ସାମାଜିକ ଗଣମାଧ୍ୟମ ଦ୍ବାରା ପରିଚାଳିତ ଆଜିର ଦୁନିଆରେ ଏକ ନକଲି ଜୀବନ ବିତାଇବା ଅତି ସହଜ ହୋଇପଡ଼ିଛି। ଏହା ଏମିତି ଏକ ଦୁନିଆ, ଯେଉଁଠି ଏକ ସେଲ୍ଫି ବା କୌଣସି ସ୍ଥାନର ଭିଡିଓ ଲୋକଙ୍କୁ ଅଜବ କାହାଣୀ ଉପରେ ବିଶ୍ବାସ କରିବା ପାଇଁ ବାଧ୍ୟ କରିଥାଏ। ମନେହୁଏ, ଯେପରିକି ଗୋଟିଏ ନିର୍ଦ୍ଦିଷ୍ଟ ଗୋଷ୍ଠୀରେ ରହିବା ଲାଗି ଅଧିକାଂଶ ଲୋକ ନକଲି ଜୀବନ ବିତାଇ ଚାଲିଛନ୍ତି। ତେବେ ନିକଟରେ ହୋଇଥିବା ଏକ ସର୍ବେକ୍ଷଣ ଅନୁଯାୟୀ, ୧୯୮୧ରୁ ୧୯୯୬ ମସିହା ଭିତରେ ଜନ୍ମ ହୋଇଥିବା ‘ମିଲେନିଆଲ୍’ ପିଢ଼ିର ଲୋକମାନେ ଅନ୍ୟ ବୟସର ଲୋକଙ୍କ ତୁଳନାରେ କାର୍ଯ୍ୟକ୍ଷେତ୍ରରେ ଓ ସାମାଜିକ ଗଣମାଧ୍ୟମରେ ସର୍ବାଧିକ ମିଛ କହୁଛନ୍ତି। ‘ପ୍ଲେଷ୍ଟାର’ ନାମକ ଏକ ଅନ୍ଲାଇନ୍ କ୍ୟାସିନୋ ଦ୍ବାରା ଅନୁଷ୍ଠିତ ଏହି ସର୍ବେକ୍ଷଣରେ ଆମେରିକାର ବିଭିନ୍ନ ପ୍ରଦେଶର ୧,୩୦୬ ଜଣ ବ୍ୟକ୍ତିଙ୍କୁ ସାମିଲ କରାଯାଇ ବିଭିନ୍ନ ପ୍ରଶ୍ନ ପଚରାଯାଇଥିଲା। ସେମାନଙ୍କ ଭିତରୁ ଅଧେ ମହିଳା ଓ ଅଧେ ପୁରୁଷ ଥିଲେ। ସେଥିରୁ ମିଳିଥିବା ଚାଞ୍ଚଲ୍ୟକର ଫଳାଫଳଟି ହେଲା, ୧୯୮୧ରୁ ୧୯୯୬ ଭିତରେ ଜନ୍ମିତ ‘ମିଲେନିଆଲ୍’ ମାନେ ହେଉଛନ୍ତି ସବୁଠୁ ଅସାଧୁ ଓ ବେଇମାନ।
ସେମାନଙ୍କ ଭିତରୁ ୧୩ ପ୍ରତିଶତ ଲୋକ ପ୍ରତ୍ୟହ ଅତି କମ୍ରେ ଥରେ ମିଛ କହିଥିବା ସ୍ବୀକାର କରିଥିଲେ। ଅପରପକ୍ଷେ, ୧୯୪୬ରୁ ୧୯୬୪ ମସିହା ଭିତରେ ଜନ୍ମ ନେଇଥିବା ନାଗରିକମାନଙ୍କ ଭିତରୁ ମାତ୍ର ୨ ପ୍ରତିଶତ ଦିନକୁ ଥରେ ମିଛ କହିଥିବା ମାନିଥିଲେ। ତେବେ ୧୯୯୭ରୁ ୨୦୨୧ ଭିତରେ ଜନ୍ମିଥିବା ପିଢ଼ି ଓ ୧୯୬୫ରୁ ୧୯୮୦ ଭିତରେ ଜନ୍ମିଥିବା ପିଢ଼ିଙ୍କ ଭିତରେ ବେଶ୍ ସାମଞ୍ଜସ୍ୟ ଦେଖାଯାଇଥିଲା। ସେମାନଙ୍କ ଭିତରୁ ୫ ପ୍ରତିଶତ ଦୈନିକ ଥରେ ମିଛ କହୁଥିବା କଥା ସ୍ବୀକାର କରିଥିଲେ। ମିଲେନିଆଲ୍ମାନେ ମିଛ କହିବା ପଛର କାରଣ ମଧ୍ୟ ଜଣାପଡ଼ିଛି। ସେମାନଙ୍କ ଭିତରୁ ପ୍ରତି ପାଞ୍ଚ ଜଣରେ ଦୁଇ ଜଣ କାର୍ଯ୍ୟକ୍ଷେତ୍ରରେ ହଇରାଣ ହରକତରୁ ଦୂରେଇ ରହିବା ଲାଗି ନିଜ ମାଲିକଙ୍କୁ ମିଛ କହିଥା’ନ୍ତି। ସେହିପରି ସାମାଜିକ ଗଣମାଧ୍ୟମରେ ଲୋକଙ୍କୁ ଆକର୍ଷିତ କରିବା ଲାଗି ୨୩ ପ୍ରତିଶତ ଲୋକ ମିଛ କହୁଥିବା ଜଣାଯାଇଛି। ତେବେ କାହାର କୌଣସି କ୍ଷତି ପହଞ୍ଚାଇବା ପାଇଁ ଏହିସବୁ ମିଛ ଉଦ୍ଦିଷ୍ଟ ନୁହେଁ। ମୋଟାମୋଟି ଭାବେ ୫୮ ପ୍ରତିଶତ ଲୋକ କୌଣସି ଲଜ୍ଜାଜନକ ପରିସ୍ଥିତିରୁ ମୁକୁଳିବା ପାଇଁ ମିଛ କହିଥା’ନ୍ତି ତ ୪୨ ପ୍ରତିଶତ ବ୍ୟକ୍ତି ନିଜର ବ୍ୟକ୍ତିଗତ ଜୀବନକୁ ସୁରକ୍ଷା ଦେବାପାଇଁ ମିଛ କହିଥା’ନ୍ତି ବୋଲି ଏହି ସର୍ବେକ୍ଷଣରୁ ଜଣାପଡ଼ିଛି।