ବ୍ରହ୍ମପୁର: ଆୟୁର୍ବେଦ ଓ ହୋମିଓପାଥିକ୍ ଭେଷଜ ମହାବିଦ୍ୟାଳୟର ଅଧ୍ୟାପକଙ୍କ ଉତ୍କଟ ଅଭାବ ଦେଖିବାକୁ ମିଳିଛି। ଅଧ୍ୟାପକ ଅଭାବ ଯୋଗୁଁ ଡାକ୍ତର ପାଠ ପଢ଼ୁଥିବା ଛାତ୍ରଛାତ୍ରୀ ଘୋର ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବିଦ୍ୟାର୍ଥୀଙ୍କ ଏହି ସମସ୍ୟାକୁ ସରକାର ଗୁରୁତ୍ବ ଦେଉନଥିବା ଯୋଗୁଁ ଛାତ୍ରଛାତ୍ରୀଙ୍କ ମହଲରେ ତୀବ୍ର ଅସନ୍ତୋଷ ଦେଖିବାକୁ ମିଳିଛି।
ମାନବ ସମ୍ବଳର ସଂକଟ, ଭିତ୍ତିଭୂମିର ଅଭାବ ସହ ଆନୁଷଙ୍ଗିକ ସୁବିଧା ମିଳୁନଥିବା ଆୟୁଷ ବିଭାଗରେ ପଢ଼ୁଥିବା ବିଦ୍ୟାର୍ଥୀଙ୍କ ଭବିଷ୍ୟତ ଏବେ ଅନ୍ଧାରରେ। ଗଞ୍ଜାମ ଜିଲ୍ଲାରେ ଥିବା ଦୁଇ ପୁରାତନ ଭେଷଜ ମହାବିଦଦ୍ୟାଳୟର ଅଧ୍ୟପାକଙ୍କ ସ୍ଥିତିକୁ ଦେଖିଲେ ସରକାରୀ ଅଣଦେଖାର ଚିତ୍ର ସ୍ପଷ୍ଟ ବାରି ହୋଇପଡ଼ୁଛି। ଏଥିନେଇ ଅଲ୍ ଓଡ଼ିଶା ଆୟୁଷ ଛାତ୍ରଛାତ୍ରୀ ସଂଘ ପକ୍ଷରୁ ସମସ୍ୟା ସଂପର୍କରେ ସରକାରଙ୍କୁ ଅବଗତ କରାଯାଉଥିଲେ ମଧ୍ୟ ସରକାର ଏଦିଗରେ ପଦକ୍ଷେପ ଗ୍ରହଣ କରୁନଥିବା ଯୋଗୁଁ ବୁଦ୍ଧିଜୀବୀ ମହଲରେ ଉଦ୍ବେଗ ପ୍ରକାଶ ପାଇଛି। ସୂଚନା ମୁତାବକ ରାଜ୍ୟରେ ୩ଟି ସରକାରୀ ଆୟୁର୍ବେଦ ଓ ୪ଟି ହୋମିଓପାଥିକ୍ ଭେଷଜ ମହାବିଦ୍ୟାଳୟ ରହିଛି। ତନ୍ମଧ୍ୟରୁ ଗଞ୍ଜାମ ଜିଲ୍ଲାର ଆଙ୍କୁଶପୁର ଠାରେ କବିରାଜ ଅନନ୍ତ ତ୍ରିପାଠୀ ଶର୍ମା ଆୟୁର୍ବେଦ ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟ (କେଏଟିଏସ୍) ଓ ବ୍ରହ୍ମପୁରଠାରେ ବିଜୁ ପଟ୍ଟନାୟକ ହୋମିଓପାଥିକ୍ ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟ ରହିଛି। ଦେଶରେ ସୁନାମ ଅର୍ଜନ କରିଥିବା ଏହି ଦୁଇ ଶିକ୍ଷାନୁଷ୍ଠାନର ସ୍ଥିତି ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ରହିଛି। ମାନବ ସମ୍ବଳ ଓ ଭିତ୍ତିଭୂମି ଅଭାବ ଯୋଗୁ ଗବେଷଣାରେ ବିଦ୍ୟାର୍ଥୀଙ୍କୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଥିବା କହିଛନ୍ତି ଅନେକ ବିଦ୍ୟାର୍ଥୀ।
ସରକାରୀ ତଥ୍ୟ ଅନୁଯାୟୀ କେଏଟିଏସ୍ ମହାବିଦ୍ୟାଳୟରେ ଅଧ୍ୟାପକଙ୍କ ମଞ୍ଜୁରିପ୍ରାପ୍ତ ପଦ ସଂଖ୍ୟା ୩୪ ହୋଇଥିବା ବେଳେ ବର୍ତ୍ତମାନ ୧୫ ଜଣ କାର୍ଯ୍ୟରତ ଅଛନ୍ତି। ମହାବିଦ୍ୟାଳୟରେ ଚାରି ଜଣ ପ୍ରଫେସରଙ୍କ ସ୍ଥାନରେ ଜଣେ, ୧୪ ଜଣ ରିଡର୍ଙ୍କ ସ୍ଥାନରେ ୪ଜଣ, ୧୫ ଜଣ ଅଧ୍ୟାପକଙ୍କ ସ୍ଥାନରେ ୯ଜଣ ଅଛନ୍ତି। ସେହିପରି ଅଣଶିକ୍ଷକ ପଦ ୩୩ ରୁ ୧୭ଜଣ ଥିବାବେଳେ ୧୬ଟି ପଦ ଖାଲି ପଡ଼ିଛି। ସେହିପରି ବିଜୁ ପଟ୍ଟନାୟକ ହୋମିଓପାଥିକ ମହାବିଦ୍ୟାଳୟରେ ଅଧ୍ୟକ୍ଷ ପଦ ଖାଲି ପଡ଼ିଥିବା ବେଳେ ୬ଟି ପ୍ରଫେସର ପଦ ଖାଲି ପଡ଼ିଛି। ୧୪ ଜଣ ରିଡରଙ୍କ ସ୍ଥାନରେ ଦୁଇ ଜଣ ଅଛନ୍ତି ଓ ୧୫ ଜଣ ଅଧ୍ୟାପକଙ୍କ ସ୍ଥାନରେ ୯ ଜଣ ଅଛନ୍ତି। ଏହା ସହ ଅଣଶିକ୍ଷକ ପଦରେ ୯ଜଣଙ୍କ ମଧ୍ୟରୁ ୭ଜଣ ଅଛନ୍ତି। ମହାବିଦ୍ୟାଳୟ ପକ୍ଷରୁ ସରକାରଙ୍କୁ ଅଧ୍ୟାପକଙ୍କ ସ୍ଥିତି ବିଷୟରେ ବାରମ୍ବାର ଚିଠି ଯାଉଥିଲେ ମଧ୍ୟ ବିଭାଗର ଚେତା ପଶୁନି। ଅଧ୍ୟାପକ ଅଭାବ ଯୋଗୁ ପିଲାଙ୍କ ପାଠପଢ଼ା ବ୍ୟାଘାତ ହେଉଥିବାରୁ ରାଜ୍ୟ ସରକାର ତୁରନ୍ତ ଦୃଷ୍ଟି ଦେଇ ଏହାର ସମାଧାନ କରିବାକୁ ବିଭିନ୍ନ ମହଲରେ ଦାବି ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/11/24/untitled-19-2025-11-24-07-45-56.jpg)