ବଣାଇଗଡ଼: ସେ ହେଉଛନ୍ତି ଭକ୍ତ ମନୋବାଞ୍ଛାପୂର୍ଣ୍ଣକାରିଣୀ। ସନ୍ତାନ ଡାକରେ ‘ଓ’ ବୋଲି ଅଭୟ ଦେଇଥାନ୍ତି। ବର୍ଷକରେ ଥରେ ମାତ୍ର ପନ୍ଦରଦିନ ପାଇଁ ପରିକ୍ରମାରେ ବାହାରି ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦିଅନ୍ତି। ସେ ହେଉଛନ୍ତି ବଣାଇ ଅଞ୍ଚଳର ଆରାଧ୍ୟା ମା’ କନ୍ତଦେବୀ। ସୁଉଚ୍ଚ ସୁରମ୍ୟ ଖଣ୍ଡାଧାର ଜଳପ୍ରପାତ ପାଦଦେଶରେ ଅବସ୍ଥିତ ସାନଜଲ ଗାଁ ନିକଟ ପର୍ବତକାନ୍ଥ ଦରିରେ ମନୋବାଞ୍ଛାପୂର୍ଣ୍ଣକାରିଣୀ ବନଦୁର୍ଗା ମା’ କନ୍ତଦେବୀଙ୍କ ଆସ୍ଥାନ। ଗିରିକନ୍ଦର ଆଦିମ ଅଧିବାସୀ ପାଉଡ଼ିଭୂୟାଁଙ୍କର ସେ ଆରାଧ୍ୟାଦେବୀ ହେଲେ ହେଁ ଆବ୍ରାହ୍ମଣଚଣ୍ଡାଳ ସଭିଙ୍କର ଆଶା ଆଶ୍ୱାସନାର ମୂର୍ତ୍ତିମନ୍ତ ପ୍ରତୀକ। ପ୍ରତିବର୍ଷ ଆଶ୍ବିନମାସ ଶୁକ୍ଳପକ୍ଷ ଦ୍ୱିତୀୟା ତିଥିଠାରୁ କୁମାରପୂର୍ଣ୍ଣିମା ପର୍ଯ୍ୟନ୍ତ ତାଙ୍କର ପୂଜା ଧୂମ୍‌ଧାମ୍‌ରେ ଚାଲେ। 

