ଏକ ମଶାମୁକ୍ତ ଦେଶ ଭାବେ ପରିଗଣିତ ଆଇସ୍‌ଲ୍ୟାଣ୍ଡ୍‌ ଏବେ ସେହି ମାନ୍ୟତା ହରାଇଛି। ଉକ୍ତ ଦ୍ୱୀପ ଦେଶରେ ବୈଜ୍ଞାନିକମାନେ ପ୍ରଥମ ଥର ପାଇଁ ମଶା ଠାବ କରିଛନ୍ତି, ଯାହା ପୃଥିବୀର ଦ୍ରୁତ ଉତ୍ତପ୍ତୀକରଣର ପରିଣାମ ବୋଲି ଜଣାପଡ଼ିଛି। କୀଟପତଙ୍ଗ ଗବେଷକ ବିର୍ନ ହଜଲ୍‌ଟାସନ୍ ଗତ ୧୬ ତାରିଖରେ ସେଠାରେ ପ୍ରଥମ ଥର ପାଇଁ ମଶା ଠାବ କରିଥିଲେ। ସେ ସଂଗ୍ରହ କରିଥିବା ଦୁଇଟି ମାଈ ଓ ଗୋଟିଏ ଅଣ୍ଡିରା ନମୁନାକୁ ଯାଞ୍ଚ କରିବା ପରେ ସେଗୁଡ଼ିକ ‘କୁଲିସେଟା ଆନୁଲାଟା’ ଜାତିର ବୋଲି ଜଣାପଡ଼ିଥିଲା।

Advertisment

ବର୍ତ୍ତମାନ ଯାଏ ଆଇସ୍‌ଲ୍ୟାଣ୍ଡ୍‌ ଓ ଆଣ୍ଟାର୍କଟିକାକୁ ପୃଥିବୀର ସମ୍ପୂର୍ଣ୍ଣ ମଶାମୁକ୍ତ ସ୍ଥାନ ଭାବେ ବିବେଚନା କରାଯାଉଥିଲା ବେଳେ ଆଇସ୍‌ଲ୍ୟାଣ୍ଡ୍‌ ସେଥିରୁ ବାଦ୍‌ ପଡ଼ିଛି। ଆଇସ୍‌ଲ୍ୟାଣ୍ଡ୍‌ର ପାଣି ଓ ମାଟିର ରାସାୟନିକ ସଂରଚନା ଯୋଗୁଁ କୀଟପତଙ୍ଗମାନେ ସେହି ପରିବେଶ ସହିତ ଖାପ ଖୁଆଇବା ପାଇଁ ସଂଘର୍ଷ କରନ୍ତି। ତେବେ ଦେଶର ଜଳବାୟୁ ଉଷ୍ମ ହେବା ସହ ସେଠାରେ ମଶାର ଆବିର୍ଭାବ ସମ୍ଭବ ହୋଇଛି। ଆଇସ୍‌ଲ୍ୟାଣ୍ଡର ତାପମାତ୍ରା ଉତ୍ତର ଗୋଲାର୍ଦ୍ଧର ହାରାହାରି ତୁଳନାରେ ଚାରି ଗୁଣ ଦ୍ରୁତ ଗତିରେ ବଢୁଛି। ଗତ ବସନ୍ତଋତୁରେ ଦେଶ ଏକ ରେକର୍ଡ ଭଙ୍ଗକାରୀ ତାପମାତ୍ରା ଅନୁଭବ କରିଛି। ଏପରି ପରିବର୍ତ୍ତନ ଆଇସଲ୍ୟାଣ୍ଡର ଭଙ୍ଗୁର ପରିସଂସ୍ଥାକୁ ବଦଳାଇ ଦେଉଛି ବୋଲି ବୈଜ୍ଞାନିକମାନେ ଚେତାବନୀ ଦେଇଛନ୍ତି। ଯଦିଓ ଉକ୍ତ ମଶା ରୋଗ ସଂକ୍ରମଣ ପାଇଁ ଜଣାଶୁଣା ନୁହେଁ, ତଥାପି ଏହାର ଉପସ୍ଥିତି ସ୍ୱାସ୍ଥ୍ୟ ଏବଂ ପରିବେଶଗତ ଚିନ୍ତା ବଢ଼ାଇଛି।