ଦ୍ରୁତଗତିରେ ବାଇକ ନେଇ ଯାଉଥିବା ବେଳେ ଚକା ଭିତରେ ଫସିଗଲା ମାଙ୍କଡ଼

ନୂଆଦିଲ୍ଲୀ: କଥାରେ ଅଛି ‘ଦ୍ରୁତଗତି ମହାବିପତ୍ତି’। ମଣିଷର ଦ୍ରୁତଗତିରେ ଗାଡ଼ି ଚଲାଇବା ହେତୁ ମଣିଷ ଜୀବନ ଯିବା ସହିତ ନୀରିହ ପଶୁପକ୍ଷୀଙ୍କ ଜୀବନ ବି ଅକାରଣେ ଚାଲି ଯାଉଥିବା ଅନେକ ଘଟଣା ସାମ୍ନାକୁ ଆସିଛି।

ନିକଟରେ ଦ୍ରୁତଗତିରେ ଗାଡ଼ି ଚଲାଇବା ହେତୁ ବାଇକ ଚକା ମଧ୍ୟରେ ଏକ ମାଙ୍କଡ଼ ଫସି ଯାଇଥିବାର ଭିଡିଓ ସାମ୍ନାକୁ ଆସିଛି। ଏହି ଭିଡିଓ ଦେଖିଲେ ଲୋମମୂଳ ଟାଙ୍କୁରି ଉଠୁଛି। ମାଙ୍କଡ଼କୁ କେତେ ଯେ କଷ୍ଟ ହେଉଥିବା ତାହା ଭାବିଲା ବେଳକୁ ଛାତିଥରି ଉଠୁଛି।

ଏହି ଭିଡିଓ ଉତ୍ତରପ୍ରଦେଶର ବାରାବାଙ୍କିରୁ ଆସିଥିବା କୁହାଯାଉଛି। ଏଥିରେ ଏକ ମାଙ୍କଡ଼ ବାଇକର ଆଗ ଚକାରେ ଫସି ରହିଥିବାର ଦେଖିବାକୁ ମିଳୁଛି। ଭିଡିଓ ଦେଖିବା ପରେ ସମସ୍ତେ ଜାଣିବାକୁ ଚାହିଁଥିଲେ କି ଏହି ମାଙ୍କଡ଼ କିପରି ବାଇକ ଚକାରେ ଫସିଲା।

କୁହାଯାଉଛି କି ଜଣେ ବାଇକ ଚାଳକ ଦ୍ରୁତଗତିରେ ବାଇକ ନେଇ ଫେରୁଥିବା ବେଳେ ଏକ ମାଙ୍କଡ଼ ରାସ୍ତା ଅତିକ୍ରମ କରୁଥିଲା। ସେ ବାଇକ ଚାଳକଙ୍କ ଗାଡ଼ିରେ ଧକ୍କା ଖାଇ ସାମ୍ନା ଚକାରେ ଫସି ଯାଇଥିଲା।

ସୌଭାଗ୍ୟବଶତଃ ବାଇକ ଚାଳକ ସଙ୍ଗେସଙ୍ଗେ ବାଇକକୁ ଅଟକାଇ ଦେଇଥିଲେ। ଆଉ ଘଟଣାସ୍ଥଳରେ ଉପସ୍ଥିତ ଥିବା ଲୋକମାନେ ଦୌଡ଼ି ଆସି ବାଇକ ଚକାରୁ ମାଙ୍କଡ଼କୁ ବାହାର କରିବାକୁ ଚେଷ୍ଟା କରିଥିଲେ। ବାହାର କରି ନପାରିବାରୁ ପାଖରେ ଥିବା ଜଣେ ମେକାନିକକୁ ଡାକି ବାଇକରୁ ଚକା ଖୋଲି ମାଙ୍କଡ଼କୁ ବାହାର କରିଥିଲେ। ବାଇକ ଚାଳକ ଓ ମାଙ୍କଡ଼ ଦୁହେଁ ସୁରକ୍ଷିତ ଅଛନ୍ତି।

ସମ୍ବନ୍ଧିତ ଖବର