Advertisment

ପୂଜାର ସପ୍ତାହେ ପୂର୍ବରୁ ଦେହୁରୀ ରାଜାଙ୍କ ଉଆସକୁ ଆସି ଅରୁଆଚାଉଳ, ଗୋଟା ହଳଦୀ, ଗୁଆ କିମ୍ବା ହରିଡ଼ା ଆଞ୍ଜୁଳି ନେଇ ପ୍ରତିପଦା ଦିନ ଦେବୀଙ୍କ ପୀଠରେ ନିମନ୍ତ୍ରଣ ପୂଜା କରନ୍ତି। ଦ୍ୱିତୀୟାଦିନ ଆସ୍ଥାନରୁ ଦେବୀଙ୍କ ବିଗ୍ରହକୁ ଆଣି ହଳଦୀକୁଦର, କଣ୍ଟାକୁଦର, ନୂଆଡ଼ିହି, ଖୁଣ୍ଟଗାଁ, ବିଛଣାପଟି, ସୁଆରପାଲି, ଜକୈକଳା, ଜମକେଇ, ଉପୁଡ଼ା ଆଦି ଗ୍ରାମରେ ମଣ୍ଡଳୀ ପୂଜାକରି ଅଷ୍ଟମୀତିଥିରେ ବଣାଇଗଡ଼ ସୀମାରେ ଅବସ୍ଥିତ କନ୍ତଯୋଡ଼ି ଗ୍ରାମରେ କନ୍ତଭେଟ କରାଇଥାନ୍ତି। ଏହା ପରେ ରାଜାଙ୍କର ଦେବୀ ପୂଜକ ଅମାତଙ୍କ ହାତକୁ ଟେକି ଦିଅନ୍ତି। ଅମାତ କନ୍ତଯୋଡ଼ି, ଗୋପୀନାଥପୁର, ମୁଣ୍ଡଗଳାସାହି, କଂସାରିସାହି, ତେଲିସାହି, ଜଗନ୍ନାଥପୁର, କୁମାରୀଦେବୀ ମନ୍ଦିର ଦେଇ ଖଣ୍ଡାଘରେ ପ୍ରବେଶ କରିଥାନ୍ତି। ଖଣ୍ଡାଘରେ ସିଦ୍ଧ ବ୍ରାହ୍ମଣଙ୍କ ଦ୍ୱାରା ହୋମଯଜ୍ଞ ପୂଜାର୍ଚ୍ଚନା ହୁଏ। ପରଦିନ ସକାଳେ ମା’ଙ୍କ ବିଗ୍ରହକୁ ରାଜା ସ୍ୱହସ୍ତରେ ତୋଳି ନେଇ ରାଣୀମା’ଙ୍କୁ ଦିଅନ୍ତି। ରାଣୀମା’ ଦେବୀଙ୍କର ପୂଜାର୍ଚ୍ଚନା କଲାପରେ ପୁଣି ଅମାତଙ୍କୁ ଦେଇଥାନ୍ତି। ଏହାପରେ ଦେବୀ ବିଗ୍ରହଙ୍କୁ ମଣ୍ଡପରେ ବିଜେ କରାଇ ପୂଜାର୍ଚ୍ଚନା କରାଯାଏ। ଦଶହରା ଦିନ ପୁଣି ଭୂୟାଁ ଦେହୁରୀଙ୍କୁ ଦେବୀ ବିଗ୍ରହ ସମର୍ପଣ କରାଯାଏ। ସେ ବାହାରଗଡ଼ ନଦୀଘାଟରେ ପାତ୍ରଘରୁ ନିମ୍ବଚକୁଳି ଭୋଗ ଦେଇ ନଦୀପାର କରାଇଥାନ୍ତି। ତା’ ପରେ ବିଭିନ୍ନ ଗ୍ରାମ ପରିକ୍ରମା କରିସାରିବା ପରେ କୁମାରପୂର୍ଣ୍ଣିମା ଦିନ ପୁଣି ଦେବୀ ସ୍ବଆସ୍ଥାନକୁ ପ୍ରତ୍ୟାବର୍ତ୍ତନ କରନ୍ତି। 

ଶୁଦ୍ଧପୂତ ଅନ୍ତରରେ ଦୃଢ଼ ବିଶ୍ବାସ ରଖି ମ‌ା’ଙ୍କ ନିକଟରେ ମାନସିକ କଲେ ମନସ୍କାମନା ପୂର୍ଣ୍ଣ ହୋଇଥାଏ। ତେଣୁ ମା’ କନ୍ତଦେବୀଙ୍କ ଏହି ପରିକ୍ରମା ଦିନଗୁଡ଼ିକରେ ଅସଂଖ୍ୟ ଭକ୍ତଙ୍କ ଭିଡ଼ ଲାଗି ରହେ। ବାମଣ୍ଡା, କୁଚିଣ୍ଡା, ପାଳଲହଡ଼ା, କେନ୍ଦୁଝର ଆଦି ବହୁ ଦୂରଦୂରାନ୍ତରୁ ମା’ଙ୍କ ଦର୍ଶନ ଓ ପୂଜା ମାନସିକ ରଖିଥିବା ଭକ୍ତମାନେ ବୋଦା, କୁକୁଡ଼ା ବଳି ପ୍ରଦାନ କରିଥାନ୍ତି। ବଣାଇରେ ଦଶହରାର ମୁଖ୍ୟପର୍ବ ହେଉଛି ମା’ କନ୍ତଦେବୀଙ୍କ ପୂଜା। ପ୍ରାୟ ୧୦୦ ବର୍ଷରୁ ଅଧିକ ହେବ ମା’ଙ୍କ ପୂଜା ଚାଲିଆସିଛି ବୋଲି ବଣାଇ ମାଦଳାପାଞ୍ଜିରୁ ଜଣାପଡ଼େ।