କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ନିକଟରେ ‘ଆପ୍କି ପୁଞ୍ଜି, ଆପ୍କା ଅଧିକାର’ ଅଭିଯାନ ଆରମ୍ଭ କରିଛନ୍ତି। ଏହା ସାହାଯ୍ୟରେ ଦେଶର ବିଭିନ୍ନ ବ୍ୟାଙ୍କରେ ପଡ଼ିରହିଥିବା ୧.୮୪ ଲକ୍ଷ କୋଟି ଟଙ୍କାର ସମ୍ପତ୍ତିକୁ ପ୍ରକୃତ ମାଲିକଙ୍କୁ ଫେରାଇଦେବାର ଲକ୍ଷ୍ୟ ରଖାଯାଇଛି। ନିଷ୍କ୍ରିୟ ବ୍ୟାଙ୍କ ଆକାଉଣ୍ଟ, ପରିପକ୍ବ ବୀମା ପଲିସି, େପ୍ରାଭିଡେଣ୍ଡ୍ ଫଣ୍ଡ୍ ଓ ପୁରୁଣା ସେୟାର ଆକାରରେ ଥିବା ଏହି ସବୁ ସମ୍ପତ୍ତିର କେହି ଦାବିଦାର ନାହାନ୍ତି। ଏଥିରେ ନିଜର କିମ୍ବା ସମ୍ପର୍କୀୟଙ୍କର ସମ୍ପତ୍ତି ଅଛି କି ନାହିଁ ଜାଣିବା ପାଇଁ ଆପଣ ଉଦ୍ଗମ୍ ପୋର୍ଟାଲ୍ର ସାହାଯ୍ୟ ନେଇପାରିବେ। ସନ୍ଧାନ ମିଳିବା ପରେ ଆକାଉଣ୍ଟ ମାଲିକ, ନୋମିନି ବା ଉତ୍ତରାଧିକାରୀ ଦସ୍ତାବିଜ ଦେଖାଇ ସେହି ପୁଞ୍ଜି ହାସଲ କରିପାରିବେ। ୨୦୨୩ରୁ ଆରମ୍ଭ ହୋଇଥିବା ଉଦ୍ଗମ୍ ପୋର୍ଟାଲ୍ ସାହାଯ୍ୟରେ ଏ ଭିତରେ ୮ ଲକ୍ଷ ୫୦ ହଜାରରୁ ଅଧିକ ଲୋକ ଭୁଲିଯାଇଥିବା ଆକାଉଣ୍ଟ ଠାବ କରିସାରିଲେଣି।
ପ୍ରକ୍ରିୟାଟି ଏହିପରି- ପ୍ରଥମେ udgam.rbi.org.inକୁ ଯାଆନ୍ତୁ। ନିଜ ଫୋନ୍ ନମ୍ବର, ନାମ ଓ ନୂଆ ପାସ୍ଵାର୍ଡ ଦେଇ ରେଜିଷ୍ଟର କରିବା ପରେ ଆକାଉଣ୍ଟ ହୋଲ୍ଡର୍ଙ୍କ ନାମ, ବ୍ୟାଙ୍କ ନାମ ଏବଂ ପାନ୍, ଭୋଟର ଆଇଡି, ଡ୍ରାଇଭିଂ ଲାଇସେନ୍ସ, ପାସ୍ପୋର୍ଟ ନମ୍ବର ବା ଜନ୍ମ ତାରିଖ ମଧ୍ୟରୁ କୌଣସି ଗୋଟିଏ ତଥ୍ୟ ଦେଇ ସର୍ଚ୍ଚ କରିବା ପରେ ଯଦି କୌଣସି ମେଳ ଖାଏ ତେବେ ସେଥିରେ ନାମ, ବ୍ୟାଙ୍କ୍ ଓ ରେଫରେନ୍ସ ନମ୍ବର ବାହାରିବ। ବ୍ୟାଙ୍କ୍ ନାମ ଉପରେ କ୍ଲିକ୍ କଲେ ତାହା ହାସଲ କରିବାର ପ୍ରକ୍ରିୟା ବାବଦରେ ଜାଣିପାରିବେ।