ବନ୍ୟା, ମରୁଡ଼ି, ବନାଗ୍ନି ଓ ସ୍ୱାସ୍ଥ୍ୟ ସମସ୍ୟା ଭଳି ପରିବେଶଗତ କ୍ଷତି ପାଇଁ ତେଲ, ଗ୍ୟାସ୍ ଓ କୋଇଲା ନିଗମଗୁଡ଼ିକ ଉପରେ ଟିକସ ଲାଗୁ ହେବା ଉଚିତ ବୋଲି ୮୦% ଭାରତୀୟ ମତ ଦେଇଛନ୍ତି। ଗ୍ରିନପିସ୍ ଓ ଅକ୍ସଫାମ୍ ଦ୍ୱାରା କରାଯାଇଥିବା ଏକ ନୂତନ ସର୍ବେକ୍ଷଣରୁ ଏହା ଜଣାପଡ଼ିଛି। ସେହିପରି ୫୦%ରୁ ଅଧିକ ଭାରତୀୟ କହିଛନ୍ତି ଯେ ତେଲ ଓ ଗ୍ୟାସ୍ କମ୍ପାନିଗୁଡ଼ିକ ସେମାନେ କରୁଥିବା ପରିବେଶ କ୍ଷତି ପାଇଁ ଟିକସ ଦେବା ଉଚିତ। ଅନ୍ୟ ୨୩%ଙ୍କ ମତ ଯେ ବ୍ୟବସାୟ ପ୍ରତିଷ୍ଠାନ ଉକ୍ତ ଟିକସ ଦେବା ଉଚିତ; ୧୩%ଙ୍କ ମତରେ ଲୋକମାନେ କିଣୁଥିବା ସାମଗ୍ରୀରୁ ଉକ୍ତ ଟିକସ ଆଦାୟ କରାଯିବା ଉଚିତ ଏବଂ ୧୦% କହିଛନ୍ତି ଯେ କର୍ମଜୀବୀ ଲୋକମାନେ ମଧ୍ୟ ପରିବେଶ ଟିକସ ଦେବା ଉଚିତ। ଏଥି ସହିତ, ଜୀବାଶ୍ମ ଇନ୍ଧନ ଉପରେ ଟିକସ ବୃଦ୍ଧି କରି ସେହି ଅର୍ଥକୁ ଜଳବାୟୁ ପରିବର୍ତ୍ତନର ଆଗଧାଡ଼ିରେ ଥିବା ସମ୍ପ୍ରଦାୟଗୁଡ଼ିକର ସମର୍ଥନରେ ବିନିଯୋଗ କରିବାକୁ ୪୩% ଭାରତୀୟ ‘ଦୃଢ଼ ସମର୍ଥନ’ କରନ୍ତି ଏବଂ ୪୪% ‘ସମର୍ଥନ’ କରନ୍ତି। ବିପରୀତରେ, କେବଳ ୧୩% ଏପରି ପ୍ରସ୍ତାବକୁ ‘ବିରୋଧ’ ଓ ‘କଡ଼ା ବିରୋଧ’ କରନ୍ତି।
ଗ୍ରିନପିସ୍ ସଂସ୍ଥା ଭାରତ ସମେତ ୧୨ଟି ଦେଶରେ ୧୨୦୦ ଲୋକଙ୍କୁ ନେଇ ଏହି ସର୍ବେକ୍ଷଣ କରିଛି। ତେଲ, ଗ୍ୟାସ ଓ କୋଇଲା କମ୍ପାନିଗୁଡ଼ିକ କରୁଥିବା ପରିବେଶ କ୍ଷତି ପାଇଁ ଟିକସ ଲଗାଇବାକୁ ଭାରତ ପରି ଅନ୍ୟ ଦେଶର ୮୧% ଲୋକ ସମର୍ଥନ କରନ୍ତି। ଏଥି ସହିତ ଜଳବାୟୁ ପରିବର୍ତ୍ତନ ଦ୍ୱାରା ସର୍ବାଧିକ ପ୍ରଭାବିତ ସମ୍ପ୍ରଦାୟଗୁଡ଼ିକୁ ସମର୍ଥନ କରିବା ପାଇଁ ସରକାର ଅଧିକ ଖର୍ଚ୍ଚ କରିବା ଉଚିତ ବୋଲି ଅଧିକାଂଶ ଲୋକ ବିଶ୍ୱାସ କରନ୍ତି। ପ୍ରଦୂଷଣକାରୀ ଶିଳ୍ପଗୁଡ଼ିକ ଲାଗି ଏକ ନୂତନ ଟିକସ ବ୍ୟବସ୍ଥା ଜଳବାୟୁ-ସମ୍ବେଦନଶୀଳ ଦେଶଗୁଡ଼ିକୁ ଗୁରୁତ୍ୱପୂର୍ଣ୍ଣ ସହାୟତା ପ୍ରଦାନ କରିବ ଏବଂ ଅକ୍ଷୟ ଶକ୍ତିରେ ନିବେଶକୁ ପ୍ରୋତ୍ସାହିତ କରିବ ବୋଲି ଅକ୍ସଫାମ୍ ଇଣ୍ଟରନ୍ୟାସନାଲର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଅମିତାଭ ବେହାର କହିଛନ୍ତି।