ଫ୍ୟାସନ୍ ଦୁନିଆରେ ବିଳାସ ହ୍ୟାଣ୍ଡ୍‌ବ୍ୟାଗ୍‌ ବା ପର୍ସ କେବଳ ଅତ୍ୟାବଶ୍ୟକ ଜିନିଷ ରଖିବାର ମୁଣି ମାତ୍ର ନୁହେଁ, ବରଂ ତାହା ହେଉଛି ମର୍ଯ୍ୟାଦା, ଷ୍ଟାଇଲ୍‌, କ୍ଷମତା ତଥା ବ୍ୟକ୍ତିଗତ ପସନ୍ଦର ପ୍ରତୀକ। ଏହି ପର୍ସଗୁଡ଼ିକ ସୂକ୍ଷ୍ମ କାରୁକାର୍ଯ୍ୟ, ସାରା ପୃଥିବୀରୁ ସଂଗୃହୀତ ବିରଳ ସାମଗ୍ରୀ ଓ କଳାତ୍ମକ ଉତ୍କର୍ଷର ପ୍ରତିନିଧିତ୍ବ କରିଥାନ୍ତି, ଯେଉଁ କାରଣରୁ ଫ୍ୟାସନ୍ ଉତ୍ସାହୀ ତଥା ସଂଗ୍ରାହକମାନଙ୍କ ଲାଗି ଏଗୁଡ଼ିକ ଅହେତୁକ ଆକର୍ଷଣର ଚିଜ ହୋଇଥାନ୍ତି। ତେବେ ଉପରୋକ୍ତ କାରଣମାନ ଯୋଗୁଁ ବିଳାସ ହ୍ୟାଣ୍ଡ୍‌ବ୍ୟାଗ୍‌ଗୁଡ଼ିକର ଦାମ ଖୁବ୍ ଅଧିକ। ପୃଥିବୀର ସେଭଳି ପାଞ୍ଚଟି ଦାମୀ ହ୍ୟାଣ୍ଡ୍‌ବ୍ୟାଗ୍‌ ବିଷୟରେ ଜାଣିବା।

Advertisment

ମୂଲ୍ୟ ଦୃଷ୍ଟିରୁ ସବୁଠାରୁ ଦାମୀ ହ୍ୟାଣ୍ଡ୍‌ବ୍ୟାଗ୍‌ ହେଉଛି ‘ମୌଆଵାଦ ୧୦୦୧ ନାଇଟ୍‌ସ ଡାଇମଣ୍ଡ୍‌ ପର୍ସ’। ହୃଦୟ ଆକାରର ଏହି ବ୍ୟାଗ୍‌ର ମୂଲ୍ୟ ୩.୮ ମିଲିଅନ୍ ଡଲାର୍‌ ବା ପାଖାପାଖି ୩୧ କୋଟି ଟଙ୍କା। ଏଥିରେ ସମୁଦାୟ ୫,୪୧୭ଟି ହୀରା ଖଚିତ ହୋଇଛି। ୨୦୧୦ ମସିହାରେ ଗିସିନ୍ ବୁକ୍‌ ଅଫ୍‌ ଵାର୍ଲଡ୍‌ ରେକର୍ଡ ଏହାକୁ ପୃଥିବୀର ସବୁଠାରୁ ବ୍ୟୟବହୁଳ ହ୍ୟାଣ୍ଡ୍‌ବ୍ୟାଗ୍‌ର ସ୍ବୀକୃତି ଦେଇଥିଲା। ସେବେଠାରୁ ଏହି ରେକର୍ଡକୁ ଅନ୍ୟ କୌଣସି ବ୍ୟାଗ୍‌ ଭାଙ୍ଗିପାରିନାହିଁ। ହର୍ମସ୍‌ର ‘କେଲି ରୋଜ୍‌ ଗୋଲ୍‌ଡ ହ୍ୟାଣ୍ଡ୍‌ବ୍ୟାଗ୍‌’ ହେଉଛି ପୃଥିବୀର ଦ୍ବିତୀୟ ବ୍ୟୟବହୁଳ ହ୍ୟାଣ୍ଡ୍‌ବ୍ୟାଗ୍‌। ପ୍ରାୟ ୧୬ କୋଟି ଟଙ୍କାର ଏହି ବ୍ୟାଗ୍‌କୁ ‘ରୋଜ୍‌ ଗଲ୍‌ଡ’ ସୁନାରେ ପ୍ରସ୍ତୁତ କରାଯାଇଛି ଏବଂ ୧,୧୬୦ଟି ହୀରା ଖଞ୍ଜି ସଜାଯାଇଛି। ତୃତୀୟ ବ୍ୟୟବହୁଳ ହ୍ୟାଣ୍ଡ୍‌ବ୍ୟାଗ୍‌ଟିକୁ ମଧ୍ୟ ହର୍ମସ୍‌ କମ୍ପାନି ନିର୍ମାଣ କରିଛି। ଏହାର ନାମ ‘ବିର୍କିନ୍ ବ୍ୟାଗ୍‌ ବାୟ ଗିଞ୍ଜା ତାନାକା’। ଏହାର ଦାମ୍‌ ପ୍ରାୟ ୧୧ କୋଟି ଟଙ୍କା। ପ୍ଲାଟିନମ୍‌ ଧାତୁରେ ଏହାର ଗଢ଼ଣ ହୋଇଥିବା ବେଳେ ୨,୦୦୦ଟି ହୀରା ଦ୍ବାରା ଏହାକୁ ଅଳଂକୃତ କରାଯାଇଛି। ସମାନ ମୂଲ୍ୟର ଆଉ ଏକ ହ୍ୟାଣ୍ଡ୍‌ବ୍ୟାଗ୍‌ ହେଉଛି ହର୍ମସ୍‌ ଚେନ୍‌ ଡି’ଆନ୍‌କ୍ରେ ବ୍ୟାଗ୍। ବ୍ୟାଗ୍‌ଟି ଚେନ୍‌ ଗୁନ୍ଥି ପ୍ରସ୍ତୁତ ହୋଇଥିବାର ଭ୍ରମ ସୃଷ୍ଟି କରିଥାଏ। ଏଥିରେ ୧,୧୬୦ଟି ହୀରା ଖଞ୍ଜାଯାଇଛି। ପଞ୍ଚମ ସ୍ଥାନରେ ରହିଛି ଲାନା ମାର୍କସ୍‌ କମ୍ପାନିର ‘କ୍ଲିଓପାଟ୍ରା କ୍ଲଚ୍‌’। ଏହାର ଦାମ୍‌ ପ୍ରାୟ ୩.୩ କୋଟି ଟଙ୍କା। ଏହାକୁ ଆମେରିକୀୟ କୁମ୍ଭୀର ଚମଡ଼ାରୁ ପ୍ରସ୍ତୁତ କରାଯାଇଛି ଏବଂ ଏଥିରେ ୧,୬୦୦ଟି ହୀରା ଲାଗିଛି।