍ତୁ। ବ୍ୟକ୍ତିଗତ ଅର୍ଥନୀତି ସମ୍ବନ୍ଧିତ ମୌଳିକ ପୁସ୍ତକଟିଏ ଅବଶ୍ୟ ପଢ଼ନ୍ତୁ। ଥରେ ଏ ବିଷୟରେ ଜ୍ଞାନ ହୋଇଗଲେ ଆର୍ଥିକ ଶୃଙ୍ଖଳା ଆସିବା ସହ ସଞ୍ଚୟ ଅଭ୍ୟାସ ହୋଇଯିବ। ଏହାସହିତ ବଦ୍ଖର୍ଚ୍ଚ କରିବାକୁ ପ୍ରବର୍ତ୍ତାଉଥିବା ଲୋକମାନଙ୍କ ଠାରୁ ଦୂରେଇ ରହନ୍ତୁ। ଏସବୁ ପରେ ବି ଯଦି ଆପଣ ସଞ୍ଚୟ କରିପାରୁ ନାହାନ୍ତି ତେବେ କୌଣସି ଆର୍ଥିକ ବିଶେଷଜ୍ଞଙ୍କ ଠାରୁ ପରାମର୍ଶ ନେଇପାରିବେ।
ବଜେଟ୍ ପ୍ଲାନ୍ କରିବା ଶିଖନ୍ତୁ:
ଓଡ଼ିଆରେ କଥନିକାଟିଏ ଅଛି, ଯେତିକି ଚୁନା, ସେତିକି ପିଠା। ଅର୍ଥାତ୍ ଯେତିକି ଆୟ, ସେତିକି ବ୍ୟୟ। ଏ ଦୃଷ୍ଟିରୁ ଆମକୁ ଦୁଇଟି ନିୟମ ମାନିବାକୁ ହେବ। ପ୍ରଥମ, ଖର୍ଚ୍ଚକୁ ଆୟଠାରୁ ଅଧିକ ହେବାକୁ ଦିଅନ୍ତୁ ନାହିଁ ଏବଂ ଦ୍ବିତୀୟ, ଆପଣ କେଉଁଠି କିପରି ଖର୍ଚ୍ଚ କରୁଛନ୍ତି ତାହା ଉପେର ଧ୍ୟାନ ଦିଅନ୍ତୁ। ଏଥିପାଇଁ ଏକ ସହଜ ଉପାୟ ହେଉଛି, ମାସିକ ବଜେଟ୍ଟିଏ କରିନିଅନ୍ତୁ। ଏହାଦ୍ବାରା ନିଜର ଓ ପାରିବାରିକ ଖର୍ଚ୍ଚର ଏକ ରେକର୍ଡ ରଖିପାରିବେ ଏବଂ ଖର୍ଚ୍ଚ ନିୟନ୍ତ୍ରଣ ହୋଇପାରିବ।
ଏମର୍ଜେନ୍ସି ଫଣ୍ଡ୍ ଆରମ୍ଭ କରନ୍ତୁ:
ଜରୁରୀ ପରିସ୍ଥିତି ଓ ନିଜର ଭବିଷ୍ୟତ ପାଇଁ ଅର୍ଥ ସଞ୍ଚୟ କରିବା ନିହାତି ଆବଶ୍ୟକ। ଏହି ସରଳ ଅଭ୍ୟାସ ଆପଣଙ୍କୁ ଆର୍ଥିକ ଅସୁବିଧାରୁ ଦୂରେଇ ରଖିବ ଏବଂ ରାତିରେ ଭଲ ନିଦରେ ଶୋଇବାରେ ମଧ୍ୟ ସାହାଯ୍ୟ କରିବ। ଏପରିକି ଟାଣଟୁଣ ବଜେଟ୍ରେ ଥିବା ଲୋକମାନେ ପ୍ରତି ମାସରେ ଏକ ଜରୁରୀ ପାଣ୍ଠି କରି କିଛି ଟଙ୍କା ସାଇତିିବା ଉଚିତ। ଥରେ ଏପରି ଅଭ୍ୟାସରେ ପଡ଼ିଗଲେ, ଯାବତୀୟ ଅନାବଶ୍ୟକ ଖର୍ଚ୍ଚ ବନ୍ଦ ହେବ ଏବଂ ଏହାକୁ ଆପଣ ଗୁରୁତ୍ବ ଦେବା ଆରମ୍ଭ କରିବେ। ଆପଣ ଚାହିଲେ ବ୍ୟାଙ୍କରେ ସ୍ବଳ୍ପ ଅବଧିଯୁକ୍ତ ସଞ୍ଚୟ ବା ଆର୍ଡି, ସିଡି ଆଦି କରିପାରିବେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2024/11/27/OOjtSETvGVgdgizc4VSI.jpg)